Unknown

 

 

 

 

 

 

 

 

 

କରତାଳି

ଶ୍ରୀ ଗୋବିନ୍ଦ ରଥ

 

ପ୍ରକାଶକଙ୍କ ପକ୍ଷରୁ

 

ମାନବ ସଭ୍ୟତାର ଇତିହାସରେ ଉତ୍କୃଷ୍ଟ ଗ୍ରନ୍ଥର ଗୁରୁତ୍ୱ ସର୍ବଦା ସ୍ୱୀକୃତ ହୋଇ ଆସିଛି-। କେହି କେିହ ଏହାକୁ ମଣିଷର ‘ଜୀବନ-ବେଦ’ କହିଥିଲା ବେଳେ ଆଉ କେହି କେହି କହିଛନ୍ତି– ‘ଶୋଷିତ ସମାଜର ଅମୋଘ ଅସ୍ତ୍ର’ । କିନ୍ତୁ ଉତ୍କୃଷ୍ଟ ଗ୍ରନ୍ଥର ରଚନା ଓ ପ୍ରକାଶ ପ୍ରାୟ ସର୍ବତ୍ର ସୀମାବଦ୍ଧ । ସେଥିପାଇଁ ବିଭିନ୍ନ ସାଂସ୍କୃତିକ ସଂସ୍ଥା ଓ ସାରସ୍ୱତ ପ୍ରତିଷ୍ଠାନ, ବହିୁବିଧ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କୃଷ୍ଟ ଗ୍ରନ୍ଥ ରଚନା ପାଇଁ ଲେଖକମାନଙ୍କୁ ଉତ୍ସାହିତ କରିବା ଏବଂ ସେହିଭଳି ଗ୍ରନ୍ଥର ପ୍ରକାଶ କରିବାର ଦାୟିତ୍ୱ ଗ୍ରହଣ କରିଥାଆନ୍ତି । ‘ଓଡ଼ିଆ ଗବେଷଣା ପରିଷଦ’ ମଧ୍ୟ ନିଜର ବିଭିନ୍ନ ଉଦ୍ଦେଶ୍ୟ ମଧ୍ୟରେ ‘ପ୍ରକାଶଯୋଗ୍ୟ ନୂତନ/ପୁରାତନ ଓଡ଼ିଆ ଗ୍ରନ୍ଥର ସଂଗ୍ରହ ଓ ମୁଦ୍ରଣ’ ଉଦ୍ଦେଶ୍ୟ ସ୍ଥିର କରିଛି ।

 

ପରିଷଦ ଗ୍ରନ୍ଥମାଳାର ଏକବିଂଶ ପ୍ରକାଶନ ରୂପେ କବି ପଣ୍ଡିତ ଗୋବିନ୍ଦ ରଥଙ୍କ ଏହି ‘କରତାଳି’ (୧୯୦୯) ପୁସ୍ତକ ଏବେ ଆମେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛୁଁ । ଗତ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଏହା ପ୍ରକାଶିତ ହୋଇ ଆମର ସାଂସ୍କୃତିକ ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲା । ପୁସ୍ତକଟି ବହୁକାଳ ଦୁଷ୍ପ୍ରାପ୍ୟ ଥିବାରୁ ପ୍ରଥମ ପ୍ରକାଶର ଶହେ ବର୍ଷ ପରେ ପରିଷଦ ଏହା ପୁନଃ ପ୍ରକାଶ କରୁଛି । ବ୍ୟାସକବି ଫକିରମୋହନ ଯେପରି ‘ଉତ୍କଳ ଭ୍ରମଣଂ (୧୮୯୨) ରଚନାରେ ରାଜ୍ୟରେ ବହୁ ଶିଷ୍ଟବିଶିଷ୍ଟ ବ୍ୟକ୍ତି ତଥା ପରିଚିତ ପ୍ରତିଷ୍ଠାନର ରଙ୍ଗରସପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ, ରଥେ ସେହିପରି ‘କରତାଳି’ରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବହଚ ଦେବଦେବୀ ଓ ଧର୍ମପୀଠର ସାବଲୀଳ ବର୍ଣ୍ଣନା ପ୍ରଦାନ କରିଛନ୍ତି । ପୁସ୍ତକଟି ତଥ୍ୟମୂଳକ ହେବ ସଂଗେ ସଂଗେ ଐତିହାସିକ ଓ ସାମାଜିକ ମୂଲ୍ୟ ବହନ କରିଛି । ଜାତିର ଆତ୍ମପରିଚିତି ଗଠନରେ ଏହା ସହାୟକ ।

 

ଏହି ପୁସ୍ତକର ସଂପାଦନ କରିଛନ୍ତି ଅଧ୍ୟାପିକା ବିଜୟନୀ ସିଂହଦେଓ । ତତ୍‍ ସହିତ ‘କରତାଳି’ ସଂପର୍କରେ ଏକ ଉପଲବ୍ଧିମୂଳକ ଆଲୋଚନା ଲେଖିଛନ୍ତି ମୁଖବନ୍ଧରେ । ସେଥିପାଇଁ ପରିଷଦ ପକ୍ଷରୁ ତାଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରୁଛୁଁ । ଇତି

 

 

କଟକ

୨୫.୦୨.୨୦୦୯

ବିନୀତା

ଲାବଣ୍ୟ ନାୟକ

ସଂପାଦିକା

Image

 

ମୁଖବନ୍ଧ

 

ଆଧୁନିକ ଓଡ଼ିଆ ସାହିତ୍ୟାକାଶରେ ବିଭିନ୍ନ ଗ୍ରହଉପଗ୍ରହଙ୍କ ମଧ୍ୟରେ ପଣ୍ଡିତ ଗୋବିନ୍ଦ ରଥ (୧୮୪୮-୧୯୧୮) ଅନ୍ୟତମ । ତାଙ୍କ କୃତିତ୍ୱର ଦୀପ୍ତି ତତ୍‍କାଳୀନ ସମାଜ ଓ ଜାତୀୟ ଜୀବନକୁ ଉଜ୍ଜ୍ୱଳ କରିଥିଲେ ହେଁ, ଦୁଃଖର କଥା, ସେ ଏପର୍ଯ୍ୟନ୍ତ ସ୍ୱଳ୍ପ ଆଲୋଚିତ ହୋଇ ରହିଛନ୍ତି-

କଟକ ଜିଲ୍ଲା ବାଙ୍କୀର ସିଂହନାଥ ପୀଠ ପାଟପୁର ଗ୍ରାମରେ ତାଙ୍କର ଜନ୍ମ । ପିତା ଦୀନବନ୍ଧୁ ଓ ମାତା ସତ୍ୟଭାମା । ବାଲ୍ୟକାଳରେ ତାଙ୍କର ପିତୃ ବିୟୋଗ ଘଟିବାରୁ କକା ସଂସ୍କୃତ ପଣ୍ଡିତ କୃପାସିନ୍ଧୁ ରଥ ଗୋବିନ୍ଦଙ୍କ ପାଳନପୋଷଣ ଓ ବାଲ୍ୟଶିକ୍ଷାର ଦାୟିତ୍ୱ ଗ୍ରହଣ କରିଥିଲେ । ମାତା ସତ୍ୟଭାମା ଥିଲେ ଆଶୁ କବି, ସେଥିପାଇଁ ସେ ‘କବିବୁଢ଼ୀ’ ନାମରେ ପରିଚିତା ଥିଲେ । ତାଙ୍କର ପ୍ରଭାବରେ ଗୋବିନ୍ଦ ପ୍ରଭାବିତ ହୋଇଥିବାର ମନେ ହୁଏ ।

ଗୋବିନ୍ଦଙ୍କର ବାଲ୍ୟକାଳରେ ସ୍କୁଲ ପାଠ ପଢ଼ିଲେ, କାଗଜ ଛୁଇଁଲେ ଜାତି ଯିବାର ଭ୍ରାନ୍ତ ଧାରଣ ସାମାଜରେ ପ୍ରଚଳିତ ଥିଲା । ସେହି ଗତାନୁଗତିକ ଧାରଣକୁ ଭ୍ରୂକ୍ଷେପ ନ କରି ଗୋବିନ୍ଦ ରଥ ପ୍ରାଥମିକ ଶିକ୍ଷା ଲାଭ ପରେ ୧୮୬୯ ରେ କଟକ ନର୍ମାଲ୍‍ ସ୍କୁଲରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେଲେ । ସେ ଥିଲେ ଆବଲ୍ୟ ବିଦ୍ରୋହୀ । ସମାଜର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ଅନେକ କୁସଂସ୍କାର ବିରୋଧରେ ସେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଥିଲେ । ପୁରୀରେ ଶିକ୍ଷକ ଭାବେ ଅବସ୍ଥାପିତ ଥିଲାବେଳେ ଷୋଳଶାସନ ଅନ୍ତର୍ଗତ ନରସିଂହପୁର ଶାସନରେ ସେ ବିବାହ କରିଥିଲେ । ସେହିଠାରେ ଅବସ୍ଥାନ କାଳରେ ହିଁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀବିୟୋଗ ଘଟିଲା-। ସେ ଆଉ ପୁନର୍ବିବାହରେ ମନ ବଳେଇ ନଥିଲେ । ସତେ ଯେପରି ଜଣେ ଏକନିଷ୍ଠ ସାଧକରେ ଜୀବନ ବିତେଇବା ନିମନ୍ତେ ତାଙ୍କର ସମସ୍ତ ବନ୍ଧନ ଛିନ୍ନ ହୋଇଯାଇଥିଲା !ଏକମାତ୍ର କନିଷ୍ଠ ଭ୍ରାତା ରାମଚନ୍ଦ୍ର ରଥ ହିଁ ତାଙ୍କ ଜୀବନର ସଂପର୍କର ଡୋରି ହୋଇ ରହିଲେ ।

ପ୍ୟାରୀମୋହନ ଆଚାର୍ଯ୍ୟ (ଖ୍ରୀ ୧୮୫୧-୧୮୮୧) ଥିଲେ ତାଙ୍କର ପରମ ବନ୍ଧୁ । ତାଙ୍କ ସହ ବହୁକଷ୍ଟ ସ୍ୱୀକାର କରି ଗୋବିନ୍ଦ ପ୍ୟାରୀମୋହନ ଏକାଡ଼େମୀର ସଂଗଠନ କରିଥିଲେ । ସେ ଏହି ସ୍କୁଲକୁ ବିପିନଚନ୍ଦ୍ର ପାଲ୍‍ଙ୍କୁ ଶିକ୍ଷକ ଭାବେ ଆଣିବା ପାଇଁ ଚାନ୍ଦବାଲି ବାଟେ ସୁଦୂର କଲିକତା ଯାଇଥିଲେ । ପ୍ୟାରୀମୋହନଙ୍କୁ ସବୁ କ୍ଷେତ୍ରରେ ସେ ଅକୁଣ୍ଠ ଓ ଅକ୍ଳାନ୍ତ ସାହାର୍ଯ୍ୟ କରୁଥିଲେ । ପ୍ୟାରୀମୋହନ ‘ଉତ୍କଳପୁତ୍ର’ ପତ୍ରିକ ସଂପାଦନା କଲାବେଳେ ଗୋବିନ୍ଦ ରଥ ତାଙ୍କୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ ।

ଓଡ଼ିଶାରେ ସେତେବେଳେ ଇଂରେଜ ରାଜୁତି ଚାଲିଥିଲା । ଇଂରେଜ ଶାସନର ଦୋଷ, ଦୁର୍ବଳତା, ଅନ୍ୟାୟ, ଅବିଚାରକୁ ସେ ଆଦୌ ସହ୍ୟ କରୁ ନଥିଲେ । ବାଙ୍କୀର ତତ୍କାଳୀନ ତିନିଜଣ ଦୁର୍ନୀତିଗ୍ରସ୍ତ କର୍ମକର୍ତ୍ତାଙ୍କ ବିରୋଧରେ ‘ଉତ୍କଳ ଦୀପିକା’ ପତ୍ରିକାରେ କଟୁ ସମାଲୋଚନା କରିଥିଲେ-। ନିଜ ନାମରେ ପ୍ରଥମ ଏବଂ ଶେଷ ଅକ୍ଷରକୁ ସଂଯୋଗ କରି ‘ଗୋଥ’ ଛଦ୍ମନାମରେ ସେ ଲେଖୁଥିଲେ । ସ୍ପଷ୍ଟବାଦିତା ପାଇଁ ଗୋବିନ୍ଦଙ୍କୁ ଅନେକ ଦୁଃଖ ଯନ୍ତ୍ରଣା ସହ୍ୟ କରିବାକୁ ହୋଇଛି ସତ, କିନ୍ତୁ ବିଜୟରେ ଗୌରବ ସର୍ବଦା ତାଙ୍କର ମସ୍ତକ ମଣ୍ଡନ କରିଛି ।

ଗୋବିନ୍ଦ ରଥ ନିଜର ଏକ ବହୁ ଆଦୃତ ଓ ଆଲୋଚିତ ବ୍ୟଙ୍ଗ କବିତା ‘ଫିଉଚର୍‍ ସାହେବ’ ରେ ଉଲ୍ଲେଖ କରିଛନ୍ତି–

‘‘ଏଥର ମଲେ ସାହେବ ହେବ

ଲାଲ ମୁଣ୍ଡରେ କ୍ୟାପ୍‍ ହେବି

କ୍ରିନିଟ୍‍ ଫ୍ଲାନେଲ୍‍ ପେଣ୍ଟ ଇନ୍‍ କରି

ନାଇଟ୍‍ ଡେ ପିନ୍ଧିଥିବି,

ଗିନି ଫାଉଲ୍‍ଙ୍କ ବଅଁଶ ମାରିବ

ଟେବୁଲ୍‍ ଉପରେ ଖାନା ଖାଇବି

ନେଟିଭ୍‍ ଦେଖିଲେ, ନିକଟେ ଆସିଲେ

ଡାର୍ଟି ବୋଲି ଦୂର ଦୂର କରିବି

ଇରୋପିୟାନ୍‍ ଯେବେ ଦେଖିବି

ତ୍ରିଖଣ୍ଡି ମଜୁରା ତହିଁ ମାରିବି ।

ଗୁଡ୍‍ବାଇ ଫ୍ରେଣ୍ଡ୍‍ ବୋଲି ସେକ୍‍ହାଣ୍ଡ

କରି ‘ଲେଟ୍‍ ମି ଗୋ’ ବୋଲି ଚଳିବି ।’’

ଗୋବିନ୍ଦ ରଥ ଇଂରେଜମାନଙ୍କ ଶାସନ ବିରୋଧରେ ପ୍ରତିବାଦ ଜଣାଇଲେ ମଧ୍ୟ ଇଂରେଜମାନଙ୍କ ଅବଦାନକୁ କୃତଜ୍ଞତାର ସହ ସ୍ୱୀକାର କରିଛନ୍ତି । ‘ଲାଟ ଦର୍ଶନ’ ଓ ‘ଅଭିଷେକ ଉତ୍ସବ’ ଇତ୍ୟାଦି କବିତାରେ ଗୋବିନ୍ଦ ରଥଙ୍କ ଏହି ମହନୀୟତାର ସ୍ପୁରଣ ଦେଖିବାକୁ ମିଳେ ।

ତୁମ୍ଭେ ଲାଟ୍‍ ବଡ଼ ଦୟାଳୁ ଅଛି କର୍ଣ୍ଣ ଗୋଚର

ଆଶା ବାନ୍ଧି ତେଣୁ ଆସିଛୁ ଆଜି ତୁମ୍ଭ ପାଶରେ

କରିବାକୁ ବଡ଼ବାସନା ଉଠୁ ନାହିଁ ରସନା

ବିଲାତେ ଚାଉଳ ରପ୍ତାନି କରିଦିଅନ୍ତ ମନା ।

–ଲାଟ୍‍ ଦର୍ଶନ

ସଂସ୍କାର ପ୍ରବଣ ମନୋବୃତ୍ତି ହେତୁ ସେ ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ପ୍ରଚେଷ୍ଟା କରିଥିଲେ ଏବଂ ଅନେକ କ୍ଷେତ୍ରରେ ସଫଳ ମଧ୍ୟ ହୋଇଥିଲେ । ମା’ ଚର୍ଚ୍ଚିକାଙ୍କ ମନ୍ଦିରରେ ପ୍ରଚଳିତ ବଳିପ୍ରଥା ବିରୋଧରେ ସେ ଲେଖିଥିଲେ ।

‘‘ଜଣା ପଣାକୁ ମାଜଣା ବଢ଼ି ତ ଗଲା ଖଳଣା

କାହିଁ ଠାକୁରାଣୀ ବୋଦା ସବୁ ତ ପଦା ହେ ।’’

‘ଆଚରଣ ଶିକ୍ଷା’, ‘ଚାଟଶାଳୀ’, ‘ଉପଦେଶ ସାର’, ‘ଯୋଗଧାରଣ’, ପ୍ରଭୃତି ପୁସ୍ତକ ରଚନା କରି ସମାଜରେ ସୁନାଗରିକ ଗଠନ କରିବାରେ ପ୍ରୟାସ କରିଥିଲେ ।

ତାଙ୍କର ସ୍ୱଦେଶୀ ପ୍ରୀତି ଅନନ୍ୟାସାଧାରଣ । ସେ କେବଳ ଦେଶମାତୃକାକୁ ପରାଧୀନତାର ଶୃଙ୍ଗଳରୁ ମୁକ୍ତ କରିବାକୁ ଚାହୁଁନଥିଲେ, ଭାରତବର୍ଷ ବିଶ୍ୱରେ ଶୀର୍ଷସ୍ଥାନ ଅଧିକାର କରୁ ବୋଲି ଉଦ୍ୟମ ଜାରି ରଖିଥିଲେ । ସେ ଉତ୍କଳ ସମ୍ମିଳନୀରେ ସ୍ୱତନ୍ତ୍ର ଉତ୍କଳ ଗଠନ ନିମନ୍ତେ ଉତ୍କଳବାସୀଙ୍କୁ ଆହ୍ୱାନ କରିଥିଲେ । ୧୮୮୬ ମସିହା ମାର୍ଚ୍ଚ ୩ ତାରିଖରେ ବମ୍ବେଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସଭାରେ ସେ ଯୋଗ ଦେଇଥିଲେ । ନଅଙ୍କ ଦୁର୍ଭିକ୍ଷର କରାଳଦୃଶ୍ୟ ‘ଉତ୍କଳ ଦୀପିକା’ରେ ପ୍ରକାଶ କରି ଶାସକ ଗୋଷ୍ଠୀ ତଥା ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ପୋଷାକପତ୍ର ପରିଧାନାରେ ସୁଦ୍ଧା ସେ ଜାତୀୟତା ବଜାୟ ରଖିବାକୁ ପସନ୍ଦ କରୁଥିଲେ । ‘ପାରଳା ସମ୍ମିଳନୀ’ କବିତାରେ ତାଙ୍କର ସୂକ୍ଷ୍ମ ଜାତୀୟତାର ପରିଚୟ ମିଳେ–

‘‘ପରିଧାନ ଯେବେ ଭିନ୍ନ ହୋଇଲା

କିସ ଆଉ ଜାତୀୟତା ରହିଲା ।’’

ଓଡ଼ିଆ ଜାତିର ବ୍ୟଥା ଥିଲା ତାଙ୍କ ପ୍ରାଣରେ ବ୍ୟଥା, ଓଡ଼ିଆ ଜାତିରେ ଅଭାବ ତାଙ୍କ ମର୍ମସ୍ଥଳୀକୁ ବିଦୀର୍ଣ୍ଣ କରି ଦେଉଥିଲା । ଓଡ଼ିଶାକୁ ସେ ଜୀବନଭରି ଭଲ ପାଉଥିଲେ । ନିମ୍ନୋକ୍ତ ଦୃଷ୍ଟାନ୍ତରୁ ତାହା ଅନୁମେୟ–

‘‘ଆମେ ଖାଉ ମୋଟା ଭାତ, ଶାଗ ଆଳୁପୋଡ଼ା

ବଳୁଆ କେମିତି ହେବୁ ଓଡ଼ିଆ ବାପୁଡ଼ା

ଆମେ ସବୁ ମଲାମାଛ ଶୁଖୁଆ ତାମ୍ପଡ଼ା

ଅଧଲାଏ ହାତେ ନାହିଁ ଆମେ ଖଡ଼ସଖଡ଼ା ।’’

–ମଳିମୁଣ୍ଡିଆ

କିମ୍ବା–

‘‘ଓଡ଼ିଶା ମୋହର ମର୍ତ୍ତ୍ୟସ୍ୱର୍ଗପୁର

ନ ଗଣଇ ମୁହିଁ ଆନ

ଅତି ମନୋହର ଜନପଦେଶ୍ୱର

ଥିଲେ ମଧ୍ୟ ବହୁସ୍ଥାନ ।’’

ଓଡ଼ିଆ ଭାଷାକୁ ପରିପୁଷ୍ଟ କରିବାପାଇଁ ସେ ବହୁ ପୁସ୍ତକ ରଚନା କରିଛନ୍ତି । କେତେକ ରଚନାର ପାଣ୍ଡୁଲିପି ସଂଗ୍ରହ ପୂର୍ବକ ସଂପାଦନା ମଧ୍ୟ କରିଛନ୍ତି । ତାଙ୍କର ‘ଲାଟ ଦର୍ଶନ’ କବିତା ପରବର୍ତ୍ତୀ କାଳରେ ଜନ୍‍ ବ୍ରିଟ୍‍ଲେ ଥମ୍‍ସନ୍‍ ଇଂରାଜୀରେ ଅନୁବାଦ କରିଥିଲେ । ତାଙ୍କ ଦ୍ୱାରା ରଚିତ ସମସ୍ତ ପୁସ୍ତକର ଠିକ୍‍ ବିବରଣୀ ସଂଗ୍ରହ କରାଯାଇ ପାରିନାହିଁ ,ସଂଖ୍ୟାରେ ପ୍ରାୟ ଦୁଇଶହ ହେବ । ଯେତିକି ଉପଲବ୍ଧ ହୋଇ ପାରିଛି, ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ଖ୍ରୀ.୧୮୭୨–ସତ୍ୟେଶ୍ୱର (ଗଦ୍ୟ) – ବ୍ରାହ୍ମଧର୍ମ ସଂପର୍କୀୟ ଗ୍ରନ୍ଥ, ୧୮୭୨–ମନୋରଂଜନ, ୧୮୭୩–ଶ୍ଳୋକ ରଚନାବଳୀ, ୧୮୭୪–ପଞ୍ଚରତ୍ନ, ୧୮୭୫–କଲିକତା ଦର୍ଶନ,୧୮୭୬–ନୀତିମଂଜରୀ (ଗଦ୍ୟ). ୧୮୭୯–ପଦ୍ୟମଞ୍ଜରୀ, ୧୮୭୬–ବର୍ଣ୍ଣବୋଧକ (ପ୍ରଥମ ସଂସ୍କରଣ), ୧୮୭୭–ଭାରତ ଉତ୍ସବ, ୧୮୭୮–କବିତା କଳାପ, ୧୮୮୦–ସଂଗୀତ ସୁଧାନିଧି, ୧୮୮୨–ବିଧବା ବିବାହ, ୧୮୮୪–କଟକ ଦର୍ଶନ, ୧୮୮୪–ମହାମେଳା ଦର୍ଶନ, ୧୮୮୪–କୁସୁମ କଳିକା,୧୮୮୫–ଲାଟ୍‍ ଦର୍ଶନ, ୧୮୮୫–ଘୋଡ଼ାଡ଼ିମ୍ବ, ୧୮୮୬–ଫିଉଚର୍‍ ସାହେବ, ୧୮୮୬–ଜଣାଣ ସଂଗ୍ରହ, ୧୮୮୮–ହନୁ ଅର୍ଜୁନ କଳି, ୧୮୯୧ ୧୮୯୧ଅମୃତଭଣ୍ଡା, ୧୮୯୨–କଲିକତା ଦର୍ଶନ, ୧୮୯୨–ମରକତମଣି, ୧୮୯୩–ଅମୃତ ରସାବଳୀ, ୧୮୯୪–ହରିଅର୍ଜୁନ କଳି, ୧୮୯୬–ହରିଆ ତନ୍ତୀ, ୧୮୯୭–ଚର୍ଚ୍ଚିକା ଜଣାଣ, ୧୮୯୯–ଚମ୍ପାଫୁଲ, ୧୯୦୪–ଫୁଲ ଚାଙ୍ଗୁଡ଼ି, ୧୯୦୯–କରତାଳି, ୧୯୧୩–ଗୋବିନ୍ଦବିରୁଦାବଳୀ, ୧୯୧୪–ପାରଳା ସମ୍ମିଳନୀ, ୧୯୧୫–ସମ୍ବଲପୁର ସମ୍ମିଳନୀ, ୧୯୨୦–କକପୋଇ ଚଉତିଶା, ୧୯୨୦–ଚାଟଶାଳୀ ବୋଲି, ୧୯୨୦–ବାଙ୍କୀରେ ନବଯୁଗର ଆବିର୍ଭାବ ।

ସଂଗୃହୀତ ଓ ସଂପାଦିତ ପୁସ୍ତକ :

୧୮୮୫–କବିତା କଳାପ ବ୍ୟାଖ୍ୟା, ୧୮୮୬–ବଡ଼ଓଷ, ୧୮୮୭–ଖୁଦୁରୁକୁଣୀ ଓଷା ବା ତଅପୋଇ ଚରିତ, ୧୮୮୮–ଲେଖା ଚଉତିଶା, ୧୮୯୨–ହୀରାଖଣି, ୧୮୯୩–ଦଶପୋଇ, ୧୮୯୪–କନକଲତା, ୧୮୯୪–ଚନ୍ଦ୍ରକଳା, ୧୮୯୫–ସୁଲୋଚନା ପରିଣୟ, । ୧୮୯୫–ନାମରତ୍ନ ଗୀତା,୧୮୯୬–ଚିଟାଉ ଛାନ୍ଦ ଓ ଦୃଷ୍ଟାନ୍ତ ଚଉତିଶା, ୧୮୯୬–ରାମଲୀଳାମୃତ, ୧୮୯୭–ଛପନ ପଦିଆ, ୧୯୧୧–ଯୋଗ ତାରାବଳୀ, ୧୯୧୫–ମାନସଭଜନ, ୧୮୯୪–ଚଉପଦୀ ଚନ୍ଦ୍ରୋଦୟ, ୧୮୯୪–ନୀଳାଦ୍ରି ମହୋଦୟ, ୧୮୯୭କୃଷ୍ଣଚନ୍ଦ୍ର ଚଉତିଶା, ୧୮୯୭–ଶ୍ରୀକୃଷ୍ଣଙ୍କ ବିନତି ଓ ସ୍ନାନ ମହୋତ୍ସବ, ୧୮୯୭–ପ୍ରଥମ ଭାଷା ଓ ଦ୍ୱିତୀୟ ଭାଷା ଓଗେର, ୧୮୯୭–ପଞ୍ଚାଶ ପଦିଆ, ୧୮୯୭–ରାମକୃଷ୍ଣ କେଳି କଲ୍ଲୋଳ, । ୧୮୯୯–ଚିତ୍ରକଳା, ୧୮୯୯–ସୀତା ସ୍ମରଣ ଚଉତିଶା, ୧୯୦୨–ସ୍ୱର୍ଣ୍ଣାଦି ମହୋଦୟ, ୧୯୦୪–ଚଉତିଶା ଭୂଷଣ, ୧୯୦୪–ମିଳନ ଚଉତିଶା, ୧୯୦୪–ମେଷଯୁଦ୍ଧ ଚଉତିଶା, ୧୯୦୪–କ।ମଦୁଘା ଚଉତିଶା, ୧୯୦୪ ରତ୍ନପେଟିକା, ୧୯୦୫–ନୀଳାଦ୍ରି ମହୋଦୟ (ଦ୍ୱିତୀୟ ଖଣ୍ଡ), ୧୯୦୬–ପ୍ରାଚୀ ମାହାତ୍ମ୍ୟ, ୧୯୦୭–ନାରୀକବି ଗଙ୍ଗା, ୧୯୧୦–ଶିବ ଆରତତ୍ରାଣ, ୧୯୧୦–ବର୍ଣ୍ଣ ବିବେକ ଚନ୍ଦ୍ରିକା, ୧୯୧୦–ଭାବସମୁଦ୍ର, ୧୯୧୦–ଆଚାର ଶିକ୍ଷା, ୧୯୧୦–ଧର୍ମାନୁଷ୍ଠାନ, ୧୯୧୧–ରସ ରାମାୟଣ ମଂଜରୀ, ୧୯୧୧–ମହାରୁଦ୍ରାଭିଷେକ, ୧୯୧୫–ପାକେଲା ଚଉତିଶା, ୧୯୧୫–ଛବିଶ ପଦିଆ, ୧୯୧୫–ମୁଗ୍ଧବୋଧ ଅଭିଧାନ, ୧୯୧୫–ସ୍ମୃତିସାର ସଂଗ୍ରହ, ୧୯୧୫–ଯାଜ୍ଞବଲ୍ୟ ସଂହିତା, ୧୯୧୬–କୃପାମୟୀ ଜଣାଣ, ୧୯୧୬–ମୃତ ସଂଜୀବନୀ କଳ୍ପଃ, ୧୯୧୬–ଜଣାଣ ମାଳିକା, ଇତ୍ୟାଦି ଇତ୍ୟାଦି ।

ଏହି ଯଶସ୍ୱୀ କବିଙ୍କର ବହୁ ରଚନା ମଧ୍ୟରୁ ‘କରତାଳି’ ଏକ ପଦ୍ୟ ପୁସ୍ତକ । ଏହି ପୁସ୍ତକରେ ସେ ଓଡ଼ିଶାର ଏବଂ ରାଜ୍ୟ ବାହାରର ଅନେକ ପ୍ରଖ୍ୟାତ ଦେବଦେବୀଙ୍କର ପୀଠସ୍ଥଳୀର ବର୍ଣ୍ଣନା କରିଛନ୍ତି । ଏ ଗୋଟିଏ ପୁସ୍ତକ ପାଠ କଲେ ହିଁ ଗୋବିନ୍ଦ ରଥଙ୍କର ବିଦ୍ୟାବୁଦ୍ଧି ମେଧା ଓ ମନୀଷାର ପରିଚୟ ମିଳିଥାଏ । ‘କରତାଳି’ ସଂସ୍କୃତି କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନର ମାନ୍ୟତା ଲାଭ କରେ । ସେ ଉତ୍କଳର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସମସ୍ତ ଦେବଦେବୀଙ୍କ ପୀଠସ୍ଥଳୀର ବର୍ଣ୍ଣନା କରିଛନ୍ତି । କୌଣସି କାରଣରୁ ଯେଉଁ କେତୋଟି ସ୍ଥାନକୁ ଯାଇପାରିନାହାନ୍ତି, ସେଠାକୁ ଥରେ ଯିବା ପାଇଁ ଆଶା ପୋଷଣ କରିଛନ୍ତି । କେବଳ ଉତ୍କଳ ନୁହେଁ, କଲିକତାରୁ ମାନସରୋବର ଯାଏ ସମୁଦାୟ ୧୪୨ ଦେବଦେବୀଙ୍କର ମାହାତ୍ମ୍ୟ ସେ ଉଲ୍ଲେଖ କରିଛନ୍ତି । ପୀଠସ୍ଥାନର ମହିମା ଉଲ୍ଲେଖ କରିବା ସହିତ ସେହି ସ୍ଥାନ ସନ୍ନିକଟ ଅନ୍ୟ ଦେବଦେବୀଙ୍କର ବର୍ଣ୍ଣନା ଓ ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟ ତାଙ୍କ ଲେଖନୀରେ ରୂପାୟିତ ହୋଇଛି । କୋଣାର୍କ ନିକଟରେ ସମୁଦ୍ରରେ ସୂର୍ଯ୍ୟୋଦୟ ଅବଲୋକନ କରି କବି ଅଭିଭୂତ ହୋଇଯାଇଛନ୍ତି–

‘‘ରଥ ଆରୋହି ଜଳରୁ,

ଉଠି ଉଠି ପଡ଼ି ମରୁ,

କଅଁଳା ବାଛୁରି ପରି

ଡେଇଁ ପଡ଼ି ଥରି ଥରି ହେ ।”

ନାରାୟଣୀ ଦେବୀଙ୍କ ନିକଟରେ କବି ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଛନ୍ତି–

‘‘ମୋର ମାତା ସର୍ବଶୁଭା

ତୋ ପୀଠେ ହୋଇଲେ ଉଭା,

ନରାଜ ବନ୍ଧର ଶୋଭା,

ଦିଶୁଥାଏ ମନଲୋଭା ଗୋ,

ନାଚୁଥାଏ ଜଳବିନ୍ଦୁ

ଖେଳୁଥାନ୍ତି ତଳେ ଇନ୍ଦୁ

ବଡ କଉତୁକ ମନେ

ମୁଁ ରହିଲି ନିରୀକ୍ଷଣେ ଗୋ ।’’

ଉତ୍କଳର ଭୌଗୋଳିକ ଚିତ୍ର ପ୍ରଦାନ ସହ ସ୍ଥାନବିଶେଷର ମହତ୍ତ୍ୱ ପ୍ରତିପାଦନ କରିବା ପାଇଁ ଗୋବିନ୍ଦ ସର୍ବଦା ସଜାଗ ରହିଛନ୍ତି । ନୀଳମାଧବଙ୍କ (କଣ୍ଟିଲୋ) ଗ୍ରାମରେ ନିର୍ମିତ କଂସା ପିତଳ ବାସନ ପ୍ରସିଦ୍ଧ । ବିଭିନ୍ନ ପ୍ରକାର ତାଲାଚାବି ସେଠାରେ ତିଆରି ହେବାର ଉଲ୍ଲେଖ ‘କରତାଳିରୁ’ ମିଳିଥାଏ ।

ଦେବଦେବୀଙ୍କ ବର୍ଣ୍ଣନା ପ୍ରସଙ୍ଗରେ କବି ଅନେକତ୍ର କିମ୍ବଦନ୍ତୀ ଓ ଇତିହାସର ଆଶ୍ରୟ ନେଇଛନ୍ତି । କ୍ଷୀରଚୋରା ଗୋପୀନାଥ ଭକ୍ତକ ପାଇଁ କ୍ଷୀରି ଲୁଚେଇ ରଖିବା, ସାକ୍ଷୀ ଗୋପାଳରେ ଭକ୍ତ ପାଇଁ ଭଗବାନଙ୍କର ସାକ୍ଷ୍ୟ ପ୍ରଦାନ ତଥା କେଦାରେଶ୍ଵର, ନୃସିଂହ ନାଥଙ୍କ । ବର୍ଣ୍ଣନାରେ ଉତ୍କଳର ପ୍ରଚଳିତ କିମ୍ବଦନ୍ତୀମାନ ସ୍ଥାନିତ ହୋଇଛି । ଓଡ଼ିଶାର ମନ୍ଦିରଗୁଡ଼ିକୁ କଳାପାହାଡ଼ ନଷ୍ଟ କରିବାର ଐତିହାସିକ ବିବରଣୀ ସେ ପ୍ରଦାନ କରିଛନ୍ତି–

‘କଳାପାହାଡ଼ ଆସିଲା,

ମନ୍ଦିର କେତେ ଭାଙ୍ଗିଲା

ଦେଉଳର ଚୂଡାମାନ

ଖସାଇ ହରିଲା ଧନ ।”

ହଟକେଶ୍ଵରଙ୍କ ନିକଟରେ ଥିବା ଭଷ୍ଣପ୍ରସ୍ରବଣରୁ ସ୍ତ୍ରୀ ଲୋକମାନେ ମାନସିକ କରି ଗୁଆ ଖୋଜି ଖାଇଥାନ୍ତି । କବି ସେ ପ୍ରସ୍ରବଣ ସଂପର୍କରେ ଉଲ୍ଲେଖ କରିଛନ୍ତି–

"ବାରୁଦିଆ ଗନ୍ଧ ଉଠେ

ବାସ ଦେଇ ନାସାପୁଟେ,

ବିଜ୍ଞାନର ଏହି ମତ

ଉଷ୍ଣପ୍ରସ୍ରବଣ ସତ ହେ ।

ବିଭିନ୍ନ ମନ୍ଦିରର ନିର୍ମାଣ କୌଶକ ଏବଂ କଳାପାଟବ ପ୍ରତି କବି ରଥ ଜନମାନସକୁ ଆକୃଷ୍ଟ କରିଛନ୍ତି । ଉଦାହରଣ ସ୍ଵରୂପ, ବରାଜ ବାଲୁକେଶ୍ଵର ମନ୍ଦିର ନିର୍ମାଣ ସମ୍ବନ୍ଧରେ ସେ ଉଲ୍ଲେଖ କରିଛନ୍ତି–

“ଅତି ସୁନ୍ଦର ମନ୍ଦିର

ଦୃଶ୍ୟଟି ବଡ଼ ରୁଚିର

ସିଂହଦ୍ୱାର ସିଂହଦ୍ଵୟ

ଅଦ୍ୱିତୀୟ ଦୟାମୟ ହେ ।

ଉତ୍କଳ ଭୂମିରେ କାହିଁ,

ଏ ଗଠନ ଦେଖିନାହଁ

ସତେ କି ସିଂହ ଜୀବିତ

ମନେ ଏ ଭାବ ଉଦିତ ହେ ।’’

କବି ରଥ ଭଗବାନଙ୍କୁ ଅତି ଆପଣାର ମନେ କରିଛନ୍ତି । କବିସୂର୍ଯ୍ୟ ବଳଦେବ ରଥ । ଜଗନ୍ନାଥଙ୍କୁ ମନ ଭରତି କରି ଗାଳିଦେଲା ପରି ସେ ମଧ୍ୟ ଭଗବାନଙ୍କୁ ହୃଦୟର ନୈବେଦ୍ୟ ଭତ୍ସନା ବାଢ଼ି ଦେଇଛନ୍ତି । କୁଶଳେଶ୍ୱର ପ୍ରସଙ୍ଗରେ–

‘ପଡ଼ିଛି ଆଜି ମୋ ପାଳି

ଦେବି ମନୋମତ ଗାଳି ହେ ।

ପରିବାରର ମୁଖ୍ୟ କର୍ତ୍ତବ୍ୟରେ ଅବହେଳା କଲେ ବା ପରିଜନଙ୍କର ଯତ୍ନ ନନେଲେ, ସେମାନେ ଯେପରି କ୍ଷୁବ୍ଧହୋଇ ଅଭିଯୋଗ କରନ୍ତି, ରଥ ସେହିପରି ଦେବଦେବୀଙ୍କ ନିକଟରେ ଅଭିଯୋଗ କରିଛନ୍ତି, ଅଭିମାନ କରିଛନ୍ତି । କପିଳାସ ଚନ୍ଦ୍ରଶେଖରଙ୍କୁ, ତୁମ୍ୱେଶ୍ଵରଙ୍କୁ ଗଣେଶଙ୍କୁ, ଲକ୍ଷ୍ମୀ ଠାକୁରାଣୀଙ୍କୁ ନାନାଦି କାରଣରୁ ଅଭିଯୋଗ ଛଳରେ ନିବେଦନ କରିଛନ୍ତି ।

ନିଜ ପରିବାରଭୁକ୍ତ ଜଣେ ବ୍ୟକ୍ତି ଭଳି ସେ ପର୍ବତେଶ୍ୱରଙ୍କର ବର୍ଣ୍ଣନା କରିଛନ୍ତି । ଶାଗମୁଗ, କୁଜିସାରୁ, କଦଳୀ, କୋଶଳାଶାଗ ଯେତେବେଳେ ସେତେବେଳେ ଗ୍ରାମବାସୀ କୃଷକମାନେ ଠାକୁରଙ୍କୁ ଶ୍ରଦ୍ଧାସହ ଭୋଗ ଲଗେଇଥାନ୍ତି । ଠାକୁରଙ୍କ ନିକଟରେ ଫସଲ ଆମଦାନୀ ପରେ ଜନ୍ତାଳ କରି ଆନନ୍ଦ ଉତ୍ସବ ପାଳନ କରନ୍ତି । ସେମାନଙ୍କ ନିକଟରେ ଭଗବାନ ଊର୍ଦ୍ଧ୍ୱତନ ରାଜ୍ୟର କେହି ନୁହଁନ୍ତି । ଚାଷୀମୂଲିଆଙ୍କ ଭିତରେ ଅତି ଆପଣାର ଶୁଭେଚ୍ଛୁ କେହି ଜଣେ, ଯେ କି ଗ୍ରାମବାସୀଙ୍କର ଭଲମନ୍ଦ ପ୍ରତି ସଦାସର୍ବଦା ସଜାଗ ଦୃଷ୍ଟି ରଖିଥାନ୍ତି ।

ବିଭିନ୍ନ ସ୍ଥାନର ଦେବଦେବୀମାନଙ୍କ ଭୋଗରାଗର ବୈଶିଷ୍ଟ ଅତି ନିପୁଣ ଭାବରେ କବି ଉପସ୍ଥାପନା କରିଛନ୍ତି । ବଳଦେବଜୀଙ୍କର ରସାବଳୀ, କଟକ ସ୍ୱପ୍ନେଶ୍ୱରଙ୍କର ମହନଭୋଗ, ବିଶ୍ଵନାଥଙ୍କର ରୁଟି ଡାଲି, ସାକ୍ଷୀଗୋପାଳଙ୍କର ସରଖଜା, ପରମହଂସଙ୍କର ଲଡ଼ୁପେଡ଼ା, କଦଳୀ, ସରପଣା, ରଘୁନାଥଙ୍କର ଖଜା, ମିଠା, କ୍ଷୀରିଚୋରା ଗୋପୀନାଥଙ୍କର କ୍ଷୀରି ଇତ୍ୟାଦି । ଭୋଗର ପ୍ରସିଦ୍ଧି ସେ ବର୍ଣ୍ଣନା କରିଛନ୍ତି ।

ରାଜରାଜୁଡ଼ାମାନେ ତତ୍କାଳୀନ ସମାଜରେ ନାନାଦି ମନ୍ଦିର ନିର୍ମାଣ କରି ଯଶ ଲାଭ କରିଥିଲେ । କିନ୍ତୁ କାଳକ୍ରମେ ଯତ୍ନ ଅଭାବରୁ ମନ୍ଦିରମାନଙ୍କରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ତଥାପି ମନ୍ଦିର ପରିଚାଳନାରେ ବିଭିନ୍ନ ଆଡୁ ସାହାଯ୍ୟ ସହଯୋଗ ମିଳିଛି । ଓଡ଼ଗାଁରେ କୁମୁଟିମାନେ ମନ୍ଦିର ଦାୟିତ୍ୱ ବହନ କରିଛନ୍ତି । ଭଗିପୁରରେ ବଣିକମାନେ ସହାଯ୍ୟ କରିଛନ୍ତି । ତାରେଶ୍ୱରରେ ବିଧବା ବ୍ରାହ୍ମଣୀଟିଏ ନିଜର ସର୍ବସ୍ୱ ଦେଇ ଠାକୁର ସେବା କରିଛି । ଏପରି କି ଦୂରଦୂରାନ୍ତରୁ ମନିଅର୍ଡର ଯୋଗେ ମଧ୍ୟ ଠାକୁରଙ୍କ ନୀତି ପାଇଁ ଆର୍ଥିକ ସହଯୋଗ ମିଳିଥାଏ ।

‘‘ତୁମ୍ଭର ମଣିଅର୍ଡର

ଆସେ ହଜାର ହଜାର ହେ ।’

କବି ଯେଉଁ ସୂତ୍ରରୁ ଯାହା ସଂଗ୍ରହ କରିଛନ୍ତି, ସମସ୍ତ ତଥ୍ୟକୁ ‘କରତାଳି’ରେ ଲିପିବଦ୍ଧ କରିଛନ୍ତି ।

ବିଭିନ୍ନ ସ୍ଥାନରେ ଦେବଦେବୀଙ୍କର ମହିମା, ଅଲୌକିକତାକୁ କବି ଉଲ୍ଲେଖ କରିଛନ୍ତି । କେହି ତାକୁ ଅନ୍ଧବିଶ୍ୱାସ କହିପାରେ, କିନ୍ତୁ ଗୋବିନ୍ଦ ସେହି ଅଲୌକିକତା ପଥରେ ଗଭୀର । ବିଶ୍ୱାସ ଥିବାର ଉପଲବ୍ଧି କରିଛନ୍ତି । ସରଳପ୍ରାଣ ଭକ୍ତର ଅନୁଭୂତିରେ ଅଂଶୀଦାର ହୋଇ ସେ ତା'ର ଭାବନାକୁ କଟୁ ସମାଲୋଚନା କରିନାହାନ୍ତି । ପରନ୍ତୁ ସେହି ସ୍ଥାନବିଶେଷର ଜୟଗାନ କରିଛନ୍ତି । 'କାଳିଆ ବୋଦା’ କବିତାରେ ଗୁରୁନାନକଙ୍କୁ ବିମ୍‍ସ୍‍ ସାହେବ ଟଙ୍କା ଦେଇ କିପରି ପରୀକ୍ଷା କରିଥିଲେ ଏବଂ ବିମ୍‍ସ୍‍ ସାହେବ ଗୁରୁନାନକଙ୍କ ମହିମା ଉପଲବ୍ଧି କରି ତାଙ୍କୁ ଭକ୍ତିଭରେ ସମ୍ମାନ ଦେଖାଇଲେ, ତାହା ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ସେହି ଘଟଣା କିମ୍ବଦନ୍ତୀ ନୁହେଁ, ନିକଟ ଅତୀତର ପ୍ରତ୍ୟକ୍ଷ ଘଟଣା ।

ସ୍ଵଭାବ-ସୁଲଭ ବ୍ୟଙ୍ଗ କବି ଗୋବିନ୍ଦ ରଥ ଠାକୁର ଦେବତାଙ୍କ ସହ ମଧ୍ୟ ଗେଲ ଟାପରା ହେବାକୁ ପଛେଇ ନାହାନ୍ତି । ଅତି ଅନ୍ତରଂଗ ଭାବରେ ସେ ବିଭିନ୍ନ ଦେବଦେବୀଙ୍କୁ ହାସ୍ୟରସରେ ମୁଗ୍ଧ କରିଦେଇଛନ୍ତି ।

ତୁମେ ତ ଦିଶ ଶୁକୁଟା

ହାତେ ଧରିଛି ଚିମୁଟା ।

–ଖୋରଧୀ ଧବଳେଶ୍ୱର

ଥିଲ ଯେବେ ପିଲା ଦିଅଁ

ଗଂଜେଇ ଖାଇଣ ଡିଅଁ ।

–ଛତାବର ବୁଦ୍ଧେଶ୍ୱର

ମୂଳା ମୂଳାଶାଗ ପୁଣି

କଞ୍ଚା ଖାଅ ଚାଣିଟୁଣି ।

–ପର୍ବତେଶ୍ଵର

କାହାର ପେଟ ବଡ, କିଏ କଡମଡ଼ କରିଥାଏ, କିଏ କିଛି ନକରି ଖାଇପିଇ ରହିଥାଏ । ସବୁଠାରେ କବି ଦେବତାଙ୍କଠାରେ ମାନବତ୍ୱର ଆରୋପ କରି ସେମାନଙ୍କୁ ଆପଣେଇ ନେଇଛନ୍ତି-। ଏପରି କି ସେ ସ୍ଥଳବିଶେଷରେ ଠାକୁରଙ୍କୁ କୈଫିୟଦ ମଧ୍ୟ ମାଗିଛନ୍ତି–

“ବିପଦ ହେଲେ ରାଜ୍ୟର

ସାହାଯ୍ୟ ହେବ ପ୍ରଜାର

ଖାଇପିଇ ଶୋଇବାକୁ

ରଖିନଥିଲେ ତୁମ୍ଭକୁ ହେ ।"

–ଗିରିଧାରୀ

ସେ ସାଂପ୍ରତିକ ସମାଜର କିଛି ସ୍ୱାତନ୍ତ୍ର୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି । ଯାହାକୁ ଯଥାଯୋଗ୍ୟ ଗୌରବ ପ୍ରଦାନ କରିବା କଥା, ସେଥିରେ ସେ ହେଳା କରିନାହାନ୍ତି । ଧବଳେଶ୍ୱରଠାରେ କବିବର ରାଧାନାଥ ରାୟଙ୍କ ପୁତ୍ର ଶଶିଭୂଷଣ ପିତାଙ୍କର ନିରୋଳା ସାରସ୍ୱତ ସାଧନା ପାଇଁ ଏକ ଗୃହନିର୍ମାଣ କରିଥିଲେ । କବିଙ୍କ ଲେଖନୀରେ–

‘‘ଅତି ସୁଗୁଣସଂପନ୍ନ

ରାଧାନାଥଙ୍କ ନନ୍ଦନ

ଶ୍ରୀବାବୁ ଶଶିଭୂଷଣ

ବଳାଇ ଉଦାର ମନ ହେ ।

ଗୋଟିଏ ବଙ୍ଗଳା ଘର

କରିଛନ୍ତି ଏ ସ୍ଥାନର

ସୁବାକ୍ୟାବଳୀ ଲିଖିତ

ଭିଭିରେ ଅଛି ଜଡ଼ିତ ହେ ।"

କବି ଗୋବିନ୍ଦ ରଥକୁ ଭାଷ। ଅତ୍ୟନ୍ତ ସରକ । ସେ ସିଧାସଳଖ ନିଜର ଭାବଧାରା ପାଠକ ନିକଟରେ ଉପସ୍ଥାପନ କରିଛନ୍ତି । ତାଙ୍କର ଦୃଷ୍ଟିକୋଣ ବ୍ୟାପକ । ସୂକ୍ଷାତିସୂକ୍ଷ୍ମ ବିଚାରବୋଧ ହେତୁ ସେ ଅତି ନଗଣ୍ୟ ତୁଚ୍ଛ ବସ୍ତୁକୁ ମଧ୍ୟ ଗୌରବ ପ୍ରଦାନ କରିଛନ୍ତି । ସେ ଯାହା ଅବଲୋକନ କରିଛନ୍ତି, ଯାହା ଉପଲବ୍ଧି କରିଛନ୍ତି, ତାହାକୁ ଅବିକକ ପାଠକ ନିକଟରେ ବାଢ଼ି ଦେଇଛନ୍ତି । ବାସ୍ତବବାଦୀ ଚିନ୍ତାଧାରା ହେତୁ ତାଙ୍କ ରଚନାରେ କପୋଳକଳ୍ପିତ ବର୍ଣ୍ଣନା ପ୍ରାୟ ନାହିଁ କହିଲେ ଚଳେ । ଅଳଙ୍କାର ପ୍ରାଚୁର୍ଯ୍ୟ, ବର୍ଣ୍ଣାଢ଼୍ୟ ଶବ୍ଦ ସଂଯୋଜନା ଆଦି ଆଡମ୍ବରପୂର୍ଣ୍ଣ ଶୈଳୀ ରଥଙ୍କ ରଚନାରେ ପ୍ରାୟ ପରିଲକ୍ଷିତ ହୁଏ ନାହିଁ ।

‘କରତାଳି' ପୁସ୍ତକରେ ସବୁଠାରୁ ଲକ୍ଷଣୀୟ ଓ ମହନୀୟ ବିଷୟ ହେଉଛି ଗୋବିନ୍ଦ ରଥଙ୍କର ଦେବଦେବୀଙ୍କୁ ନିକଟରେ ମାଗୁଣି । ଅଧୁକାଂଶ ସ୍ଥାନରେ ସେ ଜନସାଧାରଣଙ୍କର ହିତସାଧନ ନିମନ୍ତେ ମିନତି କରିଛନ୍ତି ।

କିସ ଦେବି ଉପହାର

ପ୍ରଜାଙ୍କୁ ବେଗେ ଉଦ୍ଧାର ।’’

–ରାମେଶ୍ଵର

ସେ ରାଧାନାଥ, ମଧୁସୂଦନଙ୍କ ପରି ବାଣୀପୁତ୍ରଙ୍କ ସହ ଏକା ମସିହାରେ ଜନ୍ମଗ୍ରହଣ କରିଥିଲେ । ଫକୀରମୋହନଙ୍କ ପରି ପ୍ରତିଭାଧରଙ୍କ ମହାପ୍ରୟାଣ ନିକଟବର୍ତ୍ତୀ ସମୟରେ ସ୍ୱର୍ଗାରୋହଣ କରିଥିଲେ । ସେମାନେ ଓଡ଼ିଆ ସାହିତ୍ୟକୁ ଯେପରି ସମୃଦ୍ଧ କରିଛନ୍ତି, ଗୋବିନ୍ଦ ରଥ ମଧ୍ୟ ସେହିପରି ଅକ୍ଲାନ୍ତ ସାଧନା ବଳରେ ଓଡ଼ିଆ ସାହିତ୍ୟର ଉନ୍ନତି କଳେ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି । ଲୋକପ୍ରିୟ ସାହିତ୍ୟ-ସ୍ରଷ୍ଠା ଭାବରେ ତାଙ୍କର ଦାନ ଅନସ୍ୱୀକାର୍ଯ୍ୟ ।

ବିଜୟିନୀ ସିଂହଦେଓ

କଟକ, ୧୫, ୩, ୨୦୦୯

Image

 

କ୍ଷୀରି ଚୋରା ଗେ।ପୀନ।ଥ

 

ପିତାଙ୍କ ଆଦେଶ ପାଇ,

ବନେ ଗଲେ ରଘୁ ସାଁଇ ।

ଘେନି ସୀତା ଠାକୁରାଣୀ,

କୁଟୀର ଘର ନିର୍ମାଣି ହେ ।୧।

ଚଉଦ ବର୍ଷ ଯାପନ,

କଲେ ତହିଁ ରଘୁନାନ ।

ଦିନେ ସୀତା ସଙ୍ଗେ ଧରି,

ଚିତ୍ରକୂଟେ ବନଚାରୀ ହେ ।୨।

ବସନ୍ତର ଆଗମନ,

ସମୟ ଦେଖ୍‌ ଶୋଭନ ।

ନବ ପଲ୍ଲବରେ ଭରା,

ତରୁରାଜି ଶୋଭେ ଧରା ହେ ।୩।

ସୀତାଙ୍କୁ ସମ୍ବୋଧି ରାମ,

ଦେଖ ଦେବି ଅନୁପମ ।

ସୁଗନ୍ଧ ପୁଷ୍ପରାଜିରେ,

ବନ କି ଶୋଭା ଆଜିରେ ଗୋ ।୪।

ବାସନା ଚହଟି ଯାଏ,

କୋକିଳ ସୁସ୍ଵରେ ଗାଏ ।

ଭ୍ରମରଗଣ ଗୁଞ୍ଜନ,

ଶୀତଳ ୠତୁର କର୍ଣ୍ଣ ଗୋ ।୫।

ସୀତା ସସ୍ନେହେ ନୟନ,

ପକାଇ ଅବଲୋକନ ।

କଲେ, ଶିଳାପରେ ବସି,

ରାମପ୍ରିୟା ମଦାଳସୀ ହେ ।୬।

ଭର୍ତ୍ତାଙ୍କୁ ସମ୍ବୋଧି ବାଣୀ,

କହିଲେ ଯେ ଠାକୁରାଣୀ ।

ହେ ପ୍ରିୟ ନାଥ ମୋହର,

ପ୍ରଶ୍ନରେ ଦେବ ଉତ୍ତର ହେ ।୭।

ଏହି ଯେ ବସନ୍ତକାଳ,

ସ୍ଥିର ନୁହେଁ କାଳକାଳ ।

ୠତୁଭେଦେ ଚାଲିଯିବ,

ଗ୍ରୀଷ୍ମ ସମୟ ଆସିବ ହେ ।୮।

ମାନବମାନଙ୍କ ରୀତି,

ଅବସ୍ଥା ଫେରଇ ନିତି ।

ବାଳ ଯୌବନ ବୃଦ୍ଧତ୍ୱ,

କରଇ କ୍ରମେ ରାଜିତ୍ୱ ହେ ।୯।

ଆମ୍ଭର ଏହି ଯୌବନ,

ପତିପତ୍ନୀ ସଂଘଟନ ।

ଆମୋଦ ପ୍ରମୋଦ ସିନା,

କ୍ଷଣସ୍ଥାୟୀ ଅଟେ କିନା ହେ ।୧୦।

ସୀତାଙ୍କ ବଚନ ଶୁଣି,

ରଘୁମଣି ମନେ ଗୁଣି ।

କହିଲେ ଗୋ ପ୍ରିୟେ ସତ,

ଯେ ତୁମ୍ଭ ମନରେ ଜାତ ଗୋ ।୧୧।

ଶରୀର ବିନାଶ ପାଏ,

ଆତ୍ମା ସବୁକାଳେ ଥାଏ ।

ଦ୍ଵାପର ଯୁଗେ ପ୍ରେୟସି,

ହେବ ଭେଟ ମଦାଳସି ଗୋ ।୧୨।

ଦୁଷ୍ଟ ସଂହାର ନିମିତ୍ତ,

ଶିଷ୍ଟର ଜୀବନ ବିତ୍ତ ।

ରକ୍ଷା କରିବାର ପାଇ,

ଜନ୍ମିବି ଗୋପରେ ଯାଇଁ ଗୋ ।୧୩।

ବୃଷଭାନୁ ପୁରେ ଦେବି

ତୁମ୍ଭେ ଥିବ ମତେ ସେବି ।

ହେବ ନାମ ରାଧାରାଣୀ,

ବୃନ୍ଦାବନେ ଯିବ ଜାଣି ଗୋ ।୧୪।

ମୋ ରୂପ କରି ଲୋକନ,

ଗୋପୀ ହେବେ ମୁଗ୍ଧମନ ।

ଗୋପୀନାଥ ହେବ ନାମ,

ସେବିବେ ଗୋପୀ ନିଷ୍କାମ ଗୋ ।୧୫।

ରାମ ହାତକୁ ଧଇଲେ,

ସୀତା ଏମନ୍ତ କହିଲେ ।

ଦେଖାଇବ ପ୍ରାଣନାଥ,

ସେ ରୂପ ହେବ କେମନ୍ତ ହେ ।୧୬।

ଶରମୁନେ ରଘୁପତି,

ଶିଳାରେ ଆଙ୍କ ମୂରତି ।

ସୀତାଙ୍କୁ ଦେଲେ ଦ୍ୟାଇ,

ମୂର୍ଚ୍ଛିତ ହୋଇଲେ ମାଇ ହେ ।୧୭।

ସୀତାଙ୍କୁ ଚେତନା ଦ୍ୟାଇ ,

କୁଟୀରେ ନେଲେ ଫେରାଇ

ରାମ ଅଙ୍କିତ ମୂରତି,

ପଡିଲା ସେହି ଧରତୀ ହେ ।୧୮।

ଦେଶ ଜୟ ଆଶେ ଥରେ,

ଯାଉଥିଲେ ନୁପବରେ ।

ଦେଖିଲେ ସେହି ମୂରତି,

କୃତ କୃତ ହେଲେ ଅତି ହେ ।୧୯।

ସାଷ୍ଟାଙ୍ଗେ ପ୍ରଣାମ କରି,

କହିଲେ ହେ ଦେବ ହରି ।

ତୁମ୍ଭେ ସତ୍ୟରେ ଦେବତା,

ହୋଇଥିଲେ ଦେବି ଛତା ହେ ।୨୦।

ପ୍ରଭୁଙ୍କ ସାହାଯ୍ୟ ପାଇ,

ଜୟପତାକା ଉଡାଇ ।

ରାଜା ମୂରତି ଧଇଲେ,

ଉତ୍କଳଦେଶେ ଅଇଲେ ହେ।୨୧।

ହେଲେ ରେମୁଣା ନିକଟ,

ପଡିଲା ଘୋର ସଂକଟ ।

ମୂରତିବାହକମାନେ,

ନେଇ ନପାରିଲେ ଧାନେ* ।୨୨।

ହେଲେ ପ୍ରଭୁ ବଡ ଗରୁ,

କାହୁଁ ନେବୁ ବୋଲୁ ଧରୁ ।

ଏଠାରେ କରି ଆସ୍ଥାନ,

ସ୍ଵପ୍ନେ କଲେ ଆଜ୍ଞାଦାନ ହେ ।୨୩।

ଆନନ୍ଦ ହେଲେ ରାଜନ,

ମନ୍ଦିର କଲେ ଗଠନ ।

ସେବା ଆରଧନା କରି,

ଗୋପୀନାଥଙ୍କୁ ଆଦରି ହେ ।୨୪।

ରହିଲେ ସେହି ସ୍ଥାନରେ,

ନିର୍ମାଣି ନବ ନବରେ ।

ବଡ ବଡ ପୁଷ୍କରିଣୀ,

ଖୋଳାଇଲେ ରାଜା ରାଣୀ ହେ ।୨୫।

ନଗର କଲେ ପତ୍ତନ,

ନାନାଶ୍ରେଣୀ ଜନମାନ ।

କଲେ ସେଠାରେ ବସତି,

ପାଇ ଦୟା ଅନୁମତି ହେ ।୨୬।

ସେକାଳରୁ ଗୋପୀନାଥ,

ଉତ୍କଳେ ହୋଇଲେ ଖ୍ୟାତ ।

ବିରାଜୁ ଅଛ ମହିମା,

କେ କରି ପାରିବ ସୀମା ହେ ।୨୭।

ନ କର ମୋଡେ ଅନାଥ,

ଦେବଦେବ ଗୋପୀନାଥ ।

ତୁମ୍ଭରେ ଗଲି ଶରଣ,

ରଖିବ ମାନ ଜୀବନ ହେ ।୨୮।

* ଧାନେ - ତିଳେ ହେଲେ

Image

 

କ୍ଷୀରିଚୋରା କଥା

 

ଶୁଣ ଶୁଣ ସର୍ବଜନ,

ଏହା ଅତି ପୁରାତନ ।

ବାଲେଶ୍ଵରର ରେମୁଣା,

ଗ୍ରାମରେ ପୀଠ ପୁରୁଣା ହେ ।୧।

ଶ୍ରୀଗୋପୀନାଥ ତିହଁରେ,

ଅଛନ୍ତି ଯଥାବଧିରେ ।

ଗୋପୀନାଥ କ୍ଷୀରିଚୋରା,

କଥା ଅଟେ ବଡ଼ ତୋରା ହେ ।୨।

ମଳୟପବତ ଯାଇ,

ଚନ୍ଦକାଷ୍ଠ ଅଣାଇ ।

ଅଦଭୁତେ ଯୋଗୀବର,

ଆସିହେଲେ ଏସ୍ଥାନର ହେ ।୩।

ମିଳିଲେ ମନ୍ଦିର ପାଶେ,

ରାତ୍ର ପୁହାଇବା ଆଶେ ।

ଉଦ୍ଦେଶ୍ୟ ଥଲା ତାଙ୍କର,

ଯେ ଚନ୍ଦନ ସଙ୍ଗତର ହେ ।୪।

ବୃନ୍ଦାବନେ ତାହା ନେବେ,

ଶ୍ରୀ ଗୋପୀନାଥଙ୍କୁ ଦେବେ ।

ରାତ୍ର ହୋଇଲା ପ୍ରଚୁର,

ଯୋଗୀ ଦେଲେ କ୍ଷୁଧାତୁର ହେ ।୫।

ପାଶେ ନାହିଁ କିଛି ଅନ୍ନ,

ଯୋଗୀ କଲେ ଦେବଧ୍ୟାନ ।

ଶ୍ରୀଗୋପୀନାଥ ଆସନ,

ଛାଡ଼ଲେ ହୋଇଣ ଛନ୍ନ ହେ ।୬।

କ୍ଷୀରିହାଣ୍ଡି ମୁଣ୍ଡାଇଲେ,

ଯୋଗୀଙ୍କ ପାଶେ ଗମିଲେ ।

କହିଲେ ହେ ଯୋଗୀବର,

ଏହାକୁ ଆହାର କର ହେ ।୭।

ଆଉ କାହଁକି ନ ଯାଅ,

ଏହିଠାରେ ରହିଥାଅ ।

ଆଣିଛ ଯେଉଁ ଚନ୍ଦନ,

ମୋତେ କର ସମର୍ପଣ ହେ ।୮।

ଆନନ୍ଦରେ ତପୋଧନ,

କଲେ ସେ କ୍ଷୀରି ଭୋଜନ ।

ସର୍ମପିଲେ ସେ ଚନ୍ଦନ,

ସୁଖରେ କଲେ ଶୟନ ହେ ।୯।

ରାତ୍ର ହୋଇଲା ପ୍ରଭାତ,

ଦେଉଳରେ ହେଲା ଖ୍ୟାତ ।

ଠାକୁର ସେବକେ ଦୁଃଖେ,

କୋଳାହଳ କଲେ ମୁଖେ ହେ ।୧୦।

କ୍ଷୀରିହାଣ୍ଡି ଚୋରି ଗଲା,

ଏ ଅକର୍ମ କିଏ କଲା ।

ବାର ହାଣ୍ଡି କ୍ଷୀରି ଥିଲା,

ଏକ ହାଣ୍ଡି ଚୋରାଇଲା ହେ ।୧୧।

ଦେଖିଲେ ଲୋକେ ବାବାଜୀ,

ବୋଇଲେ ଏ ଚୋର ପାଜି ।

କଲେକ ଝିଙ୍କା ଓଟରା;

ଯେ ଲୋକେ ଥଲେ ପାଖରେ ହେ ।୧୨।

କ୍ଷୀରିହାଣ୍ଡ ସହିତରେ,

ଆଣି ମନ୍ଦିର ପାଶରେ ।

ଜାଣିଲେ ଶ୍ରୀଗୋପୀନାଥ,

ସ୍ଵପ୍ନାଦେଶେ କଲେ ଖ୍ୟାତ ହେ ।୧୩।

ଆରେ ସର୍ବ ମୂର୍ଖପ୍ରାଣୀ,

ମାରୁଛ ମୋ ଭକ୍ତ ଆଣି ।

କ୍ଷୁଧାରେ ଥିଲା କାତର,

ମୁଁ ନେଇ ଦେଲି ଆହାର ହେ ।୧୪।

ଦେଉଥିବ ପ୍ରତିଦିନ,

ତାହାକୁ ପ୍ରସାଦ ଅନ୍ନ ।

ଆଶ୍ଚଯ୍ୟ ହୋଇଲେ ଲୋକେ,

ପ୍ରଣିପାତ କଲେ ଶୋକେ ହେ ।୧୫।

ଗୋପୀନାଥ ଆଗମନ,

ଶ୍ରୀରାମଚନ୍ଦ୍ର ଆଖ୍ୟାନ ।

ସୀତାଠାକୁରାଣୀ ଅଳି,

ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଝଳି ହେ ।୧୬।

ବିଶେଷରେ ଯୋଗୀବର,

ଶୁଣିଲେ ସେହି ସ୍ଥାନର ।

ନ ଗଲେ ଅନ୍ୟତ୍ର କାହିଁ,

ସ୍ଥିର ହେଲେ ପ୍ରଭୁ ପାଇ ହେ ।୧୭।

ଯୋଗୀବରଙ୍କ କଠାଉ,

ଦିଶୁଅଛି ଦାଉଦାଉ ।

ବାଲିଶ ବିଛଣା ଆଦି,

ରହିଛି ପ୍ରାଙ୍ଗଣେ ଗାଦି ହେ ।୧୮।

କ୍ଷୀରିଚୋରା ଗୋପୀନାଥ,

ରଖ ସାଧାରଣ ସ୍ୱାର୍ଥ ।

ଦୁଷ୍ଟକୁ କର ଦଳନ,

ଶିଷ୍ଟକୁ କର ପାଳନ ହେ ।୧୯।

ନବଗୁଞ୍ଜର ଦେଉଳ,

ଦୂରକୁ ଦିଶେ ମଞ୍ଜୁଳ ।

ପ୍ରଶସ୍ତ ବେଢ଼ା ପ୍ରାଙ୍ଗଣେ,

ଭକ୍ତେ ରତ ସଂକୀର୍ତ୍ତନେ ହେ।୨୦।

Image

 

ଝାଡ଼େଶ୍ଵର

 

ଦିଅନ୍ତି ତବ ସେବକ,

ଭାଙ୍ଗ ମିଶା ପାଦୋଦକ ।

ଭାଙ୍ଗରେ ବଡ ଆଦର

ରଖିଥାଅ ଝାଡ଼େଶ୍ଵର ହେ ।୧।

ମୋ ମନେ ଦୁଃଖ ଅପାର,

ମନ୍ଦିର ନୁହେ ସଂସ୍କାର ।

ଦେଶସ୍ଥିତ ଧନୀମାନେ,

ନ ଭାବନ୍ତି ମନଜ୍ଞାନେ ହେ।୨।

ଆପଣତ ଶକ୍ତିଧର,

କି କହିବି ଆହେ ହର ।

ଦୁଧ ପରି ଯାଏ ଜଣା,

ଶକ୍ତିରେ ଉଠେ ଝରଣା ହେ ।୩।

ବୋଲନ୍ତି ପ୍ରଭୁ ନିଃଶ୍ୱାସ,

ଏଠାରେ ହୁଏ ପ୍ରକାଶ ।

ଝାଡ଼ବନେ ଥୁବା ଯୋଗୁଁ,

ଝାଡ଼େଶ୍ଵର ନାମ ଭୋଗୁ ହେ ।୪।

ଏଥି ଥିଲା ପୂର୍ବେ ବନ ।

ଗୁପ୍ତେ ଥିଲ ତ୍ରିଲୋଚନ ।

କଅଁଳାବାଛୁରୀ ଗାଈ,

ଦୁଧ ଦେଉଥିଲା ପ୍ୟାଇ ହେ ।୫।

ଦେଖିଲେ ଗୋପାଳ ଥୋକେ,

ପ୍ରକାଶିଲେ ଆସି ଲୋକେ ।

ସେହି ଦିନୁ ବଳିଆର,

ଶକ୍ତି ହୋଇଲା ପ୍ରଚାର ହେ ।୬।

ବିପଣୀର ଯେ ମିଷ୍ଟାନ୍ନ,

କେବେ ନ ଆସେ ଏ ସ୍ଥାନ ।

ବେଢ଼ାରେ ହୋଇ ପ୍ରସ୍ତୁତ;

ଭୋଗଦ୍ରବ୍ୟ ମଜବୁତ ହେ ।୭।

ଏ ପ୍ରଥା ବଡ଼ ସୁନ୍ଦର,

ପବିତ୍ର ଲୋକଆଦର ।

ଉପାଦେୟ ଭୋଗ ପାଇ,

ଧର୍ମହାନି ହୁଏ ଏଥି ହେ ।୮।

ଶିବରାତ୍ରରେ ଅସଂଖ୍ୟ,

ଲୋକ ଦେଖିଲି ପ୍ରତ୍ୟକ୍ଷ ।

ଡାଳ ପତ୍ର କୁଞଘର ।

ମଧ୍ୟରେ ଜଳେ ଜାଗର ହେ ।୯।

ନାରୀ ପୁରୁଷ ଅପାର,

ଦୀପ ପାଶେ ଉଜାଗର ।

ଆହେ ପ୍ରଭୁ ଝାଡ଼େଶ୍ଵର,

ମୋ କାମନା ପୂର୍ଣ୍ଣକର ହେ ।୧୦।

Image

 

ଶ୍ୟାମସୁନ୍ଦର

 

ଆହେ ଶ୍ରୀ ଶ୍ୟାମସୁନ୍ଦର,

ନଗର ମଧ୍ୟଭାଗର ।

ଗଠନ ବଡ଼ ରୁଚିର,

ଅଟଇ ତବ ମନ୍ଦିର ହେ ।୧।

ତହଁ ସିଂହାସନେ ବସି,

ଥାଅ ମୃଦୁ ମୃଦୁ ହସି ।

ବାଲେଶ୍ଵରବାସୀମାନେ,

ସେବିଥାନ୍ତି ଭକ୍ତିଜ୍ଞାନେ ହେ ।୨।

କେତେ ଖାଅ ଭୋଗରାଗ,

ମନେ ନ ଥାଏ ବିରାଗ ।

କରିଥିଲ ସ୍ତନପାନ,

ଅସୁରୁଣୀ ହତଜ୍ଞାନ ହେ ।୩।

ବକା ଅଘା ଆଦି ଯେତେ,

ଅସୁର ମାଇଲ କେତେ ।

ବୃନ୍ଦାବନେ ବତ୍ସା ଧରି,

କେତେ ଲୀଳା କଲ ହରି ହେ ।୪।

ଟେକିଥିଲ ଗୋବର୍ଦ୍ଧନ,

ହଟିଥିଲେ ମରୁତ୍ମାନ ।

କୁଜୀକି କଲ ସଳଖ,

ହୋଇଛି ଏହା ପରଖ ହେ ।୫।

ରଙ୍ଗସଭା କଂସବଧ,

କଲ କୀର୍ତ୍ତି ରଖି ସଧ ।

ମୋ କୀର୍ତ୍ତି ରଖ କହ୍ନାଇ,

ଆଉ ଅଶ୍ରା କିଛି ନାହିଁ ହେ ।୬।

Image

 

ବାଣେଶ୍ୱର

 

ଅତି ପୁରାତନ ହର,

ଅଟ ପ୍ରଭୁ ବାଣେଶ୍ଵର,

ତବ ଯୋଗେ ବାଲେଶ୍ଵର

ନାମ ହୋଇଲା ପ୍ରଚାର ହେ ।୧।

ବୁଢ଼ାବଳଙ୍ଗ ନଦୀରେ,

ଦେଖିଲ କି ବସି ତୀରେ ।

ବହୁକାଳ ଇତିହାସ,

ପ୍ରକାଶ ତୁମରି ପାଶ ହେ ।୨।

ଫ୍ରେଞ୍ଚ ଯେବେ ହେଲେ ଆସି,

ଏହି ପୀଠରେ ପ୍ରବାସୀ ।

ଦେଖିଲେତ ଦିନାମାର,

କଲେ ଏ ସ୍ଥାନେ ବେଭାର ହେ ।୩।

ଓଲନ୍ଦାଜମାନେ ପୁଣି,

ଯେବେ ଧଇଲେ ଗଉଣି ।

ହାଲିତ ଏହାଙ୍କ କଥା,

କଲେଣି ଯେଉ ବ୍ୟବସ୍ଥା ହେ ।୪।

ଫ୍ରେଞ୍ଚଠାରୁ ଇଙ୍ଗରାଜ,

ଯାଏ ଯେତେ ଜାତି କାର୍ଯ୍ୟ ।

ସକଳ ତୁମ୍ଭଙ୍କୁ ଜଣା

କର ବେଗେ ବୁଝାମଣା ହେ ।୫।

Image

 

ଭଦ୍ରକାଳୀ

 

ଆଗୋ ମାଗୋ ଭଦ୍ରକାଳି ।

କରେ ତବ ନିଉଛାଳି ।

ଶାଳନ୍ଦୀ ସୁଶୀତଜଳେ ।

ଅବଗାହି ପ୍ରାତଃକାଳେ ଗୋ ।୧।

ଚନ୍ଦନ କର୍ପୁର ଗୋଳା,

ଅଙ୍ଗେ ଥାଏ ସଦା ବୋଳା ।

ଗୋଳା ସିନ୍ଦୂରର ଟୋପା,

ପଡେ ଅଙ୍ଗେ ଥୋପାଥୋପା ଗୋ ।୨।

ମସ୍ତକରେ ଫୁଲଗଭା,

ବାଳଭୋଗ ପକ୍ୱରମ୍ଭା ।

ବଙ୍ଗଶାସନୀ ବ୍ରାହ୍ମଣ,

ସେବନ୍ତି ତବ ଚରଣ ଗୋ ।୩।

ବିନୟେ କରେ ଜଣାଣ,

ରକ୍ଷା କର ମୋର ପ୍ରାଣ ।

ମୋ କାର୍ଯ୍ୟେ କର ଫିକିରି,

କରିବି ଖେଚଡୀ କ୍ଷୀରି ଗୋ ।୪।

Image

 

ବିରଜା

 

ରଜଗୁଣଟି ବିଗତ

ତେଣୁ ସେ ବିରଜା ଖ୍ୟାତ ।

ବିରଜା ସୁବର୍ଣ୍ଣଗାତ୍ରୀ,

ହୋଇଛନ୍ତି ଅଧିଷ୍ଠାତ୍ରୀ ହେ ।୧।

ବରାହନାଥଙ୍କ ପୀଠ,

ବୈତରଣୀ ଗର୍ଭନିଷ୍ଠ ।

ବେଦପାଠୀ ସୁବ୍ରାହ୍ମଣେ,

ଅଗ୍ନିହୋତ୍ରୀ ଜଣେ ଜଣେ ହେ ।୨।

ବହୁ ବ୍ରାହ୍ମଣଶାସନ,

ବିପ୍ରେ ଛନ୍ତି ଅଗଣନ ।

ନଗର ସୀମାକୁ ଧରି,

ଚଳେ ବୈତରଣୀ ବାରି ହେ ।୩।

କ୍ଷେତେ ଏ ପଞ୍ଚ ବକାର,*

ଦୁଲ୍ଲର୍ଭ ବୋଲି ପ୍ରଚାର ।

ଶୁଣ ଗୋ ବିରଜା ମାତା,

ତୁମ୍ଭେ ପ୍ରଧାନ ଦେବତା ଗୋ ।୪।

ନାଭୀଗୟା ବୋଲି ସ୍ଥାନ,

ଏହିଠାରେ ବିଦ୍ୟମାନ ।

ତଣ୍ଡୁଳ ପିଣ୍ଡ କରନ୍ତ,

ନାଭୀଗୟାରେ ଦିଅନ୍ତି ଗୋ ।୫।

ଗୟା ଗଲେ ଯେଉଁ ଫଳ,

ଏଠାରେ ତାହା ସଫଳ ।

ପିତୃଲୋକଙ୍କୁ ଉଦ୍ଧାରି,

ଯାଉଛନ୍ତି ନରନାରୀ ଗୋ ।୬।

ଗୋଟିଏ ଦିନ ବୈରାଗୀ,

ବାକସ ବସାଇ ମାଗି ।

କରିଣ ଧନ ସଂଗ୍ରହ,

ଏ ପୀଠରେ କଲେ ବ୍ୟୟ ହେ ।୭।

କେତେ ମନ୍ଦିର ସଂସ୍କାର,

ହୋଇଗଲା ଏହିଠାରେ ।

ରାଜନ ଯେ କାର୍ଯ୍ୟେ କ୍ଷମ,

ଦୁଃଖୀ କରେ ସେହି କର୍ମ ହେ ।୮।

ଚମ୍ପାବାଗ ଗନ୍ଧବହ,

ସଦା ରହେ ତବ ସହ ।

ପାଶେ ଛନ୍ତି ଅଗ୍ନୀଶ୍ଵର ।

ଚାରି ପ୍ରହରେ ତାଙ୍କର ହେ ।୯।

ଚାରୋଟି ବର୍ଣ୍ଣ ପ୍ରକାଶ ।

ଆଶ୍ଚର୍ଯ୍ୟ ହୁଏ ବିକାଶ ।

କେବେ ଦିଶେ ତମ୍ବାକାଠି,

କେବେ ପାଉଁଶିୟା ମାଟି ହେ ।୧୦।

କଦା ସ୍ପଟିକ ସମାନ,

କେବେ ହଳଦିଆ ବର୍ଣ୍ଣ ।

ସୂର୍ଯ୍ୟକିରଣ ଯୋଗରେ,

ଲିଙ୍ଗ ନାନାବର୍ଣ୍ଣ ଧରେ ହେ ।୧୧।

ନ’ହାତିଆ ଦେଉଳରେ,

କାଳୀ ଅଠର ହାତରେ ।

ପ୍ରକାଶ ସେହି ମୁରତ,

ଲୋକେ ଆଶ୍ଚର୍ଯ୍ୟ ମଣନ୍ତି ହେ ।୧୨।

ଆହେ ଶିବ ତ୍ରିଲୋଚନ,

ତବ ଦେଉଳ ଗଠନ ।

ଦେଖିଲେ ଜନ୍ମେ ଆହ୍ଲାଦ,

କାରିଗରେ ଧନ୍ୟବାଦ ହେ ।୧୩।

ବିରଜା କ୍ଷେତ୍ରେ ମନ୍ଦର,

ଅସଂଖ୍ୟ ନାନା ରୁଚିର ।

କ୍ରୋଡବାସିନୀ ଦେଉଳ,

କି ସରୁ କେଡେ ମଂଜୁଳ ହେ ।୧୪।

ଜଗନ୍ନାଥଦେବଙ୍କର,

ଅତି ଉଚ୍ଚ ମନୋହର ।

ଗଠନେ କେତେ ଚାତୁରୀ ।

କାରୁକାର୍ଯ୍ୟେ ଅଛି ପୂରି ହେ ।୧୫।

ସପ୍ତମାତୃକା ଦେଖିଲି,

ଗୋଟି ଗୋଟିଙ୍କି ଚାହିଁଲି ।

ମୋହିତ ହୋଇଲା ମନ ।

ଧନ୍ୟ କାରିଗର ଧନ୍ୟ ହେ ।୧୬।

ଯଜାତି କୀର୍ତ୍ତି ବିରାଜେ,

ଏହ ଯଜ୍ଞସ୍ତମ୍ଭ ରାଜେ ।

କରିଥିଲେ ଯଜ୍ଞରାଶି ।

ଏହି ସ୍ଥାନେ ନୃପ ଆସି ହେ ।୧୭।

ବରାହନାଥଙ୍କ ସ୍ଥାନ,

ଅଟେ ବଡ ମୂଲ୍ୟବାନ ।

ଯାତ୍ରୀଏ ଗୋଦାନ କରି,

ନିଅନ୍ତି ପିତୃ ଉଦ୍ଧରି ହେ ।୧୮।

ବୈତରଣୀ ନଦୀ ଗତି,

ଦେଖି ନେତ୍ର କରି ତୃପ୍ତି ।

ତୀର୍ଥେ ସ୍ନାନ ତରପଣ,

କଲେ ପିତୃ ଉଦ୍ଧାରଣ ହେ ।୧୯।

ସ୍ଵକୀୟ ମଙ୍ଗଳ ପାଇଁ,

କୋଇଲି ବୈକୁଣ୍ଠେ ଯାଇ ।

ଯେ ଯାହା କ୍ଷମତା ଧରି ।

ଆଟିକା ପ୍ରସ୍ତୁତି କରି ହେ ।୨୦।

ସିଦ୍ଧେଶ୍ଵରଙ୍କ ମନ୍ଦର,

ଦୂରେ ବୈତରଣୀ ତୀର,

ମହାମେଳା ଦରଶନ,

କରନ୍ତି ବାଞ୍ଛାପୂରଣ ହେ ।୨୧।

ହେ ବିରଜେ ଠାକୁରାଣି

ତବ ମହିମା ବଖାଣି ।

କେ ଅଛି ଏହି ଧରଣୀ,

ପାରିବେ ଏଥି ତ ବାଣୀ ଗୋ ।୨୨।

ଶେଷରେ ଏହି ପ୍ରାର୍ଥନା,

ହର ଗୋ ମୋର ବେଦନା ।

ବକ୍ର ଦୁର୍ଗ ଅଧୋଗତି,

ବିରାଜୁ ସେଠାରେ ଶାନ୍ତି ଗୋ ।୨୩।

* ବରାହ ବିରକା ବେଦା ବିପ୍ରା ବୈତରଣୀ ନଦୀ ।

କ୍ଷେତ୍ରେ ବେ ବସତେ ରାଜତ୍‌ ବକାରଃ ପଞ୍ଚଦୁର୍ଲଭାଃ ।

Image

 

ଧବଳେଶ୍ୱର

 

କଟକ ନଗରପାଶ,

ମହାନଦୀ ମଧ୍ୟେ ବାସ ।

ପବିତ୍ର ଗିରିଶିଖର,

ଚାରିପାଶେ ସ୍ରୋତଖର ହେ ।୧।

ଏମନ୍ତ ଏକାନ୍ତ ସ୍ଥାନ,

ଅଳ୍ପ ଅଛି ବିଦ୍ୟମାନ ।

କେତେ ଶିଳାବନ୍ଧା ବାଟ,

ରହିଅଛି ନଦୀଘାଟ ହେ ।୨।

ପ୍ରଶସ୍ତ ବାଟ ଗୋଟିକ,

କଲା ତେଲେଙ୍ଗା ବଣିକ ।

ରୋଗମୁକ୍ତ ହୋଇଥିଲା,

ଭକ୍ତିଭାବ ଉଥଳିଲା ହେ ।୩।

ବଡଓଷା ପିଠା ଖାଇ,

କେତେ ଲୋକ ଗୁଣ ଗାଇ ।

ଯାଆନ୍ତି ବାଲିକୁଦରେ,

କି ଆନନ୍ଦ ମନେ ଧରେ ।୪।

କଳାବଳଦକୁ ପରା,

ଧଳା କଲ ବୃତ୍ରମରା ।

ତେଣୁଟି ଧବଳେଶ୍ଵର,

ନାମ ସାର୍ଥକ ତୁମ୍ଭର ହେ ।୫।

ହେଲା ମହିମା ପ୍ରଚାର,

ଦେଶେ ତବ ବଳିଆର ।

ଲୋକ ହେଉଛନ୍ତି ରୁଣ୍ଡ,

ପାଉଛ ଅମୃତକୁଣ୍ଡ ହେ ।୬।

କାର୍ତ୍ତିକମାସ ମଧ୍ୟରେ,

ଯାତ୍ରୀମାନେ ନିରନ୍ତରେ ।

କରନ୍ତ ଆସି ଦର୍ଶନ,

ଦେବଦେବ ତ୍ରିଲୋଚନ ହେ ।୭।

ବିଶେଷରେ ସୋମବାର,

ମହିମା ଯେ କି ଅପାର ।

ଜନତା ନୁହେଁ ସମ୍ଭାଳି,

ହୁଏ ଯେବେ ଶେଷ ପାଳି ହେ ।୮।

ଭକ୍ତିଭରେ ହୋଇ ନତ,

ମଥୁରାଲାଲ ଭକତ ।

କୋଠା ଦେଲେ ତୋଳିତାଳି,

ମନୋବାଞ୍ଛା ପ୍ରତିପାଳି ହେ ।୯।

ଯାତ୍ରୀ କରନ୍ତି ସୁଖରେ,

ବିଶ୍ରାମ ସେହି ଗୃହରେ ।

ଖଣ୍ଡିଏ ଭଣ୍ଡାରଘର,

ହୋଇଛି ଦେବ ତୁମ୍ଭର ହେ ।୧୦।

କୋଢ଼ୀ ଦିଅନ୍ତ ଧାରଣା,

ତୁମ୍ଭର ପାଟଅଗଣା ।

ଅଙ୍ଗର ସୁଷମା ପାଇ,

ଯାଆନ୍ତି ସୁଯଶ ଗାଇ ହେ ।୧୧।

ଦଲାଣେ ଉପବେଶନ,

କରି ପକାଅ ନୟନ ।

ମହାନଦୀ ଶୋଭାରାଶି,

ଜଳଚକ୍ର ଯାଏ ଭାସି ହେ ।୧୨।

ନଉକାର ଶ୍ରେଣୀ ରେଖା,

କେତେ ଯାଉଥାଏ ଦେଖା ।

ଘଡିଆଳ ଉଠି ଡକା,

ଦେଲେ ମନେ ହୁଏ ଦକା ହେ ।୧୩।

ଦେଖିଲେ ବେଢ଼ା ପାଚେରୀ,

ମନୋବୃତ୍ତି ଯାଏ ଫେରି ।

ରାଧାକୃଷ୍ଣଙ୍କ ଦେଉଳ,

ନିର୍ମାଣିଛନ୍ତି ମଞ୍ଜୁଳ ହେ ।୧୪।

ଆଠଗଡ଼ର ନରେଶ,

ପୂଜନ୍ତି ଆସି ମହେଶ ।

ତାଙ୍କ ରାଜ୍ୟେ ପୀଠଧାରୀ,

ହୋଇଅଛ ସ୍ମରହାରୀ ହେ ।୧୫।

ଅତି ସୁଗୁଣସମ୍ପନ,

ରାଧାନାଥଙ୍କ ନନ୍ଦନ ।

ଶ୍ରୀ ବାବୁ ଶଶିଦୂଷଣ,

ବଳାଇ ଉଦାରମନ ହେ ।୧୬।

ଗୋଟିଏ ବଙ୍ଗଳାଘର,

କରିଛନ୍ତି ଏ ସ୍ଥାନର ।

ସୁବାକ୍ୟାବଳୀ ଲିଖିତ,

ଭିତରେ ଅଛି ଜଡ଼ିତ ହେ ।୧୭।

ଦେଶ ବିଦେଶରୁ ଆସି,

ଏସ୍ଥାନକୁ ବଡ଼ ରସି ।

କରନ୍ତ କାଳଯାପନ,

ଭଦ୍ର ନରନାରୀଗଣ ହେ ।୧୮।

ସୁଯୋଗେ ଦର୍ଶନ ସାରି,

ସାତପୁରୁଷ ଉଦ୍ଧାରି ।

ପ୍ରଭୁ ମହିମା ଉଚ୍ଚାରି,

ଗୃହେ ଯାନ୍ତି ତାପହାରି ହେ ।୧୯।

ଶ୍ରୀ ହରିବଲ୍ଲଭଙ୍କର,

ଇଚ୍ଛା ଥିଲା ରୋଷଘର ।

କରାଇ ଥାଆନ୍ତେ ପକା,

ପଡ଼ିଲା ବିପଦ ଡକା ହେ ।୨୦।

ତାଙ୍କ ଉତ୍ତରାଧିକାରୀ,

ବିଚାରିଲେ ଦ୍ୟନ୍ତେ କରି ।

ପ୍ରଭୁ ପୁଣି ଦେଲେ ମଥା,

ସେ କାର୍ଯ୍ୟଟା କିବା କଥା ହେ ।୨୧।

ସଙ୍ଗତିପନ୍ନ ଧନିକ,

କଟକୀ କେତେ ବଣିକ ।

ରଖିଥିଲେ ପାଣ୍ଠି ଧରି,

ମଣ୍ଡପଟି ଦେଲେ କରି ହେ ।୨୨।

ତୁମ୍ଭର ବହୁ ସେବକ,

ଢାଳେ ଧରି ପାଦୋଦକ ।

ଯଜମାନ ଘରେ ଯାଇ,

ଭକ୍ତି ଦ୍ୟନ୍ତି ଉପୁଜାଇ ହେ ।୨୩।

ଦେବଙ୍କ ମହିମା ଚିନ୍ତି

ଆସନ୍ତି କେ ନିତିନିତି ।

କଟକନଗରେ ବୁଲି,

ଭରତି କରନ୍ତି ଝୁଲି ହେ ।୨୪।

ବଡ଼ଓଷାର ପ୍ରସାଦ,

ପକ୍ଷେ ନାହଁ ପ୍ରତିବାଦ ।

ଦ୍ୱିଜବର କରି ନିଷ୍ଠା,

ଖାଏ ଶୂଦ୍ରଛୁଆଁ ପିଠା ହେ ।୨୫।

ମହିମା କି ଅଲୋକିତ,

ଭାବିଲେ ମନ ଚକିତ ।

ଲଗାଇ ଅଛ ହୁନ୍ଦର,

ଚର୍ମଧାରୀ କାମହର ହେ ।୨୬।

ପାଇ ଏହି ରମ୍ୟ ଧାମ,

କରିବି ସୁଖେ ବିଶ୍ରାମ ।

ବାଞ୍ଛା ବଡ଼ ବଳବତୀ,

ପୂର୍ଣ୍ଣ କର ଉମାପତି ହେ ।୨୭।

ଫିଟାଇ ହୃଦକବାଟ ।

ବତାଇ ଦିଅନ୍ତୁ ବାଟ ।

କାତରେ ଡାକେ କିଙ୍କର,

ହେ ପ୍ରଭୁ ଧବଳେଶ୍ଵର ହେ ।୨୮।

Image

 

ମଞ୍ଚେଶ୍ୱର

 

ନଦୀ ପାରିହୋଇ ଗଲେ,

ମଞ୍ଚେଶ୍ୱର ପୀଠ ଭଲେ ।

ହୁଏ ନୟନଗୋଚର,

ପବିତ୍ର ଗିରିଶିଖର ହେ ।୧।

କୁଟୀରଘର ନିର୍ମାଣି,

ଗିରିତଳେ କେତେ ପ୍ରାଣୀ ।

ରହିଛନ୍ତି ସୁଖମନେ,

ମଞ୍ଚେଶ୍ୱର ଆରାଧନେ ହେ ।୨।

ଦେବବିଧି ଅଛି ଯେତେ,

ଏଥି ହୁଏ ସବୁ ତେତେ ।

ମୋ ଦଶା କର ଖଣ୍ଡନ,

ମଞ୍ଚେଶ୍ଵର ପଞ୍ଚାନନ ହେ ।୩।

Image

 

କପିଳେଶ୍ଵର

 

ଲିଙ୍ଗରାଜଙ୍କ ନିକଟ,

ହୋଇଛି ଧାମ ପ୍ରକଟ ।

କୁଷ୍ଠରୋଗୀ ଶତ ଶତ,

ପଡ଼ି ବେଢ଼ା ମଧ୍ୟଗତ ହେ ।୧।

ନିଅନ୍ତି ତବ ଶରଣ,

ପକାଇ ତହିଁ ନୟନ ।

ଉଦ୍ଧରି ନେଉଛ ଯେତେ,

ସଂଖ୍ୟା କରିବି ମୁଁ କେତେ ହେ ।୨।

ଆପଣ ତ ଦୟାଶୀଳ,

ଯଶ ଉଡୁଛି କପିଳ ।

ଯାରେ ଦୟା ତିଳାଧାନ,*

ସେ କରେ ପର୍ବତ ଜ୍ଞାନ ହେ ।୩।

ମୂଲିଆ ସେବକଦଳ,

ମୁଣ୍ଡେ ଢାଳୁଥାନ୍ତି ଜଳ ।

ମହାସ୍ନାନ କେତେ ଥର,

ଭାସିଯାଏ ଘରଦ୍ୱାର ହେ ।୪।

ତବ ପ୍ରସାଦ ଗଣିତା,

ହୋଇଅଛି ଜଗଜ୍ଜିତା

ମହାପ୍ରସାଦ ମଧ୍ୟରେ,

ଭକ୍ତ ବଡ଼ ସାଧ କରେ ହେ ।୫।

ପାଆନ୍ତ ବହୁତ ଜନ,

ପ୍ରସାଦ ଅନ୍ନ ବ୍ୟଞ୍ଜନ ।

ପ୍ରଧାନ ପୀଠରେ ଗଣି,

ଯାଇଛନ୍ତି ରଘୁମଣି ହେ ।୬।

ଅଛି ପାଶେ ଯେଉଁ ସର,

କି କହିବି ଗୁଣ ତାର ।

ଯେତେ ଶୁଖାଇ ରଖିବ,

ତେତିକି ଝରେ ପୂରିବ ହେ ।୭।

ନାହିଁ ଜଳର ଆକରା,

ନିକଟରେ ନଦୀ ଭରା ।

ଗଙ୍ଗୁଆ ନାମ ପ୍ରଧାନ,

ପଡେ ଯୋଗ ଟଙ୍ଗା ସ୍ନାନ ହେ ।୮।

ଗ୍ରାମର ପୂର୍ବ ସୀମାନା,

ଯାଗେଶ୍ୱରୀ ବିଦ୍ୟାମାନା ।

କରନ୍ତି ହିତସାଧନା,

ନାଶନ୍ତି ଘୋର ବେଦନା ହେ ।୯।

ଅଛି ଏଠି ନାନା ସିଦ୍ଧି,

ମଙ୍ଗଳାରୋପଣ ବିଧି,

କରନ୍ତି କୁଳଅଙ୍ଗନା,

ଅତି ଭକ୍ତିଗତପ୍ରାଣା ହେ ।୧୦।

ସାମନ୍ତରାପୁର ପାଶ,

ଭୂଷଣା ଦେବୀଙ୍କ ବାସ ।

କେତେଗୋଟି ମହାଜନ,

ସଂସ୍କାର କଲେ ସାଧନ ହେ ।୧୧।

ଅତି ରମଣୀୟ ସ୍ଥାନ,

ପାଶେ ଗଙ୍ଗୁଆ ପ୍ରଧାନ ।

ଅଛି ଧର୍ମଶାଳା ଏକ,

କଲେ ଯେ ଭାବି ବିବେକ ହେ ।୧୨।

ପଡ଼ିଲେ ଘୋର ସଙ୍କଟ,

ଆସନ୍ତି ଦେବୀ ନିକଟ ।

ମାନସିକ ବର ପାଇ,

ସ୍ଵସ୍ଥାନେ ମିଳନ୍ତି ଯାଇ ହେ ।୧୩।

ହେ ପ୍ରଭୁ କପିଳେଶ୍ଵର,

ତବ ଆଶ୍ରମ ପାଶର ।

ଅଛନ୍ତି ଅସଂଖ୍ୟ ଦେବ,

ବର୍ଣ୍ଣନାରେ କିଏ ନେବ ହେ ।୧୪।

ମୋ କାର୍ଯ୍ୟ କରିବ ସିଦ୍ଧି,

ଦୟାଶୀଳ ଗୁଣନିଧି ।

ପ୍ରାଣ ଥିବା ଯାଏ ସେବା,

କରୁଥିବି ପାଇଁ ଲୋଭା ହେ ।୧୫।

* ତିଳାଧାନ - ତିଳମାତ୍ରାରେ

Image

 

ସିଦ୍ଧେଶ୍ଵର

 

ଆହେ ପ୍ରଭୁ ସିଦ୍ଧେଶ୍ଵର,

ରହିଛ ଗିରିଶିଖର ।

ମହାନଦୀ ଜଳଯାନ,

କରୁଛ ଅବଲୋକନ ହେ ।୧।

ତୁମ୍ଭ ପର୍ବତ ତଳରେ,

ଜଳଚକ୍ର ଉଠେ ଖରେ ।

ଜଳଜୀବ ରାଶିରାଶି,

ଖେଳି ବୁଲିଯାନ୍ତ ଭାସି ହେ ।୨।

ଅନେକ ଗିରିଗହ୍ୱର,

ଥିଲେ ବୌଦ୍ଧ ଯୋଗୀବର ।

ଖଡୀ ଧୋବଲା ପାଷାଣ,

ଲୁହାଠାରୁ ବଳି ଟାଣ ହେ ।୩।

ଏଠାରୁ ପଥର ତାଡ଼ି,

ଚଳାଇଲେ ରେଲଗାଡି ।

ପାଷାଣ ଶିଳିପୀମାନେ,

ପଥର ଦ୍ରବ୍ୟ ଗଠନେ ହେ ।୪।

କଲେ ଯଶ ଗୁଣ ଲାଭ,

ପ୍ରକାଶିଲେ ଠାବଠାବ ।

ଶିଳ ଶିଳପୁଆ ଆଦି,

ଜଳଯନ୍ତ୍ର ଗାଦିଗାଦି ହେ ।୫।

ସୁନ୍ଦର ଚନ୍ଦନପେଡ଼ା,

ଘୋରଣେ ନ ପଡ଼େ ତେଢ଼ା ।

ତୁମ୍ଭ ଗିରିଠାରୁ ଆଣି,

ଜୀବିକା ଚଳାନ୍ତ ପ୍ରାଣୀ ହେ ।୬।

ଉପତ୍ୟକା ଭୂମି ଧରି,

ଅଛନ୍ତି ଯେ ଅନୁସରି ।

ତଳେ ମଠ ସାଧୁଙ୍କର,

ଦୃଶ୍ୟଟି ବଡ ସୁନ୍ଦର ହେ ।୭।

ପାଶେ ରହିଥିବା ହେତୁ

କାଠଯୋଡୀ ନଦୀସେତୁ ।

ସୁଗଭୀର ଅଛି ଜଳ,

ଗର୍ଜିପଡେ ବନ୍ଧତଳ ହେ ।୮।

ଦେଉଳ ଚକ୍ରର ନେତ

ପବନେ ଦୋଳଇ ସେ ତ ।

ସେ ଯେ ପାପଡ଼ାପହାରୀ,

ଭକ୍ତକୁ ଦେଖାଏ ବାରି ହେ ।୯।

ନରାଜ ମୋଟରୀ ଗ୍ରାମ,

ସେବକମାନଙ୍କ ଧାମ

ତଳ ଗଡ଼ର ସାମନତ୍ତେ,

ସେବା ପୁଜାରେ ନିରତେ ହେ ।୧୦।

ନାନାସ୍ଥାନ ଭକ୍ତଗଣ,

କରନ୍ତି ତବ ପୂଜନ ।

ସୁବ୍ରାହ୍ମଣମାନେ ଆସି,

ପୂଜୂଛନ୍ତି କାଶୀବାସୀ ହେ ।୧୧।

ଚଉଧୁରୀ ଜମିଦାର,

କରନ୍ତି ତବ ଆଦର ।

ସିଦ୍ଧପୀଠେ ସିଦ୍ଧେଶ୍ଵର,

ଦିଅନ୍ତୁ ଅଭୟବର ହେ ।୧୨।

Image

 

ବାଲିସିଂହନାଥ

 

ବାଲିସିଂହନାଥ ନାମେ,

ମହାନଦୀ ମଧ୍ୟ ଧାମେ ।

ସୁଉଚ୍ଚ ଗିରିଶିଖର,

ତା ଉପତ୍ୟକା ମଧ୍ୟର ହେ ।୧।

ଅତିରମ୍ୟ ଦେଉଳରେ,

ଅଛ ନାଥ ଗମ୍ଭୀରରେ ।

ରାଜନ ଯେ ବଡମ୍ବାର,

ଦିଅନ୍ତି ପୂଜା ସମ୍ଭାର ହେ ।୨।

ମହାନଦୀ ଜଳରାଶି,

ଗିରି ପାଶ ଚୁମ୍ବେ ଆସି ।

ନାଚି ଖେଳି ଫେରିଯାଏ ।

ମନ୍ଦିରେ ବାଧା ନ ଥାଏ ହେ ।୩।

ବୈଦ୍ୟେଶ୍ୱର ମହାଜନେ,

ଦେଖୁଥାନ୍ତି ଭକ୍ତିମନେ ।

ଗିରିଶୃଙ୍ଗେ ତପୋଧନ,

କରନ୍ତି ଯୋଗ ସାଧନ ହେ ।୪।

ଘୃତପକ୍ୱ ଅନ୍ନଥାଳୀ,

ପୂଜନ୍ତି ସେବକ ମାଳୀ ।

ନିରୋଳିଆ ସିଂହନାଥ,

ମୋତେ କରିବ କୃତାର୍ଥ ହେ ।୫।

Image

 

ନିଆଳୀମାଧବ (ନୀଳ ମାଧବ)

 

ଭକ୍ତିଭରେ ହେ ମାଧବ,

କରୁଅଛି ତବ ସ୍ତବ ।

ପ୍ରାଚୀତଟିନୀ ନିକଟେ,

ତବ ଆସ୍ଥାନ ପ୍ରକଟେ ହେ ।୧।

ବିଖ୍ୟାତ ଅଟଇ ପୀଠ,

ଦେଖିଲେ ମିଳଇ ଇଷ୍ଟ ।

ଟୋଲାଶାସନ ବ୍ରାହ୍ମଣେ,

ଆସନ୍ତି ବେଢ଼ାପ୍ରାଙ୍ଗଣେ ହେ ।୨।

ଲାଗନ୍ତି ନାନା କାରଣେ,

ଯଜମାନଙ୍କ ବରଣେ ।

ସୁଫଳ ପାଇ ଆବର,

ଯଶ ଗାଆନ୍ତି ତୁମ୍ଭର ହେ ।୩।

ସମୀପରେ ଶିବସ୍ଥାନ,

କେତେ ଅଛି ବିଦ୍ୟମାନ ।

ପୁରୁରବା ତୀର୍ଥ ଆଦି,

ରହିଛି ଅସଂଖ୍ୟ ଗାଦି ହେ ।୪।

ରାମେଶ୍ଵରଙ୍କ ଦେଉଳ,

କେଡ଼େ ଉଚ୍ଚ କି ବର୍ତ୍ତୁଳ ।

ପୂର୍ବେ ଦଶରଥସୁତ,

ରାମ କଲେ ଏହା ପୂତ ହେ ।୫।

ସୀତାଙ୍କୁ ସଙ୍ଗତେ ଧରି,

ଏଥି ତପସ୍ୟା ଆଚରି ।

ଦଶରଥେ ପିଣ୍ଡ ଦେଲେ,

ସ୍ୱଗକୁ ଉଠାଇ ନେଲେ ହେ ।୬।

ପ୍ରାଚୀମାହାତ୍ମ୍ୟ ପଠନ,

କଲେ ଜାଣି ସେ କାରଣ ।

ଯୋଗ୍ୟ ତପସ୍ୟା କରଣେ,

ଏ କ୍ଷେତ୍ରରେ ପୀଠମାନ ହେ ।୭।

ଲତାଗୁଳ୍ମେ ଆଚ୍ଛାଦିତ,

ପ୍ରାଚୀତଟେ ସୁଶୋଭିତ ।

ନିକୁଞ୍ଜ ନିଳୟ ଯେତେ,

ବର୍ଣ୍ଣିବ କିଏସେ କେତେ ହେ ।୮।

ଦଧୀଚିମୁନି ଆଶ୍ରମ,

ସିଦ୍ଧଫଳେ ସେ ସକ୍ଷମ ।

ଅପସରା ତୀର୍ଥ ଆବର,

ପାପମୋକ୍ଷଣେ ତତ୍ପର ହେ ।୯।

ସେ ଦେବ ଶୋଭନେଶ୍ୱର,

ନିକଟବର୍ତ୍ତୀ ତୁମ୍ଭର,

ପ୍ରାଚୀ ସରସ୍ଵତୀ ତୀରେ,

ସଙ୍ଖୋଳି ଆସନ୍ତି ଧୀରେ ହେ ।୧୦।

ଚକ୍ରତୀର୍ଥ ଅଗ୍ନିତୀର୍ଥ,

ଯହଁ ରଷି ବିଶ୍ୱାମିତ୍ର ।

ମୁଦ୍ଗଲୠଷିଙ୍କ ଧରି,

ତପସ୍ୟା ଥିଲେ ଆଚରି ହେ ।୧୧।

ଗୋକର୍ଣ୍ଣେଶ୍ଵରଙ୍କ ପାଶ,

ଅଛି ମୋ ଦୃଢ଼ ବିଶ୍ଵାସ ।

ତ୍ରିବେଣୀରେ ବିଲେଶ୍ଵର,

ବ୍ରହ୍ମେଶ ଯେ ପୂର୍ଣ୍ଣେଶ୍ଵର ହେ ।୧୨।

ପୂର୍ବକାଳେ ବେଦପତି,

ତପସ୍ୟା ଆଚରିଛନ୍ତି ।

ତେଣୁ ନାମରେ ବ୍ରହ୍ମେଶ,

ପୂଜନ୍ତି ନିତି ଗଣେଶ ହେ ।୧୩।

ସୁଦର୍ଶନ ତୀର୍ଥ ଆଦି,

ମାଧବାନନ୍ଦଙ୍କ ଗାଦି ।

ଚକ୍ରଘଣ୍ଟା ଠାକୁରାଣୀ,

ମାଂସପ୍ରିୟା ବୋଲି ଜାଣି ହେ ।୧୪।

ପ୍ରାଚୀ ତଟେ ମୁକ୍ତି ତୀର୍ଥ,

ଯମଦେବ ଯହିଁ ଭୀତ ।

ଦେଖିଲେ କପିଳେଶ୍ଵର,

ମୁକ୍ତିପାଇଯାଏ ନର ହେ ।୧୫।

ପ୍ରଭୁ ଅମରେଶ ଧାମ,

ଶୋଭନୀୟ ଅନୁପମ ।

ଅମରତ୍ୱ ପାଏ ଜନ,

କଲେ ଏ ଦେବ ଦର୍ଶନ ହେ ।୧୬।

ନାଟେଶ୍ଵରଙ୍କର ସ୍ଥାନ,

ଅତିଶୟ ଶୋଭମାନ ।

ନିତ୍ୟ ପ୍ରିୟ ନୃତ୍ୟ ଗାନେ,

ବୁଲନ୍ତି ବୃଷବାହନେ ହେ ।୧୭।

ଝିଙ୍କପକ୍ଷୀ ରୁପଧାରୀ,

ଝିଙ୍କେଶ୍ଵରଙ୍କୁ ଗୁହାରି ।

ମୁକ୍ତେଶ୍ଵର ସିଦ୍ଧେଶ୍ଵର,

ଉଦ୍ଧରି ଧରନ୍ତି ନର ହେ ।୧୮।

କେତକୀ ନାମେ ଅପସରା,

ଶାପମୁକ୍ତି ହୋଇ ପରା ।

ସିଦ୍ଧପୀଠେ ସୁରାଙ୍ଗନା,

କଲେ ପ୍ରଭୁଙ୍କ ଭାବନା ହେ ।୧୯।

ଯହଁ ବିପୁଳ ବିଭବ,

ମାଘମାସେ ମେଳା ତବ ।

ହେ ମାଧବ ଦେବେଶ୍ଵର,

ମନୋରଥ ପୂର୍ଣ୍ଣ କର ହେ ।୨୦।

ସର୍ବେ କରେ ଅନୁରୋଧ,

ମନେ ରଖ ଏହି ବୋଧ ।

ମନ୍ଦିର ସଂସ୍କାର ପାଇଁ

ଯତ୍ନଶୀଳ ହୁଅ ଭାଇ ହେ ।୨୧।

Image

 

ନୀଳମାଧବ

 

ପ୍ରଭୁ ଶ୍ରୀ ନୀଳ ମାଧବ,

ଖଣ୍ଡପଡା କିଲା ଧବ ।

କଣ୍ଟିଲୋ ନାମ ଗ୍ରାମରେ

ବାସ କରିଛ ସୁଖରେ ହେ ।୧।

ଅତି ଉଚ୍ଚ ସେ ମନ୍ଦିର,

ଗଠନ ବଡ ରୁଚିର ।

ସୋପାନାବଳୀର ଶୋଭା,

ଅଟେ କିବା ମନୋଲୋଭା ହେ ।୨।

ମହାନଦୀର ଗର୍ଭକୁ

ନେଇଛନ୍ତି ସୋପାନକୁ ।

ମଣ୍ଡପ ଉପରେ ଉଭା,

ହୁଅନ୍ତି ସେବକ ଯୁବା ହେ ।୩।

ଦେଖୁଥାନ୍ତି ଜଳଯାନ,

ନଦୀଗର୍ଭେ ଭାସମାନ ।

ଆରପାରି ତାଳବନ,

ଦିଶୁଥାଏ ଶୋଭାବନ ହେ ।୪।

କାର୍ତ୍ତିକ ମାଘମାସରେ,

ଆସନ୍ତି ବହୁତ ନରେ ।

ମେଳା ମଉତ୍ସବ କରି,

କୀର୍ତ୍ତନରେ ବସୁନ୍ଧରୀ ହେ ।୫।

କମ୍ପାଇ ଦିଅନ୍ତି ବାରେ,

କେ କାହାକୁ ମାନେ ହାରେ ।

ଜଗନ୍ନାଥ କଳା ପରା,

ନୀଳମାଧବରେ ଭରା ହେ ।୬।

ପୂର୍ବପୂର୍ବ ନରପତି,

କରିଥିଲେ ଯତ୍ନ ଅତି ।

ଏଠାରେ ମହା ପ୍ରସାଦ,

ପ୍ରବର୍ତ୍ତନ ହେବା ସାଧ ହେ ।୭।

କି ବାଧା ହେଲା ପ୍ରବଳ,

କ୍ଷାନ୍ତ ହେଲେ ମହୀପାଳ ।

ଖଞ୍ଜା ଖଇରାତ ଅନ୍ନ,

ଗରିବେ ହୁଏ ବଣ୍ଟନ ହେ ।୮।

ପଶ୍ଚିମର ମହାଜନ,

ରାସମଣ୍ଡପ ନିର୍ମାଣ ।

କରି ଅକ୍ଷୟ କୀରତି,

ଏ ପୀଠରେ ରଖିଛନ୍ତି ହେ ।୯।

ଦିବ୍ୟ ସୁନ୍ଦର ବାସନ,

ଏ ଗ୍ରାମେ ହୁଏ ଗଠନ ।

ତାଲା କଞ୍ଚି ଭଳିଭଳି,

ତା କୌଶଳ ନୁହେଁ କଳି ହେ ।୧୦।

ଚର୍ଚ୍ଚିକା ପଣା ଯାତ୍ରାରେ,

ବିକ୍ରି ବହୁତ ମାତ୍ରାରେ ।

କେତେ ଯାଏ ନାଗପୁର,

ପଶ୍ଚିମକୁ ବହୁଦୂର ହେ ।୧୧।

ଏ ସ୍ଥାନର କାରିଗରେ,

ପ୍ରଶଂସିତ ନାନାଠାରେ ।

ଗୁଣୀର ଗୁଣ ଆଦର,

ହୁଅଇ ଜ୍ଞାନୀ ପାଶର ହେ ।୧୨।

ହୋଇଛି ବିକଳମନ,

ବିନୟରେ ନିବେଦନ ।

ପ୍ରଭୁ ଶ୍ରୀ ନୀଳମାଧବ,

ମୋ ଦୁଃଖଟି ନିଅ ଜବ* ହେ ।୧୩।

* କବ - ଟିକିଏ

Image

 

ଲିଙ୍ଗର।ଜ

 

କଳାପାହାଡ ଆସିଲା,

ମନ୍ଦିର କେତେ ଭାଙ୍ଗିଲା ।

ଦେଉଳର ଚୂଡାମାନ,

ଖସାଇ ହରିଲା ଧନ ହେ ।୧।

ଲିଙ୍ଗ ପଡି ନାରଖାର,

ହେଲେ କ୍ଷେତ୍ରର ମଧ୍ୟର ।

କିଏ ଦେଲା କାକୁ କେଣେ,

ପୋତା ପଡିଗଲେ ଏଣେ ହେ ।୨।

ହେଲେ ହେଁ ଏତେ ଅନିଷ୍ଟ,

ଏ ପୀଠ ଅଛି ଗରିଷ୍ଠ ।

ପ୍ରସରେ ତବ ମହିମା,

ଏକାମ୍ରକାନନ ସୀମା ହେ ।୩।

ଯେକାଳୁ ଶବରେଶ୍ଵର,

ଅଛନ୍ତି ବେଢ଼ାମଧ୍ୟର ।

ପଢ଼ିଲେ ମାହାତ୍ମ୍ୟମାନ,

ଏସବୁରେ ହେବ ଜ୍ଞାନ ହେ ।୪।

ଚାରିପାଶେ କେତେ ନାଥ,

ସାଇତିଛ ପଞ୍ଚମାଥ ।

ବିନ୍ଦୁହ୍ରଦ ଜଳାଶୟ,

ପାପରାଶି କରେ କ୍ଷୟ ହେ ।୫।

ଚତୁର୍ଦ୍ଦଶ ଯାତ୍ରା ଗଡି,

ଯାତ୍ରୀଏ ଆସନ୍ତି ମାଡି ।

ଖଇରାତି ମଠବାଡ଼ି,

ପ୍ରସାଦ ଦିଅନ୍ତି ବାଢ଼ି ହେ ।୬।

ଚୈତ୍ରର ଅଶୋକାଷ୍ଟମୀ,

ଦିନ ଯିବ ନାହଁ ଭ୍ରମି ।

ପିଇଲେ ଅଶୋକ କଢ଼ି,

ସବୁ ଶୋକ ଯିବ ଛାଡି ହେ ।୭।

ଗୁଣ୍ଡିଚାଘର ପର୍ଯ୍ୟନ୍ତ

ଯାହାର ଯେତେ ହେମନ୍ତ ।

ରୁକ୍ମିଣୀ ରଥକୁ ଭିଡି,

ନେଇଯାନ୍ତି ଘିଡିଘିଡି ହେ ।୮।

ଅଶୋକକୁଣ୍ଡର ପାଶ,

ରାମେଶ୍ୱରଙ୍କର ବାସ ।

ଗୋସାଗରେଶ୍ୱର ଥରେ,

ଆଣେ ସ୍ମରଣପଥରେ ହେ ।୯।

ଆହେ କୋଟି ତୀର୍ଥେଶ୍ୱର,

ବର୍ଣ୍ଣନେ ହୁଏ କାତର ।

ପଡିଛି ଫଟା ମନ୍ଦିର,

ଦୁଧ ପରି କୁଣ୍ଡନୀର ହେ ।୧୦।

କେଦାରେଶ୍ଵର ପାଶର,

ମୁକ୍ତେଶ୍ଵର ସିଦ୍ଧେଶ୍ଵର ।

ବିଭୂଷଣେଶ୍ଵର ପରା,

କରନ୍ତ ସଭା ଡାକରା ହେ ।୧୧।

ଦୂରେ ଛନ୍ତି ବ୍ରହ୍ମେଶ୍ଵର,

ଭୀମେଶ୍ଵର ଯେ ଆବର ।

ଭାସ୍କରେଶ୍ଵରଙ୍କୁ ଆଦି,

ଅଛି କେତେ ଶିବଗାଦି ହେ ।୧୨।

ସୋମେଶ୍ୱର ପଞ୍ଚମାଥ,

ଖରାଖିଆ ବୈଦ୍ୟନାଥ ।

ପରଦାରେଶ୍ଵର ଆଦି,

ପ୍ରସିଦ୍ଧ ଯେ ଯୋଗସାଧି ହେ ।୧୩।

ଜମ୍ବେଶ୍ଵରେ ପ୍ରଣିପାତ,

ଶିବଙ୍କର ବଡଭ୍ରାତ ।

ପ୍ରଣାମ କରିବା ଥରେ,

ଅନନ୍ତବାସୁଦେବରେ ହେ ।୧୪।

ଚକ୍ରେଶ୍ଵରଙ୍କ ମନ୍ଦିର,

ଭଙ୍ଗା ଅଥଚ ରୁଚିର ।

ରଜା ରାଣୀଙ୍କ ଦେଉଳ,

ଦିଶଇ କେଡେ ମଂଜୁଳ ହେ ।୧୫।

ଚାରିପାଶେ ଚାରିଗଡ,

ଏ କ୍ଷେତ୍ର ବଡ ନିଗଡ ।

ଶିଶୁପାଳ ଦୁର୍ଗେ ଯାଇ,

କୀରି ଦେଖିବ କି ଭାଇ ହେ ।୧୬।

ଲିଙ୍ଗରାଜ ଦେବଙ୍କର,

ଗ୍ରାମ ଯେ ଭୁବନେଶ୍ଵର ।

ତହଁ ଛନ୍ତି ପୀଠେଶ୍ଵରୀ,

କାପାଳିନୀ ନାମ ଧରି ହେ ।୧୭।

ଲାବୁକେଶ୍ଵର ଦେଉଳ,

ଅତିଉଚ୍ଚ ସୁବର୍ତ୍ତୁଳ,

ରାଜାଙ୍କ ନବରପାଶ,

କେତେ ଛନ୍ତି କୃତ୍ତିବାସ ହେ ।୧୮।

ବୋଇତାଳୁ ଦେଉଳକୁ,

ଦେଖିବା ଗଲେ ଦୂରକୁ ।

ରେଲଗାଡି ଦରଶନ,

ବୁଧେଶ୍ଵରଙ୍କର ମନ ହେ ।୧୯।

ଉତ୍ତରେଶ୍ଵରଙ୍କୁ ଚାହିଁ,

ବେଗେ ଆସ ଭାଇ ଧାଇଁ ।

ଅଗଣନ ପଞ୍ଚାନନ,

ସଂକ୍ଷେପେ କଲି ବର୍ଣ୍ଣନ ହେ ।୨୦।

ଚତୁର୍ମୁଖ ବ୍ରହ୍ମାସ୍ଥାନ,

କରିବା ଅବଲୋକନ ।

କ୍ଷୁଦ୍ର ଚଉକ ଦେଉଳ,

ଗହନ ଦିବ୍ୟ ବର୍ତ୍ତୁଳ ହେ ।୨୧।

ମରଣକାଳେ ନରଙ୍କୁ,

ଆଣନ୍ତି ଏହ ସ୍ଥାନକୁ ।

ଅଛି ଏହପରି ମତ,

ମିଳେ ତାକୁ ମୁକ୍ତି ପଥ ହେ ।୨୨।

ଗଠନ ସୁନ୍ଦର ଅତି,

ମହାଗଣେଶ ମୂରତି ।

ମନ୍ଦିର ଦକ୍ଷିଣପାଶେ,

ପୂର୍ଣ୍ଣ ସତେ ମୁଖ ହାସେ ହେ ।୨୩।

ଏକାମ୍ରକାନନେଶ୍ଵର,

ଅଛନ୍ତି ବେଢ଼ା ମଧ୍ୟର ।

ଏହିଟି ମୂଳ ଦେବତା,

କ୍ଷେତର ମୁଖ୍ୟ କରତା ହେ ।୨୪।

ସୂକ୍ଷ୍ମ କାରୁକାର୍ଯ୍ୟାଙ୍କିତ,

ମନ୍ଦିର ୟେ ପ୍ରତିଷ୍ଠିତ ।

ତହଁରେ ହିମନନ୍ଦିନୀ,

ପାର୍ବତୀ ଲୋକ ବନ୍ଦିନୀ ହେ ।୨୫।

ପ୍ରଭୁଙ୍କ ସ୍ନେହୀ ବାହନ,

ପୃଷ୍ଠେ ବସ୍ତ୍ର ଆବରଣ ।

ବାସୁଆ ବଳଦ ଠାଏ,

ଦେଖି ଆଖି ଲାଖିଯାଏ ହେ ।୨୬।

ପ୍ରକାଣ୍ଡ ପ୍ରଭୁ ଶକତି,

ଦଶାବତାର ମୂରତି ।

ତହିଁରେ ଅଛି ଅଙ୍କିତ,

ମଧ୍ୟେ ଲିଙ୍ଗରାଜ ସ୍ଥିତ ହେ ।୨୭।

ରକ୍ଷା କର ମହାପ୍ରଭୁ,

ଭେଳା ବୁଡ଼ିଯାଏ ସବୁ ।

ମୋ ବାଞ୍ଛା ହେଉ ପୂରଣ,

ଦେବ ପାର୍ବତୀରମଣ ହେ ।୨୮।

Image

 

ସତ୍ୟବାଦୀ

 

ଶ୍ରୀଚରଣେ ସତ୍ୟବାଦି,

ଶତ ପ୍ରଣିପାତେ ବନ୍ଦି ।

ହୋଇଥିଲ ସାକ୍ଷୀ ଥରେ,

ସ୍ମରିବ ହୃଦପଦ୍ମରେ ହେ ।୧।

ଅଇଲ ଉତ୍କଳ ଦେଶ,

ପାଇଚି ସେହି ସନ୍ଦେଶ ।

ହେଲେ ହେବ ପରିହାସ,

କହିବି ସେ ଇତିହାସ ହେ ।୨।

ଏ ଦେଶୀ ଦୁଇ ବ୍ରାହ୍ମଣ,

ଜଣେ ବଡ଼ ଜଣେ ସାନ ।

ବିଦେଶେ କଲେ ଗମନ,

ଧନ ଅର୍ଜନ କାରଣ ହେ ।୩।

ମିଳିଲେ ଶ୍ରୀବୃନ୍ଦାବନ,

ଯହିଁ ଗୋପୀନାଥ ସ୍ଥାନ ।

ସେହି ବଡ଼ ଦ୍ୱିଜବର,

ପୀଡ଼ାରେ ହେଲା କାତର ହେ ।୪।

ସାନବ୍ରାହ୍ମଣେ ଚାହିଁଲା,

ପ୍ରତିଜ୍ଞା କରି କହିଲା ।

ମୋର ସେବାକାରୀ ହଅ,

କରିବି ମୁ ଜ୍ଵାଇଁପୁଅ ହେ ।୫।

କହୁଛି ନିୟମ ଧରି,

ଗୋପୀନାଥେ ସାକ୍ଷୀ କରି ।

ମୋ କନ୍ୟା ତୁମ୍ଭଙ୍କୁ ଦାନ,

କରିବି ସତ୍ୟ ପ୍ରମାଣ ହେ ।୬।

ସେ ଦ୍ଵିଜ ଧୈର୍ଯ୍ୟଧାରଣେ,

ସେବା କଲେ ପ୍ରାଣପଣେ ।

ବ୍ରାହ୍ମଣ ଭଲ ହୋଇଲେ,

ସ୍ଵଦେଶେ ଦୁହେଁ ଆସିଲେ ହେ ।୭।

ନିୟମ ଭଙ୍ଗ ହୋଇଲା,

କନ୍ୟା ପ୍ରଦାନ ନୋହିଲା,

ଭଲଲୋକେ ଦେଲେ ବାଛି,

ଆଣ କିଏ ସାକ୍ଷୀ ଅଛି ହେ ।୮।

ସାନବ୍ରାହ୍ମଣ ଆସିଲା,

ଗୋପୀନାଥଙ୍କୁ ଡାକିଲା ।

କହିଲା ହୋଇ ନିର୍ମାକ୍ଷୀ,

ପ୍ରଭୁ ତୁମ୍ଭେ ମୋର ସାକ୍ଷୀ ହେ ।୯।

ବ୍ରାହ୍ମଣ ସତ୍ୟ ଭାଙ୍ଗିଲା,

କନ୍ୟା ପ୍ରଦାନ ନ କଲା ।

ମୋ ସଙ୍ଗେ ମୋ ଦେଶେ ଯିବ,

ସେଠାରେ ସତ୍ୟ କହିବ ହେ ।୧୦।

ଗୋପୀନାଥ ବ୍ରାହ୍ମଣକୁ,

କହିଲେ ପଛଆଡ଼କୁ ।

ନ ଚାହିଁବୁ କହ ଯେବେ,

ସଙ୍ଗେ ଯିବି ମୁହିଁ ତେବେ ହେ ।୧୧।

ଶପଥେ ଦ୍ଵିଜ କହିଲା,

ପଛ ଫେରି ନ ଚାହିଁଲା ।

ସାନବ୍ରାହ୍ମଣର ସାଥେ,

ଆସିଲେ ଶ୍ରୀ ଗୋପୀନାଥେ ହେ ।୧୨।

ଅନେକଦିନ ଚଳିଲା,

ବ୍ରାହ୍ମଣ ମନେ ଭାଳିଲା ।

ଆସିଲେ କି ଏଥି ହରି;

ଫେରିଲା ସନ୍ଦେହ କରି ହେ ।୧୩।

ଦେଖିଲା ଶ୍ରୀ ଗୋପୀନାଥ,

ଉଭା ହେଲେ ଚକ୍ରହସ୍ତ ।

ସେ ଦ୍ୱିଜବରେ ଚାହିଁଲେ,

ଧୀରେ ଏମନ୍ତ ଭାଷିଲେ ହେ ।୧୪।

ପ୍ରତିଜ୍ଞା ଭାଙ୍ଗିଲୁ ତୁହି,

ଆଉ ଯିବି ନାହିଁ ମୁହିଁ ।

ଏହିଟି ଆସ୍ଥାନ ମୋର,

ବୁଝିବି ମାମଲା ତୋର ହେ ।୧୫।

ବଡ଼ ବ୍ରାହ୍ମଣ ଡକାଇ,

ତାଠାରୁ କନ୍ୟା ଦିଆଇ ।

ସେହି ଦିନୁ ସତ୍ୟବାଦୀ,

ହୋଇଲା ଅପୂର୍ବ ଗାଦି ହେ ।୧୬।

ପରେ ଆସିଲେ କିଶୋରୀ,

ଶ୍ରୀବୃନ୍ଦାବନ ପାସୋରି ।

କରୁଛ ଘରକରଣା,

ଉଣା କିବା ବଡ଼ପଣା ହେ ।୧୭।

ରାତ୍ର ହେଲେ ପୀଠେ କାହିଁ ।

କାକପକ୍ଷୀ ରହେ ନାହିଁ ।

ଲାଗେ ବଡ଼ ଚମତ୍କାର,

କାରଣ କହ ଏହାର ହେ ।୧୮।

ତୁମ୍ଭ ନିକୁଞ୍ଜ ନିଳୟ,

ଦେଖିଲେ ହେ ମହୋଦୟ ।

ଥିଲେ ପାଷାଣହୃଦୟ,

ତରଳିବ ଜଳମୟ ହେ ।୧୯।

ଆସ୍ଥାନ ମହାଉଦ୍ୟାନ,

ନାନାଜାତି ତରୁମାନ ।

ମାଧବୀଲତା ସଂକୁଳ,

ସରସୀ ବୃନ୍ଦେ ମଞ୍ଜୁଳ ହେ ।୨୦।

ପୁରୀରେ ହେବାରୁ ଅନ୍ନ,

ଏଠାରେ ତାହା ବାରଣ ।

ସରା ସରା ପିଠା ଖଜା,

ଗୋପାଳ ମାରନ୍ତି ମଜା ହେ ।୨୧।

ଭକ୍ତର ବିଶେଷ ସାଧ,

ପାଇଲେ ପୂଜାପ୍ରସାଦ ।

ଆନନ୍ଦେ କରି ସେବନ,

କରନ୍ତି ଗୁଣଗାୟନ ହେ ।୨୨।

ପୂର୍ବେ ହରେକୃଷ୍ଣ ଦାସ,

ତୁମ୍ଭ ପାଇଁ ଅନୁପ୍ରାସ ।

ପାଇ ବିଶେଷ ଯତନ,

କଲେ ଦେଉଳ ଗଠନ ହେ ।୨୩।

ତାହାଙ୍କର ବଂଶଧର,

ଶ୍ରୀଯୁକ୍ତ ବ୍ରଜସୁନ୍ଦର ।

ଦାସଙ୍କ ବାଞ୍ଛା ପୂରଣ,

କରଣେ ହେବ କାରଣ ହେ ।୨୪।

ସମିତିକି ଗଢ଼ାଇଲ,

ଉନ୍ନତିକି ସାଧାଇଲ ।

ହରିଶଚନ୍ଦ୍ରଙ୍କ କଥା,

ଜଣାଅଛି ଭଲ ପ୍ରଥା ହେ ।୨୫।

ସମିତିର ସଭ୍ୟପଣେ,

ଯେ ବିଦ୍ୟମାନ ବରଣେ ।

ତାହାଙ୍କ ମନେ ଉନ୍ନତ,

କଳ୍ପନା କର ଜାଗ୍ରତ ହେ ।୨୬।

ବିହାରୀବାବୁଙ୍କ କଥା,

ଯାତ୍ରୀ ସଦାବର୍ତ୍ତ ପ୍ରଥା ।

ଆଉ କିଛି ବୃଦ୍ଧି ପାଉ,

କାଳେ କାଳେ ତାହା ଥାଉ ହେ ।୨୭।

ହେ ପ୍ରଭୁ ସାକ୍ଷୀଗୋପାଳ,

ମତେ କିଞ୍ଚିତେ ସମ୍ଭାଳ ।

ଚଢ଼ାଇବି ଧଣ୍ଡାମାଳ,

ବଜାଇବି କରତାଳ ହେ ।୨୮।

ଘିଅଭସା ସରାଖଜା,

ଖୁଆଇ କରିବ ତାଜା ।

ଉଡ଼ାଇବ ଜୟଧ୍ଵଜା,

ଜଣାଇବ ଦିଅଁରଜା ହେ ।୨୯।

Image

 

ବଳଦେବ

 

ତୁଳସୀ କ୍ଷେତ୍ରରେ ଘର,

କରିଅଛ ହଳଧର ।

ତୁମ୍ଭ ପ୍ରକୃତି ଶୀତଳ,

ନ କର ତିଳକୁ ତାଳ ହେ ।୧।

ଥିଲ ଯେବେ ନନ୍ଦଘର,

ଥିଲା କିଞ୍ଚିତେ ହୁନ୍ଦର ।

ତୁମ୍ଭର ଭାଇ ନଟିଆ,

ଅଟଇ ବଡ ହଟିଆ ହେ ।୨।

ଚାଲିଲା ଶକଟେ ହାତ,

ଦିଏ ଖାଇ ହାଣ୍ଡିଭାତ ।

ଯେ ଅମୃତରସାବଳୀ,

ଖାଉଥାଅ ଥାଳୀ ଥାଳୀ ହେ ।୩।

ଯେ ପାଇବ କଣିକାଏ,

ସେହ ମୁକ୍ତିପଥ ପାଏ ।

ପ୍ରସାଦ ଅନ୍ନ ବ୍ୟଞ୍ଜନ,

ପାଆନ୍ତି ତହିଁ ବ୍ରାହ୍ମଣ ହେ ।୪।

ଶୁଣା ଅଛି ତା କର୍ଣ୍ଣରେ,

ଦେଖାଯିବ ଆଉ ଥରେ ।

ଦେବତା ଗୁରୁ ମହତ୍ତ୍ୱ,

ରଖିବା ମୋହର ମତ ହେ ।୫।

ତବ ପାଶେ ହଳଧର,

ସେବକେ ବିବେକୀ ନର ।

ସଂସ୍କୃତ ପୁରାଣ ପାଠେ,

ଅଛନ୍ତି ପଣ୍ଡିତ ମଠେ ହେ ।୬।

ମାହାତ୍ମ୍ୟରେ ଅଛି ସୀମା,

ତୁଳସୀକ୍ଷେତ୍ର ମହିମା ।

ସେ ପୁସ୍ତକ ଆଣି ସୁଖେ,

ଦେବି ସମାଜ ସମ୍ମୁଖେ ହେ ।୭।

ଯେ ପୁରୋହିତ ଗୋସାଇଁ,

ପ୍ରତିଦିନ ଆସି ଯାଇ ।

ଦେଉଳର କର୍ମମାନ,

କରନ୍ତି ଧାରା ପ୍ରମାଣ ହେ ।୮।

ଶ୍ରୀପଞ୍ଚମୀ ଦିନ ଖେଳା,

ଲଗାଇଦିଅ କି ମେଳା ।

ଗୁଣ୍ଡିଚା ରଥଯାତ୍ରାରେ,

ଜନତା ଦୀର୍ଘମାତ୍ରାରେ ହେ ।୯।

ସୁପ୍ରଶସ୍ତ ରାଜପଥ,

ଚଳେ ଉଚ୍ଚରବେ ରଥ ।

ଗୁଣ୍ଡିଚା ମଣ୍ଡପଘର,

ଅଟଇ କି ମନୋହର ହେ ।୧୦।

ସେ ଚନ୍ଦନ ପୁଷ୍କରିଣୀ,

ଅଟଇ ମନୋହାରିଣୀ ।

ଯାତ୍ରାରେ ଯେ ଦେଖେ ଥରେ,

ତାନେତ୍ର ପବିତ୍ର କରେ ହେ ।୧୧।

ସୁନ୍ଦର ମୁକୁଟ ମଥା,

କି କହିବି ନାହିଁ କଥା ।

ମୋ ପ୍ରାର୍ଥନା ହଳପାଣି,

ନିଅ ସବୁ ଦଃଖ ଟାଣି ହେ ।୧୨।

Image

 

ସାରଳ।

 

ଝଙ୍କଡ଼େ ସିଦ୍ଧସାରଳା,

କରିଛ ଆସ୍ଥାନ ଖଳା ।

ଦୟାଗୁଣରେ ତୁମ୍ଭର,

ସୁନାମ ଅଛି ରାଜ୍ୟର ଗୋ ।୧।

ଗୋପୀନାଥ ପର୍ଯ୍ୟାଙ୍କର,

ସୁଯଶ ଅଛି ସ୍ଥାନର ।

ତାହାଙ୍କ ଯତ୍ନେ ସାଧନ,

ମନ୍ଦିର ନବଗଠନ ଗୋ ।୨।

ରଜ ପଣାସଂକ୍ରମଣେ,

ସୁମେଳା ବସେ ପ୍ରାଙ୍ଗଣେ ।

ତୁମ୍ଭର ପୁରୁଣାଗାଦି,

ଧରି ଲୋକବୃନ୍ଦ ସାନ୍ଧି ଗୋ ।୩।

ସେ କନକପୁର ଗ୍ରାମ,

ଶୋଭା ଧରେ ଅନୁପମ ।

ତୁମ୍ଭ ପୀଠ ଚାରିପାଶ,

ବହୁ ଇଦ୍ରଲୋକ ବାସ ଗୋ ।୪।

ମହୀଳୋ କୀର୍ତ୍ତନପୁର,

ଶାସନ ଅଛି ପ୍ରଚୁର ।

ଏ ପୀଠରେ ଚଣ୍ଡୀପାଠ,

କରନ୍ତି ଦ୍ଵିଜ କର୍ମଠ ଗୋ ।୫।

ହେଲେ ଲୋକରେ ବସନ୍ତି,

ତବ ସ୍ତୁତିପାଠେ ଶାନ୍ତ ।

ମୋ କର୍ମକୁ ନୁହ ବାମ,

ସାଧ ମୋ କାମନା କାମ ଗୋ ।୬।

Image

 

ମହାବିନାୟକ

 

ପ୍ରଭୁ ମହାବିନାୟକ,

ଶୁଣ ଦୁଃଖୀଜନ ଡ଼ାକ ।

ନିର୍ମଳ ଝରକନ୍ଦର,

ଅଟଇ ତୁମ୍ଭର ଘର ହେ ।୧।

ଦର୍ପଣ ରାଜ୍ୟ ମଧ୍ୟରେ,

ରହିଛ ଅତି ଗୁପ୍ତରେ ।

ଏକତ୍ରେ ତିନି ମୁରତି,

ଶିବ ଗଣେଶ ପାର୍ବତୀ ହେ ।୨।

ଏ ପୀଠେ ସିଦ୍ଧ ସାଧକ,

ଅଛନ୍ତି ହେ ବିନାୟକ ।

ତବ ବଳେ ବଳିଆର,

ନାହିଁ ଭୟ ତାହାଙ୍କର ହେ ।୩।

ବ୍ୟାଘ୍ର ଭାଲୁ ମେଳାମେଳା,

କରୁଛନ୍ତି ଏଥି ଖେଳା ।

ନାହଁ କ୍ଷମତା ତାଙ୍କର,

ଅନିଷ୍ଟ ସାଧନ ପର ହେ ।୪।

ପାଶେ ପାଶେ କେତେ କୁଣ୍ଡ,

ଝରଜଳ ଆସି ରୁଣ୍ଡ ।

ସ୍ନାନପାନେ ସୁବ୍ରାହ୍ମଣ,

ଚରଣ ସେବି ବରଣ ହେ ।୫।

ଥିଲେ ଏକ ଗୁଣବନ୍ତ,

ତୁମ୍ଭ ମଠରେ ମହନ୍ତ ।

ଭଦ୍ରଲୋକମାନଙ୍କର,

ଚର୍ଚ୍ଚାରେ ବଡ ତତ୍ପର ହେ ।୬।

ଭାଙ୍ଗି ଦେଲ ତାହା ପ୍ରଭୁ,

ଆଉ କି ତା ନ ପାଇବୁ ।

ରଖ ପୁଣି ଯୋଗ୍ୟ ଏକ,

ଏ ପୀଠରେ ସୁବିବେକ ହେ ।୭।

ଶେଷେ ମୋ ଗୂଢ ପ୍ରାର୍ଥନା,

ଦୁଃଖୀ ପ୍ରଜାଙ୍କ ବେଦନା ।

ଚଞ୍ଚଳ କର ହରଣ,

ସୁଶାନ୍ତି ହେଉ ସ୍ଥାପନ ହେ ।୮।

Image

 

ବରାଳ ବାଲୁକେଶ୍ଵର

 

ହେ ଶିବ ବାଲୁକେଶ୍ଵର,

ବଡ ପ୍ରତିଜ୍ଞା ତୁମ୍ଭର ।

ତୁମ୍ଭ ନାମ ଶୁଣି ନରେ,

କମ୍ପିଯାନ୍ତି ଥରହରେ ହେ ।୧।

ଭୂସମ୍ପତ୍ତି ବହୁତର,

ଉତ୍କଳଭୂମି ମଧ୍ୟର ।

ଖଞ୍ଜା ଅଛି ତୁମ୍ଭ ନାମେ,

ରାଜା ରାଜୋଡ଼ାର ଧାମେ ହେ ।୨।

ଅତି ସୁଦୃଢ଼ ମନ୍ଦିର,

ଦୃଶ୍ୟଟି ବଡ ରୁଚିର ।

ସିଂହଦ୍ଵାର ସିଂହଦ୍ଵୟ,

ଅଦ୍ୱିତୀୟ ଦୟାମୟ ହେ ।୩।

ଉତ୍କଳ ଭୂମିରେ କାହିଁ,

ଏ ଗଠନ ଦେଖି ନାହିଁ ।

ସତେ କି ସିଂହ ଜୀବିତ,

ମନେ ଏ ଭାବ ଉଦିତ ହେ ।୪।

ସାଗରସ୍ନାନ ମେଳାକୁ,

ଭାର୍ଗବୀ ନଦୀକୂଳକୁ ।

ଯେତେବେଳେ ଯାଉଥାଅ,

କି ସମ୍ଭାରକୁ ଘଟାଅ ହେ ।୫।

ବହୁକାଳର ପୁରୁଣା,

ପ୍ରବାଦ ଏ ଅଛି ଶୁଣା ।

ବିଭୂତି ଦେଖିଲା ବେଳେ,

କାତି ଛାଡି ସର୍ପ ଖେଳେ ହେ ।୬।

ଭାର୍ଗବୀ ନଦୀର କୂଳର,

ଅପୂର୍ବ ଶୋଭା ମେଳାର ।

ଶାସନବାଡ଼ ବ୍ରାହ୍ମଣେ,

ଆସିଥାନ୍ତି ବହୁଜନେ ହେ ।୭।

ପୁନ୍ନାଗତୋଟା ଭିତର,

ମଉସା ଉତ୍ସବଘର ।

ଚୂଡାଘଷା ତାଟ ତାଟ,

ଲାଗେ ଫଳ ମୂଳ ବାଟ ହେ ।୮।

ପଡଇ ନଡିଆ କୋରା,

ସକଳ କାର୍ଯ୍ୟରେ ତୋରା ।

ଆଗତ ବ୍ରାହ୍ମଣଗଣ,

କରୁଥାନ୍ତି ନିମନ୍ତ୍ରଣ ହେ ।୯।

ବହୁ ସ୍ନେହ ଆଳାପନ

କରାନ୍ତି ମିଷ୍ଟଭୋଜନ ।

ହେ ଦେବ ବାଲୁକେଶ୍ଵର,

ତାହାଙ୍କ ଉନ୍ନତି କର ହେ ।୧୦।

ଉମାପତି ଊଣା କର,

ମୋ ବେଦନା ଖରତର ।

ହୃଦୟ ଯାଉଛି ଫାଟି,

ନ କିଳ କବାଟ ତାଟି ହେ ।୧୧।

ବିଶେଷରେ ନିବେଦନ,

ପକାଇ ସୂକ୍ଷ୍ମ ନୟନ ।

ବାଁକି ଧରିତ୍ରୀର ହିତ,

କରିବ ନୀଳଲୋହିତ ହେ ।୧୨।

Image

 

ହଟନାଥ ବା ହାଟକେଶ୍ଵର

 

ଆହେ ପ୍ରଭୁ ହଟନ।ଥ,

ଯୋଗ ଦିଅ ମୋର ସାଥ ।

ତୁମ୍ଭେ ବଡ ତେଜୀ ହଟ,

ତେଜ ଉଠୁଚି ପ୍ରକଟ ହେ ।୧।

ନିଃଶ୍ୱାସ ବହେ ପ୍ରଖର,

କେଦାର ଗର୍ଭ ଭିତର ।

ହାତକୁ ଲଗାଇ ତାପ,

ଡାକୁଥାନ୍ତି ବାପ ବାପ ହେ ।୨।

ତଣ୍ଡୁଳ ଗର୍ତ୍ତେ ପକାଇ,

ଅନ୍ନ ଛାଣୁଥାନ୍ତି ଚାହିଁ ।

ଦେଖଣାହାରୀ ତାଟକା,

ଫିକା ମୁଖେ ଦେଇ ଡକା ହେ ।୩।

ପ୍ରଖର ନିଷ୍ଠା ପ୍ରକଟେ,

ପଙ୍କେ ପଡି ଲଟପଟେ ।

ଖୋଜୁଥାନ୍ତି ବାମାଗଣ,

କାମନାଗୁବାକମାନ ହେ ।୪।

ବାରୁଦିଆ ଗନ୍ଧ ଉଠେ,

ବାସ ଦେଇ ନାସାପୁଟେ ।

ବିଜ୍ଞାନର ଏହି ମତ,

ଉଷ୍ଣସ୍ରବଣ ସତ ହେ ।୫।

ସୁବିଜ୍ଞ ପ୍ରବୀଣ ଲୋକେ,

କହୁଥାନ୍ତି ଥୋକେ ଥୋକେ ।

ଭୂଗର୍ଭେ ଗନ୍ଧକଖଣି,

ତେଣୁ ଧୂମ, ଉଷ୍ମପାଣି ହେ ।୬।

ମକର ସଂକ୍ରାନ୍ତ ଜଡ,

ହୁଏ ଯାତ୍ରା ଅତିବଡ ।

ସାଧାରଣ ଲୋକପ୍ରିୟ,

ଉତ୍କଳେ ଏ ଅଦ୍ଵିତୀୟ ହେ ।୭।

ଲକ୍ଷାଧିକ ଯାତ୍ରୀ ଯୋଗ,

ଲାଗି ରହିଥାଏ ଭୋଗ ।

ତୁମ୍ଭର ଇଣ୍ଡୁରିପିଠା,

ଆନନ୍ଦେ ଖାଆନ୍ତି ମିଠା ହେ ।୮।

ଚିଲିକା ହ୍ରଦହୁ କାଢ଼ି,

ଆଣିଥାନ୍ତି ଗାଡି ଗାଡି,

ଲୁଣିମାଛ ସଂଖ୍ୟାତୀତ,

ଦୂରାନ୍ତେ ହୁଏ ଚାଳିତ ହେ ।୯।

ତୁମ୍ଭେ ପ୍ରଭୁ ବଡ ହଟ,

ଲଗାଇ ଥାଅ କି ନାଟ ।

ସୁସଙ୍ଗୀତ ସଂକୀର୍ତ୍ତନ,

ଘଟାଇ ବେଢ଼ା ପ୍ରାଙ୍ଗଣ ହେ ।୧୦।

ଖୋରଧାର ସୀମା ମାଡି,

ଅଛି ତୁମ୍ଭ ଚଉପାଡି ।

ଗଜପତି ଚାଜାମାନେ,

ରଖିଅଛନ୍ତି ସମ୍ମାନେ ହେ ।୧୧।

ତୁମ୍ଭକୁ ବାକିଁ ନିକଟ,

ଫିଟାଅ ପ୍ରଜା ସଂକଟ ।

ଶୁଣି କାତର ବଚନ,

ଦୟା ବହିବ ଆପଣ ହେ ।୧୨।

ଏଠାରେ ବହୁ ପ୍ରବାଦ,

ସେସବୁ କହିବା ସାଧ ।

ମୋ ମନରେ ଉଠୁ ନାହିଁ,

କ୍ଷମିବ ପାବର୍ତୀସାଇଁ ହେ ।୧୩।

ତୁମ୍ଭେ ଟି କେବଳ ସାହା,

ଠିକ୍‌କଥା ଉମାନାହୀ ।

ନାହିଁ ଅନ୍ୟତ୍ର ଶରଣ,

ଧରିଚି ତୁମ୍ଭ ଚରଣ ହେ ।୧୪।

Image

 

କୁଶଳେଶ୍ୱର

 

ହେ ପ୍ରଭୁ କୁଶଳେଶ୍ଵର,

ପ୍ରଜା କୁଶଳ ନ ସ୍ମର ।

ପଡିଛି ଆଜି ମୋ ପାଳି,

ଦେବି ମନୋମତ ଗାଳି ହେ ।୧।

କେନ୍ଦୁଝର ରାଜ୍ୟେଶ୍ଵର,

ଭରିଲେ ତବ ଭଣ୍ଡାର,

ବିଶାଳ ଛତ୍ର ଚାମର,

ସୁବର୍ଣ୍ଣ ଚନ୍ଦ୍ର କେଶର ହେ ।୨।

ରୁପାନାଗ ଟେକେ ଫଣା,

ମନ କରୁଅଛି ବଣା ।

ଭୟେ ଦର୍ଶକ କାତର,

ଯିବା ପାଇଁ ସମୀପର ହେ ।୩।

ବିପୁଳ ସମ୍ପରି ପାଇ,

ଗର୍ବ ମନେ ଅଛ ଧ୍ୟାଇ ।

ଗଂଜାଇ ଧୁତୁରାଫଳ,

ହେଲେ ତୁମ୍ଭର ସକଳ ହେ ।୪।

ହୋଇଚ ଅନ୍ଧାରକଣା,

ସଦା ଖାଇ ଭାଙ୍ଗପଣା ।

କେତେ କରୁଅଛ ଭାଙ୍ଗି,

ଯିବ ଧାନଘର ଭାଙ୍ଗି ହେ ।୫।

ପ୍ରଜାଙ୍କର କଷ୍ଟ କଥା,

ଥରେ ଶୁଣ ଟେକି ମଥା ।

ଧଇଲେ ବିତଣ୍ଡା ଭାବ,

କମିବ ତୁମ୍ଭ ପ୍ରଭାବ ହେ ।୬।

ଲୁଚି ନ ବସିଣ କର୍ତ୍ତା,

ଦିଅ ହେ କୁଶଳବାର୍ତ୍ତା ।

ନୋହିଲେ ଏ ଗାଦି ଛାଡ,

ଶ୍ମଶାନଭୂମିକି ମାଡ ହେ ।୭।

Image

 

ଲଡ଼ୁକେଶ୍ଵର

 

ଆହେ ପ୍ରଭୁ ଲଡ଼ୁକେଶ,

ମହୀମଣ୍ଡଳେ ଦେବେଶ ।

ଲୋକେ ଚଳିତ ଏମନ୍ତ

“ଲଡ଼ୁବାବା’’ ନାମେ ଖ୍ୟାତ ହେ ।୧।

ସେ ଶରଣକୁଳ ଗ୍ରାମ,

ହୋଇଅଛି ତୁମ୍ଭ ଧାମ ।

ଥାଳୀ ଖେଚଡୀର ଗୁଳା,

ବାଳଲୀଳା ଖିଆ ପୁଳା ହେ ।୨।

ଦେଖୁଥାଅ ନେତ୍ର ଭରି,

କାହିଁ ନାହଁ ଏହିପରି ।

ସମୀପରେ ସରୋବର,

ଦିଶେ କିବା ମନୋହର ହେ ।୩।

ବୃହତ୍‌ ମେଳା ବସଇ,

ଶିବରାତ୍ରରେ ଗୋସାଁଇ,

ଜଳଇ ଜାଗରଦୀପ,

ଅମାପ ତୁମ୍ଭ ସମୀପ ହେ ।୪।

ନରେନ୍ଦ୍ରପୁର ବ୍ରାହ୍ମଣେ,

ଥାଆନ୍ତି ଦେବ ପ୍ରାଙ୍ଗଣେ ।

ରଖି ବ୍ରହ୍ମତ୍ଵର ଟେକ,

କରନ୍ତି ରୁଦ୍ରାଭିଷେକ ହେ ।୫।

ସହସ୍ରନାମ ପ୍ରଚାରି,

ପଢ଼ନ୍ତି ଉଚ୍ଚେ ଉଚ୍ଚାରି ।

ସୁଖେମୁଖେ କେ ବଗଳା,

ପ୍ରୟୋଗେ କେ ଅରଗଳା ହେ ।୬।

ସୂର୍ଯ୍ୟସ୍ତବ ବିନାୟକ,

ଗୁଣନ୍ତି ଦ୍ଵିଜବାଳକ ।

ରଖି ବୃଷପୃଷ୍ଠେ ହାତ,

ମାଳୀ ଡାକେ ଭୋଳାନାଥ ହେ ।୭।

ଭୋଗରାଗ ନାନାରୂପେ,

ଜମା ହୁଏ ଧୂପେ ଧୂପେ ।

କେତେ ଲୋକ ହୋଇ ରୁଣ୍ଡ,

ଦିଅନ୍ତି ଅମୃତକୁଣ୍ଡ ହେ ।୮।

ତତ୍ତ୍ୱ ନିଅନ୍ତି ବିଶେଷ,

ନବଦୁର୍ଗର ନରେଶ ।

ମୋହର ମାଗୁଣି ଏଣେ,

ଦୁଃଖ ହରି ନିଅ କେଣେ ହେ ।୯।

Image

 

ଓଡ଼ଗାଁ ରଘୁନାଥ

 

ତେଲଙ୍ଗା ଯାତ୍ରୀଙ୍କ ମନ,

ନେଇଅଛ ରଘୁନାନ ।

ପାଉଚ ପକ୍ୱକଦଳୀ,

ଅସଂଖ୍ୟ, ଭଳିକି ଭଳି ହେ ।୧।

ରସନାକୁ ବଡ ମିଠା,

କେତେ ଖାଅ ଖଜାପିଠା ।

ତୁମର ମଣିଅର୍ଡର,

ଆସେ ହଜଚ୍ଚାର ହଜାର ହେ ।୨।

ଦକ୍ଷିଣୀ କୁମୁଟୀମାନେ,

ଅନୁଗତ ଭକ୍ତିଜ୍ଞାନେ ।

ଉଚ୍ଚପ୍ରାସାଦରେ ରହି,

ଆମ୍ଭଙ୍କୁ ଚାହିଁଲ ନାହିଁ ହେ ।୩।

ନୂଆଗଡ ଅଧିପତି,

ବୁଝନ୍ତି ତବ ସମ୍ପତ୍ତି ।

ଆପଣ ତ ଧନେଶ୍ୱର,

କିସ ଦେବୁଁ ଉପହାର ହେ ।୪।

କୁସୁମଗଭାଟି ଆଣି,

କରିବୁଁ ଚୂଳ ମଣ୍ଡଣି ।

ବାସନା ଅଛି ହୃଦର,

ହେ ପ୍ରଭୁ ଦୁଃଖ ସଂହର ହେ ।୫।

Image

 

ନାଗନାଥ

 

ବ୍ରାହ୍ମୀଗର୍ଭେ ନାଗନାଥ,

ଜ୍ୟୋତି କରୁଅଛ ଖ୍ୟାତ ।

ଝାଡ଼ଖଣ୍ଡର ବାଦଶା,

ଦେଇଛନ୍ତି ଦିବ୍ୟ ବସା ହେ ।୧।

ବସିଲେ ମନ୍ଦିରପାଶେ,

ହୃଦୟ ଆନନ୍ଦେ ଭାସେ ।

ବ୍ରାହ୍ମୀ ଜଳକଣା ରାଶି,

ଶୀତଳତା ଦିଏ ଆସି ହେ ।୨।

ତୁମ୍ଭର ଭୋଗ ପ୍ରସାଦ,

କରନ୍ତି ସର୍ବେ ଆସ୍ଵାଦ ।

ପୁରାଣ ଶାସ୍ତ୍ରର ମତ,

ମହାପ୍ରସାଦ ସଙ୍ଗତ ହେ ।୩।

କରେ ଲକ୍ଷ ପ୍ରଣିପାତ,

ଦେବଦେବ ନାଗନାଥ ।

ବିଳମ୍ବ ନ କରି କ୍ଷଣେ,

ଲାଗ ମୋ ଦୁଃଖହରଣେ ହେ ।୪।

Image

 

ସୋମନାଥ

 

ବେକମୋଡ଼ି ନଦୀତୀରେ,

ଆସ୍ଥାନ ଶିଖରୀଶିରେ ।

ଗର୍ଭିଣୀଗାଈର କ୍ଷୀର,

ପାନ କରି ହେଲ ବୀର ହେ ।୧।

ଗୁପ୍ତେ ଥିଲ ବିରୂପାକ୍ଷ,

କି ଦେବି ତହିଁର ସାକ୍ଷ ।

ଯାଇଥିଲା ଗାଇଚରା,

ଦିନେ ପଡିଗଲା ଧରା ହେ ।୨।

ଦେଖିଲେ ଗୋପାଳଗଣ,

ସ୍ଵଚକ୍ଷୁରେ ତ୍ରଲୋଚନ ।

ଚର୍ମଚକ୍ଷୁ ହେଲା ସାର୍ଥ,

ଜୀବନ କଲେ କୃତାର୍ଥ ହେ ।୩।

ଲୋକସମାଜେ କହିଲେ,

ପୂଜାବିଧି ଆଚରିଲେ ।

ସେ କାଳୁଁ ତବ ମହିମା,

ଟପିଲା ଉତ୍କଳସୀମା ହେ ।୪।

ତୁମ୍ଭର ଖେଚଡି ଭୋଗ,

ମିଳେ ଯାର ଥାଏ ଯୋଗ ।

ମୋ ଠାରେ ଦୟା ଧୂର୍ଜଟୀ,

କିଞ୍ଚିତରେ ରଖିବଟି ହେ ।୫।

Image

 

ଖଣ୍ଡଗିରି

 

ସେ ଭୁବନେଶ୍ୱରଠାରୁ,

ଦିଶୁଥାଏ କେଡେ ଚାରୁ ।

ତହୁଁ ଏକକ୍ରୋଶ ପଥେ,

ପଡେ ପୂର୍ଣ୍ଣ ନେତ୍ରପଥେ ହେ ।୧।

ଖଣ୍ଡଗିରି ରମ୍ୟଗୁହା,

ପଡେ ମନେ ତୁହା ତୁହା ।

କେତେ ରମଣୀୟ ଶିଳା,

ପୂର୍ବ ଶିଳ୍ପୀଙ୍କର ଲୀଳା ହେ ।୨।

ଦିବ୍ୟ ରାଣୀହଂସପୁର,

ଶିଳା କୋଠରୀ ପ୍ରଚୁର ।

ପ୍ରସ୍ତର ହୋଇ ଖୋଦିତ,

କେତେ ସୁରୂପ ଅଙ୍କିତ ହେ ।୩।

ବସିଅଛି ଦେବ ସଭା,

ଇନ୍ଦ୍ରଶିରେ ଫୁଲଗଭା ।

ନ୍ୟାୟ ଅନ୍ୟାୟ ନିକିତି,

ତୁଳା ହେଉଅଛି ନିତି ହେ ।୪।

ଜଳକୁଣ୍ଡ କେତେ ଭରା,

ସ୍ନାନ କରନ୍ତି ଅପ୍ସରା ।

ଅଟେ ଏହି ଖଣ୍ଡଗିରି,

ଲଲାଟକେଶରୀ ଶିରୀ ହେ ।୫।

ହାତୀଶାଳ ଘୋଡ଼ପାଗା,

ରହଅଛି ଯାଗା ଯାଗା ।

ବନ୍ୟଜନ୍ତୁଙ୍କ ସ୍ଵରୂପ,

ଥାନେ ଥାନେ କେତେ ଗୁମ୍ଫ ହେ ।

ବୌଦ୍ଧଧର୍ମୀଙ୍କର ଗାଦି,

ଅଛି ତପ ଥିଲେ ସାଧି ।

ଜୈନଧର୍ମୀଙ୍କ ମନ୍ଦିର,

ଦୃଢ଼ ଗଠନ ରୁଚିର ହେ ।୭।

ଗୁରୁଙ୍କ ରତ୍ନ କଠାଉ,

ଦିଶୁଥାଏ ଦାଉ ଦାଉ ।

ବିପଦଭଞ୍ଜନ ବାନା,

ଉଡ଼ାଏ ସାଧୁସାଧନା ହେ ।୮।

Image

 

ଭବାନୀଶଙ୍କର

 

ଆହେ ଭବାନୀଶଙ୍କର,

ଫଟା ଦେଉଳରେ ଘର ।

କେତେଦିନ କରୁଥିବ,

ଦୁଃଖୀ ଦୁଃଖ ନ ଶୁଣିବ ହେ ।୧।

ତୁମ୍ଭର ମହାପ୍ରଭାବ,

ନ ଘୁଞ୍ଚିଲା ବନ୍ଦୀଭାବ ।

ଚଞ୍ଚଳରେ ଦୁର୍ଗାନାହା,

ପ୍ରତିକାର କର ଯାହା ହେ ।୨।

ସରସ୍ଵତୀ ପରଗଣା,

ମଧ୍ୟେ ଭୂମି କେତେ ମଣା ।

ପଡେ କେତେ ଭୋଗଭାତ,

ନିତି ପଞ୍ଚମାଥ ହାତ ହେ ।୩।

Image

 

ପାଟପୁର ହନୁମାନ (ବାଁକି)

 

ରାଜଦତ୍ତ ବୃତ୍ତିମାନ,

ଭୋଗନ୍ତି ପଣ୍ଡା ବ୍ରାହ୍ମଣ ।

ପିଲାମାନେ ବଡ ଅନ୍ଧ,

କରନ୍ତି ଦେବତା ମନ୍ଦ ହେ ।୧।

ପ୍ରେତଅନ୍ନ ସମ କରି,

ଦରୋଟି ଚାଉଳ ଭରି ।

ସମ୍ମୁଖେ ପିତ୍ତଳବାଟି ।

ତାତି ଫାଟିଯାଏ ପାଟି ହେ ।୨।

ତବ ଦନ୍ତପନ୍ତି ବଡ଼,

କରିଥାଅ କଡମଡ ।

ଆମ୍ଭଙ୍କୁ ନ ଲାଗେ ସୁଖ,

ପାଉଅଛ ପ୍ରଭୁ ହୁଃଖ ହେ।୩।

ସେମାନେ ସେ ଭୋଗ ନେଇ,

ବଳଦହାଣ୍ଡିରେ ଦେଇ,

ଖୁଆନ୍ତି ନିତି ବଳଦେ,

ବଳ ବଢ଼ାଇବା ସଧେ ହେ ।୪।

ଏବେ କର ବୁଝାମଣା,

ପଡନ୍ତୁ ସେମାନେ ଜଣା ।

ଏଣିକି ହେଉ ସୁନ୍ଦର,

ଭୋଗରାଗ ନିରନ୍ତର ହେ ।୫।

ଶାସନ ବ୍ରାହ୍ମଣମାନେ,

ରଖିଥାନ୍ତି କିଛି ମାନେ ।

ବାର୍ଷିକ ଭୋଜି ଉତ୍ସବ,

କରନ୍ତି ଏ ପୀଠେ ସର୍ବ ହେ ।୬।

ପଣାସଂକ୍ରାନ୍ତି ଦିନ,

ପୀଠେ ଅନେକେ ମିଳିଣ ।

କରି ଶ୍ରୀଅଙ୍ଗ ମାଜଣା,

ଦେଇଥାନ୍ତି ଭାଙ୍ଗ ପଣା ହେ ।୭।

ବ୍ରାହ୍ମଣେ ହେଲେ ଗରିବ,

ଏକଥା ମନେ ଧରିବ ।

ନ ଦେଲେ ଏଣିକି ଭାତ,

ଯମ ଧରି ନେବ ହାତ ହେ ।୮।

ତୁମ୍ଭେ ଏ ଗ୍ରାମ ଦେବତା,

ପ୍ରଧାନ ରକ୍ଷା କରତା ।

ହେବ ବଡ଼ ନିନ୍ଦାଭାଗୀ,

ଲୋକେ ଯିବେ ମନେ ରାଗି ହେ ।୯।

ଏ ପୀଠରେ ଥିଲେ ସ୍ୱାମୀ,

ହେଲେଣି ସ୍ଵରଗଗାମୀ ।

ରଖୁଥିଲେ ବାୟୁ ବାନ୍ଧି,

ଯୋଗସାଧନାକୁ ସାଧି ହେ ।୧୦।

ଶ୍ରୀରାମଚନ୍ଦ୍ରଙ୍କ ସଙ୍ଗେ,

ଥିଲ ମାଲ୍ୟବନ୍ତେ ରଙ୍ଗେ ।

ଖାଇ ରସାଳିଆ ଫଳ,

କରିଥିଲ କେଡ଼େ ବଳ ହେ ।୧୧।

ଅଶୋକବନକୁ ଗଲ,

ସୀତା ମାତା ଠାବ କଲ ।

ଆହେ ପ୍ରଭୁ ରାମଦୂତ,

ସକଳ ଗୁଣରେ ଯୁତ ହେ ।୧୨।

ତୁମ୍ଭେ ରାମ ସେନାପତି,

କରିଥିଲ ପଦୋନ୍ନତି ।

ସୁଯଶ ରଖିଛି କ୍ଷିତି,

ଏକା ଲଙ୍କାପୋଡା କୀର୍ତ୍ତି ହେ ।୧୩।

ମୋ ଯଶ ରଖିଲେ ଧରା,

ଭାଙ୍ଗପଣା ସରାସରା ।

ଦେବି ଶ୍ରୀମୁଖରେ ଢ଼ାଳି,

ନାଚି ଖେଳି ମାରି ତାଳି ହେ ।୧୪।

Image

 

ବାଲିଲେ।କନାଥ

 

ତବ ପୀଠରେ ପ୍ରସାଦ,

ଖାଉଛନ୍ତି ନିର୍ବିବାଦ ।

ସଦା ଦେହ ତେଜେ ଜଳେ,

ତେଣୁ ପଡିଥାଅ ଜଳେ ହେ ।୧।

ଖାଇ ତ ଥିଲ ଗରଳ,

ଗରମ ଉଠେ ପ୍ରବଳ ।

ପୁନ୍ନାଗତୋଟାର ଛାଇ,

ରଖିଛି ଥଣ୍ଡା କରାଇ ହେ ।୨।

ଏକାନ୍ତେ କର ବିଶ୍ରାମ,

କୋଶେ ଦୂର ପୁରୀ ଧାମ ।

ଆଶ୍ରମଟି ମନୋହର,

ବରଣୀୟ ରଷିଙ୍କର ହେ ।୩।

ପଡ଼ିବ ଯାର ନୟନ,

ସ୍ମରିବ ସେ ଆମରଣ ।

ସରନ୍ତି ସୋମବାରରେ,

କି ଜନତା ବୈଶାଖରେ ହେ ।୪।

ଲାଗିଥାଏ ପେଲାପେଲି,

ହେଉଥାନ୍ତି ଠେଲାଠେଲି ।

ଭାସିଯାଏ ସରପଣା,

କାଶୀବାସୀ ସେ ଅଗଣା ହେ ।୫।

ପଡି କଦଳୀ ଚକଟା,

ପାଦେ ପାଦେ ଲାଗେ ଅଠା ।

ଗଜାମୁଆଁ ଚୁଡା ଘଷା,

ମେଞ୍ଚା ମେଞ୍ଚା ପଡେ ରସା ହେ ।୬।

ଭୋକ ଥିଲେ ସବୁ ଚାଖ,

ଅଛି ଲୋକନାଥ ପାଖ ହେ ।

ମୋର ସାହା ବିରୂପାକ୍ଷ,

ଏଛାଇ ଆଶ୍ରମେ ରଖ ହେ ।୭।

Image

 

ରାଧାକାନ୍ତ

 

କୁଞ୍ଜବନ ଗଡନାଥ,

ଆହେ ଦେବ ରାଧାକାନ୍ତ ।

ରାଜଦତ୍ତ ଭୋଗ ସାରି,

ସୁଖେ ବିରାଜ ମୁରାରି ହେ ।୧।

ତୁମ୍ଭର ଦୋଳ ଉତ୍ସବ,

ଦେଖୁଛି ଯେଡେ ବିଭବ ।

ଚନ୍ଦନ ଯାତ୍ରା ସୌରଭ,

ବଢ଼ାଇ ଦିଏ ଗୌରବ ହେ ।୨।

ଜନ୍ମାଷ୍ମମୀ ଭୋଗରାଗେ,

ବିଶେଷ ଯତ୍ନ ସରାଗେ,

କରୁଥିଲେ ବୁଢ଼ା ରଜା,

ବାଳକେ ଦେଇଣ ଖଜା ହେ ।୩।

ଚାଖଣ୍ଡେ ବୁଲା କାକରା,

ସାଚୀ ମିଶା ପୁର ଭରା ।

ଯୋଗନାରିକେଳ କୋରା,

ଘୃତ ବାସନା କି ତୋରା ହେ ।୪।

ନିମନ୍ତ୍ରଣ ପାଇ ତ୍ୱରା,

ବେଢ଼ା ପ୍ରାଙ୍ଗଣରେ ଧରା ।

ଭୋଜନାର୍ଥେ ଦ୍ଵିଜ ଭରା,

ଆକରାରେ ସେ କାକରା ହେ ।୫।

କୁଞ୍ଜବନ ଦୁର୍ଗବାସୀ,

ଭକ୍ତିଭାବେ ଥାନ୍ତି ରସି ।

ମଠବାଡୀ ଦେବ ଗଣେ,

ଆସନ୍ତି ଅନୁସରଣେ ହେ ।୬।

ମଧ୍ୟଖଣ୍ଡ ଆଦି କରି,

ବେଲପଡା ଗ୍ରାମ ଧରି ।

ଯେତେଛନ୍ତି ଦେବଇଷ୍ଟ,

ଉପଗତ ତବ ପୀଠ ହେ ।୭।

ଦଶଘରିଆ ବ୍ରାହ୍ମଣେ,

ଅଛନ୍ତି ସେବକ ପଣେ ।

ଲୋକେ ବୋଲନ୍ତି ଝାଡୁଆ,

ମୋତେ ସେ ଲାଗେ ଅଡୁଆ ହେ ।୮।

ଶ୍ରୀ ବୃନ୍ଦାବନ ବିହାରୀ,

ଥିଲ ହେ ମୁରଲୀଧାରୀ ।

ଦେଲେ ଯେ ଅନ୍ନବ୍ୟଞ୍ଜନ,

ଭୋଗ, ବିପ୍ର ନାରୀଗଣ ହେ ।୯।

ଏ କି ସେହ ବଂଶଧର,

ଭାବୁଛି ମୁହଁ ମନର ।

ଆସିଲା ବେଳକୁ ହରି,

ଆଣିଅଛ ସଂଗେ ଧରି ହେ ।୧୦।

ଦଶମୁଣ୍ଡିଆ ରାବଣ,

କରିଥାନ୍ତ ପୀଠ ଜନ ।

ଶ୍ରୀରାମଚନ୍ଦ୍ର ଚରିତ,

ଶ୍ରବଣେ ହରେ ଦୁରିତ ହେ ।୧୧।

ନାନାବିଧ ବନ ଫୁଲ,

ମଣିଥାନ୍ତି ଆଣି ଚୂଳ ।

ମଣିଭଦ୍ରୀ ଗିରିଧାରି,

ତୁଙ୍ଗଭଦ୍ରା ଆଦି କରି ହେ ।୧୨।

ବୃତ୍ତଙ୍ଗ ବାରେଣୀକାଳ,

ତବ ଶିର ଧଣ୍ଡାମାଳ ।

ଗଳେ କରନ୍ତି ଧାରଣ,

ଆଗନ୍ତୁକ ଭକ୍ତଗଣ ହେ ।୧୩।

କୁଞ୍ଜବନର ରାଜନ,

ବେହରଣେ ଦେବାର୍ଚ୍ଚନ ।

ନକଲେ ତବ ଦର୍ଶନ,

କରନ୍ତି ନାହିଁ ଯୋଗଣ ହେ ।୧୪।

ଏକାଦଶୀ ସଂକରାନ୍ତ,

ପରସାଦ ବିତରନ୍ତି ।

ଶ୍ରୀଯୁତ ଦଦା ସାମନ୍ତ,

ଥିଲେ ଦୁର୍ଗେ ଭକ୍ତିମନ୍ତ ହେ ।୧୫।

ପଟଣାରୁ ଜଣେ ଜଣେ,

ଧନବନ୍ତ ମହାଜନେ ।

ପୀଠେ ହୋଇ ଉପଗତ,

ପୂଜନ୍ତି ବିଧି ସଂଗତ ହେ ।୧୬।

ବୃନ୍ଦାବନେ କରି ବାସ,

ପୂରାଇଲ ଗୋପୀଆଶ ।

ରାଧାକାନ୍ତ ହରପ୍ରାସ,

ଦେଖିବି ମୁଁ ତବ ରାସ ହେ ।୧୭।

Image

 

କପୋତେଶ୍ଵର

 

ଭାର୍ଗବୀ ନଦୀର ତୀରେ,

ପୁନ୍ନାଙ୍ଗ ତୋଟା ଛାଇରେ ।

ତୁଳସୀ ଚଉଁରା ପାଶ,

ରଖିଛ ଗାଦି ସରସ ହେ ।୧।

ଲାଗେ ମେଳା ଥରେ ଥରେ,

ତୁମ୍ଭ ଆଖଡା ମଧ୍ୟରେ ।

ସେ ଜାନକୀଦେଈ ପୁର,

ପଡିଯାଏ ହୁରଜୁର ହେ ।୨।

ଶ୍ରୀପୁରୁଷୋତ୍ତମୁ ଧରି,

ସନ୍ଥ ମହନ୍ତରେ ଭରି ।

ଯାଏ ତବ ପୂତ ସ୍ଥାନ,

ରଖ ପ୍ରଭୁ ମୋର ମାନ ହେ ।୩।

କର୍ପୂର ଗୁଗୁଳ ଦେଇ,

ଧୂପ ଦେବି ପୀଠେ ନେଇ ।

ଚହଟି ଉଠିବ ତୋଟା,

ନଧରିବ ମନେ ଖୋଟା ହେ ।୪।

ନ କରନ୍ତୁ ସଟାବଟା,

ଦେବି କଦଳୀ ଚକଟା ।

ମଳୟ ଚନ୍ଦନ ଆଣ,

ସିଞ୍ଚାଇବି ଶିରେ ପାଣି ହେ ।୫।

Image

 

ସର୍ପେଶ୍ଵର

 

ସାପୁଆ ନଦୀ ସଂଗମ,

ପାଶେ ଅଛି ତବ ଧାମ ।

ସର୍ଗଗତି ପରି ଗତି,

ସାପୁଆ ତେଣୁ ବଦତି ହେ ।୧।

ଆହେ ଦେବ ସର୍ପେଶ୍ୱର,

ପ୍ରତିଜ୍ଞା ବଡ ତୁମ୍ଭର ।

ସର୍ପାଘାତ ହେଲେ ଜନେ,

ଆଣନ୍ତ ତବ ପ୍ରାଙ୍ଗଣେ ହେ ।୨।

ପ୍ରାଣୀଠାରେ ଦୟା କରି,

ବିଷ ନେଇଯାଅ ହରି ।

ତୁମ୍ଭପୀଠେ ହେଲେ ଉଭା,

ଦିଶେ ମହାନଦୀ ଶୁଭ୍ରା ହେ ।୩।

ଆଠଗଡ ଅଧିପତି,

ଖଞ୍ଜିଛନ୍ତି ଭୂସମ୍ପତ୍ତି ।

କେବେ କେବେ ରାଜ୍ୟେଶ୍ଵର,

ଦର୍ଶନେ ଥାନ୍ତି ତତ୍ପର ହେ ।୪।

ତୁମ୍ଭେ ପ୍ରଭୁ ମହାଗୁଣୀ,

ମୋହର ଏହି ମାଗୁଣି ।

କିଞ୍ଚିତେ ନକରି ଊଣା,

ରଖ ମୋଠାରେ କରୁଣା ହେ ।୫।

Image

 

ପର୍ବତେଶ୍ଵର

 

କୃଷକମାନଙ୍କ ଘର,

ପାଶରେ ପର୍ବତେଶ୍ୱର ।

କରି ରହିଛ ଆସ୍ଥାନ,

ତୁମ୍ଭରଟି ବଡ ମାନ ହେ ।୧।

କେତେ କୃଷକ ବୋଲନ୍ତି,

ଏହାକୁ ଦିଅଁ ପର୍ବତି,

ଭୋଜନରେ ଆଡମ୍ବର,

କାହିଁ ତବ ମହେଶ୍ଵର ହେ ।୨।

ଗ୍ରାମଫଳ ମୁଗ ଶାଗ,

ପାଇ ବଡ ଅନୁରାଗ ।

ପଡଇ ସ୍ନେହ ସରାଗ,

ପାଇଲେ କୋଶଳା ଶାଗ ହେ ।୩।

ମଦରଙ୍ଗା ଶାଗ ଆଣ,

ଦିଅନ୍ତ ଯୁବତୀ ପ୍ରାଣୀ ।

ଚଷକେ ରନ୍ଧନ ଡେରା,

ମିଳିଲେ କଳମ୍ବ କେରା ହେ ।୪।

ପିତା ଶାଗରେ ଆଦର,

ଥାଏ ବଡ ଦିଗମ୍ବର ।

ତୁମ୍ଭେ ତ ଜଗତପିତା,

ଗୀତାପାଠେ ଜଗଜ୍ଜିତା ହେ ।୫।

ମୂଳା ମୂଳାଶାଗ ପୁଣି,

କଞ୍ଚା ଖାଅ ଟାଣିଟଣି ।

ଅମୃତଭଣ୍ଡା କଦଳୀ,

ପାଇଥାଅ ଭଳି ଭଳି ହେ ।୬।

ଚଷା ପୁଏ ଲେଉଟିଆ,

ରଖି ହୋଇଥାନ୍ତି ଠିଆ ।

ପାଇଲେ ଶୋରିଷ ଫୁଲ,

ତବ ପାଶେ ବଡ ମୂଲ ହେ ।୭ ।

ବାଡିର ମକା କାକୁଡି,

ଜହ୍ନିକି ନଯାଅ ହୁଡି ।

ପାଣି ବୋଇତି କଖାରୁ,

ମଜା ମାର କୁଜି ସାରୁ ହେ ।୮।

ଫଳ ଆଳୁ କନ୍ଦମୂଳ,

କୃଷକେ କରନ୍ତି ଠୁଳ ।

ପନିପରିବାର ପୁଡି,

ଦିଅନ୍ତି ଚାଷୁଣୀ ବୁଢ଼ୀ ହେ ।୯।

ବଡ ବଡ ଧଣ୍ଡାଆଖୁ,

ରସ ଟାଣ ଚାଖୁଚାଖୁ

କେବେ କେବେ କ୍ଷୀରିପିଠା,

ଖାଇଥାଅ ପାଇ ମିଠା ହେ ।୧୦।

କୃଷକେ କଲେ ଜନ୍ତାଳ,

ଲାଗେ ତୁମ୍ଭକୁ ଜଂଜାଳ ।

ଦାଳୁଅ ଚାଉଳ ମୁଠି,

ଅନ୍ନ ଭୋଗେ ଦିଅ ଖୁଣ୍ଟି ହେ ।୧୧।

ଦେଖିଲେ କ୍ଷେତ୍ର କେଦାର,

ତୁମ୍ଭର ହୃଦ ଉଦାର ।

ମୋ ହୃଦ ତରଳି ଉଠେ,

ଭାବ ଉର୍ମି କେତେ ଫୁଟେ ହେ ।୧୨।

କଣ୍ଠରେ ଭରି ଗରଳ,

ଚଷା ପୁଅଙ୍କ ସରଳ ।

ଭାବ ଧରି ଅଛ ଶିବ,

ସଦାକାଳେ ଏହା ଥିବ ହେ ।୧୩।

ବିଲିପଡା ଗ୍ରାମବାସୀ,

ଏକ ଚଷାପୁଅ ଆସି ।

କଲା ଦେଉଳ ତୁମ୍ଭର,

ଦୂରକୁ ଦିଶେ ସୁନ୍ଦର ହେ ।୧୪।

ପଡ଼ିଛି ବଡ ଭାବନା,

ଚଷାପୁଅଙ୍କ କାମନା ।

ଆହେ ପ୍ରଭୁ କାମଅରି,

ଭାତ ଦିଅ ପେଟ ଭରି ହେ ।୧୫।

Image

 

ହ।ଟକେଶ୍ଵର

 

ଆହେ ଶ୍ରୀ ହାଟକେଶ୍ଵର,

ଭକ୍ତର ମଙ୍ଗଳ କର ।

ସୁନାମ ରହିଛି ହର,

ତୁମ୍ଭର ଧରଣୀ ପର ହେ ।୧।

ପାର୍ବତୀ ଜଡିତ ଅଙ୍ଗ,

ସୁବର୍ଣ୍ଣ ବର୍ଣ୍ଣେ ସୁରଙ୍ଗ ।

ତହିଁ ପଡିଗଲେ ଖରା,

ପ୍ରାଚୀଜଳେ ରଙ୍ଗଭରା ହେ ।୨।

Image

 

ନୀଳକଣ୍ଠେଶ୍ଵର

 

ଆହେ ନୀଳକଣ୍ଠେଶ୍ଵର,

ବାଲିଆଗ୍ରାମ ପାନ୍ତର ।

କରିଛ ଖୋଲା ଆଖଡ଼ା*,

ମିଜାଜଟି କିଛି କଡ଼ା ହେ ।୧।

କରିଚ ଭଲ ଯୋଗାଡ,

ନୋହିଲା, କାର୍ଯ୍ୟ ସଜାଡ଼ ।

ମୋ କାମ ନୋହୁ ବଖଡ଼ା,

କର ସୁନ୍ଦର ସଜଡ଼ା ହେ ।୨।

* ବଖଡ଼ା – ଗୋଳ ମାଳିଆ

Image

 

ଚଣ୍ଡେଶ୍ଵର

 

ମହାଦେବ ଚଣ୍ଡେଶ୍ଵର,

ଅତି ପ୍ରତିଷ୍ଠିତ ହର ।

ଭକ୍ତ କାମନା ସାଧନେ,

ବଡ ଦକ୍ଷ ବୋଲି ଜାଣେ ହେ ।୧।

ଖୋରଧାର ଏକଅଂଶ,

କୁହୁଡ଼ି ନାମେ ପ୍ରକାଶ ।

ତହିଁ ଦୃଢ଼ ଚଉପାଡି,

ରୋଗୀ ଦୁଃଖ ନିଅ କାଢ଼ି ହେ ।୨।

Image

 

ତାରେଶ୍ଵର

 

ଦେବେଶ୍ଵର ତାରେଶ୍ଵର,

ମୋତେ ଏ କଷ୍ଟରୁ ତାର ।

ଶିବରାତ୍ର ଉଜାଗରେ,

ଜାଗର ଦେବି ପାଶରେ ହେ ।୧।

ତୁମ୍ଭର ସୁରମ୍ୟ ଧାମ,

ଅଟଇ ବାଙ୍କୋଇ ଗ୍ରାମ ।

କର୍ମଠ ଦ୍ଵିଜନିଚୟ,

ପୀଠେ ଥାନ୍ତି ଭକ୍ତିମୟ ହେ ।୨।

ଆପଣଙ୍କର ସେବକ,

ଦହିଟଭା ପାଦୋଦକ ।

ନେଇଦେଇ ଗ୍ରାମାନ୍ତରେ,

ମହିମା ପ୍ରଚାର କରେ ହେ ।୩।

ହେ ଶିବ ହେଲ ପ୍ରସନ୍ନ,

ବିଧବା ବ୍ରାହ୍ମଣୀ ମନ ।

ସାତ୍ତ୍ୱିକ ଭାବ ଉଦିଲା,

ସବୁ ବିଷୟ ଛାଡିଲା ହେ ।୪।

ତୁମ୍ଭର ନବ ମନ୍ଦିର,

ସୁନ୍ଦର ବେଢ଼ା ପ୍ରାଚୀର,

କରଣେ ବଳାଇ ମନ,

ଦାନ କରି ଦେଲା ଧନ ହେ ।୫।

Image

 

ଖୋରଧା ଧବଳେଶ୍ୱର

 

ଖୋରଧା ଧବଳେଶ୍ୱର,

ଗୁରୁଜଙ୍ଗ ଟାଙ୍ଗିପର ।

କରିଛ ଦବ୍ୟ ଆଖଡା,

ଘାଟିଠାରୁ କୋଶେ ଛଡା ହେ ।୧।

ପଞ୍ଚଦୋଳେ ଲାଗେ ମେଳା,

ଚାରିଆଡେ ଫଗୁଖେଳା ।

ଭକ୍ତ ବାଞ୍ଚା ପୂର୍ଣ୍ଣ କର,

ଏ ଯଶ ରଖିଛ ହର ହେ ।୨।

ଗୁନ୍ଥାଇବି ଅସ୍ଥିମାଳ,

ଲମ୍ବାଇ ରଖିବ ଗଳ ।

ତୁମ୍ଭେ ତ ଦିଶ ଶୁକୁଟା,

ହାତେ ଧରିବ ଚିମୁଟା ହେ ।୩।

ଡାକିନୀ ଯୋଗିନୀଗଣେ,

ଭ୍ରମଣିବେଳେ ଗହଣେ ।

ନ ନେବଟି କେବେ ହର

ଦେଖିଲେ ଲାଗିବ ଡର ହେ ।୪।

Image

 

ସଙ୍କଟେଶ୍ଵର

 

ହେ ପ୍ରଭୁ ସଙ୍ଗଟେଶ୍ଵର,

ସଙ୍କଟୁ ଉଦ୍ଧାର କର ।

ତବ କୀର୍ତ୍ତି ଅଛି ଦେଶେ,

ଦିଅନ୍ତୁ କରୁଣା ଲେଶେ ହେ ।୧।

କେତେ ଲୋକର ସଂକଟ,

ତାରଣେ ହୁଅ ପ୍ରକଟ ।

ତାଲିକା ରଖିବ ତାର,

ଜଗତେ ହେବ ପ୍ରଚାର ହେ ।୨।

ଶ୍ମଶାନ ବୁଲିବା ବେଳେ,

ନଥିବଟି ଅବହେଳେ ।

ନନ୍ଦୀ ଭୃକୁଟୀଙ୍କି ସଙ୍ଗେ,

ନେବ ବୁଝାଇବ ରଙ୍ଗେ ହେ ।୩।

ବିଶେଷେ ନଦୀ ପ୍ରାନ୍ତର,

ସିନ୍ଧୁପନ୍ତାର, କନ୍ଦର ।

କରୁଛ ନିତି ଭ୍ରମଣି,

ସାବଧାନେ ଗୁଣମଣି ହେ ।୪।

Image

 

ର।ଧାମୋହନ

 

ଆହେ ଶ୍ରୀ ରାଧାମୋହନ,

କରୁଅଛି ସଦାଧ୍ୟାନ ।

ଢାଳିଦିଅ ସ୍ନେହବାରି,

ଅଧମକୁ ନିଅ ତାରି ହେ ।୧।

ଖୋରଧା ନଅର ପାଶ,

ବିରାଜେ ତୁମ୍ଭର ବାସ ।

ପୂର୍ବେ ଖୋରଧା ରାଜନ,

ରଖିଥିଲେ ବଡମାନ ହେ ।୨।

ଦର୍ଶନ ଆଶେ ନରେଶ,

ପ୍ରତ୍ୟହ ପାଶେ ପ୍ରବେଶ ।

ହଅନ୍ତି ଭକ୍ତି ଭାବରେ,

ତୋଷନ୍ତି ବହୁ ସମ୍ଭାରେ ହେ ।୩।

ଆଉ ନାହିଁ ସେହି ଦିନ,

ଏବେ ସକଳ ମଳିନ ।

ଲାଗିଲା କୁହୁକଖେଳା,

ମଜ୍ଜିଲା ପ୍ରଭୁଙ୍କ ଭେଳା ହେ ।୪।

Image

 

ଗିରିଧାରୀ

 

ରସିକା ରାଧିକା ଠାଣି,

ଦେଖି କର ପ୍ରୀତିବାଣୀ ।

ପ୍ରଜା ଯାଉଛନ୍ତି ଭାସି,

ନଦେଖିଲ କୁଞ୍ଜବାସି ହେ ।୧।

ବଗିଚା ଛାଡି ବହନ,

ଶତ୍ରୁଙ୍କୁ କର ଦମନ ।

ଉର୍ଦ୍ଧ୍ୱଗଡ ଜଗନ୍ନାଥେ,

ମଦନମୋହନ ସାଥେ ହେ ।୨।

ବୁଢ଼ାରଜା ବୃନ୍ଦାବନ,

କରିଥିଲେ ପଦାର୍ପଣ ।

ସେଠାରୁ ତୁମ୍ଭଙ୍କୁ ଆଣି,

ସାଇତିଲେ ଚକ୍ରପାଣି ହେ ।୩।

ବିପଦ ହେଲେ ରାଜ୍ୟର,

ସାହାଯ୍ୟ ହେବ ପ୍ରଜାର ।

ଖାଇ ପିଇ ଶୋଇବାକୁ,

ରଖିନଥିଲେ ତୁମ୍ଭଙ୍କୁ ହେ ।୪।

ତୁମ୍ଭେ ମଧ୍ୟ ନୁହ ଯୋଗୀ,

ହୋଇଅଛ ବୃତ୍ତିଭୋଗୀ ।

ପରଧନ ଏତେ ଖାଇ,

ତୁନି ହେବା ନ୍ୟାୟ କାହିଁ ହେ ।୫।

Image

 

ଦଧିବାମନ

 

ହେ ପ୍ରଭୁ ଦଧିବାମନ,

ମୋ ହୁଃଖ କରି ଶ୍ରବଣ ।

ଆଡନେତ୍ରେ ଥରେ ଚାହିଁ

ଏ କଷ୍ଟ ଦେବ ଉଡାଇ ହେ ।୧।

ଅମଙ୍ଗେଇ ଠାକୁରାଣୀ,

ପାଶେ କହି ମଧୁବାଣୀ ।

କରିବ ତାଙ୍କୁ ଆୟତ୍ତ,

ସେତ ପୀଠେଶ୍ଵବର ସତ ହେ ।୨।

କନ୍ଦରପୁର ଠାକୁର,

ଅଟନ୍ତି ଭାବେ ଶଶୁର ।

ସମ୍ମାନରେ ଡାକୁଥାଅ,

ତାଙ୍କୁ ସକଳ ବୁଝାଅ ହେ ।୩।

Image

 

ସିଂହେଶ୍ଵର

 

ମୁରାରିପୁର ସାଧକ,

କରୁଛନ୍ତି ଡାକହାକ ।

କାଉଚି ମୁଣ୍ଡିଆ ପରେ,

ଆସ୍ଥାନ ଅଛି ଗୁପ୍ତରେ ହେ ।୧।

ତବ ଆଶ୍ରମ ଉତ୍ତରେ,

ମହାନଦୀ ଚଳେ ଖରେ ।

ପଶ୍ଚିମ ପାଶେ ଗଡାଣି,

ରସାତଳେ ଯିବ ପ୍ରାଣୀ ହେ ।୨।

ଦକ୍ଷିଣେ ନିବିଡ ବନ,

ପୂର୍ବେ କୁଟୀର ଭବନ ।

ମହାଦୁର୍ଗେ ବାସ କରି,

ରହିଅଛ ସ୍ମରଅରି ହେ ।୩।

ଦେବାଧିଦେବ ରାଜନ,

ସିଂହେଶ୍ଵର ତ୍ରିଲୋଚନ ।

ରାଜବାଟୀ ରକ୍ଷା କର,

ମୋତେ କୋଳେ ନେଇ ଧର ହେ ।୪।

Image

 

ଆଖଣ୍ଡଳମଣି

 

ଆହେ ଆଖଣ୍ଡଳମଣି,

ତୁମ୍ଭଙ୍କୁ ପ୍ରଧାନ ଗଣି ।

ନଦୀବଢ଼ିରେ ବୁଡିଲ,

ଦିନାକେତେ କାଲ ଥିଲ ହେ ।୧।

ଏଣିକି ଘେନ ଗୁହାରି,

ଦୀନଜନେ ନିଅ ତାରି ।

ଦୁଃଖ ଶୁଣ କର୍ଣ୍ଣ ଡେରି,

ଯଶ ଯିବ ଦେଶେ ଫେରି ହେ ।୨।

ଚାନ୍ଦବାଲିକି ନିକଟ,

ଆସ୍ଥାନ ଅଛି ପ୍ରକଟ ।

ଯିବି ତବ ସ୍ଥାନେ ଥରେ,

ମନେ ମନେ ବାଞ୍ଛା କରେ ହେ ।୩।

Image

 

କପିଳାସ ଚନ୍ଦ୍ରଶେଖର

 

ଖାଉଚ ଗଞ୍ଜାଇଅଗି,

ବୋଲାଅ ଯୋଗୀ ବିରାଗୀ ।

ମନ ଉନ୍ମାଦିତ ଘୋର,

ତେଣୁ ଏ ବିପଦ ମୋର ହେ ।୧।

ହରଣେ ହୁଅ ଅକ୍ଷମ,

ତୁମ୍ଭେ ପରା କାମବାମ ।

ଅଧିକ କହିବି କେତେ,

ଜାଣ ସବୁକଥା ଯେତେ ହେ ।୨।

ହେ ପ୍ରଭୁ ଚନ୍ଦ୍ରଶେଖର,

ପାଇ ମୋ କଡା ଉତ୍ତର ।

ରାଗ ନ ବହିବ ଚିତ୍ତେ,

ଝରପାଣି ଦେବି ହିତେ ହେ ।୩।

ପୟୋଽମୃତ କୁଣ୍ଡ ଜଳ,

ସିଞ୍ଚିଲେ ମୁଣ୍ଡ ଶୀତଳ ।

ହେବ ନିଶ୍ଚୟ ତୁମ୍ଭର,

ବିପଦୁଁ ଉଦ୍ଧରି ଧର ହେ ।୪।

ଅଛି ବଡ ଜମିଦାରୀ,

କେଉଁ ଦେବ ତୁମ୍ଭ ପରି ।

ଢ଼େଙ୍କାନାଳର ନରେଶ,

ବୁଝନ୍ତି ତବ ସନ୍ଦେଶ ହେ ।୫।

Image

 

ସୂର୍ଯ୍ୟୋଦୟ (କୋଣାର୍କେ)

 

ଚନ୍ଦ୍ରଭାଗା ସ୍ନାନପାଇଁ,

ଯାଇଥିଲି ଦିନସାଁଇ ।

ଦେଖିଚି ତବ ଉଦୟ,

ଅତିଶୟ ରସମୟ ହେ ।୧।

ରଥ ଆରୋହି ଜଳରୁ,

ଉଠି ଉଠି ପଡି ନୀରୁ ।

କଅଁଳା ବାଛୁରି ପରି,

ଡେଇଁ ପଡି ଥରି ଥରି ହେ ।୨।

କ୍ରମଶଃ ଉଠି ଉପରେ,

କୋଣାର୍କ ମନ୍ଦିର ପରେ ।

କିରଣ ରେଖା ପକାଇ,

ଲୋକେ ଦିଅ ଚମକାଇ ହେ ।୩।

ସେ ଅପୂର୍ବ ଦୃଶ୍ୟ ଛବି,

ନ ଭୁଲିବି କେବେ ରବି ।

ଜୀବନାନ୍ତ ସମା ତାର,

ହୃଦ କଲା ଅଧିକାର ହେ ।୪।

ଅସୁର ତାଡନେ ଦେବ,

ଟିକିଏ ସହାୟ ହେବ,

ତୁମ୍ଭର ସଙ୍ଗୀ ଅମର

ମାନଙ୍କୁ ଗୋଚର କର ହେ* ।୫।

* ଦୁର୍ଭୁକ୍ଷ ରୂପ ଅସୁର

* ୧. ଦେଲେଶ୍ୱର, ୨. ତ୍ରିଭୁବନେଶ୍ୱର, ୩. ବାଣେଶ୍ୱର, ୪. ସର୍ପେଶ୍ୱର, ୫. ଲିଙ୍ଗେଶ୍ୱର, ୬. ବାଲୁଙ୍କେଶ୍ୱର, ୭. ସ୍ୱପନେଶ୍ୱର, ୮. ଐଶାନ୍ୟେଶ୍ୱର ।

Image

 

ଅଷ୍ଟଶମ୍ଭୁ

 

ଆହେ ଆହେ ଅଷ୍ଟଶମ୍ଭୁ

ବଜାଇବି ଉଚ୍ଚେ କମ୍ବୁ ।

ହଜାଇବି ମୋର ରୋଗ,

ମଜାଇବି କରି ଭୋଗ ହେ ।୧।

ପଦ୍ମହ୍ରଦର ଉତ୍ତରେ,

ରହିଚ ବଡ ଗୁପ୍ତରେ ।

ଘାସିପୁଟ ଗ୍ରାମ ନାମ,

ତାହାର ନିକଟେ ଧାମ ହେ ।୨।

Image

 

ସ୍ୱପନେଶ୍ୱର

 

ହେ ପ୍ରଭୁ ସ୍ଵପନେଶ୍ୱର,

ରତାଗଡ ଗିରିପର ।

କରିଛ ରମ୍ୟ ଆସ୍ଥାନ,

ଦେଖିଲେ ମୋହିତ ମନ ହେ ।୧।

ବହୁତ ଦୁରୁଁ ଦେଉଳ,

ଦିଶଇ ଅତି ମଂଜୁଳ ।

ଉପାଦେୟ ସରୁଅନ୍ନ,

ନିତି କରୁଛ ଭୋଜନ ହେ ।୨।

ବସିଥଲି ଥରେ କ୍ଷଣେ,

ଚାରିଆଡ ନିରୀକ୍ଷଣେ ।

ଅପୂର୍ବ ଆନନ୍ଦ ଭୋଗ,

ମୋ ଭାଗ୍ୟରେ ହେଲା ଯୋଗ ହେ ।୩।

ନୀଚେ ମହାନଦୀ ବାରି,

ପର୍ବତେ ବାଜି ବାହାରି ।

ଯାଉଅଛି ନାଚି ଖେଳି,

ଜଳଚରଙ୍କର କେଳି ହେ ।୪।

କାର୍ତ୍ତିକ ପୂର୍ଣ୍ଣିମା ତିଥି,

ବସିଯାଏ କେତେ ବୀଥି ।

ମିଳି ମେଳା ସଂକୀର୍ତ୍ତନ,

କରୁଥାନ୍ତି ଗ୍ରାମଜନ ହେ ।୫।

ପ୍ରଭୁ ମୋଠାରେ କିଂଚିତେ,

ଦୟା ରଖିଥିବ ଚିତ୍ତେ ।

ମୋ କାର୍ଯ୍ୟ କରିବ ଜୟ,

ତୁମ୍ଭେ ପରା କୃପାମୟ ହେ ।୫।

Image

 

ବ୍ରହ୍ମେଶ୍ଵର

 

ବେରବୋଇ ବ୍ରେହ୍ମେଶ୍ଵର,

ପାଶେ ସୁପ୍ରଶସ୍ତ ସର ।

ସୁଉଚ୍ଚ ମନ୍ଦର ଛାୟା,

ଜଳେ ଦ୍ଵିଗୁଣିତ କାୟା ହେ ।୧।

ଅସଂଖ୍ୟ ପଇଡପାଣି,

କଣ୍ଠରେ ଢ଼ାଳନ୍ତି ଆଣି ।

ଜନମାନେ ଚାରିପାଶେ,

ଶୀତିକଣ୍ଠ ଶୀତ ଆଶେ ହେ ।୨।

ପାଶନିବାସୀ ମହନ୍ତ,

ଭୋଗେ କରନ୍ତି ହେମନ୍ତ ।

ଗୁଆ ଚଉକା ବ୍ରାହ୍ମଣେ,

ପୀଠେ ବସନ୍ତି ବରଣେ ହେ ।୩।

ମଙ୍ଗଳ ପାଇବା ପାଇଁ,

ମଙ୍ଗଳ ପୁରର ସାଁଇ ।

ବନପୁର ଚଉଧୁରୀ,

ବଢ଼ାନ୍ତି ପୀଠ ମାଧୁରୀ ହେ ।୪।

ପିଢ଼ପଟଣା ଧନିକେ,

ସେବନ୍ତି ଊଣା ଅଧିକେ ।

କରଣ ସାମନ୍ତମାନେ,

ଅନୁରତ ଭକ୍ତି ଜ୍ଞାନେ ହେ ।୫।

ରାସବାବୁଙ୍କର ଘର,

ଅଛି ଏଥି ନିକଟର ।

ଏ ପିଠ ସଂସ୍କାର ଜ୍ଞାନ,

ପ୍ରଭୁ ଦେବ ତାଙ୍କ ମନ ହେ ।୬।

କରିଚି ଥରେ ଦର୍ଶନ,

ପ୍ରଭୁଙ୍କର ଶ୍ରୀଚରଣ ।

ସ୍ମରଣେ ଆଣିଲି ତାହା,

ମୋତେ ରଖ ଉମାନାହା ହେ ।୭।

Image

 

କେଦାରେଶ୍ଵର

 

ତୁମ୍ଭେ ବଡ କଡା ହର,

ବାଘ ଭାଲୁ ହୋଇ ଧର ।

ଯେ କର୍ମଠ ସୁବ୍ରାହ୍ମଣ,

ଛାଡିପଳାନ୍ତି ଆସନ ହେ ।୧।

ତୁମ୍ଭ ପୀଠ ମହାପୀଠ

ଯେ ହେବ ଶ୍ରେଷ୍ଠ କର୍ମିଷ୍ଠ ।

ସେହି ଏକା ନେବ କର୍ମ,

ନାହଁ ସବୁ ପଣ୍ଡଶ୍ରମ ହେ ।୨।

ଥିଲେ ଯେ ଅପର୍ତ୍ତି ରଥେ,

ସନ୍ଧି କରିଥିଲେ ଏଥେ ।

ତାଙ୍କର ତାନ୍ତ୍ରିକ ମତ,

ଥିଲା ବଡ ଜ୍ଞାନଗତ ହେ ।୩।

ଶ୍ମଶାନ ଭୂମିରେ ବିଧି,

ମତେ ସାଧି କଲେ ସିଦ୍ଧି ।

ଏକାଳେ ସେପରି କାହିଁ,

ସିଦ୍ଧକର୍ମୀ ଦେଖା ନାହିଁ ହେ ।୪।

ହେ ପ୍ରଭୁ କେଦାରେଶ୍ଵର,

କି ରମ୍ୟ ପୁର ତୁମ୍ଭର ।

ଦେଖିଲେ ଭକ୍ତ ହୃଦୟ,

ହୁଅଇ ଆନନ୍ଦମୟ ହେ ।୫।

ତବ୍‌ କୁଣ୍ଡେ ସ୍ନାନ କରି,

କେତେ ରୋଗ ଯାଏ ମରି ।

ତାର କରିବି ବର୍ଣ୍ଣନ,

ସଂକ୍ଷେପେ ଉଦାହରଣ ହେ ।୬।

ପାଳିଜର ମେଲେରିୟା,

ବଙ୍ଗବାସୀଙ୍କର ହିୟା ।

ଅସ୍ଥିଚର୍ମେ କଲା ସାର,

ଯେ ଆସୁଛନ୍ତି ଏଠାର ହେ ।୭।

ଦି ତିନି ଦିନ ସେ ଜନ,

ଏ କୁଣ୍ଡେ ଅବଗାହନ ।

କରେ ନିର୍ମଳ ମନରେ,

ଜ୍ଵର ପଳାୟନ କରେ ହେ ।୮।

ପାଇ ସେ ଅଭୟ ବର,

ନବ ନବ କଳେବର ।

ଯାହା କ୍ଷମତା ଯେମନ୍ତ,

କରନ୍ତି ଭୋଗ ତେମନ୍ତ ହେ ।୯।

ମହା ଆନନ୍ଦିତ ମନେ,

ଚଳନ୍ତି ଗୃହଗମନେ ।

କେତେ କରିବି ବର୍ଣ୍ଣନ,

ସଦୟ କର ନୟନ ହେ ।୧୦।

ଆଉ ଅଛି କେତେ କୁଣ୍ଡ,

ବାମାଏ ହୁଅନ୍ତି ରୁଣ୍ଡ ।

ଅପୁତ୍ରିକେ ପୁତ୍ରଦାନ,

କରାଅ ସେ ଜଳେ ସ୍ନାନ ହେ ।୧୧।

ନାଗେଶ୍ଵରବନ, ଚମ୍ପା,

ହୋଇଛି ହୃଦୟକମ୍ପା ।

ତହିଁରେ ପକ୍ଷୀ କାକଳି,

କର୍ଣ୍ଣମନ ନିଏ କଳି ହେ ।୧୨।

Image

 

ମୃଗେଶ୍ଵର

 

ଯାଆଁଳା ପାଶରେ ଯାଇ,

ମୃଗେଶ୍ଵର ଦେଖାପାଇ ।

କ୍ଷୁଦ୍ରନାଳେ କରି ସ୍ନାନ,

କଲି ମୁଁ ଦେବଦର୍ଶନ ହେ ।୧।

ଭୁବନେଶ୍ୱର ଦେଉଳ,

ଦିଶେ ସେଠାକୁ ମଞ୍ଜୁଳ ।

ପାଶେ ପଲ୍ଲୀବାସୀଙ୍କର,

ବେଦନା ହରନ୍ତି ହର ହେ ।୨।

କରୁଅଛି ନିବେଦନା,

ଲାଗିଲା ଘୋର ଯାତନା ।

ତୁମ୍ଭେ ମୋ ଔଷଧପାଣି,

ବଞ୍ଚାଇବ ମନ ଜାଣି ହେ ।୩।

Image

 

ଛତାବର ବୁଧେଶ୍ୱର

 

ଆହେ ପ୍ରଭୁ ବୁଧେଶ୍ଵର,

ଖୋରଧାର ଛତାବର ।

ଗ୍ରାମରେ ଅଛି ଆସ୍ଥାନ,

ରାଜପଥ ସନ୍ନିଧାନ ହେ ।୧।

ଖାଉଅଛ ଝରପାଣି,

ମୁରଲୀ ଦେଉଛ ଟାଣି ।

ନହୁଏ ଶରଦି କାଶ,

କେବଳ ଧୂଆଁର ଖାସ ହେ ।୨।

ବାଲ୍ୟକାଳ ଦିଅଁ ମୋର,

କୁହା ପୁଚ୍ଛା ଅଛି ଘୋର ।

ସୂର୍ଯ୍ୟସ୍ତବ ବିନାୟକ,

ପଢ଼ିଚି ଉମାନାୟକ ହେ ।୩।

ଥିଲ ସେବେ ପିଲା ଦିଅଁ,

ଗଞ୍ଜାଇ ଖାଇଣ ଡିଅଁ ।

ଏବେ ଛାଡ ସେହି ରୀତ

ଦେବସମାଜେ ଅକୀର୍ତ୍ତି ହେ ।୪।

ଲକ୍ଷ୍ମୀ ସାଆଁନ୍ତାଣୀଙ୍କର,

ହୋଇଗଲା ଅନାଦର ।

କରଣସାମନ୍ତମାନେ,

ରହଛନ୍ତି, ଅଭିମାନେ ହେ ।୫।

ଉଡିଗଲା ଘରୁ ଧନ,

ସର୍ବଦା ଦୁଃଖିତ ମନ ।

ଥିଲା ଯେମନ୍ତ ବଭବ,

କରିଛ ତ ଅନୁଭବ ହେ ।୬।

ତୁମ୍ଭ ପାଶେ ଭୋଗରାଗ,

ହେଉଥଲା ଯେତେ ଆଗ ।

ଆଉ କି ଅଛି ସେପରି,

ଏଣୁ ବୁଝ କାମଅରି ହେ ।୭।

ଚାଉଳ କିଣାରେ ଝଡି,

ଯିବ ହରିବୋଲ ପଡି ।

ଦେଶେ କାହିଁକି ଏମନ୍ତ,

ବୁଝାଅ କରି ହେମନ୍ତ ।୮।

ଧରି ଭରିଦିଅ ଶିରୀ,

ବସାଇ ଖ୍ଵାଇବେ କ୍ଷୀରି ।

ଚଞ୍ଚଳରେ ଦୁର୍ଗାପତି,

ହର ହ ର ମୋ ଦୁର୍ଗତି ହେ ।୯।

Image

 

କଷଣମଟାଗାଦି (ପଟାମୁଣ୍ଡାଇ)

 

କଷଣମଟାର ଗାଦି,

ଯୋଗୀଛନ୍ତ ଯୋଗସାଧି ।

ହୋଇଛି ଗୁମ୍ଫା ନିର୍ମାଣ,

ଗଠନ ପ୍ରଣାଳୀ ଟାଣ ହେ ।୧।

ସାଧୁଙ୍କ ସିଦ୍ଧି ବିରାଟ,

କରିଥାନ୍ତି ହରିହାଟ ।

ଯୋଗବେଳେ ହୋଇ ମେଞ୍ଚି

ଆଟିକା ଭିତରେ ଖେଞ୍ଚି ହେ ।

କରନ୍ତି ବାୟୁ ସାଧନ,

ଶୂନ୍ୟେ ଉଠଇ ଆସନ ।

ବୃହତ୍‌ ଦେହ ତାଙ୍କର,

ଧରଇ ସୂକ୍ଷ୍ମ ଆକାର ହେ ।୩।

ବିଂଶଶତ ବରଷକୁ,

ସାଧୁଗଲେ ସ୍ଵରଗକୁ ।

ସେ ଗାଦକି ନିବେଦନା,

ହରିବେ ମୋର ବେଦନା ହେ ।୪।

Image

 

ଛତି ଆଗାଦି

 

ଯିବାରେ ଛତିଆଗାଦି,

ସିଦ୍ଧି ହେବ ନାହଁ ବାଦୀ ।

ସାଧୁ ରଖିଛନ୍ତି ଲେଖି,

ପେଡି ପେଡି ପୋଥି ଦେଖି ହେ ।୧।

କି ରମ୍ୟ ଯୋଗ ଆଶ୍ରମ,

ଭାଗ୍ୟେ କରିବି ବିଶ୍ରାମ ।

ବଳଭଦ୍ର ରୂପ ରେଖ,

ବାରେ ନେତ୍ରରେ ନିରେଖ ହେ ।୨।

Image

 

ବେଲେଶ୍ଵର

 

ଆହେ ପ୍ରଭୁ ବେଲେଶ୍ଵର,

ବାଲିଧରଣୀ ଉପର ।

ପଡିଛ ହୋଇ ଖାକଡ଼ା*,

ନ କଲ ଭଲ ଆଖଡା ହେ ।୧।

ତୁମ୍ଭେତ ଶ୍ମଶାନବାସୀ,

କିପାଁଇ ହେବ ବିଳାସୀ ।

ଏହିପରି କାଳ କାଟ,

ଦୁଃଖୀଙ୍କି ଦେଖାଇ ବାଟ ହେ ।୨।

* ଖାକଡ଼ା - ମୁକୁଳା,

Image

 

ଚମ୍ପେଶ୍ଵର

 

ନରସିଂହ ପୂର ରାଜ୍ୟ,

ମଧ୍ୟରେ ପ୍ରଭୁ ବିରାଜ ।

ଆହେ ଦେବ ଚମ୍ପେଶ୍ଵର,

ହରିବ ହୁଃଖ ମୋହର ହେ ।୧।

ପୁଣ୍ୟ ତିଥି ପୂଣ୍ଣିମାରେ,

ବଡମେଳା କାର୍ତ୍ତିକରେ ।

ନରସିଂହପୁରଈଶ,

ପୂଜନ୍ତି ସଦା ଗିରୀଶ ହେ ।୨।

କାହୁ ପୁର ମହାଜନେ,

ଭକ୍ତି ରଖିଥାନ୍ତି ମନେ ।

ରାଜ୍ୟରେ ଯେ ସୁବ୍ରାହ୍ମଣ,

ପୀଠେ ହୁଅନ୍ତି ବରଣ ହେ ।୩।

ତବ ରମ୍ୟ ସରୋବରେ,

ସ୍ନାନ କରିଥିଲି ଥରେ ।

ଦର୍ଶନ ଚରଣାମୃତ,

ପାଇ ହେଲି କୃତକୃତ ହେ ।୪।

Image

 

କୋଇଲେ। ଦଧିବାମନ

 

ହେ ପ୍ରଭୁ ଦଧିବାମନ ।

ତବ ଶୀତଳ ନୟନ ।

ପଡିଲେ ରୋଗୀ ଉପରେ,

ମହାରୋଗ ହେଲେ ଦୂରେ ହେ ।୧।

ଦିକ୍ଷିତପଡା କାୟଥେ,

ରହିଥାନ୍ତି ସାଥେ ସାଥେ ।

ଚଳୁଥାଏ ଯେବେ ରଥ,

ଗୁଣ୍ଡିଚା ମଣ୍ଡପପଥ ହେ ।୨।

ପବିତ୍ର ପଡା କରଣେ,

ରହନ୍ତି ରକ୍ଷକ ପଣେ ।

ଘର୍ଘର ଶବଦେ ରଥ,

ଯେବେ ଚଳେ ରାଜପଥ ହେ ।୩।

କୋଇଲର ସୁବ୍ରାହ୍ମଣେ,

ମିଳନ୍ତି ଆସି ଗହଣେ ।

ଅତି ଉଚ୍ଚତରେ ବାଣୀ,

ପହଣ୍ଡି କରନ୍ତି ଟାଣି ହେ ।୪।

ପାଶ ଦୂର ଗ୍ରାମଲୋକେ,

ଆସିଥାନ୍ତି ଥୋକେ ଥୋକେ ।

କରି ରଥ ଭୋଗମାନ,

ଗୃହେ କରନ୍ତି ଗମନ ହେ ।୫।

ଏ ପୀଠେ ରାମନବମୀ,

ଦେଖନ୍ତି ଯେହୁ ଜନମି ।

ସାର୍ଥକ ଜୀବନ ତାର,

ପ୍ରଭୁ ମହିମା ଅପାର ହେ ।୬।

ଆଳି ରାଜ୍ୟରେ ଝୁଲଣ,

ଓଳକଣାରେ ମିଳନ ।

ପୁରୁଷୋତ୍ତମ ଚନ୍ଦନ,

କୋଇଲୋ ଲୀଳା ପ୍ରଧାନ ହେ ।୭।

ରାମନବମୀରେ ଥରେ,

ଦେଖିବାକୁ ବାଞ୍ଛା କରେ ।

ମଧୁର ରାମଚରିତ,

ଶୁଣିଲେ ହେବି ମୋହିତ ହେ ।୮।

Image

 

ଧଉଳୀ ଗଣେଶ

 

କେମନ୍ତ ଥନ୍ତଲ ପେଟ,

ହରଚାଟ ହେଲି ଭେଟ ।

ପଡିଛି ଘୋର ସଂକଟ,

ଗଣେଶ୍ୱର ଫେଡ କଷ୍ଟ ହେ ।୧।

ଲିଙ୍ଗରାଜ ଦେଉଳକୁ,

ଚାହିଁ ବସିଛ ଆଗକୁ ।

ସେ ଅଟନ୍ତି ତୁମ୍ଭ ପିତା,

ଅଟ କନିଷ୍ଠେ ଗଣିତା ହେ ।୨।

ଆହେ ଦେବ ଗଣପତି,

ଖାଉଅଛ କେଉଁ ଥାତି ।*

ଏଡେ ବଡ ମୋଟକାୟ,

ପାଇଚ ଫିଟାଇ କହ ହେ ।୩।

ଇଚ୍ଛା ଅଛି ମୋର ଥରେ,

ରଜସଂକ୍ରାନ୍ତି ମେଳାରେ ।

ଯିବି ବୋଲି ତୁମ୍ଭ ପାଶ,

ହରଶିଶୁ ପୂରୁ ଆଶ ହେ ।୪।

Image

 

ସୁବୁଦ୍ଧୀଶ୍ୱର

 

ହେ ପ୍ରଭୁ ସୁବୁଦ୍ଧୀଶ୍ୱର,

ସୁବୁଦ୍ଧି ଦିଅ ସତ୍ୱର ।

ଦୁଷ୍ଟ ନିଧନ ସାଧନ,

କର ଶିଷ୍ଟଙ୍କୁ ପାଳନ ହେ ।୧।

ଭଗିପୁରରେ ବଣିକ,

ଗୋଟଏ ଥିଲା ଧନିକ ।

ତବ ମଣ୍ଡପ ନିର୍ମାଣି,

କୀରତି ରଖିଲା ଜାଣି ହେ ।୨।

ତା ପଦ ଥିଲା ସୁବୁଦ୍ଧି,

ଏ କାଯ୍ୟ କଲା ସୁବୁଦ୍ଧି ।

ତେଣୁଟି ସୁବୁଦ୍ଧୀଶ୍ୱର,

ନାମ ହୋଇଲା ପ୍ରଚାର ହେ ।୩।

ବହୁତ କଟକୀ ଜନ,

କରନ୍ତି ସଦା ଦର୍ଶନ ।

ନାରିକେଳ ରମ୍ଭାଫଳ,

ଭୋଗଦେଇ ଢାଳି ଜଳ ହେ ।୪।

ତଡମପଡାର ନରେଶ,

ଜାଗରେ ହୋଇ ପ୍ରବେଶ ।

ଆଣି ସୁବ୍ରାହ୍ନଣଗଣ,

ପୀଠେ କରାନ୍ତି ବରଣ ହେ ।୫।

ଥିଲେ ଯେ ବୃଦ୍ଧବ୍ରାହ୍ମଣ,

ତୁମ୍ଭର ପୂଜାରିପଣ ।

ଅଲୋକିତ କରାମତି,

ତାହାଙ୍କ ମୁଖେ ବଦତି ହେ ।୬।

Image

 

ଚନ୍ଦ୍ରମୌଳି

 

ଅଲଭା ସ୍ଥାନରେ ଯାଇ,

ଉତୁରିବି ଯେବେ ଭାଇ ।

ଦେଖିବି ଚନ୍ଦ୍ରମଉଳି,

ଚନ୍ଦନନଗର ଶୁଳୀ ହେ ।୧।

ଜାଗରରେ ଉଜାଗର,

ଏ ପୀଠେ ବହୁତ ନର ।

ନାନା ପ୍ରକାରେ ପ୍ରଦୀପ,

ଜାଳନ୍ତି ଶିବସମୀପ ହେ ।୨।

ବାଜୁଥାଏ ଘଣ୍ଟବୀଣା,

ନାନା ଦ୍ରବ୍ୟ ବିକାକିଣା ।

ଦେଖିଲେ ଦର୍ଶକ ମନ,

ମୋହିତ ହୁଏ ବହନ ହେ ।୩।

ଅଛି ପ୍ରବାଦ ଏସନ,

ରଥ କରି ଆରୋହଣ ।

ଶିବଦର୍ଶନ ଲାଳସେ,

ଆସନ୍ତି ସ୍ଵର୍ଗୁ ତ୍ରିଦଶେ ହେ ।୪।

ଚନ୍ଦ୍ର କିରଣ ସୁନ୍ଦର,

ଶିବଶିରେ ତେଜସ୍କର ।

ସୁରାଙ୍ଗନା ଅଲୋକିତ,

ଆଲୋକରେ ପୁଲକିତ ହେ ।୫।

ଅସଂଖ୍ୟ ଫୁଲ ଚନ୍ଦନ,

ଶିବମସ୍ତକେ ମଣ୍ଡନ ।

ମାନସିକ ଚନ୍ଦ୍ରାତପ,

ଘେରଣା ଥାଏ ମଣ୍ଡପ ହେ ।୬।

ପ୍ରାର୍ଥନା ଘେନ ତ ଶୂଳୀ,

ହେ ପ୍ରଭୁ ଚନ୍ଦ୍ର ମଉଳି ।

ରୋଗଶୋକ ତାପହର,

ମୋ ପ୍ରତି ସୁଦୟା କର ହେ ।୭।

Image

 

ଚନ୍ଦନେଶ୍ୱର

 

ଚନ୍ଦନେଶ୍ୱରଙ୍କୁ ଥରେ,

ଭୋଗରାଇ ରାଜ୍ୟପରେ ।

କହିବି ମନବେଦନା,

ପ୍ରଭୁ ହରିବେ ଯାତନା ହେ ।୧।

ପ୍ରଣାସଂକ୍ରମଣ ମେଳା,

ଲାଗିଥାଏ କେତେ ଖେଳା ।

ଲକ୍ଷାଧିକ ଜନାଗମ,

ସେ ଦୃଶ୍ୟ କି ଅନୁପମ ହେ ।୨।

ଜମିଦାରଙ୍କର ଖଞ୍ଜା,

ଭୋଗ ଘେନି ପଞ୍ଛା ପଞ୍ଛା ।

ଶିବ ଧାମେ କରି ସଜ୍ଜା,

ଉଡାନ୍ତି ମହିମା ଧ୍ଵଜା ହେ । ୩।

ଗନ୍ଧବଟା ଭାଙ୍ଗବଟା,

ଲାଗେ କଦଳୀଚକଟା ।

ସୁବାସ ଚହଟି ପଡେ,

ଭକ୍ତ ମନୋବାଞ୍ଛା ବଢ଼େ ହେ ।୪।

ଏହି ଯାତ୍ରାର ସମାନ,

ଉତ୍କଳେ କାହିଁ ପ୍ରଧାନ ।

ହେଲେ ହୋଇପାରେ ସରି,

ହଟନାଥ ଯାତ୍ରା ଧରି ହେ ।୫।

Image

 

ଚନ୍ଦ୍ରମଣି

 

ସଜାଇ ବାଲି ଧରଣୀ,

ବିରାଜିଛ ଚନ୍ଦ୍ରମଣି ।

ଧରାକୋଟଧରାଧୀଶ,

ଅଟନ୍ତି ପ୍ରଧାନ ଶିଷ୍ୟ ହେ ।୧।

ପାଟଖଦି ଶିରପାଶ,

ବେଢ଼ାଇଲେ କୃତ୍ତିବାସ,

ସରଘର ଦେଲେ ଭରି,

ଏ ଭୋଜନ କାହିଁ ସରି ହେ ।୨।

ୠଷିକୁଲ୍ୟାପୂତ ଜଳ,

ଶିରପରେ ଢ଼ଳ ଢ଼ଳ ।

କଣ୍ଠନାଳୀ ହଳାହଳ,

ଲଭେ କିଞ୍ଚିତେ ଶୀତଳ ହେ ।୩।

ଶ୍ରୀ ଚନ୍ଦନ ବଟା ବଟା,

କେତେ ସେ ତୁଳସୀଜଟା,

ଫୁଲ ବେଲପତ୍ରୀମାଳୀ,

ବୋଝ ବୋଟ ଦିଏ ଢ଼ାଳି ହେ ।୪।

ବାରେଣୀରେ ତ୍ରିଲୋଚନ,

ବସଇ ମେଳା ପ୍ରଧାନ ।

ନାନା ଦ୍ରବ୍ୟ କାରବାର,

ଦେଶେ ବହୁତ ପ୍ରଚାର ହେ ।୫।

ମୋଠାରେ ରଖି ସୁମତି,

ହର ହେ ଏହି ବିପତ୍ତି ।

ଝୁଣା ଗୁଗ୍ଚୁଳେ ଧୂପିବି,

ଆକାଶ ଦୀପ ବାନ୍ଧିବି ହେ ।୬।

Image

 

ତୁମ୍ବେଶ୍ଵର

 

ଆହେ ଦେବ ତୁମ୍ବେଶ୍ଵର,

ଚମ୍ପକବନେ ବିହର ।

ୠଷିକୁଲ୍ୟା ଜଳ ଖାଇ,

କି ଚିକଣ ଉମାସାଇଁ ହେ ।୧।

ଲକ୍ଷ ଲକ୍ଷ ଚମ୍ପାଫୁଲ,

ଦେଇ ସେବକଙ୍କୁ ମୂଲ ।

ତବ ଶିର ମଣ୍ଡାଇଲେ,

ଦୁଃଖୀ ପରଜା ଭାସିଲେ ହେ ।୨।

ସେବିଥିଲେ ପୂର୍ବେ ରାମ,

କରିଥିଲ ତାଙ୍କ କାମ ।

ସୁଚିତ୍ର ମଣ୍ଡପେ ବସି,

ଅଳସୁଆ ହେଲ ଖାସି ହେ । ୩।

ବଡ ବଡ ମହାଜନ,

କରାଇ ଚାନ୍ଦା ଘଟନ ।

ସୁରମ୍ୟ ବେଢ଼ା ପ୍ରାଙ୍ଗଣ,

ମଣ୍ଡପ କଲେ ନିର୍ମାଣ ହେ ।୪।

ଗୋଟିଏ ସେବକ ପିଲା,

ରଙ୍ଗ କାର୍ଯ୍ୟେ ଯୋଗ୍ୟ ଥିଲା ।

କାରିଗର ଗଲେ ଛାଡି,

ଦେଇଥିଲ ତାକୁ ଶାଢ଼ି ହେ ।୫।

ପୂର୍ବଖଣ୍ଡ ଧରାନାଥ,

କରୁଥାନ୍ତି ପ୍ରଣିପାତ ।

ପ୍ରତାପପୁର କୁମୁଟୀ,

ବଣିକେ ଦିଅନ୍ତି ମୁଠି ହେ ।୬।

ପାଶରେ କମା ଦେଉଳ,

ଦିଶଇ ବଡ ମଞ୍ଜୁଳ ।

ଠାକୁରାଣୀଙ୍କର ଧାମ,

ଅତିଶୟ ମନୋରମ ହେ ।୭।

Image

 

ଶିରୁଳି ମହାବୀର ହନୁ ମାନ

 

ମହାବୀର ହନୁମାନ,

ଶିରୁଳୀ ଗ୍ରାମେ ଆସ୍ଥାନ ।

ପୁରୁଷୋତ୍ତମ ନିକଟ,

ପଶ୍ଚିମଦିଶ ପ୍ରକଟ ହେ ।୧।

ତିନିକ୍ରୋଶ ମଧ୍ୟ ସ୍ଥାନ,

ରହିଅଛି ବ୍ୟବଧାନ ।

ଏପଥେ କଲେ ଗମନ,

ପଡେ ବହୁତ ଶାସନ ହେ ।୨।

ଜଗନ୍ନାଥ ଭୋଗ ଅନ୍ନ,

ନିତି ହୁଏ ସମର୍ପଣ

ତୁମ୍ଭ ପାଶେ ମହାରଥା,

ଅଛି ବହୁକାଳୁଁ ପ୍ରଥା ହେ ।୩।

ଆମ ରାମ ରାଜା କାମ,

କଲନେଲ ବଡ ନାମ ।

ଲଙ୍କାଗଡ ଜଳାଇଲ,

କି ବିକ୍ରମ ଦେଖାଇଲ ହେ ।୪।

ପର୍ବତ ପାହାଡ କାଟି,

ପକାଇଲ ସେତୁ ମାଟି ।

ଏହା କି ସହଜ କଥା,

ଜାଣେ ତୁମ୍ଭ ମଥାବ୍ୟଥା ହେ ।୫।

ରାମ ରାବଣ ଲଢ଼ାଇ,

ଦେଲ ସକଳ ସଜାଇ ।

ରାବଣକୁ ମରାଇଲ,

ସୀତାଙ୍କୁ ମୁକୁଲାଇଲ ହେ ।୬।

ନ କରି କିଛି ଆପତ୍ତି,

ପ୍ରଭୁ ରାମସେନାପତି ।

ହେବ ଯେବେ ତୁମ୍ଭେ ଛିଡା,

ଶତ୍ରୁ ଯିବେ ପାଇ ବ୍ରୀଡା ହେ ।୭।

ପଞ୍ଚୁରେ କରିବ ଠିଆ,

ଭୋଗ ଦେବି ଦୁଧଲିଆ ।

ଆଉ ମିଳିବ କି କିସ,

ବୁଝ ଭଲେ ରାମଶିଷ୍ୟ ହେ ।୮।

ପଣାସଂକ୍ରାନ୍ତି ଯାତ୍ରାରେ,

ଯିବି ବାଞ୍ଛା ଅଛି ବାରେ ।

ମୁଁ ତ ପୂର୍ବଚିହ୍ନା ଜଣା,

ଦେବି ଦେଶୀ ପତୈପଣା ହେ ।୯।

Image

 

ଦରିଆ ମହାବୀର

 

ସମୁଦ୍ର ହାଓଆ ଖାଇ,

କେଡ଼େ ମୋଟା ହନୁସାଇଁ ।

ଲଙ୍କାପୋଡ଼ା କଥାମାନ,

ପଡେ କି ହେ ମନଜ୍ଞାନ ହେ ।୧।

ଏହି ସମୁଦ୍ରକୁ ବାନ୍ଧି,

ଲଙ୍କା ଯାଇ ଦେଲ ଧନ୍ଦି ।

ରାବଣେଶ୍ଵରର ପୁର,

କଲ କେତେ ହୁରଜୁର ।୨।

ବୁଲି ଅଳିଗଳି କନ୍ଧି,

ସୀତା ଠାବ କଲ ଫନ୍ଦି ।

ବଳବିକ୍ରମ ଅପାର,

କରନ୍ତୁ ମୋତେ ଉଦ୍ଧାର ହେ ।୩।

ରେଳଗାଡିର ଘର୍ଘର,

ଶବଦ ପଡେ କର୍ଣ୍ଣର ।

ଭବ ହୁଙ୍କାରକୁ ବଳି,

ଯିବ କି ଭାବନ୍ତୁ କଳି ହେ ।୪।

Image

 

ଗୋପାଳଜୀ

 

ମରହଟା ରାଜଗିର,

ଅଟେ ଗୋପାଳମନ୍ଦିର ।

ସେକାଳୁଁ ଉଡୁଛି ଧ୍ଵଜା,

ପୂଜନ୍ତି ଲକ୍ଷ ପରଜା ହେ ।୧।

ନଗରର ମଧ୍ୟଭାଗେ,

ମନ୍ଦିର ରାଜେ ସରାଗେ ।

ଦୃଢ଼ଗଠନ ମାଧୁରୀ,

ଦେଖିଲେ ହୋଇବ ଝୁରି ହେ ।୨।

ବିପଣୀର ଯେ ମିଷ୍ଟାନ୍ନ,

ମନ୍ଦିରେ ନ ପାଏ ସ୍ଥାନ ।

ଭୋଗ ପ୍ରସ୍ତୁତ ପୀଠରେ,

ବିକ୍ରିତ ଉଚ୍ଚଦରରେ ହେ ।୩।

ସଦା ଲାଗଇ ଚହଳ,

ପର୍ବତିଥିରେ ବହଳ ।

ଝୁଲଣଯାତ୍ରା ପରବେ,

କୁଞ୍ଜ ଦେଖି ତୁଷ୍ଟ ସର୍ବେ ହେ ।୪।

ପ୍ରଭୁ ବିରାଜିତ ଧାମ,

ମଧ୍ୟେ ସୁରମ୍ୟ ଆରାମ ।

ସିଂହଦ୍ଵାରେ ଧର୍ମଶାଳା,

ଦୁଃଖୀ ପଡି ପାଏ ଡାଲା ହେ ।୫।

ଅଧେ ସ୍ଥାନ ନେଲେ କାଢ଼ି,

କରିଛନ୍ତି ଘରବାଡି ।

କଟକ କର ସମିତି,

କାଳବେଳର ଏ ରୀତି ହେ ।୬।

ଆପଣଙ୍କ ବୁଷକଥା,

ଶୁଣି ହସି ମୁଣ୍ଡବ୍ୟଥା ।

ପ୍ରତି ଦୋକାନକୁ ଯାଏ,

ମାଗି ମାଗି କରି ଖାଏ ହେ ।୭।

ଆହେ ପ୍ରଭୁ ଶ୍ରୀଗୋପାଳ,

ତୁମ୍ଭେ ପରା ରାଜ୍ୟପାଳ ।

ହେଲା ଆହାର ଅଭାବ,

ଦିଅ ପ୍ରକାଶି ପ୍ରଭାବ ହେ ।୮।

Unknown

Image

 

ରଘୁନ।ଥଜୀ

 

କି ସମ୍ପତ୍ତି ରଖିଥଲ,

କୁହୁକରେ ହରାଇଲ ।

ତବପୀଠେ ବସି ସ୍ଵାମୀ,

ଦେଖିଚି ରାମନବମୀ ହେ ।୧।

ଧନ୍ୟ ସେହ ଶିଳ୍ପୀ ଧନ୍ୟ,

ଯେ କଲା ଦେବସଦନ ।

ଏହିପରି ଦୃଢ଼କାମ,

କରଣେ ଏବେ କେ କ୍ଷମ ହେ ।୨।

ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟ,

ମରହଟା ମହାଶୟ ।

କରିଥିଲେ ଏ କୀରତି,

ସଂସ୍କାର ବିହୀନେ କ୍ଷତି ।୩।

ତୁମ୍ଭେ ତ ମାଲିକ ଧାମୀ,

ଯେ ଜନ ନେଲେ ନିଲାମୀ ।

କି ଉନ୍ନତି କରିଛନ୍ତି,

ପାଇଣ ଦେବସମ୍ପତ୍ତି ହେ ।୪।

କରିଅଛି କେଡେ ଆଶା,

ତୁମ୍ଭ ଦୟା ବଡ଼ ଖାସା ।

ରଖ ପ୍ରଭୁ ମୋର ହିୟା,

ଖଞ୍ଜିବି ଫୁଲଟାହିୟା ହେ ।୫।

Image

 

ଗଣେଶ ମନ୍ଦିର

 

ଆହେ ଆହେ ଗଣନାଥ,

କେ ନେଲା ପାତ୍ରରୁ ଭାତ ।

ପକଡି ନନେଲ ହାତ,

କି କରନ୍ତା ଦେଖିଥାନ୍ତି ହେ ।୧।

କାହିଁ ତୁମ୍ଭର ଝୁଲଣ,

ଦୋଳ ଯାତ୍ରା ବଡପଣ

ଗଣେଶ ଚତୁର୍ଥୀ ଭୋଗ,

ନହୁଏତ ଏବେ ଯୋଗ ହେ ।୨।

ଭାବି ଭାବି ସବୁକଥା,

ହେଉଅଛି ମୁଣ୍ଡବ୍ୟଥା ।

କେଡେ ବିପୁଳ ସମ୍ପତ୍ତି,

କିଏ କରିଦେଲା କ୍ଷତି ହେ ।୩।

ଜଗତର ଲୀଳା ଖେଳା,

ଆଜି ଦୋଳା କାଲି ଭେଳା ।

ପ୍ରଭୁ ମୁଁ ଅଛି ଶରଣ,

ତବ ଅଭୟଚରଣ ହେ ।୪।

ଆଉ ପଦେ ନିବେଦନ,

ଆହେ ମୂଷିକବାହନ,

ତୁମ୍ଭର ବାହନ ବୋଲି,

ନ କହେ ମୁଁ ଟାଣେ ଖୋଲି ହେ ।୫।

ନାରଖାର କରେ ଘର,

କାଟଇ ପୋଥି ପତର ।

ପେଡିଲୁଗାମାନ ଯେତେ,

କାଟିକୁଟି ଦିଏ କେତେ ହେ ।୬।

ଆମ୍ଭ ଖାଦ୍ୟଦ୍ରବ୍ୟମାନ,

ରଖିଲେ ହେଁ ସାବଧାନ ।

କରେ ଛେଦନ ଚର୍ବଣ,

ଅନବରତେ ହରଣ ହେ ।୭।

ଆପଣ କର ବିଚାର,

ହେଲା ବଡ ଅନ୍ୟାଚାର ।

ପିଲାଏ ଦେବେ ପ୍ରହାର,

ଅଛି କି ଚାରା କାହାର ହେ ।୮।

Image

 

ନୃସିଂହନ।ଥ

 

ହେ ଦେବ ନୃସିଂହନାଥ,

ତବପଦେ ନତ ମାଥ ।

କରୁଣାନେତ୍ରେ ସୁସାରେ,

ଚାହଁ ଏ ଦୁଃଖୀକି ବାରେ ହେ ।୧।

ଦେଖି କାଠଯୋଡ଼ି ଶୋଭା,

ମନହେଲା ବଡ ଲୋଭା ।

କଲ ତା ନିକଟେ ପୀଠ,

ସେବନ୍ତି ଯେ କର୍ମନିଷ୍ଠ ହେ ।୨।

ତବ ଆସ୍ଥାନେ କୁଟିର,

କରିବାକୁ ମନସ୍ଥିର ।

କରିଅଛି କେତେ କାଳୁ,

ଦିନଯାଏ ଟାଳୁଟାଳୁ ହେ ।୩।

ପଣ୍ଡାଙ୍କୁ କହ ବୁଝାଇ,

ଦେବେ ସେ ପତ୍ର ଲେଖାଇ ।

ନୋହିଲେ କି ଅଧିକାର,

ପ୍ରଭୁଙ୍କ ସ୍ଥାନେ କାହାର ହେ ।୪।

Image

 

ସ୍ୱପନେଶ୍ୱର (କଟକ)

 

ହେ ନାଥ ସ୍ଵପନେଶ୍ଵର,

ରହି ନଗର ମଧ୍ୟର ।

ପାଉଅଛ ବହୁସେବା,

ଦେଉଅଛ ଭକ୍ତେ ଲେବା ହେ ।୧।

ମାରୱାଡି ଲୋକମାନେ,

ରଖି ଦୃଢ଼ ଭକ୍ତି ଜ୍ଞାନେ ।

ମସ୍ତକେ ଢ଼ାଳନ୍ତି ଜଳ,

ଅତପବିତ୍ର ନିର୍ମଳ ହେ ।୨।

ନାରିକେଳ ଫଳ ପାଇଁ,

ବଡ ସ୍ନେହ ରହି ଥାଇ ।

ମନକଥା ଲୋକେ ଜାଣ,

ଦିଅନ୍ତି ଯତନେ ଆଣି ହେ ।୩।

ପାଇଲେ ଗଞ୍ଜାଇ ପଣା,

ଆନନ୍ଦରେ ଝିଙ୍କାଟଣା ।

ସୁମିଷ୍ଟ ମୋହନ ଭୋଗ,

ହୋଇଥାଏ ତବ ଯୋଗ ହେ ।୪।

ପୁଞ୍ଜାଏ ଧୁତୁରା ଭଜା,

ପାଇଲେ ତ ବଡ ମଜା ।

ଧନ୍ୟ ଧନ୍ୟ ତୁମ୍ଭ ବଳ,

କଣ୍ଠେ ଭରିଚ ଗରଳ ହେ ।୫।

ଚାରିପାଶେ ତ୍ରିଲୋଚନ,

ତବ ସେବାକାରୀଗଣ ।

ତାଙ୍କୁ ଦାନାପାଣି ଦିଅ,

ଯଶ ପଉରୁଷ ନିଅ ହେ ।୬।

Image

 

ବିଶ୍ୱନାଥ

 

ଆହେ ପ୍ରଭୁ ବିଶ୍ୱନାଥ,

ବହିଅଛ ପଞ୍ଚମାଥ ।

ପନ୍ଦରନେତ୍ର ପକାଇ,

ନ ଦେଖିଲ ଦୁଃଖ କାହିଁ ହେ ।୧।

ମାରୱାଡି ଘର ଖାଲି,

କରି ଖାଅ ରୁଟି ଡାଲି ।

ବଣାବାଟ ଯିବ ଜଣା,

ମେଣ୍ଟିବ ଅନ୍ଧାରକଣା ହେ ।୨।

ମହାଜନମାନଙ୍କର,

ଅର୍ଥେ ହେଲା ପକାଘର ।

ଆଉ କେଉଁ କଥା ଲେଖା,

ବିପଦେ ନ ଦିଅ ଦେଖା ହେ ।୩।

ଶିବରାତ୍ର ଉଜାଗରେ,

ଜଗିବସୁଁ ତୁମ୍ଭ ଘରେ ।

ଚୋର ତସ୍କରାଙ୍କ ଭୟ,

କରିଥାଉଁ ଅନ୍ତରାୟ ହେ ।୪|

ଶ୍ମଶାନେ କରିବ ସଙ୍ଗୀ,

ଭାବିଅଛ ମନେ ରଗି ।

କ୍ଷମତାବନ୍ତ ଆପଣ,

ଯା ଇଚ୍ଛା କରିବ ପଣ ହେ ।୫।

ଭସ୍ମକୁ ମାଇଲେ ମୁଣ୍ଡ,

ଉପରେ ପଡଇ ଗୁଣ୍ଡ ।

କର ତ ଭସ୍ମ ଲେପନ,

ଗାତ୍ରେ ତ୍ରିପୁରଦହନ ହେ ।୬।

ତବ ପ୍ରାଣ ବଡ ଟାଣ,

ଗଳେ ଅଛି ବିଷବାଣ ।

ରାଜ୍ୟେ ହେଲା କୋଳାହଳ,

ଦିଅ ବେଗେ ହଳାହଳ ହେ ।୭।

ଲିଭାଇ ଜୀବନଦୀପ,

ଯିବୁଁ ପ୍ରଭୁଙ୍କ ସମୀପ ।

ଏ ଦାନାକଷ୍ଟ ଯନ୍ତ୍ରଣା,

ଲୋକରେ ନଯିବ ଗଣା ହେ ।୮।

Image

 

ଅମରେଶ୍ଵର

 

ହେ ପ୍ରଭୁ ଅମରେଶ୍ଵର,

ପାଶେ ରଖିଛ କବର ।

ଶ୍ମଶାନତ ତୁମ୍ଭ ଘର,

କି ସମାଲୋଚନା ତାର ହେ ।୧।

ଚାଉଳ ମହାର୍ଘ୍ୟ ବଡ,

ରଖିଲେଣି ଲୋକେ ଧଡ

କାନ୍ଥ ବାଡକୁ ଆଉଜି,

ଯାଉଛନ୍ତି କୁଜାକୁଜୀ ହେ ।୨।

ଦେଶେ ଦୃଷ୍ଟିପାତ କର,

କି ହେଲା ହାଟ ବଜାର ।

ବିପଣୀ ମଧ୍ୟରେ ରହି,

ଏତକ ତ କଲ ନାହିଁ ହେ ।୩।

ଚାଉଳିଆ ମୁଦିଗଣ,

ଭାଉ କଲେ ଘନ ଘନ ।

ଏତେ ଚଢ଼ା ବୃଦ୍ଧି ଧରି,

କିଣିବୁଁ ଆମ୍ଭେ କିପରି ହେ ।୪।

ଅଷ୍ଟଶମ୍ଭୁଙ୍କୁ ତୁମ୍ଭର,

ପଠାଇଦିଅ ଖବର ।

ଅନ୍ନଜଳେ ମିଳେ ଫାଙ୍କି,

ଦେଶରେ ପକାନ୍ତୁ ଆଖି ହେ ।୫।

Image

 

ଗଡ଼ଗଡ଼ିଆ ମହ।ଦେବ

 

କିବା କହିବି ମହିମା,

କାର୍ତ୍ତିକମାସ ପୂର୍ଣ୍ଣିମା ।

ତିଥିରେ ଯେ ଯାତ୍ରା ହୁଏ,

ଦେଖି କେ ପ୍ରସନ୍ନ ନୁହେଁ ହେ ।୧।

କଟକ ବାଣିଜ୍ୟସ୍ଥାନ,

ଦିଶେ ଗୋଲାଘରମାନ ।

ଶିବ କର ଅନୁମାନ,

ଚଳେ ଯେତେ ଜଳଯାନ ହେ ।୨।

ସ୍ଥିରମନରେ ବିଚାରି,

ଏକଥା ତ୍ରିଶୁଳଧାରୀ ।

ଦାନା ମୁଠାକ ଆମ୍ଭର,

ରଖିବ ଦେଶ ଭିତର ହେ ।୩।

ଉତ୍ତରପାଖ ରକ୍ଷକ,

ହେ ପ୍ରଭୁ ତ୍ରିପୁରାନ୍ତକ ।

ତୁମ୍ଭେ ଦେବ ଚୂଡାମଣି,

ରକ୍ଷକ ମଧ୍ୟେ ଅଗ୍ରଣୀ ହେ ।୪।

Image

 

କ।ମନ।ନିଧି

 

ହେ ଦେବ କାମନାନିଧି,

ତୁମ୍ଭେ କର କାର୍ଯ୍ୟ ସିଦ୍ଧି ।

ଏଯୋଗୁଁ ତୁମ୍ଭର ପାଶ,

ଲୋକେ କରିଥାନ୍ତି ଆଶ ହେ ।୧।

ଚାରିପାଶେ ଖ୍ରୀଷ୍ଟିଆନ,

ମଧ୍ୟେ ଅଛି ବ୍ୟବଧାନ ।

ତୁମ୍ଭର ନିଗୂଢ଼ ସ୍ଥାନ,

ଉପୁଜାଏ ଭକ୍ତିଜ୍ଞାନ ହେ ।୨।

ମୁଁ ଅଛି ଘୋର ସଂକଟେ,

ମୋ କାର୍ଯ୍ୟ ସାଧ ଛଟକେ ।

ନୋହିଲେ ହେବି ଅନାଥ,

ନିନ୍ଦା ନେବ କାଶୀନାଥ ହେ ।୩।

Image

 

କରମଙ୍ଗାମଠ

 

କରମଙ୍ଗାମଠ ଶିବ,

କୁଶଳରେ ରଖିଥିବ ।

ତୁମ୍ଭଙ୍କୁ ଏହି ମାଗୁଣି,

ଅନ୍ନଜଳ ଦିଅ ପୁଣି ହେ ।୧।

ଡୋର କୌପୀନ ବସନ,

ବ୍ୟାଘ୍ର ଛାଲଟି ଆସନ ।

ଏହି ଟି ସୁନ୍ଦର କଥା,

ଆଡମ୍ବରଶୂନ୍ୟ ପ୍ରଥା ହେ ।୨।

ଭଟ୍ଟନିର୍ମିତ ଦେଉଳେ,

ଆସନ ଭିଡି ବର୍ତ୍ତୁଳେ ।

ଯୋବରା କଳକୁ ଚାହିଁ,

ବସି ରହିଛ ଗୋସାଇଁ ହେ ।୩।

ବକସୀବଜାରେ ଜ୍ଞାନୀ,

ଜନମାନେ ବଡ ମାନି ।

ପାଟ ଅରଣା ମାର୍ଜନା,

କରନ୍ତି ସେବା ଅର୍ଚ୍ଚନା ହେ ।୪।

କିଞ୍ଚିତେ ନ କରି ଉଣା,

ମୋଠାରେ କର କରୁଣା ।

ପର୍ବତ ସମାନ ଯଶ,

ଲଭିବଟି କୃତ୍ତିବାସ ହେ ।୫।

Image

 

ମାତ।ମଠ

 

ଚୂନ ଲାଗି ନିରିମଳ,

ଦିଶଇ ଅତି ସୁଢ଼ଳ ।

ଅଛି ମହାନଦୀକୂଳ,

ମାତା ନିର୍ମିତ ଦେଉଳ ହେ ।୧।

ରାଧାକୃଷ୍ଣଙ୍କ ସ୍ଥାପନେ,

ନିତ୍ୟ ସୁଖୀ ଦରଶନେ ।

ରାଧାକୃଷ୍ଣ ଦେଲେ ଛାୟା,

ରକ୍ଷା ହେବ ସର୍ବ କାୟା ହେ ।୨।

ବୁଢ଼ୀମାତା ଭିକ୍ଷା ଝୁଲି,

ଧରି ନଗରରେ ବୁଲି ।

କଲେ ଧର୍ମଶାଳାପୁରୀ,

ଧନ୍ୟ ତାହାଙ୍କ ଚାତୁରୀ ହେ ।୩।

Image

 

ସିଦ୍ଧନାଥ

 

କନିକା ରାଜବାଟୀର,

ନିକଟେ ତବ ମନ୍ଦିର ।

ଘାଟବନ୍ଧା ପୁଷ୍ପରିଣୀ

ନେଉଅଛି ମନ କିଣି ହେ ।୧।

ବେଢ଼ାମଧ୍ୟ କୂପଜଳ,

ଦୁଧପରି ନିରିମଳ ।

ଗୁବାକ ନାରିକେଳରେ,

ପୀଠ କେଡେ ଶୋଭାଧରେ ହେ ।୨।

ପାଶେ ହନୁମାନଙ୍କର,

ଥିଲା ମନ୍ଦର ସୁନ୍ଦର ।

କାଳସ୍ରୋତେ ଗଲା ଭାସି,

ଜାଣିଅଛ କାଶୀବାସୀ ହେ ।୩।

ସୁଦୟା କର କିଞ୍ଚିତେ,

ସିଦ୍ଧନାଥ ଲୋକହିତେ ।

ଶ୍ରୀପାଦୋଦକ ସେଚନ,

କରାଇ ରଖ ଚେତନ ହେ ।୪।

କ୍ଷୀରୋଦ ନାମେ ବାବାଜୀ,

ଲୋକଙ୍କୁ କରାଇ ରାଜି ।

ବିଶେଷେ କରି ସାଧନା,

ଏ ପୀଠ କଲେ ମାର୍ଜନା ହେ ।୫।

ଦେବତାଙ୍କୁ ସ୍ଵର୍ଗବାସ,

ମନେ ରଖ କୃତ୍ତିବାସ ।

ପ୍ରାଙ୍ଗଣର କରମଙ୍ଗା,

ପକ୍ଷେ ନୋହୁ ମନଭଙ୍ଗା ହେ ।୬।

Image

 

ପାରେଶ୍ଵର ମହ।ଦେବ

 

ମରାଦପାଟଣା ପାଶ,

କରିଅଛ ପ୍ରଭୁ ବାସ,

ଚାରିପାଶେ ଅଷ୍ଟପଡା,

ମଧ୍ୟରେ ତବ ଆଖଡା ହେ ।୧।

ବିପଦରୁ ପାର କର,

ପାରେଶ୍ଵର ନାମ ଧର ।

ମୁଁ ତ ପଡିଛି ଆପଦେ,

ଶୁଣୁ ନାହଁ ମୋର ପଦେ ହେ ।୨।

ପବନ ଗତି ପ୍ରକଟ,

ଚଳଇ ରେଳଶକଟ ।

ଦିନରାତି ବାରବାର,

କରୁଛ ନେତ୍ରଗୋଚର ହେ ।୩।

ଶୁଣି ଶବଦ ଘର୍ଘର,

କାନ ତବଦା ତୁମ୍ଭର ।

ଦୁଃଖୀଜନ ଆର୍ତ୍ତନାଦ,

ଶ୍ରବଣରେ ପଡେ ବାଦ ହେ ।୪।

Image

 

ଚନ୍ଦ୍ରଶେଖର ମହାଦେବ

 

ସ୍ନେହଥାଏ ବଡ ତବ,

ବେଲ୍ୱବୃକ୍ଷେ ଉମାଧବ ।

ବେଲପତ୍ରି ଗଣି ଗଣି,

କରାଅ ଶିର ମଣ୍ଡଣି ହେ ।୧।

ଚମ୍ପକ ତରୁର ଗୁଣ,

ବଖାଣିବି ଏଥି ପୁଣ ।

ତବ ସ୍ନେହ ଥିବା ଜାଣ,

ନଗରର ଜନପ୍ରାଣୀ ହେ ।୨।

ତୁମ୍ଭ ନିର୍ମଳ ସରରେ,

ସ୍ନାନ ସାରି ପବିତ୍ରରେ ।

ସୁଗନ୍ଧ ପୁଷ୍ପ ଚନ୍ଦନ,

କରନ୍ତି ଶିରମଣ୍ଡନ ହେ ।୩।

ବିଶେଷେ ଚମ୍ପକଫୁଲ,

ତବ ପାଶେ ବହୁ ମୂଲ ।

ଦିଅନ୍ତ ଚୂଳେ ମଣ୍ଡାଇ,

ସୁବାସ ପାଇବା ପାଇଁ ହେ ।୪।

ପନସ ନାରିକେଳରେ,

ସୁବୃକ୍ଷ ଫୁଲଫଳରେ ।

ଶୋଭିତ ବେଢ଼ା ପ୍ରାଙ୍ଗଣ,

ଦର୍ଶକ ମନହରଣ ହେ ।୫।

ଇଚ୍ଛା ହୁଏ ମୋର ନିତି,

ପାଇଲେ ପାର୍ବଣତିଥି ।

ସନ୍ନିଧାନେ ଦରଶନ,

କରି ଯିବି ପଞ୍ଚାନନ ହେ ।୬।

Image

 

ଯୁଗଳ କିଶୋର

 

ପ୍ରଭୁ ଯୁଗଳକିଶୋର,

ନଯିବ ମନୁ ପାଶୋର ।

ପଡିବ ଯା ନେତ୍ର ଥରେ,

ତୁମ୍ଭ ଆସ୍ଥାନ ଉପରେ ହେ ।୧।

ବଡରମ୍ୟ ତପୋବନ,

ମଜ୍ଜେ ଦର୍ଶକ ନୟନ ।

ବହୁ କାଳୁଁ କୀର୍ତ୍ତି ମୂର୍ତ୍ତି,

ସ୍ଥିତି, ମିଳେ ରାଜବୃତ୍ତି ହେ ।୨।

ଶେଷେ ମୋ ଏହି ପ୍ରାର୍ଥନା,

ହୋଇଣ ଉତ୍ସୁକମନା ।

ଯୁଗଳକିଶୋର ଦେବ,

ଦେଶରକ୍ଷା ଭଲ ହେବ ହେ ।୩।

Image

 

ଗଙ୍ଗେଶ୍ଵର

 

ଗଙ୍ଗାମନ୍ଦିରରେ ଘର,

କରିଅଛ ଗଙ୍ଗେଶ୍ଵର ।

ଗଙ୍ଗାମନ୍ଦିର ପୋଖରୀ,

ନଗରରେ ମନୋହରୀ ।୧।

ଗିରିବଇଷ୍ଣବମାନେ,

ତବ ପୀଠ ସନ୍ନିଧାନେ ।

ଲାଟମନ୍ଦିରକୁ ମାଡି,

କରିଥିଲେ ମଠ ବାଡି ହେ ।୨।

ଆର୍ତ୍ତେ ଡାକେ ଗଙ୍ଗେଶ୍ଵର,

ମସ୍ତକରେ ଗଙ୍ଗାଧର ।

ଦିଅ ହେ ଜଳକଣିକା,

ସୁଯଶ ରହୁ ଅଧିକା ହେ ।୩।

ମଧ୍ୟସ୍ଥଳ ଅଧିକାରୀ,

ହୋଇଅଛ ତ୍ରିପୁରାରି ।

ନଗରରୁ ଭୋଗରାଗ,

ପାଇ କାହଁକି ବିରାଗ ହେ ।୪।

Image

 

ର।ଜବଗିଚାର ମହାଦେବ

 

ରାଜବଗିଚାର ଶିବ,

କିଞ୍ଚିତେ ଦୟା ରଖିବ ।

ଯାଇଅଛି ବହୁତର,

ଆଶ୍ରମକୁ ଗଙ୍ଗାଧର ହେ ।୧।

ଥିଲେ ଏକ କାଶୀବାସୀ,

ତବ ସନ୍ନିଧାନେ ଆସି ।

କାଠଯୋଡ଼ି ସ୍ରୋତେ ଭାସି,

ଗଲେ ଅଛି ଶିଳାରାଶି ହେ ।୨।

ଉତ୍କଳମହୁଡମଣି,

ମହାରାଜ ବଡ ଗଣି ।

ଆସିଥାନ୍ତି ତବପାଶେ,

ଦର୍ଶନ କରିବା ଆଶେ ହେ ।୩।

ଆର୍ତ୍ତେ ନାବିକ ଡାକନ୍ତି,

ସ୍ରୋତେ ନଉକା ଚାଳନ୍ତି ।

ସହାୟ ହୁଅ ଆପଣ,

ନୋହିଲେ କାହାର ପଣ ହେ ।୪।

ଚର୍ମଧାରୀ ତୁମ୍ଭେ ଶିବ,

ଚମଡା କାର୍ଖାନା ଥିବ ।

ଅସୁଖୀ ପଥୁକିମାନେ,

କାଜିପାଟଣାର ଜନେ ହେ ।୫।

Image

 

କୁସୁମେଶ୍ୱର

 

ହେ କୁସୁମେଶ୍ୱର ଶିବ,

ମୋରେ ଦୟା ରଖିଥିବ ।

ମହାନଦୀକୁଦ ଚାହିଁ,

ଆସ୍ଥାନ ଦେଲେ ସଜାଇ ହେ ।୧।

ଜମିଦାର ଘର ପକା,

ସାମନାରେ ଯାଏ ଦେଖା ।

ଫକୀର ଦାସଙ୍କ ମଠ,

ତବ ପୀଠର ନିକଟ ହେ ।୨।

କପାଳବଳରେ ଯୋଗ,

କେତେ ଖାଅ ବାଳଭୋଗ ।

ଜଗତପୁର ଗ୍ରାମ ଜନ,

କରନ୍ତି ମେଳା କୀର୍ତ୍ତନ ହେ ।୩।

ଆଡମ୍ବରେ ଲୀଳା ନାଟ,

କରିଥାନ୍ତି ହରିହାଟ ।

ପାଶେ ନାହିଁ ଦେବସ୍ଥାନ,

ତେଣୁ ବଢ଼େ ପାଅ ମାନ ହେ ।୪।

Image

 

ପରମହଂସନାଥ

 

ହେ ପରମହଂସନାଥ,

ଶତବାର ପ୍ରଣିପାତ ।

କାଠଯୋଡ଼ିନଦୀ ଦାଢ଼ୀ,

ବାଲି ଧରଣୀକି ମାଡ଼ି ହେ ।୧।

ରଖିଚ ଦିବ୍ୟଆସ୍ଥାନ,

କରୁଛ ଭୋଜନ ପାନ ।

ରସଗୋଲା ଲତୁ ପେଡା,

କଦଳି ନଡିଆ ଫେଡା ହେ ।୨।

ଉପାଦେୟ ସରପଣା,

ଭାଙ୍ଗ ମଶଲାରେ ଛଣା ।

ମନ୍ଦିର ପୂର୍ବ କାହାଣୀ,

ଯାହା ଶୁଣିଅଛି ଜାଣି ହେ ।୩।

ପ୍ରବାଦ ରହଛି ଯାହା,

ଏପରେ ବର୍ଣ୍ଣିବି ତାହା ।

ହାତୀ ଚଢ଼ି ରାଜା ଥରେ,

ବୁଲୁଥିଲେ ଏହି ଠାରେ ହେ ।୪।

ବାଲିରେ ହାତୀର ପାଦ,

ବୁଡ଼ି ନ ଉଠେ ପ୍ରମାଦ ।

ରାଜାଙ୍କୁ ହେଲା ସ୍ଵପନ,

ଦେଉଳ କର ଗଠନ ହେ ।୫।

ରାଜା ଗଢ଼ିଲେ ଦେଉଳ,

ଗଳିପଡଇ ପାତାଳ ।

ବହୁତ କଲେ ବିନତି,

ପ୍ରସନ୍ନରେ ଦୁର୍ଗାପତି ହେ ।୬।

ଦେଲ ଏମନ୍ତ ଆଦେଶ,

ଶୁଣ ଉତ୍କଳନରେଶ ।

ଦେଉଳର ଉଭା ଯେତେ,

ପୋତା ସେ ରହିବ ତେତେ ହେ ।

ପ୍ରଭୁଙ୍କ ଆଜ୍ଞା ଯେମନ୍ତ,

ରାଜନ କଲେ ତେମନ୍ତ ।

ଏ ମୋଟ ଉଚ୍ଚ ସୁଢ଼ଳେ,

ଦେଉଳ କାହିଁ ମଣ୍ଡଳେ ହେ ।୮।

ହେ ନାଥ କର ସୁଦୟା,

ଭଲ ହେଉ ମୋର କାୟା ।

ପାଇବି ଶ୍ରୀପାଦୋଦକ,

ଜୀବନ ହେବ ସାର୍ଥକ ହେ ।୯।

Image

 

ପଟିଆ ସୋମନାଥ

 

ପ୍ରତିଷ୍ଠିତ ପଞ୍ଚମାଥ,

ଆହେ ଦେବ ସୋମନାଥ ।

ପଲ୍ଲୀରେ ଆଖଡା କରି,

ବିରାଜିଛ କାମ ଅରି ହେ ।୧।

କରାଇ ଫୁଲ ମାଜଣା,

ପୀଠରେ ଦେଲେ ଧାରଣା ।

ନ ରହେ ବ୍ୟାଧିଗଂଜନା,

ମହିମା ପଡ଼ଇ ଜଣା ହେ ।୨।

ଅନ୍ଧ ପାଏ ଚକ୍ଷୁଦାନ,

ଅପୁତ୍ରିକ ପୁତ୍ରବାନ ।

ଗରିବଙ୍କୁ ଦିଅ ଦାନା,

ଉଡୁଅଛି ତବ ବାନା ହେ ।୩।

ମଣ୍ଡାଇ ପୁଷ୍ପ ଚନ୍ଦନ,

ଖଞ୍ଜାଇ ନାଗବନ୍ଧନ,

କରିଥାନ୍ତି ଜଳାଶାୟୀ,

ରକ୍ତ ଇଚ୍ଛା ଅନୁଯାୟୀ ହେ ।୪।

କେ ନେଇ ପୁଲ ଗଇଶ,

ମସ୍ତକେ ମଣ୍ଡେ ଗିରୀଶ ।

ସୁନିଷ୍ଠ ସୁବିଚକ୍ଷଣ,

ତୁମ୍ଭର ସେବକଗଣ ହେ ।୫।

ହର ହେ ମୋ ଦୁଃଖ ହର,

ହେଉଛି ବଡ କାତର ।

ନ ହୁଅ ଆଉ ନିଷ୍ଠୁର,

ତରତର କର ଦୂର ହେ ।୬।

Image

 

ଲଖ୍ୟେଶ୍ୱର

 

ବରିମୁଣ୍ଡା ଲଖ୍ୟେଶ୍ୱର,

କର୍ଣ୍ଣ ଡେରି ଶୁଣାକର ।

କୁଆଖାଇ ନଦୀ ଛାଡ଼ି,

ରଖାଇଛ ଚଉପାଡି ହେ ।୧।

ପୀଠ ଅତି ମନୋହର,

ରସାଳତୋଟା ପାଶର ।

କଟକରୁ ବହୁଜନ,

ଆସି କରନ୍ତି ଦର୍ଶନ ହେ ।୨।

ମୋର ଲଖ୍ୟ ଲଖ୍ୟେଶ୍ଵର,

ରହଛି ପାଶେ ତୁମ୍ଭର ।

କଷ୍ଟରୁ କରିବ ପାରି,

ତେଜବଳେ ବୃତ୍ରହାରି ହେ ।୩।

Image

 

ଜଳେଶ୍ୱର

 

ଆହେ ପ୍ରଭୁ ଜଳଶ୍ଵେର,

କଳାରାହାଙ୍ଗରେ ଘର ।

ପୋଖରୀ ଅଧେ ପୋତାଇ,

ଦେଉଳ ଦେଲ ନିର୍ମାଇ ହେ ।୧।

ବୋଲନ୍ତି ବହୁ ବିବେକ,

ଲିଙ୍ଗରାଜ କଳା ଏକ ।

ରହିଛି ତବ ଦେହରେ,

ବିଶ୍ୱାସ ଅଛି ଲୋକରେ ହେ ।୨।

ପୂବେ ପଟିଆରାଜନ,

ଭୁବନେଶ୍ୱରେ ଗମନ ।

ଲିଙ୍ଗରାଜେ ପ୍ରଣିପାତ,

ନକଲେ ନ ଖାନ୍ତି ଭାତ ହେ ।୩।

ଦିନେ ହେଲା ଘୋର ଝଡ଼ି,

ନଈନାଳ ଗଲା ବଢ଼ି ।

ଭାବନାରେ ନୃପରାଣ,

ନ କଲେକ ଜଳପାନ ହେ ।୪।

ରାତ୍ରିରେ ହେଲା ସ୍ଵପନ,

ଶୁଣ ଶୁଣ ହୋ ରାଜନ ।

ମୁ ଅଛି ଜଳଭିତର,

ନାମ ଦେବ ଜଳେଶ୍ୱର ହେ ।୫।

ପୋଖରୀ ଅଧେ ପୋତାଇ,

ଦେଉଳ ଦିଅ ନିର୍ମାଇ ।

ଏହିଠାରେ ଦରଶନ,

ନିତି କରିବ ରାଜନ ହେ ।୬।

ଆନନ୍ଦେ ଛାଡ଼ିଲା ଭୋକ,

ପଳାଇଲା ହୃଦଶୋକ ।

ଉଠିଲେ ଧରା ନାୟକ,

ପଡିଲାକ ଡାକହାକ ହେ ।୭।

ମିଳି ପାତ୍ରମନ୍ତ୍ରୀ ଦଳ,

ଆଦେଶେ କଲେ ସକଳ ।

ସେହି ଦିନୁ ଜଳେଶ୍ୱର,

ପ୍ରତାପ ଚଳେ ପ୍ରଖର ହେ ।୮।

Image

 

ଗୋପୀନାଥ

 

ଗୋପୀନାଥପୁର ଗ୍ରାମ,

ଅଟେ ତବ ରମ୍ୟ ଧାମ ।

ଶାସନ ବ୍ରାହ୍ମଣମାନେ,

ଆସିଥାନ୍ତି ସନ୍ନିଧାନେ ହେ ।୧।

ଆହେ ଦେବ ଗୋପୀନାଥେ,

ରଖିଥିବ ମତେ ସାଥେ ।

ପୁରାକାଳ ଇତିହାସ,

ଭିତ୍ତିରେ ଅଛି ପ୍ରକାଶ ହେ ।୨।

ପ୍ରତ୍ନତତ୍ତ୍ୱ ବେତ୍ତାମାନେ,

ଲେଖନ୍ତି ତା ସାବଧାନେ ।

ବଙ୍ଗଦେଶର ପଣ୍ଡିତ,

କରିଥିଲେ ତା ଚିତ୍ରିତ ହେ ।୩।

ମନ୍ଦିର ସମ୍ମୁଖେ ସର,

ସୁପ୍ରଶସ୍ତ ମନୋହର ।

ଫୁଟିଥାଏ କଇଁଫୁଲ,

ଶୋଭା କାହିଁ ସମତୁଲ ହେ ।୪।

ଗ୍ରାମାନ୍ତରେ ଅତିବଡୀ,

ମଠ ରଖିଛନ୍ତି ଗଢ଼ି ।

ଶାଳଗ୍ରାମ ଶିଳା ଯେତେ,

କଠାଉ ରହିଚି କେତେ ହେ ।୫।

ବାରଷିକ ମହୋତ୍ସବ,

ଲୋକଙ୍କର ଅନୁଭବ ।

ହେବାରୁ ବିକୃତ ଗତି,

ସରୁଚି ଭୂମିସମ୍ପତ୍ତି ହେ ।୬।

Image

 

ଚାଟେଶ୍ଵର

 

ଅଟଇ ନାମ ମଧୁର,

ପାଶେ ମହାସିଂହପୁର ।

ଖୋଲାସା ବଡ ମନ୍ଦିର,

ଚାରିପାଶରେ ପ୍ରାଚୀର ହେ ।୧।

ସମ୍ମୁଖରେ ସରୋବର,

ଶୋଭା ପାଏ ଚାଟେଶ୍ଵର ।

ଦର୍ଶନ କରିଛି ଥରେ,

ହର କ୍ଲେଶ ସତ୍ଵରରେ ହେ ।୨।

ତୁମ୍ଭର କପାଳ ଯୋଗ,

ସପୁରି ଫନସ ଭୋଗ ।

ଚମ୍ପାବାସ କଦଳୀରେ,

ଅମୃତରସାବଳୀରେ ହେ ।୩।

ପୂରିଥାଏ ପେଟପାଟି,

ବାସନା ଯାଏ ଚହଟି ।

ବୁଝ ନିଜ ପେଟ କଥା,

ନ ବୁଝ ଆମ୍ଭ ବ୍ୟବସ୍ଥା ହେ ।୪।

ଯୋଗପାଇ ସାଧାରଣ,

ପ୍ରାଙ୍ଗଣ ପାଶ ଦଲାଣ,

କଲେ ଏଥି ପ୍ରତିଷ୍ଠିତ,

ପୂର୍ବେ ନିମାଇଁ ପଣ୍ଡିତ ହେ ।୫।

Image

 

ନୃସିଂହନାଥ (ସରସ୍ୱତୀ)

 

ଆହେ ଶ୍ରୀ ନୃସିଂହନାଥ,

ଶ୍ରୀଚରଣେ ନତ ମାଥ ।

ଦରଶନ ଆଉ ଥରେ,

ଘଟାଇବ ମୋ ଭାଗ୍ୟରେ ହେ ।୧।

ବହୁତ ଭୂମିସମ୍ପତ୍ତି,

ଚଳୁଚି କି ନୀତିକାନ୍ତି ।

ମୁ ଶୁଣେ ଭିନ୍ନ ପ୍ରକାର,

ଏ କଥା କାହିଁକି କର ହେ ।୨।

ନିଜ ବିଷୟ ମାଗଣା,

ନ କରୁଛ ବୁଝାମଣା ।

ଭଦ୍ରଜନେ କରି ଚର୍ଚ୍ଚା,

ବଞ୍ଚାଇବ ବାଳବଚା ହେ ।୩।

ଶ୍ରୀ ବ୍ରଜମୋହନ ରାଣା,

କରୁଥିଲେ ବିଚାରଣା ।

କି କରିଛନ୍ତି ସାଧନ,

ଜାଣିଲେ ମାନିବ ମନ ହେ ।୪।

ନରସିଂହରୂପ ଧାରୀ,

ଶୁଣ ଅସଲ ଗୁହାରୀ ।

କୋଠଭୋଗର ପ୍ରସାଦ,

ପାଇବି ଅଛି ମୋ ସାଧ ହେ ।୫।

Image

 

ସ୍ୱପନେଶ୍ୱର

 

ସ୍ଵପନେଶ୍ୱର ମୋ କଥା,

ଶୁଣି ଟେକି ଦିଅ ମଥା ।

ତୁମ୍ଭର ଶୁକଳମଠ,

ବିରାଜୁଛି ଝଟଝଟ ହେ ।୧।

ସଠୁଆପୁର ଗ୍ରାମରେ,

ବସ କେଦାର ମଧ୍ୟରେ ।

କୃଷକମାନଙ୍କ କ୍ଷେତ,

ରକ୍ଷାପାଇଁ ଉଡେ ନେତ ହେ ।୨।

ପାଶେ ଯିବି କେତେ ଥର,

ଭାବିଚି ମୋର ମନର ।

ମୁକାମ ସହର ଠାରୁ,

ଯା ଦେଖିଛି ମୋ ଭାଗ୍ୟରୁ ହେ ।୩।

ସମ୍ବଲପୁରୀ ବେଭାର,

କରୁଥିଲେ ରୋଜଗାର ।

ଗୋଟିଏ ବିବେକୀ ଜନ,

ଦେଉଳ କଲେ ନିର୍ମାଣ ହେ ।୪।

ଦେଲେ ସେ ଭୋଗ ଖଞ୍ଜଇ,

ନିଯୋଗମାନ ରଖାଇ,

ଦେବ ତାଙ୍କୁ ସ୍ଵର୍ଗବାସ,

ମୋର ଭିକ୍ଷା କୃତ୍ତିବାସ ହେ ।୫।

Image

 

ବ୍ୟାସ ସରେ।ବର

 

ରେଳଗାଡ଼ି ପରେ ଥାଇ,

ବ୍ୟାସ ସରୋବର ଠାଇଁ ।

ଦେଖିଛି ଦିଶେ ମଂଜୁଳ,

ଗୋଟିଏ ଚକି ଦେଉଳ ହେ ।

ସେ ଦେବ ପାଶେ ଧାରଣା,

ହରିବେ ଘୋର ଯାତନା ।

ବାସନା ଅଛି ମନରେ,

ମେଳା ଦେଖିଯିବ ଥରେ ହେ ।୨।

Image

 

କପାଳ ମୋଚନ

 

ଆହେ କପାଳ ମୋଚନ,

ପାତାଳେ କଲ ଭବନ ।

ମୋ କପାଳ ଦୁଃଖରାଶି,

ମୋଚନେ ନୁହ ସାହସୀ ହେ ।୧।

ଆହେ ପ୍ରଭୁ ଡେର କର୍ଣ୍ଣ,

କପାଳ କ୍ଲେଶ ମୋଚନ ।

କରିବା ଶକ୍ତି ତୁମ୍ଭର,

ମୋ ପକ୍ଷରେ ଚିନ୍ତା କର ହେ ।୨।

Image

 

ଗନ୍ଧର୍ବନ।ଥ

 

ଚଷାପଡ଼ା ଘାଟପାରି,

ହୋଇ କିଞ୍ଚିତେ ସଂଚାରି ।

ଗଲେ ଦିଶଇ ରୁଚିର,

ଚିତ୍ରେଶ୍ଵରରେ ମନ୍ଦିର ହେ ।୧।

ଜାଗର ଦୋଳ ପୂର୍ଣ୍ଣିମା,

ପର୍ବରେ ବଢ଼େ ଗାରିମା ।

ବହୁଜନ ସମାଗମ,

ଯାତ୍ରା କିବା ମନୋରମ ହେ ।୨।

ମସ୍ତକେ କଳସ କଣା,

ବାଟେ ପଡେ ଜଳକଣା ।

ଗରଳ ଗରମ ଉଣା,

ହୁଏ ବୋଲି ଅଛି ଶୁଣା ହେ ।୩।

ନବାନ୍ନ ଭୋଜନେ ପ୍ରଭୁ,

ସିଦ୍ଧି ରହଥାଏ ସବୁ ।

ସାତପାଞ୍ଚ ଗ୍ରାମ ଲୋକେ,

ମିଳିଯାନ୍ତ ଥୋକେ ଥୋକେ ହେ ।୪।

ଏହିଠାରେ ନବଅନ୍ନ,

ଭୋଜନେ ସର୍ବେ ଯତନ ।

କରନ୍ତି ଶିବଦର୍ଶନ,

ପ୍ରଫୁଲ୍ଲେ ଗୃହେ ଗମନ ହେ ।୫।

ଖଞ୍ଜିଛନ୍ତି ଯଜମାନ,

ବାରବାଟି ବାରମାଣ ।

ବାରଗୁଣ୍ଠ ବାରବିଶ୍ୱା,

ତହିଁ ସଂଗେ ଅଛି ମିଶା ହେ ।୬।

ଭକ୍ତଜନ ମନୋରଥ,

କରିଥାଅ ଦେବସାର୍ଥ ।

ଆପଣଙ୍କୁ ମାନେ ବଡ,

ରଖୁବ ମୋହର ଧଡ଼ ହେ* ।୭।

* ଧଡ଼ - ଦେହ

Image

 

କଟକ କାଳୀଠାକୁରାଣୀ

 

ଗୋଟିଏ କ୍ଷୁଦ୍ର ମନ୍ଦିରେ,

ରହିଅଛ ମା ଗୋ ଧୀରେ ।

ମନ୍ଦିର ହେଲେ ହେଁ ଛୋଟ,

କ୍ଷମତାଟି ବଡ ମୋଟ ଗୋ ।୧।

ବୁଝିଛ ଯାର ମରମ,

କରିଛ ତାର କରମ ।

କେ କେତେ ଅନୁସରଣ,

କରିନେଲେ ବଡପଣ ଗୋ ।୨।

ଏବେ କାହିଁକି ଏପରି,

ଭାବ ମନେ ଅଛି ଧରି ।

ତବ ରାଜ୍ୟ ନାରଖାର,

କରେ ଏବେ ଦୁରାଚାର ଗୋ ।୩।

ଦୁର୍ଭିକ୍ଷ ରାକ୍ଷସ ଆସି,

ଦିଏ ଦୁଃଖୀଜନେ ଗ୍ରାସି ।

କର ଗୋ ମାତ କରୁଣା,

ଖାଇବୁ ଭାତ ପୁରୁଣା ଗୋ ।୪।

ନାହିଁ ଏବେ ଛେଦ ଭେଦ,

ତେଣୁ ଜନ୍ମିଲା କି ଖେଦ ।

ପୂର୍ବରେ ଈଶାନ ବାବୁ,

କରୁଥିଲେ କାର୍ଯ୍ୟ ସବୁ ଗୋ ।୫।

ତବ ସୁଖଦୁଃଖମାନ,

କରି ସଦା ଅନୁମାନ ।

କ୍ଷୀରି ଖେଚଡି କରାଇ,

ଦିଅନ୍ତି ମନ ମଜ୍ଜାଇ ଗୋ ।୬।

ଥିଲେ ସେହି ବଡ ବୋଧା,

ପକାଇ ଅସଂଖ୍ୟ ବୋଦା ।

ହାଣ୍ଡି ହାଣ୍ଡି ତରକାରୀ,

ପନ୍ତି ଭୋଜନରେ ସାରି ଗୋ ।୭।

ରଖାଇ ଥିଲେ ଯେ ଟେକ,

କାହଁ ଏବେ ସେ ବିବେକ ।

ମୋର ଅନୁରୋଧ ସାଧ,

ଛାଡିଦିଅ ମନୁ ବାଦ ଗୋ ।୮।

ସାଧ୍ୟମତେ ଚେଷ୍ଟା କରି,

ବୁଝାଇବି ଲୋକ ଧରି ।

ଆମ୍ଭେ ତ ତୁମ୍ଭ କିଙ୍କର,

ବାଦ ନୁହେଁ ଶୋଭାକର ଗୋ ।୯।

ଯାଅ ମାତ ସବୁ ସହି,

ଉଦାର ଭାବକୁ ବହି ।

ଆମ୍ଭକୁ କରୁଣା ଊଣା,

କଲେ ନିନ୍ଦା ଯିବ ଶୁଣା ଗୋ ।୧୦।

Image

 

କଟକ ଚଣ୍ଡୀ

 

ହେ ମାତ କଟକ ଚଣ୍ଡୀ,

ଯଶମୁକୁଟକୁ ମଣ୍ଡି ।

ହୋଇ ଅଛ ଖାଅ ଛେଦ*,

ନ ବୁଝ ଦେଶର ଭେଦ ଗୋ ।୧।

ଲୋକେ ତ ହୋଇଲେ ଖାଁ ଖାଁ,

ତୁମ୍ଭେତ ମାଇଲ ଫାଙ୍କା ।

ଏ ରାଜ୍ୟ ଚଳେ କିପରି,

ବିଚାର ନାହିଁ କାହାରି ଗୋ ।୨।

ଏତେ ଦେବାଦେବୀ ଧରି,

କଷ୍ଟ ପାଏ ବସୁନ୍ଧରୀ ।

ପୂର୍ବପୁରୁଷେ ଆମ୍ଭର,

ଖୁସୁବାସେ ଥିଲେ ଘର ଗୋ ।୩।

ଚଳନେ ହେଲା ଅସାର,

ଏବେ ଆମ୍ଭର ସଂସାର ।

କହୁଛି କରି ବିନୟ,

ହେ ମାତ ହୁଅ ସଦୟ ଗୋ ।୪।

ତବ ଅସୀମ କ୍ଷମତା,

ଧର ଏ ତ୍ରାସକୁ ଛତା ।

ଦେଶେ ରଖ ଭାତଧାନ,

ବଡଯଶ ଶୁଣୁ କାନ ଗୋ ।୫।

ଅନ୍ଧ ବଇରାଗୀ ଆସି,

ତବ ପୀଠସ୍ଥାନେ ବସି ।

ଭିକ୍ଷାରେ କଲେ ତୁମ୍ଭର,

ମନ୍ଦିର କେଡେ ସୁନ୍ଦର ଗୋ ।୬।

ମନେ ପଡେ ଇତିହାସ,

ମରହଟ୍ଟାଙ୍କର ବାସ ।

ଥିଲା ଏଦେଶରେ ଯେବେ,

ଭଲ କରିଥିଲ ତେବେ ଗୋ ।୭।

* ଛେଦ - ମାଂସ ଖଣ୍ତ

Image

 

ଝାଞ୍ଜିରୀମଂଗଳ।

 

କଟକ ପୂର୍ବ ସୀମାରେ,

ବସିଅଛ ଗାରିମାରେ ।

ପାଶରେ ଆମ୍ରକାନନ,

ସୁଷମା କରେ ଧାରଣ ଗୋ ।୧।

ଆମ୍ରବୃକ୍ଷ କୋଟରରେ,

ଥିଲ ମା ପୂର୍ବକାଳରେ ।

ବୁଦ୍ଧମାଳୀ କରି ସେବା,

ପାଉଥିଲା ନିତି ଲେବା ଗୋ ।୨।

ମହାମାରୀ ହେଲେ ଜାତ,

ତୋ ପୀଠ ବଡ ଜାଗ୍ରତ ।

ବହୁଜନ ସମାଗମ,

ବଢ଼େ ମାଜଣା ସମ୍ଭ୍ରମ ଗୋ ।୩।

ରୋଗ ବିନାଶେ ତତ୍ପର,

ଭ୍ରମଣ କରି ନଗର ।

ଆଶ୍ରିତ ସେବକଜନେ,

ଦୟା ରଖିଥାଅ ମନେ ଗୋ ।୪।

ତୁମ୍ଭର ଏବେ ମନ୍ଦିର,

ହୋଇଛି ବଡ ରୁଚିର ।

କଲେ ଜନ ସାଧାରଣ,

ଚାନ୍ଦାରେ ଏହା ଗଠନ ଗୋ ।୫।

ସନ୍ନ୍ୟାସୀଙ୍କର ନିର୍ମିତ,

ପାଶରେ ଅଛି ଶୋଭିତ ।

ଶ୍ରୀ ଗୋପୀନାଥ ମନ୍ଦିର,

ପ୍ରଶସ୍ତ ବେଢ଼ା ପ୍ରାଚୀର ଗୋ ।୬।

ପ୍ରସ୍ତର କୂପଟି ରହି,

ମନ ମୋହୁଅଛି ତହିଁ ।

ଅମୃତ ସମାନ ଜଳ,

ହୃଦୟ କରେ ଶୀତଳ ଗୋ ।୭।

କରନ୍ତି ଆସି ସାଧନ,

ମାନସିକ ଥିଲାଜନ ।

ସୁନାଚିତା ରୂପା ଚିତା,

କପାଳେ କେତେ ମଣ୍ଡତା ଗୋ ।୮।

ପୂର୍ବରେ ଦଧିବାମନ,

ମୂରତି ବିରାଜମାନ ।

ଥିଲେ ତବ ପୂର୍ବପାଶେ,

ଲୁପ୍ତ ହେଲେ ବିଧିତ୍ରାସେ ଗୋ ।୯।

ତାହାଙ୍କ ଗୁଣ୍ଡିଚା ରଥ,

ନଗରେ ଥିଲା ବିଖ୍ୟାତ ।

ପାଉଥିଲେ ଦୁଃଖୀଜନ,

ଦେବଙ୍କ ପ୍ରସାଦମାନ ଗୋ ।୧୦।

କେ ଅଛି ଯୋଗ୍ୟ ସବଳ,

ପୀଠ କରିବ ଉଜ୍ୱଳ ।

ଦେଶ କୀର୍ତ୍ତି ରକ୍ଷା କରି,

ଉନ୍ନତି ମାର୍ଗକୁ ଧରି ଗୋ ।୧୧।

ତୋ ପୀଠେ ରାମନବମୀ,

ଦେଖନ୍ତି ସର୍ବ ଆଗମୀ,

ମନୋହର ଗୀତବାଦ୍ୟ,

ଶ୍ରବଣେ ଲାଭ ଆନନ୍ଦ ଗୋ ।୧୨।

ମୁଁ ଦୁଃଖୀ ଡାକେ କାତରେ,

ଦୟା କର ମୋତେ ଥରେ ।

ଦେବି ଗୋ ରଙ୍ଗତା ଚିତା,

ଶ୍ରୀମତୀ ହେବ ଶୋଭିତା ଗୋ ।୧୩।

Image

 

 

ଭଟ୍ଟାରିକ।

 

ଆଗୋ ମାତ ଭଟ୍ଟାରିକା,

ବଡାମ୍ବା ରାଜ୍ୟ ନାୟିକା ।

ତୁମ୍ଭେ ଅଟ ବଡ ଅମ୍ବା,

ତେଣୁଟି ନାମ ବଡାମ୍ବା ଗୋ ।୧।

ମହାଷ୍ଟମୀ ଦିନ ମେଳା,

ଲାଗିଥାଏ କେତେ ଖେଳା ।

ଛେଦ ପଡେ ରାଶି ରାଶି,

ରକ୍ତନଦୀ ଯାଏ ଭାସି ଗୋ ।୨।

ନୀଳମାଧବଙ୍କ ଘର,

ଏଠାକୁ ଦିଶେ ସୁନ୍ଦର ।

ମହାନଦୀ ଜଳଯାନ,

କରୁଛ ଦେବି ଲୋକନ ଗୋ ।୩।

ଶିଖରୀରେ ପରକାଶି,

ଅଛି ରମ୍ୟ ଗୁମ୍ଫାରାଶି ।

ଯୋଗୀଜନେ ଥାନ୍ତି ବସି

ତପସାଧନରେ ରସି ଗୋ ।୪।

ସୁଖାଦ୍ୟ ଭଳିକି ଭଳି,

ଭୋଗ ଲଗାବନ୍ତି ମାଳୀ ।

ସୁମିଷ୍ଟ ପୁରକାକେରା,

ଖାଇ କେ ନୁହେଁ ଆକେରା ଗୋ ।୫।

କୋମଳ ବଡସିଂହାର,

ଭାଗ୍ୟେ ମିଳେ ସେ ଆହାର ।

କ୍ଷୀରି ଖେଚଡୀର କଥା,

କି କହିବି ଯଥା ତଥା ଗୋ ।୬।

ଧନିଆଁ ସିଦ୍ଧ ମାଉଁସ,

ଅଳ୍ପ ଅଳ୍ପ ଥାଏ ଯୁଷ ।

ଗରମମସଲା ଭରି,

ହାଣ୍ଡି ହାଣ୍ଡି ତରକାରି ଗୋ ।୭।

କମଜା କରନ୍ତି ଲୋକେ,

ମରୁଛନ୍ତି ଏବେ ଶୋକେ ।

ରାଜ୍ୟରୁ ଯାଉ ଏ ଯେନା* ,

ଦେବି କର ମନଘେନା ଗୋ ।୮।

* ଯେନା - ଦୁର୍ଭିଷ

Image

 

 

ବରୁଣାଇ (ବରଣୀୟ।)

 

ଖୋରଧାର ମହାରାଜେ,

ପ୍ରତିକାଳେ ରାଜସାଜେ ।

ଏ ପୀଠକୁ ଆଗମନ,

କରନ୍ତି ଦେବୀ ଦର୍ଶନ ହେ ।୧।

ସୁନ୍ଦର ଗୁବାକବନ,

ସୌମ୍ୟତା କରେ ବର୍ଦ୍ଧନ ।

ଦେବୀଙ୍କ ନାଭିରୁ ଝର,

ଝରୁଅଛି ଝର ଝର ହେ ।୨।

ସେ ଜଳ କୁଣ୍ଡରେ ପଡ଼ି,

ଆସୁଛି ତଳକୁ ଗଡି ।

ପ୍ରବାଦ ବହୁ କାଳର,

ଯେ ଯାହା କରୁ ମନର ହେ ।୩।

ସମୁଦ୍ରଗର୍ଭରୁ ପାଣି,

ଆଣୁଛନ୍ତି ଠାକୁରାଣୀ ।

ନାଭିମାର୍ଗେ ଅତି ଖରେ,

ଦେଉଛନ୍ତି ଭୂଲୋକରେ ହେ ।୪।

ସଂଗେ ଘେନି ଅପସରା,

ଅମରେ ଅମୃତ ଝରା ।

ସ୍ଵର୍ଗରୁ ଆସନ୍ତି ଧୀରେ,

ସୁଗମ୍ଭୀର ରଜନୀରେ ହେ ।୫।

ଗିରି ହୁଏ ଆଲୋକିତ

ବାଇଇ ଘଣ୍ଟା ବାଦିତ୍ର ।

ସୁନ୍ଦରୀ ଅମରାଙ୍ଗନା,

କରନ୍ତି ଶ୍ରୀବନ୍ଦାପନା ହେ ।୬।

ସୁବାସ ଦ୍ରବ୍ୟ ସୁମନ,

ଚହଟାଇ ଦିଏ ବନ ।

ଦିନେ ସୁବୁଦ୍ଧି ସେବକ

ଦେଖିଲା ଏ ଲୀଳାଯାକ ହେ ।୭।

ଅପ୍ସରାମାନେ ମିଳିଲେ,

ଅନ୍ଧପୁଟୁଳୀ ବାନ୍ଧିଲେ ।

ଆମୋଦରେ ଗାନ ଭୁରି-

କଲେ ଗଲେ ସ୍ଵର୍ଗପୁରୀ ହେ ।୮।

ହୁଏ କେତେ କୋଠଭୋଗ

ପଣ୍ଡା ପୂଜାରୀଙ୍କ ଯୋଗ ।

ଦେବୀଙ୍କ ପୁରଇଣ୍ଡୁରୀ

ଆସ୍ୱାଦ ଅତି ମାଧୁରୀ ହେ ।୯।

ଯଜମାନଙ୍କ ସଂଯୁତ

ଉପାଧି ଭୋଗ ବହୁତ ।

କଦଳୀ ଚକଟା ପଣା,

ହାଣ୍ଡି ହାଣ୍ଡି ବଣା ବଣା ହେ ।୧୦।

ନିତି ଖୋରଧା ରାଜନ,

ନୀଳଚକ୍ର ଦରଶନ ।

କରନ୍ତି ଶିଖରୀ ଶିରେ,

ନିର୍ମଳ ପ୍ରଭାତେ ଧୀରେ ହେ ।୧୧।

ଶିଖରୀ ଶିଖରେ ଶିଖୀ,

ନାଚନ୍ତି ବହୁତ ପକ୍ଷୀ,

କଳନାଦେ ପୁରେ ଧରା,

ବଣଜନ୍ତୁ ବନେ ଭରା ହେ ।୧୨।

ଅତି ଉଚ୍ଚେ ଭୀମ ଘରା,

କିବା ଶୋଭନୀୟ ଧରା ।

ପ୍ରସ୍ତର ଚାନ୍ଦନୀ ମାନ,

ହୋଇଛି ଶିଖମଣ୍ଡନ ହେ ।୧୩।

ପଣ୍ଡୁନନ୍ଦନ ପାଣ୍ଡବ,

ଦ୍ରୌପଦୀ ଦେବୀଙ୍କ ଧବ ।

ଭାରତଯୁଦ୍ଧ ପୂର୍ବରେ,

ଥିଲେ ଏ ଗିରିଶିଖରେ ହେ ।୧୪।

ରଜସଂକ୍ରାନ୍ତ ମେଳାରେ,

ଚହଳ ପଡେ ଏଠାରେ ।

ଦେଶୀଲୋକ ବ୍ୟବହାର,

ଦ୍ରବ୍ୟ ହୁଏ କାରବାର ।୧୫।

ସିଦ୍ଧ, ଯୋଗୀ, ଚାଷୀମାନେ,

ରହିଛନ୍ତି ସାବଧାନେ ।

ମହାଦେବୀ ବରୁଣାଇ,

ମୋ ଦୁଃଖ ଦିଅ ହରାଇ ଗୋ ।୧୬।

Image

 

କାକଟପୁର ମଙ୍ଗଳା

 

ପ୍ରସିଦ୍ଧ ପ୍ରାଚୀ ତଟିନୀ,

ତବପୀଠ ସମୀପିନୀ ।

ତୁ ସର୍ବମଙ୍ଗଳା ମାତା,

ବିପଦଭଂଜନେ ରତା ଗୋ ।୧।

ମନ୍ଦିର ବୃହଦାକାର,

ଦେଖିଲେ ତୃପ୍ତି ସଂଚାର ।

ଭକ୍ତ ଜନ ଆଶା ବଢ଼େ,

ବିପଦ ଖଣ୍ଡିବ ଗାଢ଼େ ଗୋ ।୨।

ଚୈତ୍ରର ମଙ୍ଗଳବାର,

ଯାତ୍ରା ହୁଏ ମନୋହର ।

ଚନ୍ଦ୍ରଭାଗା ସ୍ନାନକାଳ,

ପଡେ ଏ ସ୍ଥାନେ ଚହଳ ଗୋ ।୩।

ପୂରିଯାଏ ଦାଣ୍ଡହାଟ,

ପଡ଼େ ଚଳାଚଳ ବାଟ ।

କେ ବିଶେଷ ପ୍ରୟୋଜନେ,

ଯାଉଥିଲେ ବସେ କ୍ଷଣେ ଗୋ ।୪।

ସେବକମାନଙ୍କୁ ସୁଖେ,

ରଖିଚ ମାତ ସମ୍ମୁଖେ ।

ନିସଂଖୁଡୀ ଭୋଗ ପିଠା,

ଖାଇବାକୁ ବଡ ମିଠା ଗୋ ।୫।

କିଣି କେ ବଡ ସିଂହାର,

ସନ୍ତୋଷେ କରେ ଆହାର ।

ଦୋପାଗିଆ ମିଠା ଖଜା,

ଖାଇ କେ କରନ୍ତି ମଜା ଗୋ ।୬।

ତୁମ୍ଭର ଆସ୍ଥାନ ପୁର,

ସକଳ ଭାବେ ମଧୁର ।

ଦର୍ଶକର ତାପ ମୁଞ୍ଚେ,

ପରକାଳ ଦୁଃଖ ଘୁଞ୍ଚେ ଗୋ ।୭।

ଜାଗ୍ରତ ଆମ୍ର କାନନେ,

ଉଭା ଯେ ଲତା ହରଣେ ।

ମହାମହା ତରୁ ରାଜି,

ମେଦିନୀ କି ଅଛି ସାଜି ଗୋ ।୮।

ଅମୃତ ସ୍ଵାଦ ରସାଳ,

ସୁବର୍ଣ୍ଣ ବର୍ଣ୍ଣ ବିଶାଳ ।

ସ୍ଵର୍ଗର ବାସୀ ତ୍ରିଦଶେ,

ଆସନ୍ତି ସେ ଫଳ ଆଶେ ଗୋ ।୯।

ଅଛି ତବ ସମୀପର,

ଦେଉଳୀ ଗାଦି ସୁନ୍ଦର ।

ସାଧୁସନ୍ଥମାନେ ଥୟେ,

ରହନ୍ତି ନିକୁଞ୍ଜାଳୟେ ଗୋ ।୧୦।

ଅତିରମ୍ୟ ତପୋବନ,

ତରୁଲତାରେ ଶୋଭନ ।

ଶାଗୁଆନ ଧାଡି ଧାଡ଼ି,

ରହିଛି ମାଧବୀ ମାଡ଼ି ଗୋ ।୧୧।

ବହେ ମୃଦୁଳ ପବନ,

ଆଣେ ପ୍ରାଚୀର ଜୀବନ ।

ଭଜନ କାଳରେ ପ୍ରାଣ,

ଶୀତଳତା କରେ ଦାନ ଗୋ ।୧୨।

କଦଳୀ ଚୂତ ପନସ,

ଅସଂଖ୍ୟ ବୃକ୍ଷ ସରସ ।

ପକ୍ଷୀଙ୍କ କାକଳି ସ୍ଵନ,

ସତେ କି ସେ ବୃନ୍ଦାବନ ଗୋ ।୧୩।

ଶୁଣି ସମସ୍ତ କାହାଣି,

ମୋର ଦୁଃଖ ନିଅ ଟାଣି ।

ଆର୍ତ୍ତକଷ୍ଟହାରୀସିନା,

ଚକ୍ର ଉଡାବାନା କି ନା ଗୋ ।୧୪।

Image

 

ନାର।ୟଣୀ

 

ଆଗୋ ଦେବି ନାରାୟଣି,

ପାଇଚ ଅମୃତପାଣି ।

ମହାନଦୀ ତୀର ଜାଣି,

ଆସ୍ଥାନ କଲ ଜନନି ଗୋ ।୧।

ଥିଲିଥରେ ମଣ୍ଡପରେ,

ପଡୁଚି ସ୍ମୃତି ପଥରେ ।

ଖେଚେଡି କଲି ରନ୍ଧନ,

ପାଶେ ନଥିଲା ଲବଣ ଗୋ ।୨।

ହୋଇଥିଲା ରାତିଅଧ,

ମନେ କଲି ଲୁଣ ସଧ ।

ମୋର ମନ କଥା ଜାଣି,

ଘଟାଇଲ ଦେବି ଆଣି ଗୋ ।୩।

ମୋର ମାତା ସର୍ବଶୁଭା,

ତୋ ପୀଠେ ହୋଇଲେ ଉଭା ।

ନରାଜ ବନ୍ଧର ଶୋଭା,

ଦିଶୁଥାଏ ମନ ଲୋଭା ଗୋ ।୪।

ନାଚୁଥାଏ ଜଳବିନ୍ଦୁ,

ଖେଳୁଥାନ୍ତି ତଳେ ଇନ୍ଦୁ,

ବଡକଉତୁକ ମନେ,

ମୁଁ ରହିଲି ନିରୀକ୍ଷଣେ ଗୋ ।୫।

ଜଳଚର କ୍ରୀଡାମାନେ,

ଚଳୁଥାଏ ଜଳଯାନ ।

ନାଉରିଙ୍କ ଡାକହାକ,

ପୂରିଯାଏ ନଦୀପାଖ ଗୋ ।୬।

ପାଶରେ ଆମ୍ରଉଦ୍ୟାନ,

ହାଟ ବସେ ଦ୍ରବ୍ୟମାନ ।

ହୁଏ କେତେ କିଣାବିକା,

ଦୁଃଖୀ ଚଳାନ୍ତି ଜୀବିକା ଗୋ ।୭।

ଲାଗିଛି ତବ ବନ୍ଦନେ,

ମୁଁହିଁ ଦୁଃଖୀ ପ୍ରାଣପଣେ ।

ଦୟା କରି ମହାମାୟା,

ରଖିବ ମୋହର କାୟା ଗୋ ।୮।

Image

 

ସରସ୍ୱତି

 

ଆଗୋ ମାତ ସରସ୍ଵତି,

ତବ ପରି ବିଦ୍ୟାବତୀ ।

ନାହିଁ ନାହିଁ ଭୂମଣ୍ଡଳେ,

ତୂମ୍ଭଯୋଗେ ରାଜ୍ୟ ଚଳେ ଗୋ ।୧।

ଦଳଦଳଙ୍କୁ ଶିଖାଅ,

କାର୍ଯ୍ୟକ୍ଷେତ୍ରେ ଛାଡିଥାଅ ।

ଶ୍ରୀପଞ୍ଚମୀ ତିଥି ହେଲେ,

ଦେଖାଦିଅ ଗେଲେ ଗେଲେ ଗୋ ।୨।

ଦେଖିଲେ ତବ ପ୍ରତମା,

ବଢ଼େ ମନେ ସୁଖସୀମା ।

ଭୋଗରାଗ ପୂଜା ସାରି,

ନେଇ ଆଡମ୍ବରେ ଭାରି ଗୋ ।୩।

କରିଥାନ୍ତି ଜଳଶାୟୀ,

ସ୍ଵାମୀ ଘରେ ରହ ଯାଇ,

ମୁଁ ଅଛି ବିପଦ କ୍ଷେତ୍ରେ,

ଚାହିଁବ ପବିତ୍ର ନେତ୍ରେ ଗୋ ।୪।

Image

 

ଲକ୍ଷ୍ମୀ

 

ଖାଲି ହେଲା ଚାହୁଁ ଚାହୁଁ,

ଲକ୍ଷ୍ମୀଙ୍କ ଭଣ୍ଡାର ଆଉ ।

ସରିଗଲା ଭାତ ରୁଟି,

ଖୁଦକୁଣ୍ଡା ହେଲା ଲୁଟି ହେ ।୧।

ପୋଷ ମାତା ଲକ୍ଷ୍ମୀରାଣୀ ।

କର ତାଟକା ଚାହାଣି ।

କି ହେଲା ଏ ଚାଜ୍ୟ ତୋର,

ଛନକା ଲାଗୁଛି ଘୋର ଗୋ ।୨।

ଥରେ ଜଗନ୍ନାଥ ପାଶେ,

କହିଲ ଗର୍ବ ସାହସେ,

ମୁଁ ଯାକୁ ନ ଦେବି ପଡି ।

ତାହାଣ୍ଡି ପଡ଼ିବ ଗଡ଼ି ହେ ।୩।

ସକଳ ଜୀବେ ଆଧାର,

ମୋର ଦେବା ଅଧିକାର,

ଦେଖାଇ ଦେଲ ପିମ୍ପୁଡି,

ଖାଉଥିଲା ସେ ଖୁଦୁଡି ଗୋ ।୪।

ଏ ପ୍ରତିଜ୍ଞା ଗଲା କାହିଁ,

ଦେଉ ନାହିଁ କାହିଁପାଇଁ ।

ଚାଳନେ ଯେବେ ଅକ୍ଷମ,

ଛଡି ଦିଅ ସେହି କାମ ଗୋ ।୫।

ତୁମ୍ଭ ଲାଗି ଏ ସଂସାର,

କିମ୍ପା ହେବ ନାରଖାର ।

ମିଳିଲେ ଅନ୍ୟ ଚାଳକ,

ରଖିବେ ରସାନାୟକ ଗୋ ।୬।

ଉତ୍କଳ ଦେଶର ଜନ,

ମାନଙ୍କର ମାରି ଅନ୍ନ ।

ବସିଅଛ କାହିଁ ପାଇଁ,

ଏ ତ ଭଲ ଦିଶୁ ନାହିଁ ଗୋ ।୭।

କଲେ କେଉଁ ଅପରାଧ,

ସାଧିଅଛ ତୁମ୍ଭେ ବାଦ ।

କି ଜବାବ ଦେଉଅଛ,

ଲାଗିଲୁଁ ତୁମ୍ଭର ପଛ ଗୋ ।୮।

ହୋଇଲା ଆକାଶବାଣୀ,

ଧୀରେ ରହ ଜନ ପ୍ରାଣୀ ।

କିଛି ଦିନ କଷ୍ଟ ସହି,

ରହିଥାଅ ଏହି ମହୀ ହେ ।୯।

କରୁଛୁଁ ଆମ୍ଭେ ବିଚାର,

ଶୀଘ୍ର ହେବ ପ୍ରତିକାର ।

ପ୍ରତ୍ୟେକ ଘରେ ଓଳିଆ,

ରଖିବେ ଜଗାବଳିଆ ହେ ।୧୦।

ବଡ ଚଷାଙ୍କ ନାଳିଆ,

ଭରାଇ ଦେବେ କାଳିଆ ।

ରଖାଇ ଦେବେ ବିହନ,

ବନ୍ଧାଇ ପୁଡ଼ୁଗମାନ* ହେ ।୧୧।

ଜଡା ସୋରିଷ ଫଳିବ,

ତଇଳ କ୍ଲେଶ ମେଣ୍ଟିବ ।

ରବି ଶସ୍ୟ ହେବ କେତେ,

ରଖିବ ଯାହାକୁ ଯେତେ ହେ ।୧୨।

ବାଡ଼ି ଘର ଯିବ ପୂରି,

ଫଳିବ ଭେଡାଟୁପୁରୀ ।

ଢୁଉଢୁଆ ବାଇଗଣ,

ହେବ ପଟୁମାଳେ ବଣ ହେ ।୧୩।

ହାଣ୍ଡି ହାଣ୍ଡି ବଢ଼ାଭାତ,

ବାଣ୍ଟିବ ପିଲାଙ୍କ ହାତ ।

ଖାଇଯିବେ କେତେ ଭାତ,

ସେ ଅତିଥି ଅଭ୍ୟାଗତ ହେ ।୧୪।

ବନ୍ଧୁଜନେ ଆମନ୍ତ୍ରଣ,

କରିଦେବ ଶାଳୀଅନ୍ନ ।

ମନେ ନ ଧର ବିରାଗ,

ଫିଟିବ ସୁଖ ସ୍ଵରଗ ହେ ।୧୫।

କରିବ ଘରକରଣା,

ବାଟ ଛାଡି ନୁହ ବଣା ।

ନହୁଅ ବିକଳ ମନା,

ଦେବବାଣୀ କରେ ମନା ହେ ।୧୬।

କହିଲେ ସଂସାରୀ ଜନ,

ଦେବବାଣୀ ଶୁଣି କର୍ଣ୍ଣ ।

ପଡି ରହି ଅଧାବାଟେ,

ଆଶାକୁ ବାନ୍ଧିଲୁଁ ଆଣ୍ଟେ ହେ ।୧୭।

ଯାହା ଇଚ୍ଛା ତାହା କର,

ଆମ୍ଭେ ତ ଅକ୍ଷମ ନର ।

ସତ୍ଵର ନ ଦେଲେ ଅନ୍ନ,

ମଜ୍ଜିବୁଁ ଶ୍ରୀ ନାରାୟଣ ହେ ।୧୮।

* ପୁଡ଼ୁଗ - ଧାନ ଓଳିଆ

Image

 

ବିମଳ।

 

କର୍ଣ୍ଣେ ଦୋଳେ କାନଫୁଲ,

ଲକ୍ଷ ସ୍ଵର୍ଣ୍ଣମୁଦ୍ରା ମୂଲ୍ୟ ।

ଅଳକାପାଟି ଯେ ଶୋହେ,

ଭକ୍ତଜନ ମନ ମୋହେ ଗୋ ।୧।

ପହରଣ ପାଟଶାଢ଼ୀ,

ଅଙ୍ଗେ ଯାଇଅଛି ଜଡି ।

ସୁବାସିତ ଫୁଲମାଳ,

ଲମ୍ବିଅଛି ବକ୍ଷସ୍ଥଳ ଗୋ ।୨।

ଧୂପଦୀପ ଲାଗି ଠୁଳ,

ଝୁଣା କର୍ପୂର ଗୁଗୁଳ ।

ସୁଗନ୍ଧ ଯାଏ ଚହଟ,

ଭକ୍ତର କି ଆନନ୍ଦଟି ଗୋ ।୩।

ମୁ ଅଛି ନିଶ୍ଚୟ ଜାଣି,

ତୁମ୍ଭେ ଅଟ ପାଟରାଣୀ ।

ଦେବ ଜଗନ୍ନାଥଙ୍କର,

ତୁମ୍ଭ ଘେନି ବଡଘର ଗୋ ।୪।

ଭୋଗକର ସୁଖେ ବସି,

ଦେବଦେବ ମଦାଳସୀ

ନଦିଶେ ଦାଣ୍ଡେ ସୁନ୍ଦର,

ଦେଶେ ଦୃଷ୍ଟିପାତ କର ଗୋ ।୫।

ମହାଷ୍ଟମୀ ପୂଜାକାଳେ,

କରିଥାଅ ଯାହା ବଳେ ।

ସହିଯାନ୍ତ ଜଗନ୍ନାଥ,

କହିପୋଛି ଧରୁଁ ହାତ ଗୋ ।୬।

ସମ୍ଭାଳି ନେଉଁ ତୁମ୍ଭଙ୍କୁ,

ନଚାହଁ ଏବେ ଆମ୍ଭଙ୍କୁ ।

ସେ କଥା କହିବି ନାହିଁ,

ମନେ ଭାବ ମହାମାୟି ଗୋ ।୭।

ଖୋଲାଇ ଦିଅ ଉଣ୍ଡାର,

ମିଳୁ କିଞ୍ଚିତେ ସମ୍ଭାର ।

ଆଗୋ ବିମଳେ ସୁନ୍ଦରି,

ଖାଇବୁଁ ତା ପେଟ ଭରି ଗୋ ।୮।

Image

 

ହିଙ୍ଗୁଳ।

 

ତାଳଚେରେ ହିଙ୍ଗୁଳାଇ,

ଅଛ ଆଗୋ ମହାମାୟି ।

ପୋଡିଦିଅ ବୋଲି ଘର,

ନାମଶୁଣି ଲାଗେ ଡର ଗୋ ।୧।

ଦେଖି ପ୍ରତାପ ତୁମ୍ଭର,

ଅଲୋକିତ ଜଗତର ।

ଅନେକେ ଏହା ଭାବନ୍ତି,

ଉତ୍ସାହହୀନ ହୁଅନ୍ତି ଗୋ ।୨।

ଘର ଜାଳିବା କି ସାଧ,.

ନ ମେଣ୍ଟଇ ଅପବାଦ ।

ମୁଁ ଭାବୁଛି କାଳକ୍ରମେ,

ରଟିଛନ୍ତି ଲୋକ ଭ୍ରମେ ଗୋ ।୩।

ପକ୍ଷୀପରି ଏହି ଜୀବ,

ଦିନେ ଉଡି ଚାଲି ଯିବ ।

କାହିଁକି ସେ ଆଡମ୍ବର,

କୁଟିର ଭଲ ଆମ୍ଭର ଗୋ ।୪।

ଏ ଦେଶରେ ଯେଉଁ ଚାଲି,

ଛଣ ବାଉଁଶରେ ଖାଲି ।

କରି ଛପର ସଦନ,

ଚଳନ୍ତି ଅସାବଧାନ ଗୋ ।୫।

ଯେତେ ଛନ୍ତି ଜନମୀନ,

ସକଳେ କି ଶକ୍ତିହୀନ ।

କ୍ରମେ ବଢ଼େ ଲୋକ ରୁଚି,

ପକାକୁ ମନ ମାନୁଛି ଗୋ ।୬।

ତାଳଚେର ନରପତି,

ଖଂଜିଛନ୍ତି ଭୂସମ୍ପତ୍ତି ।

ହୁଏ ବୁଝାସୁଝା ଗଣା,

ନଥାଏ ଖରଚ ବଣା ଗୋ ।୭।

ଦେଶେ ଦେଶେ କେତେ ପଣ୍ଡା,

ଧରି ତବ ବାନା ଧଣ୍ଡା ।

ଆମ୍ଭେ ହିଙ୍ଗୁଳା କାଳସୀ,

ଏକଥା ମୁଖେ ପ୍ରକାଶି ଗୋ ।୮।

ଦିଅନ୍ତି ଅନେକ ଚଷା,

ଜଡା ମୁଗ ବିରି ଖସା ।

କନ୍ଧେ ଝୁଲ ମୁଣି କନ୍ଥା,

ଏ ତାଙ୍କ ଜୀବିକା ପନ୍ଥା ଗୋ ।୯।

ସବିଧିରେ ନୀତିକାନ୍ତି,

ସେବକେ ନିତି ଚଳାନ୍ତି ।

କରିବି ପାଶେ ଗମନ,

ମେଳା ଦେଖି ଦରଶନ ଗୋ ।୧୦।

Image

 

ରତନେଈ ଠାକୁରାଣୀ ଗୋପାଳ ପୂର (ରତ୍ନ ଦେବୀ)

 

ଆଗୋ ମାଗୋ ରତ୍ନଦେବୀ,

କେଉଁ ଉପହାର ନେବି ।

ତୁମ୍ଭର ତ ସବୁ ଧନ,

କରୁଛ ପ୍ରତିପାଳନ ଗୋ ।୧।

ମୋ ଠାରେ କର ସୁଦୟା,

ପୀଠେଶ୍ଵରୀ ମହାମାୟା ।

ନଦୀକୁଣ୍ଡା ଜଳ ଆଣି,

ସ୍ନାନ କରାଇବି ଛାଣି ଗୋ ।୨।

କୁସୁମ ଟାହିୟା ଖଂଜି,

ମଜାଇବି ମନ ରଂଜି ।

ସିନ୍ଦୂର କଜ୍ଜ୍ୱଳ ଲାଇ,

ସୁନ୍ଦର ଦିଶିବ ମାୟି ଗୋ ।୩।

ଚୁଆ ଚନ୍ଦନେ ମାଜଣା,

ଧୁଆଇ ରଖି ବିଛଣା ।

ଦେବୀ କଳାଧଳା ଛତି,

ରଖିବ ମୋର ଧଡ଼ତି ଗୋ ।୪।

Image

 

ବୁଢ଼ୀ ବ।ଶେଳୀ

 

ଆହା ଗୋ ବୁଢ଼ୀ ବାଶେଳୀ,

ଲଗାଇଛ କେତେ କେଳି ।

ମୁଁ ହେଲି ବଡ଼ ନିରେଖ,

ମୋର ଦୁଃଖ ଥରେ ଦେଖ ଗୋ ।୧।

ପଟାମୁଣ୍ଡି ବାଲିପଡା,

ଖାସା ଆଖଡ଼ା ସଜଡ଼ା ।

ସମ୍ମୁଖେ ଯେହୁ କାତର,

ଦିଅ ତ ଅଭୟ ବର ଗୋ ।୨।

Image

 

ବାଲି ହରଚଣ୍ଡୀ

 

ଆଗୋ ବାଲି ହରଚଣ୍ଡୀ,

ମସ୍ତକରେ ଗଭା ମଣ୍ଡି ।

ବାଲିଧରଣୀରେ ଉଭା,

ହୋଇଅଛ ସର୍ବଶୁଭା ଗୋ ।୧।

ପୁରୀର ସେବକ ଦଳ,

ଗମିଥାନ୍ତି ପୀଠ ସ୍ଥଳ ।

ଶାସନ ବାଡ ବ୍ରାହ୍ମଣେ,

ସେବନ୍ତି ଯାଇ ଚରଣେ ଗୋ ।୨।

କରନ୍ତି ଚୁଡା କଦମ୍ବା,

ଭାଙ୍ଗପଣା ମିଶା ରମ୍ଭା ।

ଭୋଗ ଖାଇ ଯାନ୍ତି ଘରେ,

ମୋ ଆଶା ପାଦପଦ୍ମରେ ଗୋ ।୩।

Image

 

ପୁଟଳେଇ

 

ଚୈତ୍ର ପୂର୍ଣ୍ଣିମାର ମେଳା,

ଦେଖିଚି ଛାଗଳ ଖେଳା ।

ବିରୋଧୀକି ମାରି ଟେଳା,

ରଖ ଦେବି ଭକ୍ତ ଭେଳା ଗୋ ।୧।

ଆଗୋ ମାତ ପୁଟଳେଇ,

ତୋଷିବି ମୁଁ କିସ ଦେଇ ।

ପୁଞ୍ଚାଏ ମନ୍ଦାର ଫୁଲ,

ଦେବି ଶିରେ ହେବ ତୁଲ ଗୋ ।୨।

ଚଇତି ମୁଣ୍ଡିଆ ଘାଟ,

ଆସିବେ କୈବର୍ତ୍ତ୍ୟ ଥାଟ ।

କରିଯିବେ ଘୋଡ଼ା ନାଟ,

ବସିଥିବ ଯାତ୍ରା ହାଟ ଗୋ ।୩।

ପାଶେ ଅଛି ସାଧୁ ମଠ,

ଯେ ସାଧୁ ଯୋଗ୍ୟ କର୍ମଠ ।

ଗିରିଶିଖେ ଚମତ୍କାର,

ଶିଳା ଖୋଳା ଜଳାଧାର ଗୋ ।୪।

Image

 

କଣ୍ଟି କୋରେଇ ଠାକୁରାଣୀ

 

ହେ କଣ୍ଟି କୋରେଇ ମାତ,

ତବ ନାମ କଲି ଖ୍ୟାତ,

ପଦ୍ମସଦ୍ମ ସରତୀରେ,

ଗୁପ୍ତେ ଅଛ ଅତି ଧୀରେ ଗୋ ।

ନିସ୍ତିପୁର ଗ୍ରାମବାସୀ,

ଜନ୍ତାଳ କରନ୍ତି ଆସି ।

ଏ ପୀଠେ ହେବି ତପସ୍ଵୀ

ମୋ ମନ ଯାଉଛି ରସି ଗୋ ।୨।

ରଖ ଗୋ ମୋତେ ଆଶ୍ଵାସୀ

ମୁଁ ଅଛି ବଡ ବିଶ୍ୱାସୀ ।

ଚୁଆ ଚନ୍ଦନ ଲଗାଇ,

ମାଜଣା ଦେବି କରାଇ ଗୋ ।୩।

ପଦଫୁଲ ତୋଳାଇବି,

ମଣ୍ଡଣିରେ ମଣ୍ଡାଇବି ।

ଦେବି କଇଁମୁଣ୍ଡି ଭୋଗ,

ପାଇଲେ ମହାସୁଯୋଗ ଗୋ ।୪।

Image

 

ମୈନାକ ଠାକୁରାଣୀ (ମୈନାକ ପର୍ବତ)

 

ମଇନାକ ଗିରି ଶିରେ,

ଅଛ ସୁରମ୍ୟ ମନ୍ଦିରେ ।

ମଇନାକ ଠାକୁରାଣୀ,

ଦିଅ ମୋତେ ଦାନାପାଣି ଗୋ ।୧।

ରଣପୁର ଦୁର୍ଗବାସୀ,

ତବଯୋଗେ ସୁଖେ ବସି ।

କରନ୍ତି ଅମୃତ ପାନ,

ନିତ୍ୟ ଦରଶନ ଧ୍ୟାନ ଗୋ ।୨।

କଷ୍ଟେ ଉଚ୍ଚେ ଉଠି ଦେବି,

ଯାଆନ୍ତି ସେବକେ ସେବି ।

ଚୁଆ ଚନ୍ଦନ କର୍ପୂର,

ଅଙ୍ଗେ ମାଖନ୍ତି ପ୍ରଚୁର ଗୋ ।୩।

ଦିବ୍ୟ କରୁଣ ନେତ୍ରରେ,

ଚାହିଁଚ ରାଜ ନବରେ ।

ରଣପୁର ଅଧୀଶ,

ଧନେ ମାନେ ଉଣା କିସ ଗୋ ।୪।

ତୁମ୍ଭେ ଅନୁଗ୍ରହ କଲେ,

କୃଷକ ରହିବେ ଭଲେ ।

ସଯତ୍ନେ ଦେଖ କେଦାର,

ପୂରାଇ ଦିଅ ଭଣ୍ଡାର ଗୋ ।୫।

Image

 

ଶିଖର ଚଣ୍ଡୀ

 

ହେ ମାତ ଶିଖରଚଣ୍ଡି,

ପଟିଆ ରାଜ୍ୟକୁ ମଣ୍ଡି ।

ରହିଛ ଘୋର ବନରେ,

ଉଚ୍ଚ ପର୍ବତ ଶିଖରେ ଗୋ ।୧।

ପଟିଆର ମହାରାଜ,

ଥରେ ଥରେ କରି ସାଜ ।

ତୋ ପୀଠେ କରନ୍ତି ପୂଜା,

ଶାଣିତାସ୍ତ୍ର ଥାଏ ଗୁଂଜା ଗୋ ।୨।

ହିଂସ୍ରଜନ୍ତୁମାନଙ୍କର,

ଭୟ ଥାଏ ଏ ବଣର ।

ବ୍ୟାଘ୍ର ଭାଲୁ ପଲ ପଲ,

ଅହିରାଜ ସାପ ଶଲ ଗୋ ।୩।

ପାଖଲୋକ ପାଖେ ବେନି,

ସଙ୍ଗରେ ପାଇକ ଘେନି ।

ତବ ବଳେ ବଳିୟାର,

ସେ ଶଙ୍କା କରନ୍ତି ଛାର ଗୋ ।୪।

ହେ ମାତ ପର୍ବତେଶ୍ୱରୀ

ତବ ଅନୁକମ୍ପା ସ୍ମରି ।

ସୁଖେ ଦେବି ଗୁଆପାନ,

ରଖିବ ମୋର ପରାଣ ଗୋ ।୫।

Image

 

ଅରାଚଣ୍ଡୀ

 

ଆଗୋ ଆଗୋ ଅରାଚଣ୍ଡୀ

ବିଶାଏ ସିନ୍ଦୁର ମଣ୍ଡି ।

ରଖିଛ ନିଜ କପାଳେ,

ନ ଚାହିଁଲ ଥରେ ଡୋଳେ ଗୋ ।୧।

ସିନ୍ଦୂର କଜ୍ୱଳ ଭରି,

ହୋଇଛ ବଡ ସୁନ୍ଦରୀ ।

ଏ ସୌନ୍ଦର୍ଯ୍ୟ କେତେଦିନ,

ବିଭବେ ହୋଇଲେ ହୀନ ଗୋ ।୨।

ମାନସିଂହ ନରପତି,

ଦେଇଛନ୍ତି ଭୂସମ୍ପତ୍ତି ।

ପ୍ରଜାକ୍ଲେଶ ହେଲା ଘୋର,

ଲଗାଇବ ଦୟା ଡୋର ଗୋ ।୩।

ଘେନି ସଂଗରେ ସଂଗାତ,

ଦାଳୁଅ ଚାଉଳ ଭାତ ।

ଖାଉଥିଲ ପ୍ରତିଦିନ,

ଏବେ ସେ ହେଉଛି ଲୀନ ଗୋ ।୪।

କିସ ଦେବ ମାଳୀ ଆଣି,

ବିଲରେ ନ ହେଲା ପାଣି ।

କ୍ଷେତରେ ସଦା ଭାଗୁଡି,

ମଲେ ସେବକ ବାପୁଡୀ ଗୋ ।୫।

Image

 

ଧାକୁ ଲେଇ

 

ଆଗୋ ମାତ ଧାକୁଲେଇ,

ଭାଣପୁର ଗ୍ରାମ ଠେଇଁ ।

କରିଅଛ ମଞ୍ଜୁପୁର,

କଟକକୁ ନୁହେଁ ଦୂର ଗୋ ।୧।

ଇଚ୍ଛା ଅଛି ମୋର ବାରେ,

ଚୈତ୍ରମାସ ପୂର୍ଣ୍ଣିମାରେ ।

ସେ ପୀଠେ କର ଗମନ,

କରିବି ମେଳା ଦର୍ଶନ ଗୋ ।୨।

ଦିନେ ହେଲେ ରହିଯିବି,

ମାଂସ ପ୍ରସାଦ ପାଇବି ।

ଘଟାଇବ ମାତ ମୋରେ,

ଶରଣାଗତ ମୁଁ ତୋରେ ଗୋ ।୩।

Image

 

ରାମଚଣ୍ଡୀ

 

ଆଗୋ ମାତ ରାମଚଣ୍ଡି,

ଗିରି ଲାଞ୍ଜି ଅଛ ମଣ୍ଡି ।

ସୁଶୀତଳ ଜଳକଣା,

ତବ ଦେହେ ହୁଏ ଛଣା ଗୋ ।୧।

ଏ ଘୋର ସଂକଟ କାଳେ,

ମଣ୍ଡାଇବି ଫୁଲମାଳେ ।

ପୂଜାଇବି ଭୋଗ ଥାଳୀ,

ବଇରୀକି ଦିଅ କାଳି ଗୋ ।୨।

ରକ୍ତପକ୍ଷେ ପର୍ବ ତିଥି,

ମାନଙ୍କରେ ପୂଜା ନୀତି ।

ହୁଅଇ ବହ ସମ୍ଭାରେ,

ରାଜଦତ୍ତ ଉପହାରେ ଗୋ ।୩।

ମହାନଦୀ ଜଳେ ଧରା,

ନଉକା ଚଳଇ ଭରା ।

ଦିଅନ୍ତି ନାଉରୀ ଭେଟି,

ଭୁବନ କଷଣ ମେଣ୍ଟି ଗୋ ।୪।

ହୃଦେ କାତରେ ସ୍ମରଣ,

କରନ୍ତି ମୁଖେ ବନ୍ଦନ ।

ଦେବୀଦ୍ଵାର ବୋଲି ସିଦ୍ଧ,

ନାମଟି ଅଛି ପ୍ରସିଦ୍ଧ ଗୋ ।୫।

Image

 

ଅସୁରେଶ୍ଵର ହରଚଣ୍ଡୀ

 

ଆଗୋ ମାତ ହରଚଣ୍ଡୀ,

ମସ୍ତକେ ସିନ୍ଦୂର ମଣ୍ଡି ।

ଅସୁରମାନଙ୍କୁ ଜିଣି,

ଭକ୍ତ ହୃଦ ନେଲ କିଣି ଗୋ ।୧।

ମନେ ନ କରିଣ ଭେଦ,

ପକାନ୍ତି ଅସଂଖ୍ୟ ଛେଦ ।

ଚାରିପାଶ ଲୋକେ ଯୋଗ,

ନତି ପରସାଦି ଭୋଗ ଗୋ ।୨।

ପୁଣ୍ୟବନ୍ତ ଲୋକମାନେ,

ରହିଛନ୍ତି ସନ୍ନିଧାନେ ।

ଦେଶାନ୍ତରୁ ଦେଲେ ଛାଡି,

ବୋଦା ଆସେ ପଥ ମାଡି ଗୋ ।୩।

ହରଚଣ୍ଡୀ ନାମ ଲେଖ,

ଗଳଦେଶେ ବନ୍ଧା ଭେଖ ।

ଏକ ଗ୍ରାମ ଲୋକ ନେଇ

ଅନ୍ୟଗ୍ରାମେ ଆସେ ଦେଇ ଗୋ ।୪।

ଏହିପରି କ୍ରମେ କ୍ରମେ,

ଦରବ ଆସଇ ଧାମେ ।

ନ କରେ କେହି ହରଣ,

କ୍ଷମତା କରେ ବାରଣ ଗୋ ।୫।

ଲୁଣନଦୀ ଜଳେ ସ୍ନାନ,

ସାରି ଗଲି ପୀଠସ୍ଥାନ ।

ପଡିଲି ଚରଣତଳେ,

ଧଣ୍ଡାମାଳ ଦେଲି ଗଳେ ଗୋ ।୬।

ହେ ଧରାମଣ୍ଡିନି ମାତ,

ଦେଶେ ଦେଶେ ନାମ ଖ୍ୟାତ ।

ଦେଖି ବିପତ୍ତି ବିନତି,

ମୋଠାରେ ରଖ ସୁମତି ଗୋ ।୭।

Image

 

ତାରାତ।ରିଣୀ

 

ହେ ମାତ ତାରାତାରିଣି,

ରଷିକୂଲ୍ୟାର ନନ୍ଦିନୀ ।

ପୂର୍ବରେ ସୁର କାମିନୀ,

ଥିଲ ଯେ ଦୁଇ ଭଗିନୀ ଗୋ ।୧।

ଅତି ଉଚ୍ଚ ସୋପାନରେ,

ଉଠି ପାଦ ବ୍ୟଥା କରେ ।

ଗିରିଶିଖେ ଦୁଃଖେ ଆସି,

ରହିଗଲ କୁନ୍ଦହାସି ଗୋ ।୨।

ଇତିହାସ ଦିଏ କହି,

ମାଳୀ ଘରେ ଥିଲ ରହି ।

ଦେଶ ଉପକାର ପାଇଁ,

ଅଛ ବୋଲି କଥା ପାଇ ଗୋ ।୩।

ଯୁବତୀଙ୍କର ପ୍ରତାପ,

ତୁମ୍ଭ ପୀଠରେ ଅମାପ ।

କପାଳେ ସିନ୍ଦୂରଟୋପା,

ଗାଢ଼େ ରକ୍ତ ଥୋପା ଥୋପା ଗୋ ।୪।

କରନ୍ତି ଛେଦ ଛେଦନ,

ଏ ପୀଠେ ଏହି ବିଧାନ ।

ଚାହଁଲେ ତାଙ୍କ ବଦନେ,

ଶଙ୍କା ଜାତ ହୁଏ ମନେ ଗୋ ।୫।

ରକ୍ତ ନଦୀ ବୁହାଉଛ,

ପ୍ରଜା ଦୁଃଖ ନ ଦେଖୁଛ ।

ଏ କିସ ଦେବୀଙ୍କ ରୀତି,

ଜଗତେ ଜନ୍ମୁଚି ଭୀତି ଗୋ ।୬।

ମାଳମାଳ ଘଣ୍ଚିସ୍ଵନ,

ବଧିର କଲ ଶ୍ରବଣ ।

ଉଦୟପୁର ଆକାଶ,

ଚମକି ଶବ୍ଦ ପ୍ରକାଶ ଗୋ ।୭।

ପୂର୍ବଖଣ୍ଡ ନରନାଥେ,

ସଦାରତ ପ୍ରଣିପାତେ ।

ଖଞ୍ଜିଛନ୍ତି ଖଞ୍ଜାମାନ,

ଦେବି ରଖ ଯଶମାନ ଗୋ ।୮।

Image

 

କାଳୀଜୟୀ

 

କାଳୀଜୟୀ ଠାକୁରାଣୀ,

ରାଧାନାଥ ଭକ୍ତବାଣୀ ।

ଶୁଣିଛ ତୁମ୍ଭେ କର୍ଣ୍ଣର,

ଚିଲିକା ହ୍ରଦ ଭିତର ଗୋ ।୧।

ନାବିକମାନେ ହ୍ରଦରେ,

ଆଲୋକ ବାନ୍ଧି ନାବରେ ।

ଯାଉଛନ୍ତି ତବ ପାଶେ,

ବେପାର ବଣିଜ ଆଶେ ଗୋ ।୨।

ସହାୟ ଥାଅ ତାଙ୍କର,

ମତ୍ସ୍ୟଜୀବୀମାନଙ୍କର ।

ଆର୍ତ୍ତ କୋଳାହଳ ବାଣୀ,

ଶୁଣୁଅଛ ଠାକୁରାଣୀ ଗୋ ।୩।

ଚାରିପୋଶେ ଜଳଚର,

ଶବଦ କର୍ଣ୍ଣଗୋଚର ।

କ୍ଷୁଦ୍ରପର୍ବତ ଉପର,

ମନ୍ଦିର ବଡ ସୁନ୍ଦର ଗୋ ।୪।

ପାରିକୁଦ ନରେଶ୍ଵର,

ତବ ଦର୍ଶନେ ତତ୍ପର ।

ରମ୍ଭାନଗର ବଣିକେ,

ଖଞ୍ଜନ୍ତି ମଣି ମାଣିକେ ଗୋ ।୫।

ବଜାଇ ଶୁଭକାହାଳୀ,

ଧଣ୍ଡାମାଳ ଦିଏ ମାଳୀ ।

ହେ ଦେବି ମୋର ପ୍ରାର୍ଥନା,

ଗଞ୍ଜନ କର ଗଞ୍ଜନା ଗୋ ।୬।

Image

 

ଭଗବତୀ

 

ବାଣପୁର ଭଗବତି,

ଟେକା କଳା ଧଳାଛତି ।

ଜଳୁଅଛି ସଦା ବତୀ,

ଦେଖିଲ ନାହିଁ ବିପତ୍ତି ଗୋ ।୧।

ତୁମ୍ଭର ଭୂମି ଉର୍ବରା,

ହସୁଥାଏ ବସୁନ୍ଧରା ।

ଛକପଡି ନଦୀ ଭରା ।

ସଦା ଚଳେ ଜଳଧାରା ଗୋ ।୨।

ଅନେକ ଦେବତା ପୀଠ,

ତବ ଭୂମିରେ ଗଚିଷ୍ଠ ।

ଦକ୍ଷ ପ୍ରଜାପତି ସ୍ଥତ,

ମନ୍ଦିର କି ରମ୍ୟ କୀର୍ତ୍ତି ଗୋ ।୩।

ବାଣାସୁର ପୀଠସ୍ଥାନ,

ଉପୁଜାଏ ମନେ ଜ୍ଞାନ ।

ବାଣପୁର ଇତିହାସ,

ବହୁତ ତହିଁ ପ୍ରକାଶ ଗୋ ।୪।

ପୁନ୍ନାଗ ନାରିକେଳରେ,

ଗୁବାକ କଦଳୀ ଭରେ ।

ଆରାମ ନଦୀତୀରରେ,

ଦର୍ଶନେ ଆନନ୍ଦ ଧରେ ଗୋ ।୫|

ବତିଶଫେଣୀ କଦଳୀ,

ଦୋଳି ଖେଳୁଥାଏ ଢଳି ।

ମୂର୍ତ୍ତିକାକୁ ଚୁମ୍ବିଥାଏ,

ଦର୍ଶନେ ମୁଗ୍ଧ କରାଏ ମୋ ।୭।

କୁମୁଟୀ ବଣିକମାନେ,

ରହିଛନ୍ତି ଥାନେ ଥାନେ ।

ଇଷ୍ଟକ ପ୍ରାଚୀର ଘର,

ନଗର କରି ସୁନ୍ଦର ଗୋ ।୭।

କେତେ ବ୍ରାହ୍ମଣ ଶାସନ,

ସୁନ୍ଦର ଭୂମି ପତ୍ତନ ।

ଦାଣ୍ଡପଥେ ତରୁଶ୍ରେଣୀ,

ସରଳରେଖା କି ବେଣୀ ଗୋ ।୮।

ରୁଚିର ନଗର ବୀଥି,

ଚଳେ ଅସଂଖ୍ୟ ନିକିତି ।

ନାନାଦ୍ରବ୍ୟ ବିକାକିଣା,

ଦକ୍ଷିଣିଆ କନ୍ଦଜିଣା ଗୋ ।୯।

ଲୁଣିମାଛେ ପ୍ରୀତ ମନ,

ଦେବୀ ପୀଠେ ବହୁଜନ ।

ନଆସିଲେ ସେ ପାତୁଆ,

ଆଟିକା ନ ହୁଏ ଥୁଆ ଗୋ ।୧୦।

ପ୍ରକୃତି ସୁନ୍ଦରୀ ଏକା,

ଏହି ପୀଠେ ଯାଏ ଦେଖା ।

ଧାଡ଼ି ଧାଡ଼ି ଧର ରେଖା,

ଅନ୍ୟ କିଏ ତୁଲେ ଲେଖା ଗୋ ।୧୧।

ମାଏ ଗୋ ଘେନ ବିନତି,

ବିନାଶ ଘୋର ବିପତ୍ତି,

ଦେବି ମୁଖେ ସରପଣା,

ମତେ ନ କରିବ ବଣା ଗୋ ।୧୨।

Image

 

ପଶାଣିଅ। ଚଣ୍ଡୀ

 

ମାଗୋ ପଶାଣିଆ ଚଣ୍ଡି,

ଯେତେ ଛନ୍ତି ରାଣ୍ଡୀଖଣ୍ଡ ।

ବୁଝିବ ତାହାଙ୍କ କଥା,

ନଭାବିବ ଯଥା ତଥା ଗୋ ।୧।

ଦେବୀଙ୍କ ମଧ୍ୟରେ ଗଣି,

ତୁମ୍ଭେ ଅଟ ମଥାମଣି ।

ସୁଜନେ ଦିଅ ଆହାର,

ଦୁର୍ଜନେ କର ପ୍ରହାର ଗୋ ।୨।

ଭାଗୀରଥି ମିଶ୍ର ନାମେ,

ଥିଲେ ଯେ ବ୍ରାହ୍ମଣ କର୍ମେ ।

ତୁମ୍ଭର ଅନୁସରଣ,

କରିଥିଲେ ପ୍ରାଣପଣ ଗୋ ।୩।

କନ୍ତକେଇ କୃଷିକାରୀ,

ଶଙ୍ଖସାରୁ ଭେଟି ଜାରି ।

ତବ ପାଶେ କଲେ ସେବା,

ଭକ୍ତ ଖାଏ ବହୁ ଲେବା ଗୋ ।୪।

Image

 

ଚର୍ଚ୍ଚିକା ଆଦିଦେବତ।

 

ଶୈଳେନ୍ଦ୍ର ଶିଖବାସିନି,

ଚର୍ଚ୍ଚିକେ ଘେନ ଦାୟିନୀ ।

କାନିପଣନ୍ତ ଘୋଡାଇ,

ରଖ ମୋତେ ମହାମାୟୀ ଗୋ ।୧।

କରିବ ବାରେ ସୁଦୟା,

ମାଗୋ ଅଜୟା ଅଭୟା ।

ମୁଁ ପରା ଅଟେ କିଙ୍କର,

ହେବ ବଳ ଆଶ୍ରିତର ଗୋ ।୨।

ବୈଦ୍ୟେଶ୍ଵର ବୈଦ୍ୟନାଥ,

ତବ ପଦେ ନତମାଥ ।

ଦୟାକର ପ୍ରଭୁ ମତେ,

ପୀଡିତ ଜୀବନ ପଥେ ହେ ।୩।

ସେବନ କର ସମୀର,

ମହାନଦୀ ଶୀତନୀର ।

ତୃତୀୟା ଦେବ ଠାକୁର,

ମୋର କଷ୍ଟ କର ଦୂର ହେ ।୪।

ଆଗୋ ବକ୍ରଦୁର୍ଗେଶ୍ଵରି,

କନକଦୁର୍ଗେ ସୁନ୍ଦରୀ ।

ମାଳତୀମୁଣ୍ଡିଆ ପରେ,

ଚାହଁ ଏ ଦୁଃଖିକି ବାରେ ଗୋ ।୫।

ହେ ପ୍ରଭୁ ମହମାମେରୁ,

ଦେଖ ମୋତେ ଫେରୁ ଫେରୁ ।

ବାଁକିଗଡର ଚୈତନ୍ୟ,

ଦିଅ ସଦୟ ନୟନ ହେ ।୬।

ଆହେ ବାବା ରାମନାଥ,

କରେ ସଦା ପ୍ରଣିପାତ ।

ସୁଖେ ଧରାଧର ଚୂଡେ,

ବସି ଜଗ ମତେ ଗୂଢ଼େ ।୭।

ସୁବର୍ଣ୍ଣ କେତକୀ ଦେବ,

ସ୍ଵଦେଶେ ସୁଯଶ ନେବ ।

ତୁମ୍ଭେଟି ମୋର ଭରସା,

ପୂର୍ଣ୍ଣ କରାଇବ ଆଶା ହେ ।୮।

ମହାନଦୀତୀରେ ଘର,

ଆହେ ଦେବ ବୁଦ୍ଧେଶ୍ଵର ।

ଦୋହଲାଇ ପକ୍ୱଦାଢ଼ୀ,

ରଖ ମୋତେ ପ୍ରଭୁ ଝାଡି ହେ ।୯।

ଆମ୍ରବନ ଶୋଭାରାଶି,

ଦେଖୁଅଛ କାଶୀବାସି ।

ପ୍ରାର୍ଥନା ପଶ୍ଚିମେଶ୍ୱର,

ଗରିବଜନେ ଉଦ୍ଧର ହେ ।୧୦।

ହେ ମାତ ରଣଚର୍ଜିକେ,

ତବ ପଦେ ଲକ୍ଷ୍ୟ ରଖେ ।

ମହିଷାସୁର ମାରଣ,

ଦେଖିଲେ ଜଗତଜନ ଗୋ ।୧୧।

ପାଟପୁର ସିଂହନାଥେ,

ଥିବ ମୋର ସାଥେ ସାଥେ ।

ଏକ ଗ୍ରାମେ ଦୁହିଁଙ୍କର,

ଅଛି ବସୁବାସ ଘର ହେ ।୧୨।

ଫୁଲବେଲପତ୍ରି ଜଳ,

ଦେଉଅଛୁଁ କାଳ କାଳ ।

ପୂର୍ବ ପୁରୁଷରୁ ଧରି,

ଯେତେ ଉତ୍ତରାଧକାରୀ ହେ ।୧୩।

ଆପଣ ମୋର ପଡୋଶୀ,

କି ଦେବି ଅଧିକ ତୋଷି ।

ଦାନା ଦେଇ ରଖ ପୋଷି,

ସଦା ନାମ ଅଛୁଁ ଘୋଷି ହେ ।୧୪।

ଆହେ ଦେବ ଖଣ୍ଡେଶ୍ଵର,

ରହି ଗହୀର ମଧ୍ୟର ।

ବାଲିରାଶି କାଢ଼ିଦଅ,

ସୁଖରେ ଜୀବନ ନିଅ ହେ ।୧୫।

ସୋରିଷ ଫୁଲେ ନୟନ,

ପକାଉଛି ତ୍ରିଲୋଚନ ।

ମୁକୁନ୍ଦପୁର ମଧ୍ୟର,

ବାସ ଅଛି ଉଗ୍ରେଶ୍ଵର ହେ ।୧୬।

ଉଗ୍ରଭାବ ଛାଡି ଦିଅ,

ମୋ ବିନୟ ହୃଦେ ନିଅ ।

ବିପଦ କର ଭଞ୍ଜନ,

ଦେବେଶ୍ଵର ପଞ୍ଚାନନ ହେ ।୧୭।

ଯେତେ ଛନ୍ତି ଦେବଦେବୀ,

ସକଳେ ଶରଣ ନେବି ।

ଦୟା କରନ୍ତୁ କିଙ୍କରେ,

ସ୍ଵଗ ମର୍ତ୍ତ୍ୟର ଅମରେ ହେ ।୧୮।

Image

 

କଲିକତ। କ।ଳୀ

 

ପଶ୍ଚିମ ମହିଳାମାନେ,

ଦଳେ ଦଳେ ନାନା ସ୍ଥାନେ ।

କରୁଥାନ୍ତି ଗୀତ ଗାନ,

ରଖି ଧୀରେ ତାନମାନ ହେ ।୧।

ସୁମଧୁର ବାମାସ୍ଵନ,

ତୋଷେ ଜନମନ କଣ୍ଟ ।

ଆଦି ଗଙ୍ଗାଘାଟେ ଭାରୀ,

ପୁରିଥାନ୍ତ ନରନାରୀ ହେ ।୨।

ସ୍ନାନସାରି ଗଙ୍ଗାମାତା,

ପୂଜାରେ ହୁଅନ୍ତି ରତା ।

ବହୁତ ବଂଗ ମହିଳା,

ପୂଜୁଥାନ୍ତି ଶିବ ଶିଳା ହେ ।୩।

ଭସାନ୍ତି କେ ନାରିକେଳ,

ଦିଅନ୍ତି କେ ନବ ଚେଳ ।

ଫୁଲଧଣ୍ଡା ମାଳ ମାଳ,

ଅମୃତଭଣ୍ଡା ବା ତାଳ ହେ ।୪।

କେତେ ମିଷ୍ଟାନ୍ନ ଦରବ,

ପକାନ୍ତ ଗଙ୍ଗା ଗରଭ ।

ଗଙ୍ଗାଷ୍ଟକ କେଉଁ ଜନ,

ପାଠକରି କରେ ସ୍ନାନ ହେ ।୫।

ପିତୃମାତୃ ଗୋତ୍ର ଧରି,

ସଂକଳ୍ପ ଦିଅନ୍ତି କରି ।

ଘାଟେ ଉତ୍କଳ ବ୍ରାହ୍ମଣେ,

ମଣ୍ଡନ୍ତି ଫୁଲ ଚନ୍ଦନେ ହେ ।୬।

କିଞ୍ଚିତେ ଦକ୍ଷିଣା ପାଇ,

ସନ୍ତୋଷରେ ତହିଁ ଥାଇ ।

ଯଜମାନେ ଡାକିଠାରି,

କାହିଁ କଳି ଲାଗେ ଭାରି ହେ ।୭।

ବଡ ଭିଡେ ଦରଶନ,

କାଳୀମନ୍ଦିରେ ସାଧନ ।

ମନ ହେବ ଆଉ ଥରେ,

ନଆସିବି ଏ ଭିଡରେ ହେ ।୮।

ଖଣ୍ଡନଡିଆ କଦଳୀ,

କେତେ ଫଳ ଭଳି ଭଳି ।

ସିନ୍ଦୂର ଫୁଲ ଚନ୍ଦନ,

ଡାଲାରେ କରି ଭରଣ ହେ ।୯।

ବାହାରନ୍ତି ଦରଶନେ,

ସଂଗେ ଦର୍ଶନିଆ ଜଣେ ।

ଦର୍ଶନି ପଇସା ପାଇ,

ଦୁଆରେ ଛାଡନ୍ତି ଯାଇ ହେ ।୧୦।

ଲାଗିଥାଏ ଅହରହ,

ଦୁର୍ବଳପକ୍ଷେ ଦୁଃସହ ।

କେ ସେହ ଭିଡରେ ପଡି,

ସୋପାନରୁ ଖସେ ଗଡି ହେ ।୧୧।

କାଳୀରୂପ ଭୟଙ୍କର,

ଦେଖିଲେ ଲାଗଇ ଡର ।

ଲହ ଲହ ଜିହ୍ୱା ପାଟି,

ସତେ ନେଇଯିବେ ଚାଟି ହେ ।୧୨।

ଚାହାଣି ନେତ୍ର ତରାଟି,

ଫାଟଇ ହୃଦକବାଟି ।

କେ ଛନକା ହୋଇ ପଡେ,

କା ପ୍ରାଣ କମ୍ପଇ ଧଡେ ହେ ।୧୩।

ଗୁପ୍ତଦ୍ଵାର ଦରଶନ,

ବିପଦର ଅନୁମାନ ।

ସମ୍ମୁଖ ମୁକ୍ତ ଦୁଆରେ,

ଦର୍ଶନ କଲେ ବାହାରେ ହେ ।୧୪।

ନ ଥାଏ ବିପଦ ଶଙ୍କା,

ନୁହେଁ ସଦା ଖୋଲାରଖା ।

କଠିନତା ବ୍ୟବହାର,

ଏ କି ଲୋକଙ୍କ ଆଚାର ହେ ।୧୫।

ପଣ୍ଡାପୂଜାହାରୀ ନାନୀ,

ଭିଡନ୍ତି ଯାତ୍ରିଙ୍କ କାନି ।

ନେଲେ କିଞ୍ଚିତେ ଦକ୍ଷିଣା,

ଛାଡିବେ ତେବେ ପ୍ରବୀଣା ହେ ।୧୬।

ଉପକରଣକୁ ବାଢି,

ପଶ୍ଚିମାଏ ଧାଡି ଧାଡି ।

ସମ୍ମୁଖର ମଣ୍ଡପରେ,

ଧୀରେ ଉପବେଶନରେ ହେ ।୧୭।

ଚଣ୍ଡୀପାଠ ମନ୍ତ୍ରଜପ,

ପୁରାଣ ପୀଠ ସଂକଳ୍ପ ।

ପଡିଥାଏ କଣ୍ଠଧ୍ଵନି,

ଦେଖି ଆନନ୍ଦିତ ଜ୍ଞାନୀ ହେ ।୧୮।

କେତେ ପଡେ ବୋଦାଛେଦ,

କେ ପାଇବ ତାର ଭେଦ ।

ଚାରିଅଣା ଆଠଅଣା,

ବୋଦାମୁଣ୍ଡ ବିକା କିଣା ହେ ।୧୯।

କାଟିକୁଟି ମୁଣ୍ଡ ଚିରି,

ରେଜାମାଉଁସ ବିକିରି ।

କେତେ ଲୋକ ମୁଖେ ବୋଲି,

ଏହିପରି ଖୋଲାଖୋଲି ହେ ।୨୦।

ଏଠାରେ ମାଂସ ନ ଖାଇ,

ଗ୍ରାମେ ନ ଯିବଟି ଭାଇ ।

ପାଇ ମାଂସ ପରସାଦି,

ବାସାରେ ଖାଇବା ରାନ୍ଧି ହେ ।୨୧।

ଲୋକ ହୋନ୍ତି ଖୁନ୍ଦାଖୁନ୍ଦି,

ଲାଗେ ବଡ ବିନ୍ଧାବିନ୍ଧି ।

ସଂକ୍ରମଣ ଅମାତଥ,

ଗୁରୁବାରେ ବଡପ୍ରୀତି ହେ ।୨୨।

ପଥ ଘାଟେ କି ଜନତା,

କେ କରିବ ତା ଗଣିତା,

ଦର୍ଶନ ଭୋଜନ ସାରି,

ଯାଉଥାନ୍ତି ଲୋକ ଭାରି ହେ ।୨୩।

ଚିଡିଆଖାନା ଦର୍ଶନେ,

ବଗିଗାଡି ଆରୋହଣେ,

ଯାଉଥାନ୍ତି ସାଜସଜେ,

କେତେଲୋକ ପଦବ୍ରଜେ ହୋ ।୨୪।

ଟ୍ରାମଗାଡି ହୁଏ ଭରା,

ଚାଲନ୍ତି କେ ଖରାତରା ।

ଘୋଡାଗାଡି କଥା ଛାଡ଼,

ପଇସା ବଢ଼ଇ ବଡ ହେ ।୨୫।

ଚିଡିଆଖାନା ନିୟମ

ରବିବାରେ ଦେଖାକାମ ।

ଯାତ୍ରୀମାନଙ୍କର ପାଇଁ,

ବନ୍ଦ ହୋଇ, ରହିଥାଇ ହେ ।୨୬।

ସାହେବ ସୁବାଙ୍କ କଥା,

ପାଇଁକି ଅନ୍ୟ ବ୍ୟବସ୍ଥା ।

ଦେଶୀଲୋକ ଯେବେ କେହି,

ଯିବ ଏକ ଟଙ୍କା ଦେଇ ହେ ।୨୭।

ଚାରି ପଇସାକୁ ଟଙ୍କା,

ଶୁଣି ମୁଖ ହୁଏ ବଙ୍କା ।

ଫେରିଯାନ୍ତି ବହୁ ଲୋକ,

ରବିବାରେ କରି ଶୋକ ହେ ।୨୮।

ଆଗୋ ଆଗୋ କାଳୀମାତା,

ବନ୍ଦ ନ କରିବି ଖାତା ।

ଭୋଗଡାଲା ପାଉଥିବ,

ମୋ ନାମ କାଟି ନଥିବ ଗୋ ।୨୯।

ଶକ୍ତି ଥିଲେ ମୋ ଦେହରେ,

ପାଶେ ଯିବି ଥରେ ଥରେ ।

ସଦା କରଇ ବନ୍ଦନ,

ସୁଫଳ କର ସାଧନ ଗୋ ।୩୦।

Image

 

ବାବା ବୈଦ୍ୟନାଥ

 

ଦେବଘର ବୈଦ୍ୟନାଥ,

ଶତଥର ନତ ମାଥ ।

ଦେବି ଶିରେ ଗଙ୍ଗାପାଣି,

ବଇରୀକି ନିଅ ଟାଣି ହେ ।୧।

ତୁମ୍ଭର ଯଶ ଅପାର,

ଦେଶ ବିଦେଶେ ପ୍ରଚାର ।

କଟକ ମଙ୍ଗଳାବାଗେ,

ଗୋପାଳ ଗୃହେ ସରାଗେ ।୨।

ଅଛ ଏକ କଳା ଧରି,

ରୋଗ ମାରି ସ୍ମରହାରୀ ।

ହିମଧରଙ୍କ ଜାମାତା,

ତ୍ରାଣକର୍ତ୍ତା ପ୍ରାଣଦାତା ହେ ।୩।

ଦଳ ଦଳ କୁଷ୍ଠରୋଗୀ,

ତବ ପୀଠେ ଆହେ ଯୋଗୀ ।

ବେଦନା କରୁଛ ଊଣା,

ଦେଶେ ଯାଉଅଛି ଶୁଣା ହେ ।୪।

ତୁମ୍ଭର ଶିବସାଗର,

ସୁଦୀର୍ଘ ଜଳଆଧାର ।

ଅମୃତରୁ ବଳି ସ୍ଵାଦ,

ନାହଁ ଏଥ ପ୍ରତିବାଦ ହେ ।୫।

ତୁମ୍ଭର ସେବକମାନେ,

ସୁପଣ୍ଡିତ ବିଧି ଜ୍ଞାନେ ।

ଯାତ୍ରୀଙ୍କର ଇତିହାସ,

ବହୁତ ଥାଏ ଅଭ୍ୟାସ ହେ ।୬।

ମସ୍ତକେ ଢ଼ାଳିବା ପାଇଁ,

ଗଙ୍ଗାଜଳ ସଜା ଥାଇ ।

ଦୁର୍ମୂଲ୍ୟରେ ଭକ୍ତମାନେ,

କିଣି ନେଇ ସନ୍ନିଧାନେ ହେ ।୭।

ବଡ ଭିଡରେ ଦୁଆରେ,

ଯାଇ ପ୍ରବେଶ ଭିତରେ ।

ଶକ୍ତିପାଶେ ଧରାଧରି,

ମସ୍ତକେ ଢ଼ାଳନ୍ତ ବାରି ହେ ।୮।

Image

 

ରାମେଶ୍ୱର

 

ସେତୁବନ୍ଧ ରାମେଶ୍ୱର,

କୋଟି କୋଟି ନମସ୍କାର ।

ଥିବ ତ ତବ ସ୍ମରଣ,

ଯେସନେ ରାମ ରାବଣ ହେ ।୧।

ଶ୍ରୀରାମ ବାନ୍ଧିଲେ ସେତୁ,

ଲଙ୍କାଗଡ ଜୟ ହେତୁ ।

ତୁମ୍ଭଙ୍କୁ କଲେ ସ୍ଥାପନ,

ଅଧିଷ୍ଠାତା ପଞ୍ଚାନନ ହେ ।୨।

ବାନରସୈନ୍ୟ ଚାଳିଲେ,

ରାବଣ ବଂଶ ମାଇଲେ ।

ଅଇଲାକ ବିଭୀଷଣ,

ରାମରେ ଗଲା ଶରଣ ହେ ।୩।

ଶ୍ରୀରାମ ରାବଣ ମାରି,

ସୀତାଙ୍କୁ ନେଲେ ଉଦ୍ଧରି ।

ପୁଷ୍ପକରଥ ଚଢ଼ିଲେ,

ନିଜ ପୁରୀକି ଚଳିଲେ ହେ ।୪।

ତୁମ୍ଭେ ବହୁକାଳ ବୁଢ଼ା,

ଜଗତଜନଙ୍କ ଖୁଡା ।

କିସ ଦେବି ଉପହାର,

ପ୍ରଜାଙ୍କୁ ବେଗେ ଉଦ୍ଧାର ହେ ।୫।

Image

 

ବିନ୍ଧ୍ୟବ।ସିନୀ

 

ହେ ମାତ ବିନ୍ଧ୍ୟବାସିନୀ,

ତୋ ପୀଠ ଗଙ୍ଗାଚୁମ୍ବିନୀ ।

ସତେ ସ୍ପଟିକର ଜଳ,

ଦିଶୁଥାଏ ଢଜଳଢଳ ଗୋ ।୧।

ନାଗରିକ ଜନମାନେ,

ଗମନ୍ତି ସେ ଘାଟେ ସ୍ନାନେ ।

ଆଣନ୍ତି ଶୀତଳ ଜଳ,

କରନ୍ତି ଦେହ ନିର୍ମଳ ଗୋ ।୨।

କେତେ କର୍ମଠ ବ୍ରାହ୍ମଣ,

ତୋ ପୀଠେ ଥାନ୍ତି ବରଣ ।

ମୁନିରଷିଙ୍କ ସଦୃଶ୍ୟ,

ଦେଖିବ ତାହାଙ୍କ ଦୃଶ୍ୟ ଗୋ ।୩।

ସେ ଦଶଭୁଜା ଭଗିନୀ,

ପ୍ରସ୍ତରପୁରବାସିନୀ ।

ଦେଖିଚି ଥରେ ନୟନେ,

ସର୍ବଦା ପଡ଼ଇ ମନେ ଗୋ ।୪।

ବିନ୍ଧ୍ୟାଚଳ ପାଶେ ନିତି,

ବାଷ୍ଠୀୟ ଶକଟ ଗତି ।

ଧୂମରାଶି ବେଗେ ଉଡ଼େ,

ପର୍ବତଶିଖର ଚୂଡ଼େ ଗୋ ।୫।

ସତେ କି ସେ ଧୂପ ଦୀପ,

ଦିଏ ତୋ ପୀଠ ସମୀପ ।

ମିର୍ଜାପୁରର ସାଧବେ,

ନିର୍ମାଣି ମଠ ସରବେ ଗୋ ।୬।

କରିଛନ୍ତି ଖଞ୍ଜାବାଡ଼ୀ

ପାଉଛନ୍ତି ଭକ୍ତ ପଡ଼ି ।

ଏ ପ୍ରଥାରେ ମହାଜନ,

କରନ୍ତି ପୁଣ୍ୟ ଅର୍ଜନ ଗୋ ।୭।

କରୁଛି ତବ ଚରଣ,

ଦିବା ଯାମିନୀ ସ୍ମରଣ ।

ଅନ୍ନଜଳେ ରକ୍ଷା କର,

ଏହା ମୋ ମାଗୁଣି ବର ଗୋ ।୮।

Image

 

ଜଗନ୍ନାଥ (ଲେବୁତଳା)

 

ଲେବୁତଳା ରାଜପଥେ,

ଦୃଷ୍ଟି କରି ଜଗନ୍ନାଥେ

ରଘୁ ପୂଜାହାରୀ ରଥ,

ଦରଶନେ ଚରିତାର୍ଥ ହେ ।୧।

ସୁଯୋଗ୍ୟ ସେବକମାନେ,

ଅନୁରତ ଭକ୍ତିଜ୍ଞାନେ ।

ଉତ୍କଳର ଜନଗଣେ,

ଅଛନ୍ତି ବେଢ଼ା ପ୍ରାଙ୍ଗଣେ ହେ ।୨।

ଦେଖିଛି ସନ୍ଧ୍ୟା ଆରତି,

ତବ ପୀଠେ ବିଶ୍ୱପତି ।

ଝାଞ୍ଜ ମୃଦଙ୍ଗ ଚହଳ,

ଲାଗେ ଭକ୍ତଙ୍କ ଗହଳ ହେ ।୩।

ଦେବଦେବ ଜଗନ୍ନାଥ,

ତବ ପଦେ ପ୍ରଣିପାତ ।

କରିଛି ବହୁତ ଥର,

ମୋର ଉପକାର କର ହେ ।୪

Image

 

ପରେଶନ।ଥ

 

ଆହେ ଶ୍ରୀ ପରେଶନାଥ,

ଟାଣେ ରଖ ମୋର ହାତ ।

ସ୍ଵଣ୍ଣଖଚିତ ମନ୍ଦିରେ,

ରହିଅଛି ପ୍ରଭୁ ଧୀରେ ହେ ।୧।

ମାରଓ୍ୟାଡ଼ୀଙ୍କର କୀର୍ତ୍ତୀ,

ନାହିଁ ନଥିବ ଧରିତ୍ରୀ ।

ପୂର୍ବଜନ୍ମ ଭାଗ୍ୟ ଥିଲେ,

ଜାଣିବ ପୀଠ ଦେଖିଲେ ହେ ।୨।

ହାରିସନ ରୋଡ଼େ ବାସ,

ନାମେ ବୋଲି ବଦ୍ରିଦାସ ।

ଏ କୀର୍ତ୍ତିକଳାପେ ମନ,

ଦେଇ କଲେ ସାର୍ଥଧନ ହେ ।୩।

Image

 

ତ।ରକେଶ୍ୱର

 

ଆହେ ଶ୍ରୀ ତାରକେଶ୍ଵର

ହୁଗୁଳି ଜିଲ୍ଲାରେ ଘର ।

ପ୍ରତିଜ୍ଞାତ ବଡ଼ ବୋଲି,

ପ୍ରକାଶି ରଖିଚ ଖୋଲି ହେ ।୧।

କୁଢ଼ୀମାନଙ୍କ ଧାରଣା,

ପଡ଼ିଛି ପାଟଅଗଣା ।

ମିଷ୍ଟାନ୍ନେ ବହୁତ ପ୍ରୀତି,

ଭୋଗରାଗ ଲାଗେ ନିତି ହେ ।୨।

ତୁମ୍ଭ ମଠର ମହନ୍ତ,

ଦେଖିବାକୁ ରୂପବନ୍ତ ।

ଚକାମାଲିଟି ପକାଇ,

ବିହରଣେ ବସି ଥାଇ ହେ ।୩।

ଯାତ୍ରୀମାନଙ୍କର ଭେଟି,

ରଖନ୍ତି ଯେ ଦିଏ ଯେଟି ।

ଟଙ୍କା ସୁନା, ଗଦା ଗଦା,

ଲାଗିଅଛି କେତେ ଧନ୍ଦା ହେ ।୪।

ବିଶେଷେ ବଙ୍ଗ ମହିଳା,

ପୂଜନ୍ତି ଚରଣଶିଳା ।

ପଇଡ଼ ଫୁଲ ଚନ୍ଦନ,

ଦେଇ କରନ୍ତି ବନ୍ଦନ ହେ ।୫।

ନବବସ୍ତ୍ର କେହି ଆଣି,

ଶ୍ରୀଅଙ୍ଗେ କରେ ମଣ୍ଡଣି ।

ଦର୍ଶନ କରିଛି ଥରେ,

ମୋ କଷ୍ଟ ଫେଡ଼ିବ ବାରେ ହେ ।୬।

Image

 

କପିଳମୁନି ଆଶ୍ରମ

 

କପିଳମୁନି ଆଶ୍ରମ

ଗଙ୍ଗାସାଗର ସଙ୍ଗମ ।

କରୁଛି ମନେ ସ୍ମରଣ,

କରନ୍ତୁ ମୋର ତାରଣ ହେ ।୧।

ଇଚ୍ଛା ତ ଅଛି ମୋହର,

ସାଧୁ ସନ୍ଥ ସଙ୍ଗତର ।

ସାଗର ସଙ୍ଗ ମେଳାକୁ ,

ଥରୁଟିଏ ଦେଖିବାକୁ ହେ ।୨।

ଯେବା ଚିନ୍ତାଶୀଳ ଅତ,

ସେ କି ଜାଣେ ମନଗତି ।

କେତେବେଳେ କିସ ଘଟେ,

ଏ ଜଗତ ଚିତ୍ରପଟେ ହେ ।୩।

Image

 

ସୀମାଚଳନାଥ

 

ଆହେ ସୀମାଚଳନାଥ,

ଭକ୍ତିଭରେ ନତ ମାଥ ।

ନ ଖାଇଣ କେବେ ଭାତ,

ପଣା ପିଇବାରେ ମାତ୍ର ହେ ।୧।

ହୁଅ ମୋରେ ଅନୁକୂଳ,

ଦିଅ ସବୁ କରି ଠୁଳ ।

ରଖିବ କିନାରା କୂଳ,

ଏ ପ୍ରାର୍ଥନା ଆଦିମୂଳ ହେ ।୨।

Image

 

କୁରୁକ୍ଷେତ୍ର

 

କରୁକ୍ଷେତ୍ର ସରୋବର,

ଭାବୁଚି ଆଜି ମନର ।

ମଧ୍ୟରେ ଲକ୍ଷ୍ମୀ ମନ୍ଦିର,

ଦିଶଇ କିବା ରୁଚିର ହେ ।୧।

ଲକ୍ଷ୍ମୀଦେବୀଙ୍କ ସରାଗ,

ଦୁଃଖନାଶନେ ପାରଗ ।

ପଞ୍ଚୁପାଣ୍ଡବଙ୍କ ଗାଦି,

ପ୍ରସିଦ୍ଧି ରଖିଚି ସାଧି ହେ ।୨।

ସଂକ୍ରମଣ ଗ୍ରହଣରେ,

ଯୋଗ ପଡ଼େ ସରୋବରେ ।

ଲକ୍ଷ ଲକ୍ଷ ଲୋକ ସ୍ନାନ,

କରନ୍ତି ପୁଣ୍ୟ ଅର୍ଜନ ହେ ।୩।

ପିତୃଲୋକଙ୍କୁ ଉଦ୍ଧରି,

ଦିଅନ୍ତି ସ୍ଵରଗେ ଭରି ।

ଏ ତୀର୍ଥେ ଶ୍ରାଦ୍ଧ ତପଣ,

କରିଛି ଦେବଦର୍ଶନ ହେ ।୪।

ପଞ୍ଚୁ ପାଣ୍ଡବଙ୍କ ପଣ,

ମହାଭାରତ ପୁରାଣ ।

କୁରୁକ୍ଷେତ୍ର ଯୁଦ୍ଧ ବାଣୀ,

ସ୍ମରଣେ ରଖିଲି ଆଣି ହେ ।୫।

Image

 

ପ୍ରୟାଗର।ଜ

 

ଗଙ୍ଗା ଯମୁନା ସଙ୍ଗମ,

ମଧ୍ୟରେ ତବ ଆଶ୍ରମ ।

ଆହେ ବୀର ହନୁମାନ,

ଗର୍ତ୍ତରେ ଅଛ ଶୟନ ହେ ।୧।

ଦାରାଗଞ୍ଜେ ଦେବ ହରି,

ରହିଛ ପୀଠ ଆଦରି ।

ପଡ଼େ ସେହ ସ୍ଥାନ ମନ,

ଯହ ଅନନ୍ତଶୟନ ହେ ।୨।

ଭକ୍ତମୁନି ଭରଦ୍ଵାଜ,

ଆଶ୍ରମରେ ବଡ଼ସାଜ ।

ଯୁବତୀଙ୍କ ଅର୍ଥ ଅଳି,

ଲାଗିଯାଏ କେତେ କଳି ହେ ।୩।

ସଙ୍ଗମେ ଶ୍ରାଦ୍ଧ ତର୍ପଣ,

ନଇବେଦ୍ୟ ସମର୍ପଣ ।

କରିଅଛି ତୀର୍ଥରାଜ,

ମାନ ରଖ ମୋର ଆଜ ହେ ।୪।

Image

 

ଲଖନାଉ ଦେବ

 

ଗୋମତୀର ତୀରବାସୀ,

ଅଛି ଯେଉଁ କାଶୀବାସୀ ।

କେଶରବାଗ ସୁମନ,

ବାସନାରେ ପୂତ ମନ ହେ ।୧।

ଗୋମତୀ ଅବଗାହନେ,

ଶ୍ରୀମୁଖର ଦରଶନେ ।

ଉଲ୍ଲାସିତ ଥିଲା ମନ,

ମୋର ପ୍ରଭୁ ସେହି କ୍ଷଣ ହେ ।୨।

ପଡ଼ିଛି ଆପଦ ଏବେ

ସାହାଯ୍ୟ ହୋଇବ ଯେବେ ।

ଦୁଃଖୀର ହେବ ଉଦ୍ଧାର

ଏ ବଡ଼ଲୋକ ବେଭାର ହେ ।୩।

ଲଖନାଉ ଭଇରବ,

ଦେଖି କରି ଦେବ ଠାବ ।

ଆଶ୍ଚର୍ଯ୍ୟ ଔଷସ୍ଥ ତରୁ,

ଶୁକ୍ଳଲବର୍ଣ୍ଣେ ଦିଶେ ଚାରୁ ହେ ।୪।

Image

 

ରଙ୍ଗନ।ଥ

 

ଆହେ ପ୍ରଭୁ ରଙ୍ଗନାଥ,

ତବ ପଦେ ନତମାଥ ।

ବହୁଦୂରେ ଦକ୍ଷିଣରେ,

ଅଛ ରମ୍ୟ ଆସ୍ଥାନରେ ହେ ।୧।

ଖଞ୍ଜା ବାଡ଼ୀ ଅଛି ଯେତେ,

କଉଡ଼ୀ ଅସୁଲ କେତେ ।

ନ ଜାଣଇ ତାହା କିଛି,

ବୁଝିବି ମନେ ଭାବିଛି ହେ ।୨।

ବଡ଼ଦେଉଳ ପ୍ରକାଶ-

ଅଛି ଏ କଥା ବିଶ୍ୱାସ ।

ପାଇବି ପ୍ରସାଦ ଭୋଗ,

ଅଦୃଷ୍ଟରେ ଥିଲେ ଯୋଗ ହେ ।୩।

ଚାରିଦିଗରୁ ଆନୀତ,

ଯାତ୍ରୀ ହୋନ୍ତି ଉପସ୍ଥିତ ।

ମେଳା ଉତ୍ସବ ଗହଳ,

ସର୍ବଦା ଥାଏ ଚହଳ ହେ ।୪।

Image

 

ମାନସରେ।ବର

 

ଆହେ ମାନସରୋବର

ତୀର୍ଥ ମଧ୍ୟେ ଅଟ ସାର ।

ତୁମ୍ଭଙ୍କୁ ପ୍ରଧାନ ଗଣି,

ତୀର୍ଥରାଜ ଚୂଡ଼ାମଣି ହେ ।୧।

ଉତ୍ତରେ କୈଳାସ ଧର,

ବିରାଜିତ ଦେବ ହର ।

ସଙ୍ଗରେ ପାର୍ବତୀ ସତୀ,

କାର୍ତ୍ତିକେୟ ଗଣପତି ହେ ।୨।

ପ୍ରମଥଗଣଙ୍କୁ ଧରି,

ଅଛନ୍ତି ସୁଖେ ବିହରି ।

ତାଣ୍ଡବ ନୃତ୍ୟ କରନ୍ତି,

ତୋ ସ୍ଵାଦନୀର ପିଅନ୍ତି ହେ ।୩।

ଦକ୍ଷିଣରେ ଅଧିଷ୍ଠାତା,

ଯେ ପରଳାମାନଧାତା

ଦୁଇ ପର୍ବତ ମଧ୍ୟର,

ଧରି ରୂପ ଗୋଲାକାର ହେ ।୪।

ଚନ୍ଦ୍ର, ସୂର୍ଯ୍ୟ ଗୋଲ ଦେଖି,

ପୃଥିବୀ ବି ମଧ୍ୟ ଲେଖି ।

ଏ ଗୋଲରୂପ ଧଇଲ,

ଜଗତଜନ ମୋହିଲ ହେ ।୫।

ଅଷ୍ଟକ୍ରୋଶ ବ୍ୟାପି ବ୍ୟାସ,

ମନେ ଲଭେ ବଡ଼ ପ୍ରାସ ।

କର୍ଣ୍ଣେ ଶୁଣିଅଛି ଯାହା,

ଆହା ନ ଦେଖିଲି ତାହା ହେ ।୬।

ବହୁତ ଦୁର୍ଗମ ବନ,

ପବତ ଭେଦି ଗମନ ।

କଲେ ଯାଇ ତବ ନୀର,

କରିବି ଶୁଦ୍ଧ ଶରୀର ହେ ।୭।

ମାନସରେ ହଂସରାଳି

ପନ୍ତି ପନ୍ତି ହୋଇ ଚଳି ।

କରୁଥିଲା ବେଳେ ରାବ,

ଜନ୍ମେ କି ଅପୂର୍ବ ଭାବ ହେ ।୮।

ମୁନି ରଷି ତପଚାରୀ,

କେତେ ଛନ୍ତି ତୀରଧାରୀ ।

ତୀର୍ଥରାଜେ ଅନୁସରି,

ସ୍ଵର୍ଗସୋପାନକୁ ଧରି ହେ ।୯।

ସ୍ଵର୍ଗରୁ ନିତି ଆସନ୍ତି,

ଅମର ଅପ୍ସରାପନ୍ତି ।

ତବ ତୀରେ ନିତ୍ୟ ସାରି,

ପିଅନ୍ତି ଅମୃତବାରି ହେ ।୧୦।

ତୀରବନେ ବିହରଣ,

ଆଶ୍ରମରେ ତପୋଧନ,

ମାନଙ୍କୁ ଦେଖି ସଂଚାର,

ବନଫୁଲେ ପିନ୍ଧି ହାର ହେ ।୧୧।

ହାତ ଚାପୁଡ଼ ପର୍ଯ୍ୟନ୍ତେ,

ସ୍ଵଚ୍ଛନୀରେ ଦୃଷ୍ଟିପଥେ ।

ଦେଖାଯାଏ ଭୂମି ତଳ,

ପ୍ରମାଣ ପାତଳ ଜଳ ହେ ।୧୨।

ଆରଣ୍ୟକ ଜନ୍ତୁଚୟ,

ତୃଷାରେ ହେଲେ ଅଥୟ ।

ବନଚର ପକ୍ଷୀମାନେ,

ତୁଷ୍ଟ ତବ ଜଳପାନେ ହେ ।୧୩।

ଫୁଟେ ନାନାଜାତି ଫୁଲ,

ଉପମା ନାହଁ ତା ତୁଲ ।

ମୋ ପ୍ରାର୍ଥନା ତୀର୍ଥରାଜ,

ଧନମାନ ରଖ ଆଚ୍ଚ ହେ ।୧୪।

Image

 

ପୁରୀ ଜଗନ୍ନାଥ

 

ଲଗାଇଛ ପ୍ରଭୁ ନାଟ,

ବସାଇଛ ଅନ୍ନହାଟ ।

ପ୍ରକୃତ ବଣିକ ପରି,

ଗୋଦାମ ଦେଇଛ ଭରି ହେ ।୧।

ହେଲ ବଡ଼ କାରବାରୀ,

ତେଣୁ ନ ଶୁଣ ଗୁହାରି ।

ନ ମେଣ୍ଟିଲେ ପ୍ରଜା କଷ୍ଟ,

ରାଜ୍ୟ ତ ହୋଇଲା ଭ୍ରଷ୍ଟ ହେ ।୨।

ଏ କଥା ନୁହେଁ ସୁନ୍ଦର,

ତୁମ୍ଭ ପକ୍ଷେ ଚକ୍ରଧର ।

କଲେ ସ୍ଵପ୍ନରେ ଆଦେଶ,

ଜଣାଇ ଦେବି ସନ୍ଦେଶ ହେ ।୩।

ସ୍ଵପ୍ନେ ଦେଲେ ଆଜ୍ଞା ହରି,

ଆରେ ଜୀବଧନ ସ୍ମରି ।

କିସ କଲ ଅନୁଭବ,

ମୋ ପାଶେ ଜଣାଅ ସର୍ବ ହେ ।୪।

ପ୍ରଭୁଙ୍କ ଆଦେଶ ପାଇ,

ଦୁଃଖୀ ହାତଯୋଡ଼ି ଚାହିଁ ।

ଦେବ ହେବ ଅବଧାନ,

ଡେରି ରଖି ଶୁଣ କାନ ହେ ।୫।

ବର୍ଣ୍ଣିବି କି ସବୁ ସତେ,

ଅନ୍ତର୍ଯ୍ୟାମୀ କର୍ଣ୍ଣପଥେ ।

ଲଜ୍ଜାରେ କି ମଥାପୋତି,

ପଢ଼ିବି ପୁରାଣ ପୋଥି‌ ହେ ।୬।

ପ୍ରଜାଙ୍କର ଧନ ମାନ,

ଦେବେ କଲେ ତୁଚ୍ଛଜ୍ଞାନ ।

ତବ ନିୟମ ନ ମାନି,

ସମ୍ପତ୍ତି ଜୀବନ ହାନି ହେ ।୭।

କଥାତ ଭତ୍ତିକି ଭଳି,

ଉପଜିଲା ଘୋରକଳି ।

ରାଜ୍ୟ ହେଲା ଟଳମଳ,

ଯହିଁ ତହିଁ କୋଳାହଳ ହେ ।୮।

ଇନ୍ଦ୍ର ନକଲେ ବରଷା,

ଶୁଖିଲା ପଡ଼ିଲା ରସା ।

ରାଜ୍ୟକୁ ହେଲା ଦୁର୍ଦ୍ଦଶା,

କେହି ନ ନେଲେ ପ୍ରଶଂସା ହେ ।୯।

ଘଟିଲା ଯେ ବାର ବାର,

ଅସହ୍ୟ ହେଲା ବେଭାର ।

ନ୍ୟାୟ ଉପଦେଶ କଥା,

ନ ମାନିଲେ ଟେକି ମଥା ହେ ।୧୦।

ପୁରୁଣା ବନ୍ଧ ଗାଡ଼ିଆ,

ଯେ ସବୁ ଥିଲା ଆଡ଼ିଆ ।

ପାଣି ସର ସରିଗଲା,

କେଦାରରେ ଧାନ ମଲା ହେ ।୧୧।

ଲୋକେ ହେଲେ ସଦା ରଣୀ,

ଖୋଜିଲେ ଧାନ ଗଉଣି ।

ହୃଦୟରେ ବେଗ ଯେତେ,

ତା କହିବା ପ୍ରଭୁ କେତେ ହେ ।୧୨।

ରାଜ୍ୟରେ ବଢ଼ିଲା ରୋଗ,

ଅପବାଦ କଲ ଭୋଗ ।

ଲଗାଇଲ ହରି ଲୀଳା,

ଭେଳା ଆହୁରି ଭାସିଲା ହେ ।୧୩।

ଆମ୍ଭେ ହେଉଅଛୁ ବଣା,

ବେଗେ କର ବୁଝାମଣା ।

ପୀଠ ପୁରି ପଡ଼େ ହୁରି,

ବାଜୁଛି ଢକା ମହୁରୀ ହେ ।୧୪।

ଅଶାନ୍ତି ଘୋର ମୁରାରି,

ରଖିବ ବାହୁ ପ୍ରସାରି ।

ତୁମ୍ଭର ଯେ ଯୋଗାଣିଆଁ,

ସହାୟେ ନୁହନ୍ତି ଠିଆ ହେ ।୧୫।

ଆମ୍ଭେ ହୋଇଲୁଁ ଭିଖାରି,

ଗୃହେ ନାହିଁ ଅନ୍ନ ବାରି ।

ଖଞ୍ଜାଇ ଦିଅ ଗୋଟିକା,

ରହୁ ଜୀବନନାଟିକା ହେ ।୧୬।

ଖଇରାତି ମଠବାଡ଼ି,

ମାନଙ୍କରେ ବାନ୍ଧ ଶାଢ଼ୀ ।

ତହିଁକି ଦୃଷ୍ଟି ନ ଦେଲ,

ସଦା ଅପଯଶ ନେଲ ହେ ।୧୭।

ରଥ ବିଜେକାଳେ ରାଜେ,

ବଝୁଥିଲ ଭଲ ସଜେ ।

ଶୁଣି ସକଳ ଗୁହାରି,

ନ୍ୟାୟପଥ ଦେଲ ବାରି ହେ ।୧୮।

ପଡ଼େ ମନେ ଇତିହାସ,

ତବ ଅସୀମ ସାହସ ।

ପାଇଥିଲ ବଡ଼ ପ୍ରାସ,

ଗଲ କାଞ୍ଚୀରାଜ ପାଶ ହେ ।୧୯।

ମାନିଲେ କାଞ୍ଚୀନରେଶ,

ରାଜନେ ଦେଇ ସନ୍ଦେଶ ।

ପାଇଲେ କେଡ଼େ ଅଯଶ,

ସବୁ ଜଗଦୀଶ ରସ ହେ ।୨୦।

ବିପୁଳ ସମ୍ପତ୍ତି ଥାଇ,

ଗଉଡଣୀ ପାଶେ ଯାଇ ।

ପିଇଥିଲ ଘୋଳଦହି,

ମନେ ନଥିବ କି ରହି ହେ ।୨୧।

ଗଜପତିଙ୍କ ସଙ୍ଗରେ,

ଯାଇଥିଲ ପରା ଥରେ ।

ଗଙ୍ଗା କଟକାଇ କରି,

ଆସିଲ ରଖ ସୁମରି ହେ ।୨୨।

ଇନ୍ଦ୍ରଦ୍ୟୁମ୍ନ ଗଲେ କାହିଁ,

ତୁମ୍ଭଙ୍କୁ ଏଥି ବସାଇ ।

ଅନଙ୍ଗଭୀମଙ୍କ କଥା,

ପଡ଼େ ଆଜି ସ୍ମୃତିପନ୍ଥା ହେ ।୨୩।

ବିଦ୍ୟାପତି ସଙ୍ଗ ଧରି,

ଶବର ଘର ବିସ୍ମରି ।

ଆସିଲ ଏଠାକୁ ଯେବେ,

ମନେ ପକାଅ କି କେବେ ହେ ।୨୪।

କି କଉତୁକ ବିହିଲ,

ବୃଦ୍ଧ ଶିଳିପୀ ହୋଇଲ ।

ଦେଇଥିଲ ଦ୍ଵାର କିଳି,

ସନ୍ଦେହେ ଖୋଲିଲେ ମିଳି ହେ ।୨୫।

ହନ୍ଦୁଧର୍ମୀ ଲୋକମାନେ,

ସମବେତ ଏହି ସ୍ଥାନେ ।

କି ଜନତା ସଦା ଲାଗେ,

ମନ୍ଦିର ସମ୍ମୁଖଭାଗେ ହେ ।୨୬।

ଭାରତ ମଧ୍ୟରେ କାହ,

ଏଡ଼େ କୀର୍ତ୍ତି ଦେଖା ନାହିଁ ।

ନୁହେଁ ମନୁଷ୍ୟର କର୍ମ,

ହୋଇଥାଏ ମନେ ଭ୍ରମ ହେ ।୨୭।

ସମୁଦ୍ର ଗର୍ଜ୍ଜନ କରେ,

ବୁଝାଇ ଦିଏ କି ଖରେ ।

ଜଗନ୍ନାଥଙ୍କ ମନ୍ଦିର,

ଏଠାରେ ଦିଶେ ରୁଚିର ହେ ।୨୮।

ରତ୍ନ ସିଂହାସନ ଧରି,

କି ସୁଖେ ରହିଛ ହରି ।

ଭୁଞ୍ଜୁଛ କନକା ଅନ୍ନ,

ତାଡ଼ିଆ ଅମାଲୁମାନ ହେ ।୨୯।

ମୋର ମନେ ସଦା ଧ୍ୟାଦ.

ଦେଖୁଥିବି ପୀଠସ୍ଥାନ ।

ପ୍ରଭୁ ବଳାଇଲେ ମନ,

ସେ କି ନୋହିବ ସାଧନ ହେ ।୩୦।

ଦେଖିଲି ସ୍ଵର୍ଗଦୁଆର,

ବଢ଼ାଇଛ କୋଠାଘର ।

ସୁରଲୋକ ଦେବ ପଥ

ଅବରୋଧେ ମନୋରଥ ହେ ।୩୧।

ଆସୁଛନ୍ତି ନିତି ପରା,

ସ୍ଵରଗରୁ ଅପସରା ।

କରନ୍ତି ଶ୍ରୀବନ୍ଦାପନା,

ହେବ କି ଏଣକି ମନା ହେ ।୩୨।

ଶ୍ମଶାନଭୂମିଟି କ୍ଷୀଣ,

ହେଉଛି ଦିନକୁ ଦିନ ।

ଏ କିସ ତୁମ୍ଭର ଫନ୍ଦି,

କରିବ କି ଦାହ ବନ୍ଦି ହେ ।୩୩।

ତେତିଶକୋଟି ଦେବତା,

ପୀଠେ ଅଛନ୍ତି କରତା ।

ବସୁଅଛି ପାଣିକଳ,

ପାଇବ ଅମୃତଜଳ ହେ ।୩୪।

Image

 

କାଳିଆବୋଦ। ବା କାଳିଆବୁଦ।

 

ମହାନଦୀ ରମ୍ୟ ତଟେ,

ଯୋବରାଘାଟ ନିକଟେ ।

ଅଛି ଏକ ତପୋବନ,

ଦେଶରେ ଅଟେ ପ୍ରଧାନ ହେ ।୧।

କାଳିଆବୋଦା ନାମକ,

ଥାଆନ୍ତି ସଦା ସାଧକ ।

କାଳିଆ ନାମେ ପୂର୍ବରେ,

ଏ ପୀଠେ ସାଧକବରେ ହେ ।୨।

ତନ୍ତ୍ରବିଦ୍ୟାରେ ପ୍ରବୀଣ,

ଥିଲେ ସେ ଯୋଗୀ ଅସୀନ ।

ତାହାଙ୍କ ନାମକୁ ଧରି

ଏ ନାମ ଅଛି ପ୍ରସରି ହେ ।୩।

ବୁଦାତଳେ ଯୋଗୀ ଜଗି,

କରନ୍ତି ସାଧନା ଭଙ୍ଗି ।

କାଳୀ ନାମ ମିଶି ଯୁଦା* ,

ତେଣୁ ଏ କାଳିଆବୋଦା ହେ ।୪।

କାହାରି କାହାରି ମତ,

ଯେ ବୁଝୁ ଯାହା ସଙ୍ଗତ ।

ନାନା ଲୋକେ ନାନା କଥା,

କହନ୍ତି ରହିଛି ପ୍ରଥା ହେ ।୫।

ତରୁ ଲତା ଗୁଳ୍ମମାନ,

ପୀଠସ୍ଥାନେ ଶୋଭମାନ ।

ଆମ୍ର ପନସରେ ଭରା,

ନାରିକେଳ ଗୁଆ ଧରା ହେ ।୬।

ସାହାଡ଼ା କଦମ୍ବ ତରୁ,

ମୋହନିଆ ବେଶେ ଗରୁ ।

କଦମ୍ବ ବୃକ୍ଷ ତଳରେ,

ଘାସିଆ ପୂର୍ବକାଳରେ ହେ ।୭।

ଘାସ କାଟୁଥିଲା ବସି,

ଚେରରେ ଲାଗିଲା ଅସି ।

ବହିଲା ରକତଧାର,

ଭାବନାରେ ଚମତ୍କାର ହେ ।୮।

ସେହଦିନୁ ମହୀରୁହେ,

ଭୋଗରାଗ କେତେ ହୁଏ ।

ସେ ଆସ୍ଥାନ ସମୀପର,

ବିରାଜିଛି ତରୁବର ହେ ।୯।

ସାହାଡ଼ାତରୁର ମୂଳେ,

ଚାନ୍ଦିନିଟିଏ ବର୍ତ୍ତୁଳେ ।

ନ ଥାଏ ଟିକିଏ ଧୂଳି,

ନିକୁଞ୍ଜ ନିଳୟେ ତୁଳି ହେ ।୧୦।

ଚାନ୍ଦିନୀରେ ବସି କ୍ଷଣେ,

ଶୀତଳ ବାୟୁ ସେବନେ ।

ହୃଦୟ କି ପୁଲକିତ,

ତା ସଙ୍ଗରେ ବି ତୁଳିତ ହେ ।୧୧।

କଲେ ନୁହେ ମନୋନୀତ,

ମିଳେ ଯେବେ ସ୍ଵର୍ଣ୍ଣବିତ୍ତ ।

ବିପୁଳ ସମ୍ପତ୍ତି ତୁଚ୍ଛ,

ଯାହାକୁ ତାହାକୁ ପୁଚ୍ଛ ହେ ।୧୨।

ବଡ଼ ବଡ଼ ଖମ୍ବ ରଖି,

ସାହାଡ଼ା ଗଛ ସଳଖି ।

ରଖିଛନ୍ତି ବେଦୀପରେ,

ଚନ୍ଦ୍ରାତପ ଆକାରରେ ହେ ।୧୩।

ଏମନ୍ତ ସାହାଡ଼ା ତରୁ,

ଶାଖା ପ୍ରଶାଖାରେ ଗରୁ ।

ପୀଠ ଗୌରବ ବଢ଼ାଇ,

ଆଉ କାହିଁ ଦେଖା ନାହିଁ ହେ ।୧୪।

ଏକଗୁଣ୍ଠ ବ୍ୟବଧାନ,

ମାଡ଼ି ରହିଅଛି ସ୍ଥାନ ।

ମୂଳ ପାଶେ ଅଛି ଘେରି,

କ୍ଷୁଦ୍ର ପାଷାଣ ପାଚେରୀ ହେ ।୧୫।

ଅତି ପୂର୍ବକାଳେ ଥରେ,

ନାନକ ଗୁରୁ ଏଠାରେ ।

ସାହାଡ଼ା ଡାଳ ଭାଙ୍ଗିଲେ,

ଦାନ୍ତ ଘଷି ପକାଇଲେ ହେ ।୧୬।

ସେହି ହେଲା ଏଡ଼େ ତରୁ,

ଶାଖା ପ୍ରଶାଖାରେ ଚାରୁ ।

କାଳୀ ସଙ୍ଗେ ହେଲା କଳି,

ସେ ନାନକ ଗଲେ ଚଳି ହେ ।୧୭।

ଶୋଭିତ କରିଛି ପୀଠ,

ବେଦପାଠୀ କର୍ମନିଷ୍ଠ ।

ଯୋଗୀଗଣରେ ସତତ,

ବିଖ୍ୟାତ ଯାହାଙ୍କ ବ୍ରତ ହେ ।୧୮।

ଏ ଅନ୍ତେ ଶୁଣ ଆଖ୍ୟାନ,

ଆହେ ସର୍ବ ସାଧୁଜନ ।

ପଞ୍ଜାବ ଦେଶରେ ଜାତ,

'ବାହାଗୁରୁ' ନାମେ ଖ୍ୟାତ ହେ । ୧୯।

ଦୁଃଖୀ ବ୍ରାହ୍ମଣ ବଂଶରେ,

ଜନ୍ମିଥିଲେ ଯୋଗୀବରେ ।

ବାଲ୍ୟକାଳୁଁ ତପୋଧନ,

ଧର୍ମେ ଦେଇଥିଲେ ମନ ହେ ।୨୦।

ପିତା ମାତା ତାହାଙ୍କର,

ତପସାଧି ପାଇ ବର ।

ଲଭିଥିଲେ ଏ ସନ୍ତାନ,

ଯେ ହେଲେ ଭକ୍ତ ପ୍ରଧାନ ହେ ।୨୧।

ବାଳକ ବଡ଼ ବିବେକ,

ଗୃହ ଛାଡ଼ି ନେଲେ ଭେଖ ।

ଦ୍ଵାଦଶ ବର୍ଷ ବୟସେ,

ଚଳିଲେ ଧର୍ମଲାଳସେ ହେ ।୨୨।

କଲେ ତୀର୍ଥ ପର୍ଯ୍ୟଟନ,

କାଶୀ ଗୟା ବୃନ୍ଦାବନ ।

ବଦରିକା ହରଦ୍ଵାର,

ଗଲେ ମାନସରୋବର ହେ ।୨୩।

ଦେବେନ୍ଦ୍ରନାଥଙ୍କ ପାଶ,

ହମାଳୟେ କଲେ ବାସ ।

ବଡ଼ ଆନନ୍ଦତ ମନେ,

ସନ୍ତୋଷ ସ୍ନେହ ଭାଷଣେ ହେ ।୨୪।

ବୁଧଙ୍କର ଇତିହାସ,

ପଠନେ ପାଇ ପ୍ରୟାସ ।

କଲେ ତାହା ଆଳାପନ,

ନିଗୂଢ଼ ସମାଲୋଚନ ହେ ।୨୫।

କୁରୁକ୍ଷେତ୍ରେ ଯୋଗୀବୀର,

ମହାଲକ୍ଷ୍ମୀଙ୍କ ମନ୍ଦିର ।

ପଞ୍ଚୁପାଣ୍ଡବେ ଦର୍ଶନ,

ଭେଟିଲେ ସମରାଙ୍ଗନ ହେ ।୨୬।

ମହାସରେ ସ୍ନାନ କରି,

ସପ୍ତପୁରୁଷ ଉଦ୍ଧରି ।

କଲେ ଯେ ଶ୍ରାଦ୍ଧକଳାପ

ହରାଇଲେ ପାପତାପ ହେ ।୨୭।

କଲେ ଗୋମତୀରେ ସ୍ନାନ,

ଦେଖିଲେ ଭୈରବ ସ୍ଥାନ ।

ନୈମିଷାରଣ୍ୟବହାରୀ,

ହୋଇଲେ ସେ ତପଚାରୀ ହେ ।୨୮।

ଦେଖିଲେ ପ୍ରୟାଗରାଜ,

ମୁନିଜନଙ୍କ ସମାଜ ।

ଭରଦ୍ଵାଜଙ୍କ ଆଶ୍ରମ,

ତ୍ରିବେଣୀରେ ସ୍ନାନକର୍ମ ହେ ।୨୯।

ସେତୁବନ୍ଧ ରାମନାଥ,

ଦ୍ଵାରକାରେ ପ୍ରଣିପାତ ।

କଲେ କଷ୍ଟେ ମହାଯୋଗୀ,

ବିଳାସେ ନହୋଇ ଭୋଗୀ ହେ ।୩୦।

ଚିତ୍ରକୂଟରେ ପ୍ରବେଶ,

ରାମକୁଟୀର ପ୍ରଦେଶ ।

କଲେ ଯନେ ନିରୀକ୍ଷଣ,

ପଞ୍ଚବଟୀ ଘୋରବନ ହେ ।୩୧।

ଗୋଦାବରୀ ତୀର୍ଥେ ଗଲେ,

ନର୍ମଦାରେ ସ୍ନାନ କଲେ ।

କାବେରୀର ଜଳପାନେ,

ରତ ହେଲେ କୃଷ୍ଣଧ୍ୟାନେ ହେ ।୩୨।

ବିନ୍ଧ୍ୟବାସିନୀଙ୍କ ପୀଠ,

ଯାଇଥିଲେ କର୍ମନିଷ୍ଠ ।

ଦଶଭୁଜାଙ୍କ ଦର୍ଶନ,

ଭକ୍ତିରେ କଲେ ବନ୍ଦନ ହେ ।୩୩।

ଭ୍ରମି ବଙ୍ଗେ ନାନା ସ୍ଥାନ,

କାଳିଙ୍କି କଲେ ଦର୍ଶନ ।

ମସ୍ତକରେ ସଦାଚାରୀ,

ଢାଳିଥିଲେ ଗଙ୍ଗାବାରି ହେ ।୩୪।

ବୁଲି ଦେଶ ଉପଦେଶ,

ପାଇଲେ ଧର୍ମ ସନ୍ଦେଶ ।

ଈଶ୍ଵର ଭାବେ ମଗନ,

ସଦା ଯୋଗୀଙ୍କର ମନ ହେ ।୩୫।

ଭାଗ୍ୟବଳେ ଯୋଗୀବର,

ଶ୍ରୀକ୍ଷେତ୍ର ହେଲେ ଆବର ।

ଶ୍ରୀ ଜଗନ୍ନାଥ ଦେଖିଲେ,

ମହାପ୍ରସାଦ ପାଇଲେ ହେ ।୩୬।

ମନେ ମନେ କଲେ ଧ୍ୟାନ,

ଜଗଦୀଶ ମୋର ମାନ ।

ରକ୍ଷା ପାଇଁ ଦେଶେ ସ୍ଥାନ,

ଦେବ ଏହି ନିବେଦନ ହେ । ୩୭।

ଉତ୍କଳଦେଶେ ଭ୍ରମିଲେ,

କୋଣାର୍କକ୍ଷେତ୍ର ଦେଖିଲେ ।

ଚନ୍ଦ୍ରଭାଗା ତୀର୍ଥ ଯାଏ,

ଗମିଲେ ନିର୍ଭୟ କାୟେ ହେ ।୩୮।

ଏକାମ୍ରକାନନେ ଆସି,

ଦେଖ୍‌ଥିଲେ ପୀଠ ରାଶି ।

ରମଣୀୟ ଖଣ୍ଡଗିରି,

ଖାଇଥିଲେ ଖଣ୍ଡକ୍ଷୀରି ହେ ।୩୯।

ଦେଖିଲେ ବିରଜା ଧାମ,

ଉତ୍କଳ ଶିଳ୍ପୀଙ୍କ କାମ ।

କଲେ ବୈତରଣୀ ସ୍ନାନ,

ବରାହପୀଠେ ଗୋଦାନ ହେ ।୪୦।

ବଳଭଦ୍ର ରୂପ ଦେଖି,

ଗୋପୀନାଥଙ୍କୁ ନିରେଖି ।

ଶାଳନ୍ଦୀ ଅବଗାହନେ,

ତୃପ୍ତିଲାଭ କଲେ ମନେ ହେ ।୪୧।

କପିଳାସେ ରଷିବର,

ଦେଖିଲେ ଚନ୍ଦ୍ରଶେଖର ।

ପୟୋମୃତ ଜଳପାନେ,

ଶୀତଳତା ହେଲା ପ୍ରାଣେ ହେ ।୪୨।

ଥରେ କଟକନଗରେ,

ଥିଲେ ଏକ ଗୃହୀ ଘରେ ।

ନାନକଙ୍କ ଆଗମନ,

ବାରତା ଥିଲା ସ୍ମରଣ ହେ ।୪୩।

ହୋଇଲେ ଅନୁସନ୍ଧାନୀ,

ନାନକପୀଠକୁ ଜ୍ଞାନୀ ।

କାଳିଆବୋଦା ପାଇଲେ,

ମନେ ସାନ୍ତ୍ୱନା ଲଭିଲେ ହେ ।୪୪।

ସେ ସ୍ଥାନେ ଆସ୍ଥାନ କରି,

ରହିଲେ ପ୍ରଭୁ ସୁମରି ।

ତାହାଙ୍କ ଅବସ୍ଥତିରୁ,

ସୁବର୍ଣ୍ଣ ଜାତ କ୍ଷିତିରୁ ହେ ।୪୫।

ପୀଠ ହେଲା ମନୋହର,

ମିଳନେ ସାଧୁ ସନ୍ଥର ।

କରିଦେଲେ ଧର୍ମଶାଳା,

ପକାଘର ଏକତାଲା ହେ ।୪୬।

ନଥିଲା ଅର୍ଥ ଅଭାବ,

କରୁଥିଲେ ଲୋକେ ଠାବ ।

ମଣିଅର୍ଡ଼ରରେ ଧନ,

ଆସେ ପାଶେ ଅଗଣନ ହେ ।୪୭।

ଅତି ଚମତ୍କାର ବାଣୀ,

ଶୁଣନ୍ତୁ ସକଳପ୍ରାଣୀ ।

ସାଧୁସନ୍ଥ ପ୍ରବେଶିଲେ,

ପାଶରେ କିଛି ନଥିଲେ ହେ ।୪୮।

କାହୁଁ କାହୁଁ ମିଳେ ଆସି,

ଦୁଧ ଘିଅ ଅଟାରାଶି ।

ଆଣି ସୁଖେ ଯଜମାନେ,

ଦେଇଯାନ୍ତି ପୀଠସ୍ଥାନେ ହେ ।୪୯।

କାହା ଅଭାବ ଦେଖିଲେ,

ଦାନ ଧ୍ୟାନ କରୁଥିଲେ ।

ନିର୍ଲୋଭରେ ସାଧୁସେବା,

ଲାଗିଥାଏ ନେବା ଦେବା ହେ ।୫୦।

ନାନାସ୍ଥାନ ଯୋଗୀଜନେ,

ଆଳାପିଲେ ଶୁଦ୍ଧମନେ ।

ସ୍ୱାମୀଙ୍କର ଉପଦେଶେ,

ଯଶ ଉଡ଼େ ଦେଶେ ଦେଶେ ହେ ।୫୧।

ପ୍ରାତଃସ୍ନାନ ଶୀଘ୍ର କରି,

ଇଷ୍ଟଦେବତା ସୁମରି ।

ବସନ୍ତି ନିମଗ୍ନ ମନେ,

ଗାଦିରେ ଯୋଗ ଆସନେ ହେ ।୫୨।

କରନ୍ତି କଦା ଶୟନ,

ନ ଜାଣନ୍ତି କେହି ଜନ ।

ବଡ଼ ସରଳ ସ୍ଵଭାବ,

ସେ ଦେବଭାବ ମାନବ ହେ ।୫୩।

ଭାଷାଜ୍ଞାନ ବହୁତର,

ଲଭିଥିଲେ ଯୋଗୀବର ।

ସଂସ୍କୃତ, ହିନ୍ଦୀ, ଉଜ୍ଜଳ,

ଗୁରୁମୁଖୀରେ ପ୍ରବଳ ହେ ।୫୪।

ବଙ୍ଗଳାର ଭାଷା ଯେତେ,

ତାମିଲ, ତୈଲଙ୍ଗ କେତେ ।

ହୋଇଥିଲେ ଅଧକାରୀ,

ଗ୍ରନ୍ଥପଠନେ ଆଚାରୀ ହେ ।୫୫।

କଟକେ ପୂର୍ବକାଳରେ,

ଥିଲେ ବିମିସ ନାମରେ ।

ଏକ ବିଜ୍ଞ ମାଜିଷ୍ଟର,

ଭାଷାରେ ଥିଲା ଆଦର ହେ ।୫୬।

ବାହାଗୁରୁଙ୍କୁ ଡକାଇ,

ଆଦରେ ଗୃହେ ବସାଇ ।

ତାଙ୍କଠାରୁ ଭାଷା ଶିକ୍ଷା,

କରୁଥିଲେ କେତେ ଦୀକ୍ଷା ହେ ।୫୭।

ସ୍ୱାମୀକି ଚିହ୍ନିବା ପାଇଁ,

ବିମିସ ମନରେ ଧ୍ୟାଇ ।

ଦୁଇ ତୋଡ଼ା ଟଙ୍କା ଆଣି,

କହିଲେ ଏମନ୍ତ ବାଣୀ ହେ ।୫୮।

ଆପଣ ଏହାକୁ ନିଅ,

ମଠଠାରେ ରଖିଦିଅ ।

ଇଚ୍ଛା ଅଛି ଯେବେ ସତେ,

ନକର ଗୋପନ ମତେ ହେ ।୫୯।

ସ୍ଵାମୀ ଏକ ମୁଦ୍ରା ଧରି,

ହସ୍ତରେ ମର୍ଦ୍ଦନ କରି ।

ବିମିସଙ୍କୁ ସମ୍ବୋଧନ,

କରି କହିଲେ, ଏସନ ହେ ।୬୦।

ହେ ସାହେବ ମହୋଦୟ,

ଯେ ଦ୍ରବ୍ୟ ପରଶେ କ୍ଷୟ ।

ହେଉଛି ଶରୀର କାନ୍ତି,

କାଳିମା ପ୍ରକାଶେ ଭାତି ହେ ।୬୧।

ହସ୍ତେ ଦୁର୍ଗନ୍ଧ ଉଠର,

ପ୍ରୟୋଜନ କିସ ତହିଁ ।

ସ୍ଵାମୀଙ୍କ ମୁଖ ନିର୍ଗତ,

ବଚନ ଶୁଣି ଏମନ୍ତ ହେ ।୬୨।

ସାହେବ ହେଲେ ବିସ୍ମିତ,

ଜାଣିଲେ ଯୋଗୀଙ୍କ ଚିତ୍ତ ।

କେଡ଼େ ନିର୍ଲୋଭ ନିର୍ମଳ,

ଏହାଙ୍କର ହୃଦସ୍ଥଳ ହେ ।୬୩।

ବିଶେଷ ହୋଇଲେ ପ୍ରୀତ,

ଭାବିଲେ ଅତ ଚକିତ ।

ହୋଇ ଚିତ୍ରାର୍ପିତ ପ୍ରାୟ,

ପଡ଼ିଲା ସ୍ଵାମୀଙ୍କ କାୟ ହେ ।୬୪।

ତାହାଙ୍କ ଯୁଗ୍ମଲୋଚନ,

ଉଦିଲା କି ଭାବମାନ ।

ପ୍ରକୃତ ଏହି ବିରାଗୀ,

ଅଟନ୍ତି ବିଷୟତ୍ୟାଗୀ ହେ ।୬୫।

ସେହି ଦିନରୁ ମନରେ,

ସାହେବ ଭକ୍ତି ଭାବରେ ।

ସ୍ୱାମୀଙ୍କର ସମାଦର,

କରନ୍ତି ଅଧିକତର ହେ ।୬୬।

ଆରତି ସମୟେ ଜ୍ଞାନୀ,

ଉଚ୍ଚରବେ କରି ବାଣୀ ।

ବୋଲନ୍ତି ପରମେଶ୍ୱର,

ଏ ବିଶ୍ଵ ଅଟେ ତୁମ୍ଭର ହେ ।୬୭।

ରବି ଅଶୀ ତରାଗଣ,

କରିଛ ତୁମ୍ଭେ ନିର୍ମାଣ ।

ତବ ଆରତି କାରଣ,

ଆଲୋକ କରନ୍ତେ ଦାନ ହେ ।୬୮।

ଷଡ଼ ରତୁ ଆସି ଯାଏ,

ଦିନ ରାତି ସଦା ଧାଏଁ ।

ସ୍ରୋତସ୍ଵତୀ ନଦୀ ଗତି,

ତବ ଗୁଣ ପ୍ରକାଶନ୍ତିହେ ।୬୯।

ମୁଖନିଃସୃତ ବଚନ,

କରନ୍ତ ଶଙ୍ଖବାଦନ ।

ନାନାବିଧ ବନଫୁଲ,

ମଣ୍ଡଣିକି କିବା ତୁଲ ହେ ।୭୦।

ମଳୟପବନ ଧୀରେ,

ଧୂପ ଦିଏ ସମୀପରେ ।

ସକଳେ ମିଳି ଆରତି,

ସଦା ନିୟୋଗେ କରନ୍ତ ହେ ।୭୧।

ନାନକ ଚାତକ ଚାହିଁ,

ଅଛି କୃପାବାରି ପାଇଁ ।

ପାଦପଦ୍ମ ମକରନ୍ଦ,

ପାଇଲେ ହେବ ଆନନ୍ଦ ହେ ।୭୨।

ପ୍ରଭୁନାମେ ମିଶି ବାସ,

କରିବାକୁ ମୋର ଆଶ ।

ଏବିକିଟି ନିବେଦନ,

ହେବ ଏଥିରେ କାରଣ ହେ ।୭୩।

ଏହି ସ୍ତୁତି ପାଠ କରି,

ଭକ୍ତିରେ ଆରତି ସାରି ।

ପାଶେ ଥିବା ଲୋକ ଜନେ,

ପ୍ରସାଦ ସରଳ ମନେ ହେ ।୭୪।

କରିଥାନ୍ତି ବିତରଣ,

ଯେ ପାଏ ପ୍ରସନ୍ନମନ ।

ଯାହାକୁ ଦିଅନ୍ତି ଯାହା,

ତୃପ୍ତିକର ହୁଏ ତାହା ହେ ।୭୫।

ଅପୂର୍ବ କଥାଏ ଥରେ,

ଶୁଣିଛି ମୁହିଁ କର୍ଣ୍ଣରେ ।

କେତେ ଭଦ୍ରଲୋକ ଥରେ,

ମିଳି ଯୋଗୀଙ୍କ ପାଶରେ ହେ ।୭୬।

କଡ଼ାଭୋଗ ମାଗିଥିଲେ,

ଆନନ୍ଦେ ଯୋଗୀ ଯାଚିଲେ ।

ଅଳପ ଥିଲା ପାଶର,

ଦେଲେ ତାହାଙ୍କ ହସ୍ତର ହେ ।୭୭।

କଲେ ଚାରିଭାଗେ ଗୁଳା,

ଖାଇ ଗୋଟି ଗୋଟି ପୁଳା ।

ପେଟ ଭରିଲା ତାଙ୍କର,

ମଣିଲେ କି ଚମତ୍କାର ହେ ।୭୮।

ସିଦ୍ଧ ଯୋଗୀଙ୍କ ମହିମା,

ଚିନ୍ତିଲେ ଗୁଣ ଗାରିମା ।

ଜଗତେ କଲେ ପ୍ରଚାର,

ବାହାଗୁରୁଙ୍କ ଆଚାର ହେ ।୭୯।

ବାହାଗୁରୁଙ୍କ ଚରିତ,

ଶୁଣି ଦେହ ରୋମାଞ୍ଚିତ ।

ମରଣର ପୂର୍ବକାଳେ,

ଶିଷ୍ୟଙ୍କୁ ଡାକି ସକାଳେ ହେ ।୮୦।

କହିଲେ ଏହି ବଚନ,

ଆହେ ପ୍ରିୟ ଶିଷ୍ୟଗଣ ।

ରହିଥାଅ ସାବଧାନ,

ଛାଡ଼ିବୁ ଏ ମର୍ତ୍ତ୍ୟସ୍ଥାନ ହେ ।୮୧।

ମୁଖେ କହି ମୃଦୁବାଣୀ,

ଉପକରଣକୁ ଆଣି ।

ରଖାଇଲେ ଶିଷ୍ୟମାନେ,

ସକଳ ବିଧି ବିଧାନେ ହେ ।୮୨।

ଯୋଗାସନେ ମୁନିବର,

ବସିଲେ ହୋଇ ତତ୍ପର ।

ସକଳ କଳ୍ମଷ ପୋଛି,

ବାୟୁକୁ ଦେଲେ ସଙ୍କୋଚି ହେ ।୮୩।

କ୍ରମେ କ୍ରମେ ଚାହୁଁ ଚାହୁଁ,

ଛାଡ଼ିଗଲା ପ୍ରାଣବାୟୁ ।

ଆରୋହି ସ୍ୱର୍ଗ ବିମାନେ,

ଆତ୍ମା ଚଳିଲା ଗଗନେ ହେ ।୮୪।

ଦେଖିଲା ଶୁଣିଲା ଜନ,

କଲେକ ଅଶ୍ରୁ ପତନ ।

ପଡ଼ିଗଲା ହାହାକାର,

ହୋଇଲା ରାଜ୍ୟେ ପ୍ରଚାର ହେ ।୮୫।

ବହୁଲୋକ ହୋଇ ଠିଆ,

କଲେ ସେ ଅନ୍ତ୍ୟେଷ୍ଟିକ୍ରିୟା ।

ଯୋଗୀଙ୍କ ସମାଧି ସ୍ଥାନ,

ରହିଅଛି ଦୀପ୍ୟମାନ ହେ ।୮୬।

ଅଠରଶ ଦି-ଶାଲର,

ଜନ୍ମିଥିଲେ ଯୋଗୀବର ।

ସାଲ ଊଶିଶ୍ଚ ସପ୍ତମେ,

ଚଳିଲେ ଅମର ଧାମେ ହେ ।୮୭।

ଏକଶ ପଞ୍ଚବରଷ,

କଲେ ମର୍ତ୍ତ୍ୟପୁରେ ବାସ ।

କରି ପ୍ରଭୁ ଆରାଧନା,

ଧନ୍ୟ ସେ ଉନ୍ନତମନା ହେ ।୮୮।

ଏପରି କାହା ଭାଗ୍ୟରେ,

ଘଟୁଅଛି ଚରାଚରେ ।

ହୋଇ ନଥିଲେ ସଂସାରୀ,

ଥିଲେ ପରଉପକାରୀ ହେ ।୮୯।

ତବ ସ୍ନେହ ଆଳାପନ,

ହୁଏ ସ୍ମୃତି ଜାଗରଣ ।

ସୌମ୍ୟମୂରତି ତୁମ୍ଭର,

ଚିତ୍ରିତ ଅଛି ହୃଦର ହେ ।୯୦।

ତୁମ୍ଭର ସ୍ଵର୍ଗାରୋହଣ,

ଆମ୍ଭଙ୍କୁ ବଜ୍ରପତନ ।

ସୁଗୁଣମାନ ସୁମରି,

ଝୁରି ଝୁରି ଯିବୁ ତରି ହେ ।୯୧।

ବିଶେଷେ କଟକୀ ଜନ

ତୁମ୍ଭ ଅଭାବେ କ୍ରନ୍ଦନ ।

କରୁଛନ୍ତି ରାତି ଦିନ,

ଶ୍ରୀମୁଖ କାନ୍ତି ମଳିନ ହେ ।୯୨।

ଆଉ କି ସାକ୍ଷାତ ଥରେ,

ଘଟିବ ଏ ଜୀବନରେ ।

ଯୋଗୀବର ସ୍ୱପ୍ନେ ଦେଖା,

ଥରେ ଥରେ ଦେବ ଏକା ହେ ।୯୩।

ଏତିକି ମୋର ମାଗୁଣି

ରହିବୁ କୃତଜ୍ଞ ଋଣୀ ।

ତବ ସୁକୃତ ଅପାର,

ପୀଠ ଥିବ ପରିଷ୍କାର ହେ ।୯୪।

ପାଇ ସୁରପୁର ଧାମ,

ସୁଖରେ ଯୋଗୀ ସତ୍ତମ ।

କରିବ ଅମୃତ ପାନ,

କାଳେ କାଳେ ଥିବ ମାନ ହେ ।୯୫।

ଆମ ପାଇଁ ପଦେ ପଦେ,

ପ୍ରଭୁଙ୍କ ପଦ ପଙ୍କଜେ ।

କରୁଥିବ ନିବେଦନ,

ଦୟା ଦାକ୍ଷିଣ୍ୟ ସାଧନ ହେ ।୯୬।

ଏ ଦେଶେ ଶାରଦ ଧାନ,

ପ୍ରଚୁର ହେବା ବିଧାନ

ବସି ଦେବସଭା ପାଶ,

କରିବ ଆଇନ ପାଶ ହେ ।୯୭।

ଏ ଦେଶୀ ରାଜାଙ୍କ ମତି,

ସୁମାର୍ଗେ କରିବ ଗତି ।

ପ୍ରଜା ମଙ୍ଗଳ ସାଧନ,

ଶାନ୍ତି କରିବେ ସ୍ଥାପନ ହେ ।୯୮।

Image

 

ଗୁଣ୍ଡୁଚୀଶ୍ୱର

 

ଗୁଣ୍ଡୁଚୀମୂଷା ଚରିତ,

ତୁମ୍ଭଙ୍କୁ ଅଛି ବିଦିତ ।

ରାବଣ ସୀତା ଆଣିଲା,

ଗୁଣ୍ଡୁଚି ଏହା ଶୁଣିଲା ହେ ।୧।

ରାମ ଦୁଃଖେ ହୋଇ ଦୁଃଖୀ

ମନରେ ହେଲା ଅସୁଖୀ

ବାନର ସୈନ୍ୟଙ୍କ ବଳେ,

ସେତୁ ବନ୍ଧା ହେଲା କାଳେ ହେ ।୨।

ମୁଖେ ନେଇ ସୂକ୍ଷ୍ମ ବାଲି,

ବନ୍ଧେ ଦେଉଥିଲା ଚାଲି ।

ଶ୍ରୀରାମଚନ୍ଦ ଦେଖିଲେ,

ପିଠିକି ଆଉଁସି ଥିଲେ ହେ ।୩।

କି ସୁନ୍ଦର ତିନି ଗାର

ପୃଷ୍ଠରେ ଅଛି ତାହାର ।

ମୂଷିକ ଅନୁକରଣେ,

ତୁମ୍ଭେ ରହିଲ ବରଣେ ହେ ।୪।

ବାଲିବନ୍ଧ ପାଶ ଧରି,

ରହିଲ ତ୍ରିପୁରଅରି ।

ପ୍ରଭୁ ଶ୍ରୀ ଗୁଣ୍ଡୁଚୀଶ୍ଵର,

ବିପଦ ବେଗେ ସଂହର ହେ ।୫।

Image

 

ବାଙ୍କନିଧି ବା ବାଙ୍କନାଥ

 

ବାଙ୍କନିଧି ବାଙ୍କନାଥ,

ଶତବାର ନତମାଥ ।

ତବ ଯୋଗେ ବାଙ୍କେଶ୍ଵର,

ନାମ ହୋଇଛି ଗ୍ରାମର ହେ ।୧।

ଲିଙ୍ଗ ଶକ୍ତିମଧ୍ୟଗତେ,

ଊର୍ଦ୍ଧ୍ୱେ ନାହଁ ଦୃଷ୍ଟିପଥେ ।

ଗଭୀରରେ ବିଦ୍ୟମାନ,

ଗୁପ୍ତେ ଅଛ ତ୍ରିଲୋଚନ ହେ ।୨।

ସୁରଭା ନଦୀର କୂଳ,

ଅଛି ଦେଉଳ ମଞ୍ଜୁଳ ।

ହେ ପ୍ରଭୁ ହିରଣ୍ୟଗର୍ଭ

ତବ ଯୋଗେ ମୋର ଦମ୍ଭ ହେ ।୩।

ପୂର୍ବେ ପଟିଆ ରାଜନ,

ଭୂସମ୍ପତ୍ତି କଲେ ଦାନ ।

ଦିଅଁପଡ଼ା ଗ୍ରାମ ଖଣ୍ଡି,

ତୁମ୍ଭର ରହିଛି ଗଣ୍ଡି ହେ ।୪।

ପୂଜାବିଧି ପରୀକ୍ଷିତ,

ପୂଜକ ଯେ ନିୟୋଜିତ ।

ବଡ଼ ପ୍ରତିଜ୍ଞା ଜାଗ୍ରତ,

କରିଅଛ ବାଙ୍କନାଥ ହେ ।୫।

ବାଁକିହୁଡ଼ା ବନ୍ଧତଟ,

ବଟଗୋସୋଁଇଙ୍କ ମଠ ।

ହୁଏ ମେଳା ମଉତ୍ସବ,

ବଢ଼ାଏ ତବ ଗୌରବ ହେ ।୬।

ପ୍ରବାଦ ଏମନ୍ତ ଶୁଣି,

ପୂର୍ବେ ବୁଢ଼ୀ ଗଉଡୁଣୀ ।

ତବ ମରଦନ ଦହି,

ବନ୍ଧବାଟରେ ଆଣଇ ହେ ।୭।

ତାହାର ସୁବିଧା ପାଇଁ,

ରାଜନ ବନ୍ଧ ବନ୍ଧାଇ ।

ଦେଇଥିଲେ ଭକ୍ତିଜ୍ଞାନେ,

ଆସିବାକୁ ସନ୍ନିଧାନେ ହେ ।୮।

ବହୁତ ବଟ ପାଦପ

ବଢ଼ାନ୍ତି ପୀଠର ଢପ*

ଲକ୍ଷ ବେଲପତ୍ରି ଆଣି,

ମଣ୍ଡନ୍ତି ସେବକ ପ୍ରାଣୀ ହେ ।୯।

ବହୁତ ଯେ ବଡ଼ରୋଗୀ,

ବେଢ଼ାକୁ ଆସନ୍ତ ଯୋଗୀ ।

କରି ତବ ଆରାଧନା,

ଯଶ କରନ୍ତି ଘୋଷଣା ହେ ।୧୦।

ଘାଉଡ଼ ହୋଇଲେ କାହିଁ,

ପାଟ ଅଗଣାକୁ ଧାଇଁ ।

ଆସନ୍ତି ଦୃଢ଼ ମଦାରେ* ,

ବଞ୍ଚାଅ ବଡ଼ ଶ୍ରଦ୍ଧାରେ ହେ ।୧୧।

ଚାରି ପାଶେ ଭକ୍ତଜନ,

ମାନଙ୍କୁ ମୋ ନିବେଦନ ।

ସକଳେ ମିଳି ଯତନେ,

ମୁକୁଶିଆଳି ଗଠନେ ହେ ।୧୨।

ଦେଇକରି ମନୋଯୋଗ,

ପ୍ରଭୁ କରିବେ ଉଦ୍‍ଯୋଗ ।

ଶେଷରେ ଏହି ପ୍ରାର୍ଥନା,

ଘେନିବ, ଉଡ଼ିବ ବାନା ହେ ।୧୩।

* ଢପ - ଆଡ଼ମର , * ମଦାରେ - ବିଶ୍ୱାସରେ

Image